Jump to content

ଆଲୋଚନା:ସଂଯୁକ୍ତା ରାଉତ

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
Latest comment: ୧୮ ଦିନ ପୂର୍ବେ by ଛାନ୍ଦ ସିଂ in topic ଯୂପକାଠର ପଶୁ

ଯୂପକାଠର ପଶୁ

[ସମ୍ପାଦନା]

“ଯୂପକାଠର ପଶୁ ଉପନ୍ୟାସରେ ଜୀବନବୋଧ”

         ସାହିତ୍ୟ ନବ ଚିନ୍ତା ଚେତନାର ପରିପ୍ରକାଶକ। ବୈଚିତ୍ରମୟ ବ୍ରହ୍ମାଣ୍ଡର  ରସମୟ ଅମୃତକୁ ପାନ କରିବାର କ୍ଷମତା ପ୍ରାପ୍ତିର ମାର୍ଗ। ମଣିଷର ହିତ ସାଧନ କରିବା ସହିତ ସମାଜର ମୁକୁର ଭାବରେ ବିରାଟ ସାଧନାର  ମହନୀୟ ସ୍ଥଳୀ ସାହିତ୍ୟ। ଦିନେ କାବ୍ୟରେ ସାହିତ୍ୟର କଳେବର ସୀମିତ ରହିଥିଲା । କିନ୍ତୁ ଆଜି ସେ ବିଶାଳ ବଟବୃକ୍ଷ ଚାରି ଦିଗରେ ନିଜର ଡାଳ ମେଲାଇ ଦଣ୍ଡାୟମାନ ହୋଇ ଥିବା ସଦୃଶ ନାନା ବିଭାଗରେ ବିଭକ୍ତ । କଥା ସାହିତ୍ୟ ହେଉଛି ଅନ୍ୟତମ ବିଭବ।ଓଡ଼ିଆ କଥା ସାହିତ୍ୟ ଜଗତର ଜଣେ ମହନୀୟ ପ୍ରତିଭା, ଓଡ଼ିଶା  ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଔପନ୍ୟାସିକା ହେଉଛନ୍ତି  ଡଃ  ସଂଯୁକ୍ତା ରାଉତ। ଇଂରାଜୀ ସାହିତ୍ୟର ଜଣେ ପ୍ରବୀଣ ଅଧ୍ୟାପିକା ହେଲେ ହେଁ ଓଡ଼ିଆ ସାହିତ୍ୟକୁ ସେ ଢେର୍ ସାରା ଭଲ ପାଇବା ଢାଳି ଦେଇଛନ୍ତି। ତାଙ୍କର ଲେଖାରେ ଗହନ ବନର ମନର କଥା ଏବଂ ସମାଜର ବିଭିନ୍ନ ସମସ୍ୟା ତଥା ସମାଧାନର ରୂପ ପ୍ରକାଶ ପାଏ।

          ତାଙ୍କର ଲେଖା ଭିତରେ ‘ନିବୁଜ ଘର’, ଅନ୍ଧଗଳି, ନିଜ ମୁହଁ ନିଜକୁ ଅଚିହ୍ନା, ମୁକ୍ତ ବିହଙ୍ଗୀ , ଯେଉଁଠି ଆରମ୍ଭ ସେଇଠି ଶେଷ ‘, ଯୂପ କାଠର ପଶୁ, ନୀଳପକ୍ଷୀ ଓ ଅନ୍ୟାନ୍ୟ କବିତା ଉଲ୍ଲେଖନୀୟ।

        ବଞ୍ଚିବାର ପ୍ରୟାସ ହିଁ ଜୀବନ।ପ୍ରାଣରେ ବାୟୁ ଥିଲେ ତାହାର ଜୀବନ ଅଛି ବୋଲି କହିବା ଠିକ୍ ନୁହେଁ। ଜୀବନ ପାଇଁ ଖାଲି ଶ୍ଵାସ ପ୍ରଶ୍ଵାସର ଆବଶ୍ୟକତା ନ ଥାଏ । ଜଣେ କେତେ ଦୂର ନିଜର ଭାବ ବିନିମୟ କରିପାରୁଛି , ଅନ୍ୟ ଉପରେ ପ୍ରଭାବ ପକାଇ ପ୍ରଭାବିତ କରି  ପାରୁଛି ବିଚାର କରିବାର ବିଷୟ। ୨୦୦୨ ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ‘ଯୂପକାଠର ପଶୁ ‘ଉପନ୍ୟାସରେ ଅନ୍ୟାନ୍ୟ ଜୀବନର କାହାଣୀ ସଫଳ ରୂପ ପାଇଛି। ଅନନ୍ୟା ସାମ୍ପ୍ରତିକ ସମୟରେ ଅବିବାହିତ ହୋଇ ଘରେ ରହି ଯାଉଥିବା ବୟସ୍କା ଝିଅମାନଙ୍କର ପ୍ରତିନିଧିତ୍ଵ କରେ । ଅନନ୍ୟା ଛୋଟ ଘରର ଝିଅ। ବାପା ରେଳବାଇର ଜଣେ ଛୋଟ କର୍ମଚାରୀ। ତାର ମାଆ ଗୃହିଣୀ। ଘରେ ଜେଜେମା ଆଉ ତାର ଭାଇ ବାଦଲ ବି ରହନ୍ତି। ତାର ତିନୋଟି ବଡ଼ ଭଉଣୀ ବିବାହ କରି ଶାଶୁଘରେ ରହନ୍ତି। ଗୋଟିଏ ଛୋଟ ଭାଇ ଥିଲା ଥରେ ଅଜାଣତରେ ଦି ଟଙ୍କା ଭାବି ଦି ଶହ ଟଙ୍କା ବାପାଙ୍କର ପକେଟରୁ ଚୋରି କରି ନେଇ ସାଙ୍ଗମାନଙ୍କ ସହ ମଜା କରିଥିଲା । ବାପା ପରେ ସବୁ କଥା ଜାଣି ତାକୁ ଗାଳି କରିବା ସମୟରେ ତୁ ମରିଯାଇଥାନ୍ତୁ କହିଲା ବେଳେ ସେ କ’ଣ ବୁଝିଲା କେଜାଣି ବିଷ ଖାଇ ଦେଲା । ଅନନ୍ୟାର ମାଆ ଶାଶୁର  ଋଢିବାଦୀ ଚିନ୍ତାଧାରା ଦ୍ବାରା ଅତ୍ୟାଚାରିତା ହୋଇଛନ୍ତି। ଝିଅ ଓ ପୁଅ ଭିତରେ ପ୍ରଭେଦ  ନିରୂପଣ କରି ଅନନ୍ୟାକୁ ବିବାହ ନ କରି ଚାକିରି କରୁଥିବାରୁ ତାକୁ ପସନ୍ଦ କରନ୍ତି ନାହିଁ।  ତାଙ୍କର ବାରଣ ସତ୍ତ୍ଵେ ବାପା ତାକୁ ପାଠ ପଢିବାର  ସେ  ପରୀକ୍ଷାରେ ପ୍ରଥମ ହୋଇଛି କିନ୍ତୁ ବାଦଲ ଭାଇ ଦଶମ ଶ୍ରେଣୀରେ ବାରମ୍ବାର ଫେଲ ହୋଇଛି। ପରେ କୌଣସି ଏକ କମ୍ପାନୀରେ ଛୋଟ ଚାକିରି କରି ବାପାମାଆଙ୍କ ଦାୟିତ୍ଵ ଭୁଲି ଯାଇ ପତ୍ନୀ ଲତା ସହିତ ସହରରେ ରହିଛି।

