ଏକଲବ୍ୟ
ଏକଲବ୍ୟ ମହାଭାରତର ଗୋଟିଏ ପାତ୍ର ଥିଲେ। ସେ ରାଜା ହିରଣ୍ୟଧନୁ ନାମକ ନିଷାଦଙ୍କ ପୁତ୍ର ଥିଲେ। ଏକଳବ୍ୟ ସ୍ଵୟଂ ଶିଖିଥିବା ଧନୁର୍ବିଦ୍ୟା ସହିତ ଅସାଧାରଣ ଗୁରୁଭକ୍ତି ପାଇଁ ପ୍ରସିଦ୍ଧ । ପିତାଙ୍କ ମୃତ୍ୟୁ ପରେ ସେ ଶୃଙ୍ଗବେର ରାଜ୍ୟର ଶାସକ ହେଲେ । ଅମାତ୍ୟ ପରିଷଦର ପରାମର୍ଶରେ ସେ ନିଜ ରାଜ୍ୟର ପାଳନ କରିବା ସହ ନିଷାଦମାନଙ୍କ ଗୋଟିଏ ସଶକ୍ତ ସେନା ଗଠନ କରି ରାଜ୍ୟର ସୀମା ବିସ୍ତାର କଲେ ।
ମହାଭାରତରେ ଏକଲବ୍ୟ ଚରିତ
[ସମ୍ପାଦନା]ମହାଭାରତରେ ବର୍ଣ୍ଣିତ କଥାନୁସାରେ, ଏକଲବ୍ୟ ଧନୁର୍ବିଦ୍ୟା ଶିଖିବା ଉଦ୍ଦେଶ୍ୟରେ ଦ୍ରୋଣାଚାର୍ଯ୍ୟଙ୍କ ଆଶ୍ରମକୁ ଆସିଥିଲେ, କିନ୍ତୁ ନିଷାଦପୁତ୍ର ହେବାରୁ ଦ୍ରୋଣାଚାର୍ଯ୍ୟ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ଅସ୍ବୀକାର କଲେ । ନିରାଶ ହୋଇ ଏକଲବ୍ୟ ବନକୁ ଯାଇ ସେ ସେଠାରେ ଦ୍ରୋଣାଚାର୍ଯ୍ୟଙ୍କ ଗୋଟିଏ ମୂର୍ତ୍ତି ତିଆରି କରି, ତାହାକୁ ଗୁରୁ ଭାବି ଧନୁର୍ବିଦ୍ୟାର ଅଭ୍ୟାସ କରିବା ଆରମ୍ଭ କଲେ । ଏକାଗ୍ର ଚିତ୍ତରେ ସାଧନା କରି ସେ ଅତ୍ୟନ୍ତ ଅଲ୍ପ ସମୟରେ ଧନୁର୍ବିଦ୍ୟାରେ ଅତି ନିପୁଣ ହୋଇଗଲେ ।
ଗୋଟିଏ ଦିନ ପାଣ୍ଡବ ଓ କୌରବମାନେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ସହିତ ସେହି ବନକୁ ଆସିଲେ, ଯେଉଁଠି ଏକଳବ୍ୟ ଆଶ୍ରମ ସ୍ଥାପନ କରି ଧନୁର୍ବିଦ୍ୟା ଅଭ୍ୟାସ କରୁଥିଲେ । ରାଜକୁମାରମାନଙ୍କ କୁକୁର ବାଟ ଭୁଲି ଏକଲବ୍ୟଙ୍କ ଆଶ୍ରମରେ ପହଞ୍ଚିଲା ଓ ଏକଲବ୍ୟଙ୍କୁ ଦେଖି ଭୁକିବା ଆରମ୍ଭ କଲା । କୁକୁରର ଭୁକିବାରୁ ଏକଳବ୍ୟଙ୍କ ସାଧନାରେ ବାଧା ଉପୁଜିଲା, ସେଥିପାଇଁ ସେ ବାଣ ପ୍ରୟୋଗ ଦ୍ୱାରା କୁକୁରର ମୁଖ ବନ୍ଦ କରିଦେଲେ । ସେ ଏତେ କୌଶଳରେ ବାଣ ଚାଳନା କରିଥିଲେ ଯେ କୁକୁରକୁ କୌଣସି ପ୍ରକାର ଆଘାତ ହୋଇନଥିଲା । କୁକୁର ଫେରିଲାପରେ, କୌରବ, ପାଣ୍ଡବ ଓ ଦ୍ରୋଣାଚାର୍ଯ୍ୟ ସେହି ବାଣକୌଶଳ ଦେଖି ଆଶ୍ଚର୍ୟଚକିତ ହେଲେ ଓ ବାଣ ଚଳାଇଥିବା ବ୍ୟକ୍ତିଙ୍କୁ ଖୋଜି ଏକଲବ୍ୟଙ୍କ ପାଖରେ ପହଞ୍ଚିଲେ । ସେମାନେ ଏହା ଜାଣି ଆଉ ଅଧିକ ଆଶ୍ଚର୍ଯ୍ୟ ହେଲେ ଯେ ଏକଲବ୍ୟ ଦ୍ରୋଣାଚାର୍ଯ୍ୟଙ୍କୁ ମାନସିକ ଗୁରୁ ଭାବି ସ୍ଵୟଂ ଅଭ୍ୟାସରେ ଏହି ବିଦ୍ୟା ଅର୍ଜନ କରିଛନ୍ତି ଆଂ
କଥାନୁସାରେ ଏକଳବ୍ୟ ଗୁରୁଦକ୍ଷିଣା ଭାବରେ ନିଜ ଅଂଗୁଠି କାଟି ଦ୍ରୋଣାଚାର୍ଯ୍ୟଙ୍କୁ ଦେଇଥିଲେ ।[୧] ଏହାର ଗୋଟିଏ ପ୍ରତୀକାତ୍ମକ ଅର୍ଥ ଏହା ହୋଇପାରେ ଯେ ଦ୍ରୋଣାଚାର୍ଯ୍ୟ ଏକଳବ୍ୟଙ୍କ ଅନନ୍ୟ ପ୍ରତିଭା ଦେଖି ତାଙ୍କୁ ଆଂଗୁଠି ବିନା ଧନୁ ଚଲାଇବାର ବିଶେଷ ବିଦ୍ୟା ଦାନ କରିଥିଲେ । କୁହାଯାଏ ଯେ ଅଂଗୁଠି କଟିଯିବା ପରେ ଏକଲବ୍ୟ ତରଜନୀ ଓ ମଧ୍ୟମା ଆଙ୍ଗୁଠି ଦ୍ୱାରା ତୀର ଚଲାଇବା ଆରମ୍ଭ କଲେ । ଏଠାରୁ ଆଧୁନିକ ତୀରନ୍ଦାଜି ଶୈଳୀର ଜନ୍ମ ହେଲା ।
ମହାଭାରତର ଉଦ୍ୟୋଗ ପର୍ବରେ କୁହାଯାଇଛି ଯେ ଏକଲବ୍ୟ କୃଷ୍ଣଙ୍କ ଦ୍ଵାରା ନିହତ ହୋଇଥିଲେ ।[୨]
ସାମାଜିକ ସ୍ଵୀକୃତି
[ସମ୍ପାଦନା]- ଏକଲବ୍ୟଙ୍କ ସମ୍ମାନରେ, ଭାରତ ସରକାର ଭାରତୀୟ ଆଦିବାସୀମାନଙ୍କ ପାଇଁ ଏକଳବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍ (EMRS) ନାମକ ଏକ ଆବାସିକ ବିଦ୍ୟାଳୟ ଯୋଜନା ଚାଳୁ କରିଛନ୍ତି ।
- କର୍ଣ୍ଣାଟକ, ହରିୟାଣା ଓ ମଧ୍ୟପ୍ରଦେଶ ସହିତ ଅନେକ ରାଜ୍ୟ ସରକାରଙ୍କ ଦ୍ୱାରା ୧୯ ବର୍ଷରୁ କମ୍ ବୟସ୍କ ଖେଳାଳିମାନଙ୍କୁ ଖେଳକୁଦରେ ଅସାଧାରଣ କୃତିତ୍ୱ ପାଇଁ, ଏକଳବ୍ୟ ପୁରସ୍କାର ପ୍ରଦାନ କରାଯାଏ ।[୩]
- ହରିୟାଣା ରାଜ୍ୟର ଗୁରୁଗ୍ରାମ ସହରର ସେକ୍ଟର ୩୭ ଅଞ୍ଚଳର ଖଣ୍ଡସା ଗ୍ରାମରେ ଏକଲବ୍ୟଙ୍କ ନାମରେ ଗୋଟିଏ ମନ୍ଦିର ଅଛି। ଲୋକକଥା ଅନୁସାରେ, ଏହା ଏକଲବ୍ୟଙ୍କ ଏକମାତ୍ର ମନ୍ଦିର ଏବଂ ଏହି ସ୍ଥାନରେ ଏକଲବ୍ୟ ନିଜ ଆଂଗୁଠି କାଟି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଅର୍ପଣ କରିଥିଲେ ।
- କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶାର କ୍ରୀଡାବିତମାନଙ୍କୁ ପ୍ରତିବର୍ଷ ଏକଲବ୍ୟ ପୁରସ୍କାର ପୁରସ୍କାର ପ୍ରଦାନ କରାଯାଇଥାଏ । ଶିଳ୍ପପତି ଡ. ବଂଶୀଧର ପଣ୍ଡା ଏବଂ ଇଲା ପଣ୍ଡାଙ୍କଦ୍ୱାରା ପ୍ରତିଷ୍ଠିତ ଏକଲବ୍ୟ ପୁରସ୍କାର, ଇମ୍ଫାଗୃପଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୁଲ୍ୟରେ ୧୯୯୩ ମସିହାରୁ ପ୍ରଦାନ କରାଯାଇ ଆସୁଅଛି । ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉତ୍ତରୀୟ ସହ ନଗଦ ଏକ ଲକ୍ଷ ପଚାଶ ହଜାର ଟଙ୍କା ପ୍ରଦାନ କରାଯାଏ ।[୪]
ଆଧାର
[ସମ୍ପାଦନା]- ↑ Mani, Vettam (2015-01-01). Puranic Encyclopedia: A Comprehensive Work with Special Reference to the Epic and Puranic Literature (in ଇଂରାଜୀ). Motilal Banarsidass. ISBN 978-81-208-0597-2.
- ↑ "The Mahabharata, Book 5: Udyoga Parva: Sanat-sujata Parva: Section XLVIII". sacred-texts.com. Retrieved 2025-01-24.
- ↑ "Karnataka enhances Ekalavya cash award". The Times of India. 2023-12-01. ISSN 0971-8257. Retrieved 2025-10-20.
- ↑ NEWS, OMMCOM (2025-10-11). "Ace Shuttler Swetaparna Panda To Get Ekalavya Award | Odisha". Odisha News, Odisha Breaking News, Odisha Latest News || Ommcom News (in ଆମେରିକୀୟ ଇଂରାଜୀ). Retrieved 2025-10-20.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |