ନୀଳକଣ୍ଠେଶ୍ୱର ମନ୍ଦିର

ଉଇକିପିଡ଼ିଆ ରୁ
(ଓଡିଶାରେ ଦ୍ରୋଣମୂର୍ତ୍ତି ରୁ ଲେଉଟି ଆସିଛି)
Jump to navigation Jump to search

ଓଡ଼ିଶାର ପୁରାତନ ସହର ଜୟପୁରରେ ରହିଛି ବହୁ ପୁରାତନ ମନ୍ଦିର। ସେଥିମଧ୍ୟରୁ ସହରର ପୁରୁଣାଗଡ଼ଠାରେ ଅବସ୍ଥିତ ପ୍ରାଚୀନ ନୀଳକଣ୍ଠେଶ୍ୱର ମନ୍ଦିର ଅନ୍ୟତମ। କୁହାଯାଏ ଯେ ପଞ୍ଚଦଶ ଶତାବ୍ଦୀରେ ଏହି ସହର ସୂର୍ଯ୍ୟବଂଶୀ ରାଜାଙ୍କଦ୍ୱାରା ସ୍ଥାପିତ ହୋଇଥିଲା ।ଏହି ମନ୍ଦିର ପ୍ରାୟ ଛଅଶହ ବର୍ଷର ପୁରୁଣା ।

ମନ୍ଦିର ଓ ଦେବଦେବୀ[ସମ୍ପାଦନା]

ମନ୍ଦିର ବେଢାରେ ବହୁ ପ୍ରାଚୀନ ମୂର୍ତ୍ତି ଶୋଭାପାଉଛି । ମନ୍ଦିରକୁ ପ୍ରବେଶ କରିବା ସମୟରେ ଭକ୍ତମାନେ ପ୍ରଥମେ ଡାହାଣ ଓ ବାମ ପାର୍ଶ୍ୱରେ ଥିବା ଦୁଇଟି ଛୋଟ ବେଢା ମନ୍ଦିର ଦର୍ଶନ କରିଥାନ୍ତି । ନୀଳକଣ୍ଠେଶ୍ୱର ମନ୍ଦିର ବେଢାରେ ଗୋଟିଏ ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ବିଗ୍ରହ ବିରାଜମାନ , କିନ୍ତୁ ଏହା ଶୈବ କିମ୍ବା ଶାକ୍ତ ଧର୍ମର କୌଣସି ପ୍ରତୀକ ଭଳି ମନେହୁଏନାହିଁ । ଗବେଷକମାନେ ଏହି ମୂର୍ତ୍ତିଟିକୁ କୌରବ ଓ ପାଣ୍ଡବଙ୍କ ଅସ୍ତ୍ରଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ବୋଲି ପ୍ରମାଣିତ କରିଛନ୍ତି । ମୂର୍ତ୍ତିଟିର ମୁହଁ କାକପକ୍ଷୀ ପରି । ଯୁଦ୍ଧକ୍ଷେତ୍ରରେ ଉଭାହେଉଥିବା ବୀର ପାଇକ ଯୋଦ୍ଧାର ରୂପ ସହିତ ମୂର୍ତ୍ତିଟିର ବେଶଭୂଷାର ସାଦୃଶ୍ୟ ରହିଛି । ମୁଣ୍ଡରେ ଶିରଣାସ୍ତ୍ର , ଗୋଡରେ ବଳା , କଟିରେ ଜଙ୍ଘିଆ , ଛାତିରେ ଯଜ୍ଞୋପବୀତ , ହାତରେ କଙ୍କଣ ଏବଂ କାନରେ କୁଣ୍ଡଳ ଶୋଭାପାଉଛି । ଗଳାରୁ ଆଣ୍ଠୁଯାଏ ଖୋଦନ କରାଯାଇଛି ଏକ ସୁନ୍ଦର ପୁଷ୍ପମାଳା । ମୂର୍ତ୍ତିରେ ଦ୍ରୋଣ ବାମ ହାତରେ ଏକ ଧନୁ ଧରିଛନ୍ତି , ଡାହାଣ ହାତରେ ଗୋଟିଏ ଶରକୁ ସେହି ଧନୁରେ ଯୋଖି କାନ ପର୍ଯ୍ୟନ୍ତ ଟାଣି ଡାହାଣ ପାଦ ପଛକୁ ଓ ବାମପାଦ ଆଗକୁ ମାଡି ରହିଛନ୍ତି । କାନ୍ଧରେ ରହିଛି ତୂଣୀର ଏବଂ ଅଣ୍ଟାରେ ଗଦା । ସତେ ଯେପରି ସେ ଯୁଦ୍ଧକ୍ଷେତ୍ରକୁ ଅଗ୍ରସର ହେବାପରି ଲାଗେ ।

ଦ୍ରୋଣଙ୍କ ଜନ୍ମ ସମ୍ପର୍କରେ ବର୍ଣ୍ଣନା ଅଛି ଯେ ମୁନି ଭରଦ୍ୱାଜଙ୍କ ପତ୍ନୀ ଶ୍ରୀୟା ସରସ୍ୱତୀ ଦୀର୍ଘ ବର୍ଷର ବିବାହ ପରେ ମଧ୍ୟ ପୁତ୍ର ସନ୍ତାନଟିଏ ଲାଭକରିପାରିନଥିଲେ । ଏଣୁ ଶ୍ରୀୟା ପ୍ରୟାଗ ଯାଇ ବାଞ୍ଛାବଟ ନିକଟରେ ଦ୍ରୋଣପକ୍ଷୀକୁ ଧ୍ୟାନକରି ତପସ୍ୟାରେ ବସିଥିଲେ । ଧର୍ମପକ୍ଷୀ ଦର୍ଶନଦେଇ ନିଜର ଦକ୍ଷିଣ ପକ୍ଷରୁ ଗୋଟିଏ ଡିମ୍ବ ତାଙ୍କୁ ଦେଇ ଏହାର ଯତ୍ନ ନେବାକୁ ନିର୍ଦ୍ଦେଶ ଦେଲେ । ଆଉମଧ୍ୟ କହିଲେ ଡିମ୍ବରୁ ଯେଉଁ ପୁତ୍ର ସନ୍ତାନ ଜନ୍ମ ହେବ ସେ ମହା ବଳବାନ ଓ ଭାଗ୍ୟବାନ ହେବ । ଦ୍ରୋଣ ଜାତିରେ ଥିଲେ ବ୍ରାହ୍ମଣ କିନ୍ତୁ କ୍ଷେତ୍ରିୟ ବୃତ୍ତିକୁ ଆପଣେଇ ଥିଲେ । ସେ ଭାରତବର୍ଷର ଜଣେ ପ୍ରବୀଣ ଧନୁର୍ଦ୍ଧର ଓ ଯୋଦ୍ଧା । ଏହି ଦ୍ରୋଣ ମୂର୍ତ୍ତିର ନିର୍ମାଣ ସମୟ ଏବଂ ନିର୍ମାଣର ପ୍ରାସଙ୍ଗିକତା ଏପର୍ଯ୍ୟନ୍ତ କାହାକୁ ଜଣାନାହିଁ । [୧]

ଆଧାର[ସମ୍ପାଦନା]

  1. ଶାଶ୍ୱତ କୁମାର ମିଶ୍ର, ପ୍ରଜାତନ୍ତ୍ର ସାପ୍ତାହିକୀ , ପୃଷ୍ଠା- ୧୯, ନଭେମ୍ବର ୨୭ - ୩ ଡିସେମ୍ବର ୨୦୦୫