ଆଦି ପର୍ବ (ମହାଭାରତ)

ଆଦି ପର୍ବ ହେଉଛି ଭାରତୀୟ ମହାକାବ୍ୟ ମହାଭାରତ ର ୧୮ଟି ପର୍ବ ମଧ୍ୟରୁ ପ୍ରଥମ ପର୍ବ । “ଆଦି” (आदि) ଶବ୍ଦର ଅର୍ଥ ସଂସ୍କୃତରେ “ପ୍ରଥମ” । ପାରମ୍ପରିକ ଭାବେ ଆଦି ପର୍ବରେ ୧୯ ଉପପର୍ବ ଓ ୨୩୬ ଅଧ୍ୟାୟ ଅଛି । ସଂଶୋଧିତ (critical) ସଂସ୍କରଣରେ ୧୯ ଉପପର୍ବ ଓ ୨୨୫ ଅଧ୍ୟାୟ ଅଛି ।
ଆଦି ପର୍ବରେ ଏହା ବର୍ଣ୍ଣିତ ଅଛି ଯେ କିପରି ମହାଭାରତ ଗ୍ରନ୍ଥଟି ନୈମିଷାରଣ୍ୟରେ ଶୌନକ ଓ ଅନ୍ୟ ଋଷିମାନଙ୍କ ମଧ୍ୟରେ ଉଗ୍ରଶ୍ରବା ସୌତି ଦ୍ୱାରା ପାଠ କରାଯାଇଥିଲା । ପୂର୍ବରୁ ଏହି କାହାଣୀ ବୈଶମ୍ପାୟନଙ୍କ ଦ୍ୱାରା ଟକ୍ଷଶିଳାରେ ଜନମେଜୟଙ୍କ ସର୍ପସତ୍ରରେ ପ୍ରଥମେ ଉଚ୍ଚାରିତ ହୋଇଥିଲା । ଏଥିରେ ମହାଭାରତର ୧୮ଟି ପୁସ୍ତକର ସାରାଂଶ, ଏହାର ଗୁରୁତ୍ୱ ଓ ଭାରତ ଓ ଭୃଗୁ ବଂଶର ଇତିହାସ ବର୍ଣ୍ଣିତ ଅଛି । ମୁଖ୍ୟ ଅଂଶରେ କୁରୁ ବଂଶର ରାଜପୁତ୍ରମାନଙ୍କ ଜନ୍ମ, ଶିଶୁକାଳ ଓ ଧୃତରାଷ୍ଟ୍ରଙ୍କ ଦ୍ୱାରା ପାଣ୍ଡବମାନଙ୍କ ଉପରେ ହୋଇଥିବା ନିର୍ମମ ବ୍ୟବହାର ବର୍ଣ୍ଣିତ ହୋଇଛି ।
ଅଧ୍ୟାୟରେ ବିଷୟ ବଣ୍ଟନ
[ସମ୍ପାଦନା]ଆଦି ପର୍ବରେ ୧୯ଟି ଉପପର୍ବ ଅଛି ।[୧] ପ୍ରତ୍ୟେକ ଉପପର୍ବରେ ଅନେକ ଅଧ୍ୟାୟ ଅଛି, ମୋଟ ୨୩୬ ଅଧ୍ୟାୟ ।
ଅନୁକ୍ରମଣିକା ପର୍ବ (ଅଧ୍ୟାୟ ୧)
[ସମ୍ପାଦନା]ସୌତି ନୈମିଷାରଣ୍ୟରେ ଶୌନକ ଓ ଅନ୍ୟ ଋଷିମାନଙ୍କ ସହିତ ସାକ୍ଷାତ କରିଥିଲେ । ଋଷିମାନେ ମହାଭାରତ ଶୁଣିବାକୁ ଇଚ୍ଛା ପ୍ରକାଶ କଲେ। ସେ ସୃଷ୍ଟିର କାହାଣୀ ଏବଂ ମହାଭାରତ ଲେଖାଯିବା କାହାଣି କହିଲେ । ଏହି ପର୍ବରେ ମହାଭାରତର ଗୁରୁତ୍ୱ, ମାନବଜ୍ଞାନର ସମ୍ପୂର୍ଣ୍ଣ ସଂଗ୍ରହ ଭାବେ ଏହାର ସ୍ଥାନ ଓ ପାଠ କରିବାର ଆବଶ୍ୟକତା ବିବର୍ଣ୍ଣିତ।
ସଂଗ୍ରହ ପର୍ବ (ଅଧ୍ୟାୟ ୨)
[ସମ୍ପାଦନା]ଏହି ପର୍ବରେ ସମନ୍ତ ପଞ୍ଚକ କାହାଣୀ ବର୍ଣ୍ଣିତ । ଏହା ସହ ସେନାରେ ଅକ୍ଷୌହିଣୀର ସଂଜ୍ଞା ମଧ୍ୟ ବର୍ଣ୍ଣିତ । ମହାଭାରତର ୧୮ଟି ଖଣ୍ଡର ସାରାଂଶ ଏଥିରେ ସନ୍ନିବିଷ୍ଟ ।
ପୌଷ୍ୟ ପର୍ବ (ଅଧ୍ୟାୟ ୩)
[ସମ୍ପାଦନା]ସରମାଙ୍କ ଜନ୍ମେଜୟଙ୍କ ପ୍ରତି ଶାପ, ଋଷି ଧୌମ୍ୟଙ୍କ ଶିଷ୍ୟ ଆରୁଣି, ଉପମନ୍ୟୁ ଓ ବେଦଙ୍କ କାହାଣୀ, ଏବଂ ଉତ୍ତଙ୍କ, ପୌଷ୍ୟ ଓ ବେଦଙ୍କ ଗଳ୍ପ ଏଥିରେ ବର୍ଣ୍ଣିତ ।
ପୌଲୋମ ପର୍ବ (ଅଧ୍ୟାୟ ୪–୧୨)
[ସମ୍ପାଦନା]ଭୃଗୁ ବଂଶର ଇତିହାସ ଓ ଚ୍ୟବନ ଋଷିଙ୍କ ଜନ୍ମ କାହାଣୀ ଏହି ପର୍ବରେ ବର୍ଣ୍ଣିତ।
ଆସ୍ତିକ ପର୍ବ (ଅଧ୍ୟାୟ ୧୩–୫୮)
[ସମ୍ପାଦନା]ଏହି ପର୍ବରେ ରହିଛି ସମୁଦ୍ର ମନ୍ଥନ କାହାଣୀ । ଏଥି ସହ ଧର୍ମ, ବନ୍ଧନ ଓ ମୋକ୍ଷ ତତ୍ତ୍ୱ । ଜନମେଜୟଙ୍କ ସର୍ପସତ୍ର, ସର୍ପନାଶ ଯଜ୍ଞ, ଅହିଂସା ଧର୍ମ, ଆସ୍ତିକଙ୍କ ଜନ୍ମ କାହାଣୀ ଓ ବୈଶମ୍ପାୟନଙ୍କ ଦ୍ୱାରା ମହାଭାରତ ପାଠ କରିବା ଗଳ୍ପ ଏଥିରେ ସନ୍ନିବିଷ୍ଟ ।
ଅଂଶାବତାରଣ ପର୍ବ (ଅଧ୍ୟାୟ ୫୯–୬୪)
[ସମ୍ପାଦନା]ପାଣ୍ଡବ ଓ କୁରୁ ବଂଶର ଇତିହାସ । ଶାନ୍ତନୁ, ଭୀଷ୍ମ ଓ ସତ୍ୟବତୀଙ୍କ କାହାଣୀ । କର୍ଣ୍ଣ ଓ କୃଷ୍ଣଙ୍କ ଜନ୍ମ, ଅନୀମାଣ୍ଡବ୍ୟଙ୍କ କାହାଣୀ । ଭୂମିରେ ଅନ୍ୟାୟ ଶେଷ କରିବାକୁ ଦେବତାମାନେ ପୃଥିବୀରେ ଅବତରଣ କରନ୍ତୁ ବୋଲି ବ୍ରହ୍ମାଙ୍କ ଆହ୍ୱାନ ।
ସମ୍ଭବ ପର୍ବ (ଅଧ୍ୟାୟ ୬୫–୧୪୨)
[ସମ୍ପାଦନା]ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ ପ୍ରେମ କାହଣି ଓ ଭରତଙ୍କ ଜନ୍ମ । ଯୟାତି, ଦେବଯାନୀ ଓ ଶର୍ମିଷ୍ଠାଙ୍କ କାହାଣୀ । ଯଦୁ, ପୁରୁ ଓ ପୌରବ ବଂଶର ଇତିହାସ । ପାଣ୍ଡବମାନେ ବନକୁ ଯାଆନ୍ତି, ଧୃତରାଷ୍ଟ୍ରଙ୍କ ଦ୍ୱାରା ଅନୁଗମନ । କୁନ୍ତୀ, ମାଦ୍ରୀ ଓ ଵିଦୁରଙ୍କ ବିବାହ । କୌରବ ଓ ପାଣ୍ଡବଙ୍କ ମଧ୍ୟରେ ମେଳ ପାଇଁ ଚେଷ୍ଟା ।
ଜତୁଗୃହଦାହ ପର୍ବ (ଅଧ୍ୟାୟ ୧୪୩–୧୫୩)
[ସମ୍ପାଦନା]ଦୁର୍ୟୋଧନ, ପାଣ୍ଡବମାନେ ବାରଣାବତକୁ ପହଞ୍ଚିବା ପୂର୍ବରୁ ସେଠାରେ ଜାତୁଗୃହ (ମୋମର ଘର) ନିର୍ମାଣ କରିବା ଦାୟିତ୍ୱ ପୁରୋଚନଙ୍କୁ ଦେଇଥିଲେ । ବାରଣାବତକୁ ଯିବା ପୂର୍ବରୁ ବିଦୁର ଇଙ୍ଗିତ ମାଧ୍ୟମରେ ଯୁଧିଷ୍ଠିରଙ୍କୁ ସତର୍କ କଲେ, ଯାହାକୁ ଯୁଧିଷ୍ଠିର ବୁଝିପାରିଲେ । କୁନ୍ତୀ ପାଣ୍ଡବମାନଙ୍କ ସହିତ ବାରଣାବତକୁ ପହଞ୍ଚିଲେ । ତାପରେ ପାଣ୍ଡବମାନେ ବିଦୁରଙ୍କ ଦ୍ୱାରା ପଠାଇଥିବା ଦୂତ ମାଧ୍ୟମରେ ଦୁର୍ୟୋଧନଙ୍କ ଚକ୍ରାନ୍ତ ବିଷୟରେ ଜାଣିଲେ ଯେ ସେ ଜତୁଗୃହକୁ ନିଆଁ ଲଗାଇ ସେମାନଙ୍କୁ ମାରିଦେବାକୁ ଚାହୁଁଥିଲେ । ଭୀମ ଘର ତଳେ ଏକ ସୁରଙ୍ଗ ଖୋଳିଲେ ଏବଂ ସେଇପରି ଏକ ପଳାୟନ ପଥ ତିଆରି କଲେ ଯାହା ଦ୍ୱାରା ସେମାନେ ସୁରଙ୍ଗ ମଧ୍ୟ ଦେଇ ପଳାୟନ କଲେ। ଦୁର୍ୟୋଧନ ଓ ଅନ୍ୟ କୌରବମାନେ ଭାବିଲେ ଯେ କୁନ୍ତୀ ସହିତ ପାଣ୍ଡବମାନେ ନିଆଁରେ ପୋଡି ମରିଯାଇଛନ୍ତି।।[୧]
ହିଡିମ୍ବାବଧ ପର୍ବ (ଅଧ୍ୟାୟ ୧୫୪–୧୫୮)
[ସମ୍ପାଦନା]ଅଗ୍ନି ରୁ ରକ୍ଷା ପରେ ପାଣ୍ଡବମାନଙ୍କ ବନବାସ ଯାତ୍ରା । ଭୀମ ଓ ରାକ୍ଷସୀ ହିଡିମ୍ବାଙ୍କ ପ୍ରେମ ଓ ହିଡିମ୍ବାସୁରଙ୍କ ବଧ । ଘଟତ୍କୋଚଙ୍କ ଜନ୍ମ ।
ବକାବଧ ପର୍ବ (ଅଧ୍ୟାୟ ୧୫୯–୧୬୬)
[ସମ୍ପାଦନା]ଏକଚକ୍ର ନଗରରେ ପାଣ୍ଡବମାନଙ୍କ ଜୀବନ ଓ ଭୀମଙ୍କ ଦ୍ୱାରା ବକାସୁର ବଧ । ଦ୍ରୌପଦୀଙ୍କ ଜନ୍ମ ଓ ପାଣ୍ଡବମାନଙ୍କ ଜୀବିତ ଥିବା ସମ୍ବାଦ ପ୍ରସାର ।
ଚୈତ୍ରରଥ ପର୍ବ (ଅଧ୍ୟାୟ ୧୬୭–୧୮୫)
[ସମ୍ପାଦନା]ପାଣ୍ଡବମାନେ ପାଞ୍ଚାଳକୁ ଯାଆନ୍ତି । ଅର୍ଜୁନ ଗନ୍ଧର୍ବ ସହିତ ଯୁଦ୍ଧ କରନ୍ତି । ତପତୀ, ଵଶିଷ୍ଠ ଓ ବିଶ୍ୱାମିତ୍ରଙ୍କ ଦ୍ୱନ୍ଦ୍ୱ ଓ ଅନ୍ୟ କାହାଣୀମାନ ।
ସ୍ଵୟଂବର ପର୍ବ (ଅଧ୍ୟାୟ ୧୮୬–୧୯୪)
[ସମ୍ପାଦନା]ପାଣ୍ଡବମାନେ ବ୍ରାହ୍ମଣ ବେଶରେ ପାଞ୍ଚାଳରେ ପହଞ୍ଚିବା । ଦ୍ରୌପଦୀଙ୍କ ସ୍ଵୟଂବରରେ ଅର୍ଜୁନ ଜୟୀ । ଯୁଦ୍ଧ, ଦ୍ରୌପଦୀଙ୍କ ପାଞ୍ଚ ପାଣ୍ଡବ ସହ ବିବାହ । କୃଷ୍ଣଙ୍କ ଦ୍ୱାରା ପାଣ୍ଡବମାନଙ୍କ ପରିଚୟ ସ୍ୱୀକାର ।
ବୈବାହିକ ପର୍ବ (ଅଧ୍ୟାୟ ୧୯୫–୨୦୧)
[ସମ୍ପାଦନା]ଦ୍ରୁପଦଙ୍କ ଆନନ୍ଦ ଯେ ପାଣ୍ଡବ ଜୀବିତ । ଦ୍ରୌପଦୀଙ୍କ ପୂର୍ବଜନ୍ମ ଓ ଶିବଙ୍କ ଶାପ, ଏବଂ ପାଣ୍ଡବମାନଙ୍କ ସହ ବିବାହ ।
ବିଦୁରାଗମନ ପର୍ବ (ଅଧ୍ୟାୟ ୨୦୨–୨୦୯)
[ସମ୍ପାଦନା]ବିଦୁରଙ୍କ ଉଦ୍ୟମ ଯେମିତି କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ମେଳ ହେଉ । କର୍ଣ୍ଣ, ଭୀଷ୍ମ, ଦ୍ରୋଣ ଓ ବିଦୁରଙ୍କ ଉପଦେଶ । ପାଣ୍ଡବମାନଙ୍କ ହସ୍ତିନାପୁର ଫେରିବା ଓ ଇନ୍ଦ୍ରପ୍ରସ୍ଥ ନଗର ନିର୍ମାଣ ।
ରାଜ୍ୟଲାଭ ପର୍ବ (ଅଧ୍ୟାୟ ୨୧୦–୨୧୪)
[ସମ୍ପାଦନା]ସୁନ୍ଦ ଓ ଉପସୁନ୍ଦ ଓ ନାରଦଙ୍କ କାହାଣୀ ।
ଅର୍ଜୁନ ବନବାସ ପର୍ବ (ଅଧ୍ୟାୟ ୨୧୫–୨୨୦)
[ସମ୍ପାଦନା]ଅର୍ଜୁନଙ୍କ ଧର୍ମଲଂଘନ ଓ ସ୍ୱଇଚ୍ଛିତ ବନବାସ । ଉଲୁପୀ ଓ ଚିତ୍ରାଙ୍ଗଦା ସହ ବିବାହ, ଅପସରାମାନଙ୍କ ଉଦ୍ଧାର । ଅର୍ଜୁନ ଓ କୃଷ୍ଣଙ୍କ ଘନିଷ୍ଠ ସମ୍ପର୍କ ।
ସୁଭଦ୍ରାହରଣ ପର୍ବ (ଅଧ୍ୟାୟ ୨୨୧–୨୨୨)
[ସମ୍ପାଦନା]ଅର୍ଜୁନଙ୍କ ଦ୍ୱାରା ସୁଭଦ୍ରା ହରଣ ଓ ବିବାହ ବିଷୟରେ ବର୍ଣ୍ଣନ ଏହିପରି ଯେ ଅର୍ଜୁନ ପ୍ରଭାସ ତୀର୍ଥକୁ ଗଲେ। ଏହି କଥା ଶୁଣି କୃଷ୍ଣ ସେଠାକୁ ଗଲେ ଏବଂ ଅର୍ଜୁନଙ୍କ ସହିତ ଭେଟିଲେ। ସେମାନେ ପ୍ରଭାସ ତୀର୍ଥ ପରିଦର୍ଶନ କରି କରି ରୈବତକ ପର୍ବତକୁ ପହଞ୍ଚିଲେ। ସେଠାରେ ସେମାନେ ରାତି କାଟିଲେ ଏବଂ ପ୍ରଭାତେ ଦ୍ୱାରକାକୁ ଯାଇଲେ। କିଛି ଦିନ ପରେ ଯାଦବମାନେ ରୈବତକ ପର୍ବତରେ ଏକ ବଡ଼ ଆୟୋଜନ କଲେ। ଦ୍ୱାରକାର ସମସ୍ତ ନାଗରିକ ଏହି ଅନୁଷ୍ଠାନରେ ଯୋଗ ଦେଲେ। ବଳରାମ ତାଙ୍କ ସ୍ତ୍ରୀ ରେବତୀ ସହିତ ସେଠାରେ ଉପସ୍ଥିତ ଥିଲେ। ସେଠାରେ ଅର୍ଜୁନ କୃଷ୍ଣଙ୍କ ଭୋଣୀ ସୁଭଦ୍ରାଙ୍କୁ ଦେଖିଲେ ଏବଂ ତାଙ୍କୁ ଆକୃଷ୍ଟ ହେଲେ। ସେ ସୁଭଦ୍ରାଙ୍କୁ ପାଇବା ପାଇଁ କୃଷ୍ଣଙ୍କ ସାହାଯ୍ୟ ଚାହିଲେ। ତାପରେ କୃଷ୍ଣଙ୍କ ଅନୁମତିରେ ଅର୍ଜୁନ ସୁଭଦ୍ରାଙ୍କୁ ଅପହରଣ କଲେ।[୨]
ହରଣହରିକା ପର୍ବ (ଅଧ୍ୟାୟ ୨୨୩)
[ସମ୍ପାଦନା]ଅର୍ଜୁନ ଓ ସୁଭଦ୍ରାଙ୍କ ପୁନଃ ଫେରିବା ଓ ଅଭିମନ୍ୟୁଙ୍କ ଜନ୍ମ । ଦ୍ରୌପଦୀଙ୍କ ପାଞ୍ଚ ପୁତ୍ର (ଦ୍ରୌପଦେୟ) ଜନ୍ମ କାହାଣୀ ।
ଖାଣ୍ଡବଦାହ ପର୍ବ (ଅଧ୍ୟାୟ ୨୨୪–୨୩୬)
[ସମ୍ପାଦନା]ୟୁଧିଷ୍ଠିରଙ୍କ ଶାସନକାଳ କଥା । ଶ୍ରୀକୃଷ୍ଣ ଓ ଅର୍ଜୁନ ଯମୁନା ତଟକୁ ଯାଆନ୍ତି । ସେଠାରେ ସେମାନେ ଏକ ବ୍ରାହ୍ମଣର ରୂପ ନେଇଥିବା ଅଗ୍ନିଦେବଙ୍କ ସହ ଭେଟନ୍ତି । ଅଗ୍ନି ତାଙ୍କ ଜଠର ରୋଗ ନିରାମୟ ପାଇଁ ଖାଣ୍ଡବ ଅରଣ୍ୟକୁ ଦହନ କରିବା ପାଇଁ ଅନୁରୋଧ କରନ୍ତି । ଏଥିରେ ଶ୍ୱେତକି ଓ ଅଗ୍ନି ସମ୍ବନ୍ଧୀୟ କଥା ବର୍ଣ୍ଣିତ ହୋଇଛି ।ଅଗ୍ନି ଅର୍ଜୁନଙ୍କୁ ଗାଣ୍ଡିବ ଧନୁଷ ଓ ବାନରଧ୍ୱଜ ରଥ ଦିଅନ୍ତି, ଏହାସହ କୃଷ୍ଣ ସୁଦର୍ଶନ ଚକ୍ର ପାଆନ୍ତି । ଅଗ୍ନି ଯେତେବେଳେ ଅରଣ୍ୟ ଦହନ ଆରମ୍ଭ କରନ୍ତି, ଇନ୍ଦ୍ର ଓ ଅନ୍ୟ ଦେବତାମାନେ ତାହାକୁ ବାଧା ଦିଅନ୍ତି ।ତା’ପରେ ହୁଏ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ଦେବତାମାନଙ୍କ ସହ ଯୁଦ୍ଧ । ସେମାନଙ୍କ ଯୁଗଳ ସାମର୍ଥ୍ୟ, ସାହସ ଓ ବିଜୟର ଗାଥା ଏଥିରେ ବର୍ଣ୍ଣିତ । ଏଥିରେ ତକ୍ଷକଙ୍କ ପୁତ୍ର ଅଶ୍ୱସେନଙ୍କ କାହାଣୀ, ଏବଂ ମଣ୍ଡପାଳ ଓ ତାଙ୍କ ଚାରି ପକ୍ଷୀ ପୁତ୍ରଙ୍କ ଉପାଖ୍ୟାନ ମଧ୍ୟ ଉଲ୍ଲେଖ ହୋଇଛି ।ଏହି ଅଗ୍ନିଦାହର ସମୟରେ ଅର୍ଜୁନ ମାୟା ଦାନବଙ୍କୁ ଉଦ୍ଧାର କରନ୍ତି, ଯିଏ ପରେ ତାଙ୍କ ଉପକାର ପ୍ରତିବଦଳରେ ଇନ୍ଦ୍ରପ୍ରସ୍ଥରେ ପାଣ୍ଡବମାନଙ୍କ ପାଇଁ ଅତ୍ୟନ୍ତ ଶୁଭ୍ର ଓ ଚମତ୍କାରୀ ମାୟାସଭା ନିର୍ମାଣ କରିଥିଲେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Adi Parva-Part One Summary Of The Mahabharata Adi Parva।Hindu Temple Talk" (in ଆମେରିକୀୟ ଇଂରାଜୀ). 2023-06-29. Retrieved 2025-11-04.
- ↑ "Adi Parva-Part One Summary Of The Mahabharata Adi Parva।Hindu Temple Talk" (in ଆମେରିକୀୟ ଇଂରାଜୀ). 2023-06-29. Retrieved 2025-11-04.
- ↑ PC Roy Mahabharata Adi Parva, Khandava-daha Parva
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |