ଓଡ଼ିଶାର ଚିତ୍ରକଳା

ଉଇକିପିଡ଼ିଆ‌ରୁ
(ଓଡିଶାର ଚିତ୍ରକଳାରୁ ଲେଉଟି ଆସିଛି)

ଓଡ଼ିଶାର ଚିତ୍ରକଳା ରାଜ୍ୟର ବିଭିନ୍ନ ଚାରୁ ଓ କାରୁକଳା ସମ୍ବନ୍ଧରେ ବିସ୍ତୃତ ଜ୍ଞାନ ପ୍ରଦାନ କରିଥାଏ । ଚିତ୍ରକଳା ଏକ ସୃଜନ କଳା । ପୂରାତନ କାଳରୁ ଆଜି ପର୍ଯ୍ୟନ୍ତ ପ୍ରତିଟି ମଣିଷ ଭିତରେ ଏହି ପ୍ରବୃତ୍ତିଟି ଅଛି । ଆଉ ତାହା କେବଳ ସୁଯୋଗ ଖୋଜିଥାଏ ପରିପ୍ରକାଶର । ପୁରାତନ କାଳରେ ମଣିଷ ଗିରିଗୁହାରେ ଛବି ଆଙ୍କି ନିଜ ମନର ଭାଷା ପ୍ରକାଶ କରୁଥିଲା । ଓଡ଼ିଶାର ସୀତାବିଞ୍ଜିରେ ବି ଆଜି ଏହି ପୂରାତନ କାନ୍ଥଚିତ୍ର ଦେଖିବାକୁ ମିଳିଥାଏ । ଖଣ୍ଡଗିରି,ଉଦୟଗିରିଠାରୁ ଆରମ୍ଭକରି ରାଜ୍ୟର ବହୁ ସ୍ଥାନରେ ଏସବୁ ପ୍ରାଚୀନ ଚିତ୍ରକଳା ସଂରକ୍ଷିତ ଅଛି । ପରେ ସମୟକ୍ରମେ ମଣିଷ ଏଥିଲାଗି ବିଭିନ୍ନ ମାଧ୍ୟମ ଖୋଜି ଆସିଛି । ତାଳପତ୍ରକୁ ବ୍ୟବହାର କରି ସେ ଏଥିରେ ଫୁଟାଇଛି ଅପୂର୍ବ କଳା ନିଦର୍ଶନ । କେତେବେଳେ ବି କାଠ ହୋଇଛି ଏହାର ଆଧାର । ବୁଗୁଡା ବିରଞ୍ଚି ନାରାୟଣ ମନ୍ଦିର ଶିଳ୍ପୀ କାରୁକାର୍ଯ୍ୟର ଅନ୍ୟତମ ନିଦର୍ଶନ । ତେବେ ଚିତ୍ରକଳା ଦୀର୍ଘବର୍ଷ ଧରି ମନ୍ଦିର ଭାସ୍କର୍ଯ୍ୟ ଭିତରେ ସ୍ୱକୀୟ ସତ୍ତା ବଜାୟ ରଖିଥିଲା । ପରେ ପଟ୍ଟଚିତ୍ର,ପୋଥି ଚିତ୍ର ଓ ଅନ୍ୟାନ୍ୟ ପାରମ୍ପରିକ ଚିତ୍ରକଳାର ଅଭ୍ୟୁଦୟ ହୋଇଥିଲା । ସଭ୍ୟତାର ବିକାଶ କ୍ରମେ ସାମାଜିକ ଆହ୍ୱାନ ସହ ଏସବୁ ବିବିଧ ରୂପ ନେଇଥିଲା । ଶିଳ୍ପୀ ବିମ୍ବାଧର ବର୍ମା ପାରମ୍ପରିକ ଚିତ୍ରରେ ବେଶ ପ୍ରିସିଦ୍ଧି ଅର୍ଜନ କଲେ । ଏବେ ସମସାମୟିକ ଚିତ୍ରକଳାର ଯୁଗ । ଆଧିନିକ ଓ ଆବଷ୍ଟ୍ରାକ୍ଟ ପର୍ଯ୍ୟାୟରେ ଶିଳ୍ପୀ ନୂଆନୂଆ ପରୀକ୍ଷାନୀରିକ୍ଷା ଜାରି ରଖିଛି । ଓଡ଼ିଶାରେ ଆଧୁନିକ ଚିତ୍ରକଳା ଆନ୍ଦୋଳନ ଆରମ୍ଭ ହୋଇଥିଲା ଅଜିତ କେଶରୀ ରାୟ ଓ ଅନନ୍ତ ପଣ୍ଡାଙ୍କଠାରୁ । ପରବର୍ତ୍ତୀ ସମୟରେ ବହୁ ଶିଳ୍ପୀ ଏହି ଧାରାରେ ନିଜ ନିଜକୁ ସାମିଲ କରିଛନ୍ତି । ଆଧୁନିକ ଚିତ୍ରକଳାର ପ୍ରାରମ୍ଭିକ ପର୍ଯ୍ୟାୟରେ କେତେଜଣ ଶିଳ୍ପୀଙ୍କ ନାମ ସାମନାକୁ ଆସେ । ସେମାନେ ହେଲେ -ଗୋପାଳ କାନୁନଗୋ,ମୁରଲୀଧର ଟାଲି,ଅସୀତ ମୁଖାର୍ଜୀ,ବିନୋଦ ରାଉତରାୟ ପ୍ରମୁଖ । ଓଡ଼ିଶାର ଜଣେ ସ୍ୱନାମଧନ୍ୟ ଶିଳ୍ପୀ ବ୍ୟୋମକେଶ ମହାନ୍ତିଙ୍କ ପରଲୋକ ଘଟିଛି । ଚିତ୍ରକଳା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ତେବେ ବର୍ତ୍ତମାନ ସମୟର କେତେଜଣ ଶିଳ୍ପୀ,ଯେଉଁମାନେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ ସୁନାମ ଅର୍ଜନ କରିଛନ୍ତି ,ସେମାନେ ହେଲେ-ଦୀନନାଥ ପାଠୀ,ଶିବ ପାଣିଗ୍ରାହୀ,ଅସୀମ ବସୁ,ଜଗନ୍ନାଥ ପଣ୍ଡା,ବଳଦେବ ମହାରଥା,ଚନ୍ଦ୍ରମଣି ବିଶ୍ୱାଳ,ପ୍ରଦୋଷ ସ୍ୱାଇଁ,ତାରାକାନ୍ତ ପରିଡା,ପ୍ରତ୍ତୁଲ ଦାସ,ଶଶୀକାନ୍ତ ରାଉତ,ମାନସ ରଞ୍ଜନ ଜେନା,ଗଜେନ୍ଦ୍ର ପାଢୀ,ଗଜେନ୍ଦ୍ର ସାହୁ,ରମାକାନ୍ତ ସାମନ୍ତରାୟ,ରଞ୍ଜନ ମଲ୍ଲିକ ଓ ଅଭିଜିତ ମହାନ୍ତି ପ୍ରମୁଖ । ଆନ୍ତର୍ଜାତିକ ବଜାରରେ ଜଗନ୍ନାଥ ପଣ୍ଡାଙ୍କ ଚିତ୍ରକଳା ସର୍ବାଧିକ ଟଙ୍କାରେ ବିକ୍ରି ହେଉଛି । ମାନସ ରଞ୍ଜନ ଜେନାଙ୍କ ‘ପ୍ରତୀକ୍ଷା’ ସିରିଜର ଛବିଗୁଡିକ ରାଜ୍ୟ ଓ ରାଜ୍ୟ ବାହାରେ ଖୁବ ଆଦୃତ ହୋଇଛି । ରମାକାନ୍ତ ସାମନ୍ତରାୟଙ୍କ ‘ପାୱାର ଗେମ’ ସିରିଜ ଉଲ୍ଲେଖନୀୟ ସୃଷ୍ଟି ସମୂହ । ଶିବ ପାଣିଗ୍ରାହୀ ‘ଡ୍ରିମ ଇନ ଦି ସ୍କାଏ’ ସିରିଜରେ ଦୀର୍ଘବର୍ଷ ଧରି ଛବି ଆଙ୍କୁଛନ୍ତି । ଚନ୍ଦ୍ରମଣି ବିଶ୍ୱାଳଙ୍କ ‘ଡାଇଂ ସେଞ୍ଚୁରୀ ’ତାଙ୍କ ପରିକଳ୍ପନାକୁ ପରିପକ୍ୱ ରୂପଦେଇଛି । ଏକଦା ଦୀନନାଥ ପାଠୀ ରାଷ୍ଟ୍ରୀୟ ଲଳିତକଳା ଏକାଡେମୀର ଅଧ୍ୟକ୍ଷ ରହି ଓଡ଼ିଆ ଶିଳ୍ପୀଙ୍କୁ ଜାତୀୟ ସ୍ତରରେ ପ୍ରୋତ୍ସାହିତ କରିଛନ୍ତି । ବଳଦେବ ମହାରଥା ଓ ଶିବପାଣିଗ୍ରାହୀ ଚିତ୍ରକଳା କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ ପୁସ୍ତକ ପ୍ରଚ୍ଛଦ ପରିପାଟି କଳାରେ ଖ୍ୟାତି ଅର୍ଜନ କରିଛନ୍ତି ।

( ଲେଖା ଜାରି ରହିବ )