ଓଡ଼ିଶା ମତ୍ସ୍ୟନୀତି ୨୦୧୫

ଉଇକିପିଡ଼ିଆ‌ରୁ

ଓଡ଼ିଶାରେ ମତ୍ସ୍ୟ ସମ୍ପଦ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ମତ୍ସ୍ୟନୀତି, ୨୦୧୫ ଘୋଷଣା କରିଥିଲେ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଓ ଆନ୍ତର୍ଜାତୀୟ ଅର୍ଥ ନିଗମର ଯୁଗ୍ମ ଆନୁକୂଳ୍ୟରେ ଓଡ଼ିଶା ମତ୍ସ୍ୟନୀତି, ୨୦୧୫ ଶୀର୍ଷକ କର୍ମଶାଳା ଅକ୍ଟୋବର ୮ , ୨୦୧୫ରେ ଅୟୋଜିତ ହୋଇ କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କଦ୍ୱାରା ଉଦ୍ଘାଟନ ହୋଇଥିଲା । ଦେଶରେ ମତ୍ସ୍ୟନୀତି ପ୍ରଣୟନ କରିବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ।

ଉଦ୍ଦେଶ୍ୟ[ସମ୍ପାଦନା]

ରାଜ୍ୟର ମତ୍ସ୍ୟ ଉପିାଦନକୁ ୨୦୨୦ ସୁଦ୍ଧା ଦ୍ୱିଗୁଣିତ କରିବା ପାଇଁ ଏବଂ ରାଜ୍ୟର ସମସ୍ତ ମତ୍ସ୍ୟଚାଷୀଙ୍କୁ ଜୀବିକା ଯୋଗାଇ ଦେବା ଉଉଦ୍ଦେଶ୍ୟରେ ମତ୍ସ୍ୟନୀତି ପ୍ରସ୍ତୁତ କରାଯାଇଛି ।

ରୂପରେଖ[ସମ୍ପାଦନା]