ଗୋଟିଏ ପରେ ଗୋଟିଏ ବିବାହ ପ୍ରସ୍ତାବ ଯୌତୁକ ହେତୁ ଭାଙ୍ଗିଯାଇଛି। ମନେ ମନେ ଏକାକୀ ରହିବାର ସିଦ୍ଧାନ୍ତ  ଅନନ୍ୟା ବାଛି ନେଇଛି। କିନ୍ତୁ ସମୟ ସ୍ରୋତରେ ସବୁକିଛି ବଦଳି ଯାଇଛି । ବିଶ୍ଵ ରଞ୍ଜନ ପରିସ୍ଥିତିରେ ପଡି ଗୁଣ୍ଡା ହୋଇ ଯାଇଥିଲା। ସେ ଅନନ୍ୟା ଓ  ପୁରୁଷୋତ୍ତମ ଅଫିସର ମୁଖ୍ୟ ଦୁଇ ଜଣଙ୍କୁ ଏକାଠି ଦେଖି ନେଇ ଭିନ୍ନ ଅର୍ଥରେ ନେଇ ବଦନାମ କରିବା ଧମକ ଦେଇ ଅନନ୍ୟାଠୁ ଟଙ୍କା ନେଉଥିଲା । ଥରେ ଅନନ୍ୟା ଭୁଲ ହସ୍ତାକ୍ଷର ଦେଇ ଚେକ୍ ବିଶ୍ଵରଞ୍ଜନ ହାତକୁ ବଢାଇ ଦେଇଛି ଯାହା ବ୍ୟାଙ୍କରେ ବାଉନ୍ସ ହୋଇ ଯାଉଛି। ଏହା ହିଁ ଅନନ୍ୟା ଜୀବନରେ ଆଣିଦେଇଛି ବିରାଟ ପରିବର୍ତ୍ତନ। ସେ ବାଧ୍ୟ ହୋଇଛି ବିଶ୍ଵରଂଜନ ବିବାହ କରିବାକୁ। ନିଜର ପ୍ରେମ ବଳରେ ସେ ତାକୁ କୁପଥରୁ ସୁପଥକୁ ଆଣି ପାରିଛି। ଏହା ହିଁ ଉପନ୍ୟାସର ସଂକ୍ଷିପ୍ତ ସାର । ଏହା ଭିତରେ ଭରି ରହିଛି ଜୀବନର ସୁନ୍ଦର ସଂଜ୍ଞା। ଏଠାରେ ସମସ୍ତେ ଜୀବନ ବଞ୍ଚନ୍ତି। ପ୍ରତ୍ୟେକ ସଂଘର୍ଷ କରନ୍ତି। ସବୁଠାରୁ ବଡ ଏବଂ ନିରାଟ ସତ୍ୟ ହେଉଛି ଜୀବନ ଓ ଯନ୍ତ୍ରଣାର ସମ୍ପର୍କ ଘନିଷ୍ଠ। ଯାହାକୁ ଅନନ୍ୟା ପ୍ରକାଶ କରିଛି, “ ଜୀବନ ଉପରେ ଜୀବନ ପ୍ରତି ମୂହୁର୍ତ୍ତରେ ଗଦା ହୋଇ ପଡୁଛି  ଯେମିତି ଜୀବନର ପାହାଡଟିଏ ବୋହି ହେଉନି । ଅଥଚ ନିଜଠାରୁ ପୃଥକ୍ ବି କିପରି ହେଉନି ଓଟ ପିଠିରେ କୁଜ ପରି । ଯନ୍ତ୍ରଣାକୁ ବାଦ୍ ଦେଲେ ଜୀବନ, ଜୀବନ ବା ହେବ କେମିତି ?”(ଯୂପକାଠର ପଶୁ, ପୃ- ୨୯ )ଠିକ୍ ସେହିପରି ଆଖିରେ ପାଣି ନ ଆସିବା ବୋଧେ ଜୀବନର ସାର୍ଥକତା ନାହିଁ। ବଞ୍ଚିବାକୁ ହେଲେ ହସିବାକୁ ବି ହୁଏ ଓ କାନ୍ଦିବାକୁ ବି ପଡେ। କିନ୍ତୁ କାନ୍ଦିବାକୁ ହେଲେ ଦୁଃଖକୂ ମନେ ପକେଇବାକୁ ହୁଏ। ବାସ୍ତବତା ଏହା ଯେ ଏ ଆଖି ଯେତେ କାନ୍ଦିଲେ ବି ଜୀବନର ସବୁ କଷ୍ଟ ପାଇଁ ଲୁହ ଊଣା ହେଇଯିବ।  ଏଣୁ ଔପନ୍ୟାସିକା ଲେଖନ୍ତି,” ଏ ପୃଥିବୀରେ ଏତେ ପ୍ରକାରର ଦୁଃଖ ଅଛି ଯେ ଯଦି ମଣିଷ କ୍ରମାନ୍ୱୟରେ କାନ୍ଦିବାକୁ ଚେଷ୍ଟା କରେ , ତେବେ ତା ଆଖିର ଲୁହ ସେଥିପାଇଁ ଯଥେଷ୍ଟ ହେବ ନାହିଁ ।”(ତତୈବ, ପୃ - ୫୬) ଆଜିର ମଣିଷ ଅନେକ ସମୟରେ ଗଗନଶ୍ଚୁମ୍ଭୀ ସ୍ବପ୍ନ ଓ ସୀମାହୀନ ଆଶା ମଧ୍ୟରେ ଉବୁଟୁବୁ ହେବାକୁ ଭଲ ପାଉଛି । ଜୀବନ ହୋଇଛି ବସ୍ତୁବାଦୀ ଓ ଅର୍ଥ ସର୍ବସ୍ବ। ପ୍ରକଛତ ଭଲ ପାଇବା, ଦାୟିତ୍ୟାଗ ମଣିଷ ଜୀବନରୁ କ୍ରମେ ଦୂରେଇ ଯାଉଛି। ସବୁ କଥା ଟଙ୍କାରେ ଓଜନ କରାଯାଉଛି। କ୍ରମେ  ସ୍ୱାର୍ଥପରତା ଓ ବ୍ୟକ୍ତି ସ୍ଵାତନ୍ତ୍ର ଜୀବନକୁ ରସ ଶୂନ୍ୟ ଓ ଶୁଷ୍କ କରି ଦେଉଛି । ଅଥଚ  ଏହା ବିଚାର୍ଯ୍ୟ ଯେ “ ଗୋଟିଏ ରାତି ତ ବେଶ୍ ଦୀର୍ଘ ସମୟ । କେବେ କେବେ ଗୋଟିଏ ମୁହୂର୍ତ୍ତ ମଧ୍ୟ ସମଗ୍ର ଜୀବନ ପାଇଁ ସିଦ୍ଧାନ୍ତ ନେବାରେ ଯଥେଷ୍ଟ ହୋଇଥାଏ । ଅବଶ୍ୟ ଯଦି ଲକ୍ଷ୍ୟ ସ୍ଥିର ନ ଥାଏ।”(ତତୈବ,ପୃ -୧୩୪)

       ପରିଶେଷରେ ଜୀବନର ଏକ ସୁନ୍ଦର ଭାବକୁ ଚିତ୍ରିତ କରିଛନ୍ତି ଔପନ୍ୟାସିକା ଡଃ ରାଉତ ,”ଜୀବନ ଆଉ କେତେ ବାକି ଅଛି ଯେ ? ଏମିତି ହାତ ଗଣତା କେତୋଟି ରାତି ତ ? ନା ଆଉ କ’ଣ ? ହୁଏତ ଏଇ ରାତିମାନଙ୍କ ମଧ୍ୟରୁ କିଛି ପୂର୍ଣ୍ଣମୀର ଜହ୍ନରେ ଆଲୋକିତ ହେବ ଅବା କିଛି ଅମାବାସ୍ୟାର ଘନ ଅନ୍ଧକାରରେ ଆଚ୍ଛାଦିତ ହୋଇଯିବ । ଏଇ ତ ଜୀବନ ।” (ତତୈବ, ପୃ -୧୩୫) ଅନେକ ସମୟରେ ଜୀବନକୁ ଆଲୋଚନା ପଯ୍ୟାଲୋଚନା ନ କରି ସମୟ ଉପରେ ଛାଡି ଦେବାକୁ ହୁଏ।

  ଯଥାର୍ଥରେ କଥାଶିଳ୍ପୀ ସଂଯୁକ୍ତା ରାଉତଙ୍କର ଜୀବନକୁ  ଯେଉଁ ଭାବରେ ବଞ୍ଚିଛନ୍ତି , ସେଥିରୁ ଯେଉଁ ଅନୁଭୂତି ସାଉଁଟିଛନ୍ତି  ତାହାର ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣ କରିଛନ୍ତି ନିଜର ଲେଖନୀରେ । ସାଂପ୍ରତିକ ଜୀବନରେ ଦେଖୋ ଦେଇଥିବା ଘନଘଟା ହିଁ ତାଙ୍କ ଉପନ୍ୟାସର ମର୍ମବାଣୀ। ସମାଜର ଭାବ ସ୍ପନ୍ଦନ ଓ ଜୀବନର ପ୍ରତି ପ୍ରେମ ତାଙ୍କର ଉପନ୍ୟାସରେ ସଫଳ ରୂପ ପାଇଛି।  ‘ଯୂପକାଠର ପଶୁ ‘ ଜୀବନବୋଧର ମହନୀୟ ସାହିତ୍ୟିକ କଳାକୃତି ।