ଆଗ୍ରା କିଲ୍ଲା

ଆଗ୍ରା କିଲ୍ଲା ୟୁନିସ୍କୋ (UNESCO) ଦ୍ୱାରା ଘୋଷିତ ବିଶ୍ଵ ଐତିହ୍ୟ ସ୍ଥଳୀ ଅଟେ ।[୧] ଏହି କିଲ୍ଲା ଭାରତର ଉତ୍ତର ପ୍ରଦେଶ ରାଜ୍ୟର ଆଗ୍ରା ସହରରେ ଅବସ୍ଥିତ । ଏହାର ପ୍ରାୟ ୨.୫ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ବିଶ୍ୱ ପ୍ରସିଦ୍ଧ ସ୍ମାରକ ତାଜମହଲ ଅବସ୍ଥିତ । ଏହା ଲାଲକିଲା ବା କିଲ୍ଲା -ଇ-ଆକବରୀ ନାମରେ ମଧ୍ୟ ଖ୍ୟାତ ।[୧] କିଛି ଇତିହାସକାର ଏହି କିଲ୍ଲାକୁ ଚାରିଦିଗରେ ପ୍ରାଚୀର ଘେରା ପ୍ରାସାଦ ନଗରୀ ବୋଲି ବର୍ଣ୍ଣନା କରିବାକୁ ଅଧିକ ଉଚିତ ମନେ କରନ୍ତି । ଏହା ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ କିଲ୍ଲା ଅଟେ । ଭାରତର ମୁଗଲ ସମ୍ରାଟ୍ ବାବର, ହୁମାୟୁଁ, ଅକବର, ଜାହାଂଗିର, ଶାହଜହାଁ ଓ ଔରଙ୍ଗଜେବ, ଏମାନେ ଏଠି ବସବାସ କରୁଥିଲେ ଓ ଏଠାରୁ ସମଗ୍ର ଭାରତରେ ଶାସନ କରୁଥିଲେ ।
ଆଗ୍ରା କିଲ୍ଲାର ଇତିହାସ
[ସମ୍ପାଦନା]୧୫୨୬ ମସିହାରେ ପ୍ରଥମ ପାନିପଥ ଯୁଦ୍ଧ ପରେ, ବାବର ଇବ୍ରାହିମ ଲୋଦିଙ୍କ ରାଜପ୍ରାସାଦରେ ଥିବା ଦୁର୍ଗରେ ରହିଥିଲେ। ପରେ ସେ ଏଠି ଗୋଟିଏ ବାଓଲି (ପାଉଛ ଥିବା କୁଅ) ନିର୍ମାଣ କରିଥିଲେ। ତାଙ୍କ ଉତ୍ତରାଧିକାରୀ ହୁମାୟୁନଙ୍କ ୧୫୩୦ ମସିହାରେ ଏହି ଦୁର୍ଗରେ ରାଜାଭିଷେକ ହୋଇଥିଲେ । ୧୫୪୦ ମସିହାରେ ବିଲଗ୍ରାମ ଯୁଦ୍ଧରେ ସେ ଶେର ଶାହ ସୁରୀଙ୍କ ନିକଟରେ ପରାଜିତ ହୋଇଥିଲେ। ୧୫୫୫ ପର୍ଯ୍ୟନ୍ତ ଏହି ଦୁର୍ଗ ସୁରୀମାନଙ୍କ ଅଧୀନରେ ରହିଥିଲା, ଯେତେବେଳେ ହୁମାୟୁନ ଏହାକୁ ପୁନଃଦଖଳ କଲେ । ଆଦିଲ ଶାହ ସୁରୀଙ୍କ ସେନାପତି ହେମୁ ୧୫୫୬ ମସିହାରେ ଆଗ୍ରାକୁ ଜିତିଲେ ।