ଓଡ଼ିଶା ରାଜ୍ୟରେ ମତ୍ସ୍ୟ ଉପିାଦନ ପାଇଁ ବିପୁଳ କ୍ଷେତ୍ର ରହିଛି । ରାଜ୍ୟରେ ୬ ଲକ୍ଷ ୭୮ ହଜାର ହେକ୍ଟର ମଧୁର ଜଳ ଅଞ୍ଚଳ ରହିଛି, ୪ ଲକ୍ଷ ୧୮ ହଜାର ହେକ୍ଟର ଖାରି ପାଣି ଅଞ୍ଚଳ ଏବଂ ୪୮୦ କିଲୋମିଟର ଦୀର୍ଘ ସମୁଦ୍ର ଉପକୂଳ ରହିଛିି । ରାଜ୍ୟରେ ୧୪ ଲକ୍ଷ ମତ୍ସ୍ୟଜୀବୀ ଏବଂ ମତ୍ସ୍ୟଚାଷୀ ଅଛନ୍ତି । ୨୦୧୪-୧୫ ଆର୍ଥିକ ବର୍ଷରେ ମୋଟ ୪ ଲକ୍ଷ ୬୭ ହଜାର ମେଟ୍ରିକ ଟନ ମାଛ ଉତ୍ପାଦିତ ହୋଇଥିବା ସ୍ଥଳେ ମଧୁର ଜଳ କ୍ଷେତ୍ରରେ ୩ ଲକ୍ଷ ୧ ହଜାର ମେଟ୍ରିକ ଟନ ମଧୁର ମାଛ, ୧ ଲକ୍ଷ ୩୩ ହଜାର ମେଟ୍ରିକ ଟନ ସାମୁଦ୍ରିକ ମାଛ ଏବଂ ୩୩ ହଜାର ମେଟ୍ରିକ ଟନ ଖାରିପାଣି ମାଛ ଉତ୍ପାଦିତ ହୋଇଛି । ରାଜ୍ୟରୁ ୨୦୧୪-୧୫ ଆର୍ଥିକ ବର୍ଷରେ ୨୦୬୯ କୋଟି ୧୭ ଲକ୍ଷ ଟଙ୍କାର ମତ୍ସ୍ୟ ଓ ମତ୍ସ୍ୟ ଉତ୍ପାଦ ରପ୍ତାନି ହୋଇଛି । ଚିଲିକାରେ ମାଛଧରା ଉନ୍ନତି ଏବଂ ପରିବେଶ ଅନୁପୂରକ ମାଛଧରା, ସାଧନର ସଂରକ୍ଷଣ, ପରିଚାଳନା ଓ ଅଧିନିୟମଗୁଡିକ ବାଧ୍ୟତାମୂଳକ ଉପଯୋଗ କରାଯିବ । ରାଜ୍ୟରେ ପ୍ରଚଳିତ କାର୍ଯ୍ୟକ୍ରମଗୁଡିକ ମାଧ୍ୟମରେ ନୂତନ ଜଳଭାଗ ସୃଷ୍ଟିଦ୍ୱାରା ଏବଂ ନୂତନ କ୍ଲଷ୍ଟର ଓ ଉଦ୍ୟୋଗୀକରଣଦ୍ୱାରା ନିଯୁକ୍ତି ସୃଷ୍ଟି କରାଯିବ । ରାଜ୍ୟର ଜଳଭଣ୍ଡାରଗୁଡିକରେ ଉନ୍ନତ ଯାଅାଁଳା ଗଚ୍ଛିତ କରି ଉତ୍ପାଦନ ବୃଦ୍ଧି କରାଯିବ ଏବଂ ଖାରିପାଣି ଚାଷ ପାଇଁ ସରକାରୀ ଜମିକୁ ଦୀର୍ଘମିଆଦୀ ଲିଜ ସୂତ୍ରରେ ପ୍ରଦାନଦ୍ୱାରା ଖାରିପାଣି ଚାଷର ଉନ୍ନତି ସାଧିତ ହେବ । ମତ୍ସ୍ୟନୀତି-୨୦୧୫ରେ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗର ଆଶାନୁରୂପ ଉପଯୋଗ କରି ରାଜ୍ୟର ମତ୍ସ୍ୟଚାଷୀ ଓ ମତ୍ସ୍ୟ ଉଦ୍ୟୋଗୀମାନେ ମତ୍ସ୍ୟ ଉତ୍ପାଦନକୁ ଦ୍ୱିଗୁଣିତ କରାଇବେ ବୋଲି କୃଷିମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଫଳପ୍ରଦ ରୂପାୟନ ବ୍ୟବସ୍ଥାକୁ ତଦାରଖ କରିବାକୁ ତୁରନ୍ତ ଏକ ଷ୍ଟିଅରିଂ କମିଠନ ଗଠନ କରାଯିବ । ରାଜ୍ୟର ଅଣ-ଖାରିପାଣି ଜଳରାଶିରେ ମତ୍ସ୍ୟଚାଷୀ ପାଇ ସ୍ୱତନ୍ତ୍ର ଲିଜ ନିୟମାବଳୀ ପ୍ରସ୍ତୁତ କରାଯିବ ଓ ମତ୍ସ୍ୟଚାଷ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ସୁଗମ କରିବା ପାଇଁ ଇପିକଲରେ ଏକ ପ୍ରକୋଷ୍ଠ ଖୋଲାଯିବା ଉପରେ ଏକ ପ୍ରସ୍ତାବ ଅଛି ।[୧]

ଆଧାର[ସମ୍ପାଦନା]

  1. "ମତ୍ସ୍ୟନୀତି ପ୍ରଣୟନରେ ଓଡ଼ିଶା ପ୍ରଥମ". ସର୍ବସାଧାରଣ. Retrieved 9 October 2015.[permanent dead link]