ଏହାର କେନ୍ଦ୍ର ଅବସ୍ଥିତି ଗୁରୁତ୍ୱକୁ ବୁଝି, ଆକବର ଏହାକୁ ତାଙ୍କ ରାଜଧାନୀ କଲେ ଏବଂ ୧୫୫୮ ମସିହାରେ ଆଗ୍ରାକୁ ଆସିଲେ। ତାଙ୍କ ଇତିହାସକାର ଅବୁଲ ଫଜଲ ଲେଖିଥିଲେ ଯେ ଏହି ଦୁର୍ଗଟି ‘ବାଦଲଗଡ଼’ ନାମରେ ଜଣାଯାଉଥିବା ଗୋଟିଏ ଇଟାଦ୍ଵାରା ନିର୍ମିତ ଦୁର୍ଗ ଥିଲା । ଏହା ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା ଏବଂ ଆକବର ଏହାକୁ ରାଜସ୍ଥାନର ଧୌଲପୁର ଜିଲ୍ଲାର ବାରୌଲି ଅଞ୍ଚଳରୁ ଆଣାଯାଇଥିବା ଲାଲ ବାଲୁକା ପଥରରେ ପୁନଃନିର୍ମାଣ କରାଇଥିଲେ । ସ୍ଥାପତ୍ୟକାରମାନେ ଏହାର ଭିତ୍ତି ସ୍ଥାପନ କରିଥିଲେ ଏବଂ ଭିତରେ ଇଟା ଓ ବାହାରେ ବାଲୁକା ପଥର ଦ୍ୱାରା ଏହାର ପୁନଃନିର୍ମାଣ କରାଗଲା । ପ୍ରତିଦିନ ପ୍ରାୟ ୪,୦୦୦ ଶିଳ୍ପୀ ଆଠ ବର୍ଷ ଧରି କାମ କରି ୧୫୭୩ ମସିହାରେ ଏହାକୁ ସମାପ୍ତ କରିଥିଲେ ।[୨]
ଆକବରଙ୍କ ନାତି ଶାହଜାହାନଙ୍କ ଶାସନକାଳରେ ଏହାର ପୁନଃ ନିର୍ମାଣ ହୋଇ ଏହା ତାହାର ବର୍ତ୍ତମାନ ରୂପ ନେଲା । ଶାହଜାହାନ ତାଙ୍କ ରାଣୀ ମୁମତାଜ ମହଲଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କଲେ । ତାଙ୍କ ଜେଜେବାପା ଆକବରଙ୍କ ଭଳି ଇଟାରେ ଏହାର ପୁନଃ ନିର୍ମାଣ ନ କରି ଶାହଜାହାନ ଏହା ଶ୍ଵେତ ଶଙ୍ଖ ମର୍ମର ପଥରରେ ଏହାର ନିର୍ମାଣକୁ ପସନ୍ଦ କଲେ । ଶାହଜାହାନ ହଠାତ୍ ଅସୁସ୍ଥ ହେବା ପରେ, ତାଙ୍କ ପୁଅମାନଙ୍କ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ହେଲା ଏବଂ ଔରଙ୍ଗଜେବ ସେଥିରେ ବିଜୟୀ ହେଲେ । ପରେ ଔରଙ୍ଗଜେବ ତାଙ୍କ ପିତାଙ୍କୁ ଆଗ୍ରା ଦୁର୍ଗରେ ଗୃହବନ୍ଦୀ କରିଦେଲେ।
ଏହି ଦୁର୍ଗ ୧୩ ବର୍ଷ ପର୍ଯ୍ୟନ୍ତ ଭରତପୁରର ଜାଟ ଶାସକମାନଙ୍କ ଅଧୀନରେ ଥିଲା । ସେମାନେ ଏଠାରେ ‘ରତନ ସିଂହ କି ହାବେଲି’ ନିର୍ମାଣ କରିଥିଲେ । ୧୮ଶ ଶତାବ୍ଦୀର ଆରମ୍ଭରେ ମରାଠା ସାମ୍ରାଜ୍ୟ ଏହାକୁ ଜିତିନେଲା । ପରେ ଏହା ମରାଠାମାନେ ଓ ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟରେ ଅନେକଥର ହସ୍ତାନ୍ତର ହେଲା । ୧୭୬୧ ମସିହାରେ ତୃତୀୟ ପାନିପଥ ଯୁଦ୍ଧରେ ଅହମଦ ଶାହ ଅବଦାଲିଙ୍କ ଠାରୁ ଶୋଚନୀୟ ପରାଜୟ ପରେ, ମରାଠାମାନେ ପ୍ରାୟ ଦଶ ବର୍ଷ ଧରି ଏଅଞ୍ଚଳରୁ ବାହାରେ ରହିଥିଲେ । ଶେଷରେ ୧୭୮୫ ମସିହାରେ ମହାଦଜି ଶିନ୍ଦେ ଏହି ଦୁର୍ଗକୁ ଜିତିନେଲେ । ୧୮୦୩ ମସିହାରେ ଦ୍ୱିତୀୟ ଆଙ୍ଗ୍ଲୋ-ମରାଠା ଯୁଦ୍ଧ ସମୟରେ ମରାଠାମାନେ ଏହାକୁ ବ୍ରିଟିଶମାନଙ୍କ ପାଖରେ ହାରିଗଲେ । ୧୮୫୭ ମସିହାର ଭାରତୀୟ ବିଦ୍ରୋହ ସମୟରେ ଏହି ଦୁର୍ଗ ଗୋଟିଏ ଯୁଦ୍ଧକ୍ଷେତ୍ର ହୋଇଥିଲା, ଯାହାର ପରିଣତିରେ ଇଷ୍ଟ ଇଣ୍ଡିଆ କମ୍ପାନୀଙ୍କ ଶାସନ ଶେଷ ହେଲା ଏବଂ ପରେ ପ୍ରାୟ ଗୋଟିଏ ଶତାବ୍ଦୀ ପର୍ଯ୍ୟନ୍ତ ଭାରତ ସିଧାସଳଖ ବ୍ରିଟିଶ ଶାସନରେ ରହିଲା ।[୩]
୧୮୭୧ ମସିହାର ୩୦ ନଭେମ୍ବରରେ, ଦୁର୍ଗ ଭିତରେ ଥିବା ଗୋଟିଏ କାର୍ଟ୍ରିଜ ଫ୍ୟାକ୍ଟରୀ ବିସ୍ଫୋରଣ ହେବାରୁ ଛଜଣ ଲୋକ ମୃତ୍ୟୁବରଣ କଲେ ।[୪]
ଜୀବନର ଶେଷ ଦିନଗୁଡ଼ିକରେ ଶାହଜହାଁଙ୍କୁ ତାଙ୍କ ପୁଅ ଔରଙ୍ଗଜେବ ଏହି କିଲ୍ଲାରେ ବନ୍ଦୀ କରିଦେଇଥିଲେ । କୁହାଯାଏ ଯେ, ଶାହଜହାଁଙ୍କ ମୃତ୍ୟୁ ଏହି କିଲ୍ଲାର ମୁସମ୍ମନ ବୁର୍ଜ୍ରେ ହୋଇଥିଲା, ଯେଉଁଠାରୁ ସେ ତାଜମହଲକୁ ଦେଖୁଥିଲେ । ଏହି ବୁର୍ଜ୍ର ଶ୍ୱେତ ଶଙ୍ଖମର୍ମର ଝରକାଠାରୁ ତାଜମହଲର ଅତ୍ୟନ୍ତ ସୁନ୍ଦର ଦୃଶ୍ୟ ଦେଖାଯାଏ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Centre, UNESCO World Heritage. "Agra Fort". UNESCO World Heritage Centre (in ଇଂରାଜୀ). Retrieved 2025-10-15.
- ↑ Beveridge, H. (1907). The Akbarnama Of Abul Fazl Vol. 2.
- ↑ Sinha, Shashank Shekhar (2021). Delhi, Agra, Fatehpur Sikri: Monuments, Cities and Connected Histories. Pan Macmillan. p. 88. ISBN 9789389104097.
- ↑ The Illustrated London News (in ଇଂରାଜୀ). Illustrated London News. 1872.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |