Jump to content

ଆକାଶ ବିଚିତ୍ରା ୨୦୧୩

ଉଇକିପିଡ଼ିଆ‌ରୁ

ମଣିଷ ତା'ର କୌତୁହଳରୁ ତାରା ଦେଖା ଆରମ୍ଭ କଲା । କାଳ କାଳ ଧରି ଆକାଶକୁ ଲକ୍ଷ୍ୟ କଲା। ତାରାମାନଙ୍କୁ ଯୋଡ଼ି ବିଭିନ୍ନ ଆକୃତି କଳ୍ପନା କଲା । ଆକାଶରେ ସେମାନଙ୍କର ଗତି ଓ ସ୍ଥିତିକୁ ବୁଝିବାକୁ ଚେଷ୍ଟା କଲା । ଆଖ‌ିଦେଖା ଅନୁଭୂତି ଓ ମାପଚୁପକୁ ନେଇ ବିଜ୍ଞାନୀମାନେ ବିଶ୍ୱର ଗଠନ ଉପରେ କେତେ ପରିକଳ୍ପନା କଲେ। ଅଧ‌ିକ ନିରୀକ୍ଷଣ, ତର୍କ ଓ ପରଖ ବଳରେ ଏସବୁ ପରିକଳ୍ପନା ପାକଳ ହେଲା। କିନ୍ତୁ ତଥାପି ଏବେ ବି ମଣିଷ ଆକାଶ ଓ ତାରା ପ୍ରତି ଆଗ୍ରହୀ ରହିଛି। ସେମାନଙ୍କ ଗତିବିଧ‌ି ବୁଝିବାରେ ଲାଗିଛି। ତାକୁ ନିଜର ନିତିଦିନିଆ ଜୀବନ ସହ ଯୋଡ଼ିଛି।

ସଞ୍ଜ ବୁଡ଼ିଲେ ଧୀରେ ଧୀରେ ଅନ୍ଧାର ମାଡ଼ି ଆସିବ, ଟିକି ଟିକି ତାରା ସବୁ ଆକାଶରେ ଦେଖାଯିବ। ସୂର୍ଯ୍ୟ ଅସ୍ତ ହେବାର ଘଣ୍ଟାଏ ଭିତରେ ପୂରା ଅନ୍ଧାର ହୋଇଯିବ ଏବଂ ଆକାଶ ତାରାରେ ଭରିଯିବ। ନିୟମିତ ଭାବରେ ଲକ୍ଷ୍ୟ କଲେ ଏକା ଭଳି ଦିଶୁଥ‌ିବା ତାରାଙ୍କ ଭିତରେ ତଫାତ ବାରିହେବ ଏବଂ ନିର୍ଦ୍ଦିଷ୍ଟ ତାରାଙ୍କୁ ଚିହ୍ନିବାର ମଜା ପାଇହେବ। ଆମେ ଜାଣିଛେ ଯେ ପୃଥ‌ିବୀ ନିଜ ଚାରିପଟେ ୨୪ ଘଣ୍ଟାରେ ଥରେ ବା ପ୍ରତି ଘଣ୍ଟାରେ ୧୫ ଡିଗ୍ରି ବୁଲେ। ସନ୍ଧ୍ୟାବେଳେ ପୂର୍ବରେ ଉଇଁଥ‌ିବା ତାରାମାନେ ୧୨ ଘଣ୍ଟା ପରେ ୧୮୦ ଡିଗ୍ରି ଯାଇ ସକାଳକୁ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି। ସୂର୍ଯ୍ୟ ଚାରିପଟେ ପୃଥ‌ିବୀ ୩୬୫ ଦିନରେ ଗୋଟିଏ ଘେରା ବୁଲେ ବା ଦିନକୁ ୧ ଡିଗ୍ରି ବାଟ ଯାଏ। ସେଥ‌ିପାଇଁ ପ୍ରତିଦିନ ତାରାମାନେ ୪ ମିନିଟ ଡେରିରେ ଉଦୟ ବା ଅସ୍ତ ହେବା ଭଳି ମନେହୁଏ। ଗୋଟିଏ ମାସ ପରେ ଦୁଇଘଣ୍ଟା ଆଗରୁ ଉଦୟ ହେବ। ବର୍ଷସାରା ଲକ୍ଷ୍ୟକଲେ ଜଣାଯିବ ଯେ ଆଜି ଠିକ୍ ସନ୍ଧ୍ୟାବେଳେ ଯେଉଁ ତାରା ପୂର୍ବ ଦିଗରେ ଉଦୟ ହେବ, ଛଅମାସ ପରେ ସେ ତାରା ସେହି ସମୟରେ ପଶ୍ଚିମ ଦିଗବଳୟରେ ଅସ୍ତ ହେବ। ବର୍ଷକ ପରେ ପୁଣି ସନ୍ଧ୍ୟାବେଳେ ଉଦୟ ହେବ। ତେଣୁ ବର୍ଷର ପ୍ରତି ରାତି ପାଇଁ ଆକାଶରେ ତାରାମାନଙ୍କ ସ୍ଥାନ ନିର୍ଦ୍ଦିଷ୍ଟ ରହିଛି। ଏହି ତତ୍ତ୍ୱକୁ ନେଇ ତାରା ମାନଚିତ୍ର ପ୍ରସ୍ତୁତ କରାଯାଇଛି। ଅବଶ୍ୟ ସ୍ଥାନ ଓ ସମୟ ଅନୁସାରେ ତାରା ମାନଚିତ୍ର ଅଲଗା ହୋଇଥାଏ।

ଗ୍ରହମାନଙ୍କର ଗତି କିନ୍ତୁ ତାରାମାନଙ୍କ ଭଳି ନିର୍ଦ୍ଦିଷ୍ଟ ନ ଥାଏ। କାରଣ ତାରା ତୁଳନାରେ ଏମାନେ ପୃଥ‌ିବୀର ବେଶ୍ ପାଖରେ ଅଛନ୍ତି ଏବଂ ପ୍ରତ୍ୟେକ ଗ୍ରହର ଗତିବେଗ ଅଲଗା। ଏବେ ଏହାକୁ ଗାଣିତିକ ଧାରାରେ ବୁଝାଯାଇ ପାରୁଛି। କେଉଁ ଗ୍ରହ କେବେ କେଉଁଠି ଦେଖାଯିବ ତାହା ଆଗୁଆ ହିସାବ କରାଯାଇ ପାରୁଛି। ୨୦୧୩ ମସିହାରେ କେଉଁ ଗ୍ରହ କେତେବେଳେ ଉଦୟ ହେବ (କେବଳ ରାତି ଆକାଶରେ) ବା ଅସ୍ତ ହେବ ତାହା ଗୋଟିଏ ଗ୍ରାଫ୍ କରି ବୁଝାଯାଇଛି। ଗ୍ରାଫ୍‌ଟି ମୁଖ୍ୟତଃ ଭୁବନେଶ୍ୱର ଓ ମୋଟାମୋଟି ଓଡ଼ିଶା ପାଇଁ ତିଆରି କରାଯାଇଛି।

ଉଦୟ-ଅସ୍ତ ଗ୍ରାଫ
ଉଦୟ-ଅସ୍ତ ଗ୍ରାଫ

ଉଦୟ-ଅସ୍ତ ଗ୍ରାଫ୍‌ର ବ୍ୟବହାର ପର ପୃଷ୍ଠାରେ ଥ‌ିବା ଗ୍ରାଫ୍‌ର ବାମ-ଡାହାଣ (X ଧାର) ବା ଚଉଡ଼ା ପଟ ସୂର୍ଯ୍ୟ ଅସ୍ତଠାରୁ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ରାତିର ସମୟ ଦେଖାଉଛି। ଏଥ‌ିରେ ପ୍ରତି ୧ ଘଣ୍ଟା ଛଡ଼ାରେ ଚିହ୍ନ ଦିଆଯାଇଛି। ମଝିରେ ଥ‌ିବା ଗାରଟି ରାତି ଅଧ ସୂଚାଉଛି। ଉପର-ତଳ (Y ଧାର) ବା ଉଚ୍ଚ ପଟରେ ତାରିଖ ରହିଛି। ପ୍ରତି ମାସର ଆରମ୍ଭ, ମଝି ଓ ଶେଷ ଏଥ‌ିରେ ଦେଖାଯାଇଛି। ଦିନବେଳେ ପଡ଼ୁଥ‌ିବା ଉଦୟ-ଅସ୍ତ ଦେଖାଯାଇନାହିଁ। ସବୁ ଘଟଣା ଭାରତୀୟ ମାନକ ସମୟରେ ଦିଆଯାଇଛି। ବାମ ପଟରେ ଉପର-ତଳ ବଙ୍କା ଗାର ସୂର୍ଯ୍ୟାସ୍ତ ଏବଂ ଡାହାଣ ପଟରେ ଥ‌ିବା ସେହିଭଳି ବଙ୍କା ଗାର ସୂର୍ଯ୍ୟ ଉଦୟର ସମୟ ସୂଚାଉଛି। ସୂର୍ଯ୍ୟ ଅସ୍ତ ପରେ ବା ଉଦୟ ପୂର୍ବରୁ ଅଧଘଣ୍ଟାରୁ ଏକ ଘଣ୍ଟା ଯାଏଁ ଗୋଧୂଳି ବା ଉଷାର ଆଲୁଅ ରହିଥାଏ। ଏହି ସମୟରେ ସେଥ‌ିପାଇଁ ଅଳ୍ପ ଉଜଳ ପିଣ୍ଡଗୁଡ଼ିକୁ ଦେଖ‌ିବା କଷ୍ଟ। ଗ୍ରାଫ୍‌ରୁ କୌଣସି ରାତିର ଉଦୟ ଅସ୍ତ ଦେଖ‌ିବାକୁ ହେଲେ ସେହି ତାରିଖ ସିଧା ଦେଖ‌ିବାକୁ ହେବ। ଗୋଟିଏ ଉଦାହରଣ ନେଇ ଦେଖ‌ିଲେ କଥାଟି ଆହୁରି ସ୍ପଷ୍ଟ ବୁଝିହେବ। ୨୦୧୩ ମସିହା ଅଗଷ୍ଟ ୧ ତାରିଖ ସିଧାରେ ଗୋଟିଏ ସ୍କେଲ ବା କାଗଜପଟି ପକାଇ ବାମ ଆଡ଼ୁ ଦେଖ‌ିଲେ ପ୍ରଥମେ ଭେଟିବା ସୂର୍ଯ୍ୟ ଅସ୍ତ ଗାରକୁ। ଦୁହିଁଙ୍କର ଛେଦବିନ୍ଦୁ, ତଳ ଉପର ଧାରରେ ୧୮.୧୮ ବା ସନ୍ଧ୍ୟା ୬ ଘ. ୧୮ ମିନିଟରେ କଟୁଛି। ଅର୍ଥାତ ଅଗଷ୍ଟ ୧ ତାରିଖ ଦିନ,

ସୂର୍ଯ୍ୟ ସନ୍ଧ୍ୟା ୬ଘ. ୧୮ ମିନିଟରେ ଅସ୍ତ ହେବ।
ଏହା ପରେ ଡାହାଣ ଆଡ଼କୁ ଗଲେ ଶୁକ୍ର ଅସ୍ତ ଗାରକୁ କାଟିବ ରାତି ୮ଘ. ୧୫ ମିନିଟରେ। ଅର୍ଥାତ ସୂର୍ଯ୍ୟ ଅସ୍ତ ହେବା ବେଳକୁ ଶୁକ୍ର ଗ୍ରହ ପଶ୍ଚିମ ଦିଗବଳୟ ଉପରେ ପ୍ରାୟ ୩୦ ଡିଗ୍ରି ଉପରେ ରହିଥ‌ିବ।
ଆହୁରି ଆଗକୁ ଗଲେ ୧୦ଘ. ୧୮ ମିନିଟ ବେଳକୁ ଶନି ଗ୍ରହ ଅସ୍ତ ହେବ। ତାମାନେ ସୂର୍ଯ୍ୟାସ୍ତର ୪ ଘଣ୍ଟା ପରେ ଶନି ଅସ୍ତ ହେବ ଏବଂ ସୂର୍ଯ୍ୟାସ୍ତ ବେଳକୁ ସେ ପଶ୍ଚିମ ଆକାଶରେ ୬୦ ଡିଗ୍ରି ଉପରେ ରହିଥ‌ିବ।
ଏହାପରେ ଭେଟିବ ବୃହସ୍ପତି ଉଦୟ ଗାରକୁ ରାତି ୩ଘ. ବେଳକୁ।
ଆଉ ଟିକିଏ ଆଗକୁ ଗଲେ ମଙ୍ଗଳ ଉଦୟ ଗାରକୁ କାଟିବ ରାତି ୩ଘ. ୨୪ ମିନିଟରେ। ଅର୍ଥାତ ବୃହସ୍ପତି ଉଦୟ ହେବାର ୨୪ ମିନିଟ ପରେ ମଙ୍ଗଳ ଗ୍ରହ ଉଦୟ ହେବ।
ସେଦିନ ବୁଧଗ୍ରହର ଉଦୟ ଗାରକୁ ଭେଟିବ ରାତି ୪ ଘ.ରେ।
ଶେଷରେ ସୂର୍ଯ୍ୟ ଉଦୟ ଗାରକୁ କାଟିବ ଭୋର ୫ଘ. ୩୦ ମିନିଟରେ।

ତା'ମାନେ ଜୁଲାଇ ୨ ତାରିଖ ଦିନ ସକାଳ ୫ଘ. ୩୦ ମିନିଟରେ ସୂର୍ଯ୍ୟ ଉଦୟ ହେବ। ସେ ସମୟକୁ ପୂର୍ବ ଆକାଶରେ ବୃହସ୍ପତି ଗ୍ରହ ପ୍ରାୟ ୩୭ ଡିଗ୍ରି ଉପରେ, ତା' ପଛକୁ ମଙ୍ଗଳ ଗ୍ରହ ପ୍ରାୟ ୩୦ ଡିଗ୍ରି ଉପରେ ଏବଂ ବୁଧ ଗ୍ରହ ୨୨ ଡିଗ୍ରି ଉପରେ ଆଗପଛ ହୋଇ ଗୋଟିଏ ଧାଡ଼ିରେ ସଜାଇ ହୋଇ ରହିଥ‌ିବେ।

ଗ୍ରାଫ୍‌ରୁ ଗ୍ରହ ଗତିବିଧ‌ିର ସୂଚନା

[ସମ୍ପାଦନା]

ସୂର୍ଯ୍ୟ ଉଦୟ ସମୟରେ ଉଦୟ ହେବାକୁ ଥ‌ିବା ବା ସୂର୍ଯ୍ୟାସ୍ତ ସମୟରେ ଅସ୍ତ ହେଉଥ‌ିବା ଗ୍ରହଗୁଡ଼ିକ ସୂର୍ଯ୍ୟର ଅତି ପାଖରେ ଥ‌ିବାରୁ ଦେଖାଯାଏନାହିଁ। ପାଖାପାଖ‌ି ସମୟରେ ଉଦୟ-ଅସ୍ତ ହେଉଥ‌ିବା ଗ୍ରହଗୁଡ଼ିକ ଆକାଶରେ ପାଖାପାଖ‌ି ରହିବେ। ଏବର୍ଷର ଗ୍ରାଫ୍‌ରୁ ଦେଖ‌ିବା ଯେ :

ଫେବୃଆରି ୮ବୁଧ ଅସ୍ତ - ମଙ୍ଗଳ ଅସ୍ତ ଗାରକୁ କାଟିବ, ଅର୍ଥାତ ସେଦିନ ବୁଧ ଓ ମଙ୍ଗଳ ଗ୍ରହ ପାଖାପାଖ‌ି ରହିବେ ଓ ଏକ ସମୟରେ ଅସ୍ତ ହେବେ।
ମାର୍ଚ୍ଚ ୨ବୁଧ ଅସ୍ତ - ମଙ୍ଗଳ ଅସ୍ତ
ଏପ୍ରିଲ ୨୧ଶୁକ୍ର ଅସ୍ତ - ଶନି ଉଦୟ। ଏହିଦିନ ପଶ୍ଚିମ ଦିଗରେ ଶୁକ୍ର ଗ୍ରହ ଅସ୍ତ ହେବା ବେଳକୁ ପୂର୍ବ ଦିଗରେ ଶନି ଗ୍ରହ ଉଦୟ ହେବ।
ମେ ୧୧ବୁଧ ଉଦୟ - ମଙ୍ଗଳ ଉଦୟ - ଶନି ଅସ୍ତ। ଏହିଦିନ ଭୋର ବେଳକୁ ପୂର୍ବ ଦିଗରେ ବୁଧ ଓ ମଙ୍ଗଳ ଗ୍ରହ ଉଦୟ ହେଲା ବେଳକୁ ପଶ୍ଚିମ ଆକାଶରେ ଶନି ଗ୍ରହ ଅସ୍ତ ହେବ।
ମେ ୧୮ଶୁକ୍ର ଅସ୍ତ - ଶନି ଅସ୍ତ। ଏକା ସମୟରେ ଅସ୍ତ ହେଉଥ‌ିବାରୁ ଗ୍ରହ ଦୁଇଟି ପାଖାପା‌ଖ‌ି ରହିବେ।
ମେ ୨୭ଶୁକ୍ର ଅସ୍ତ - ବୃହସ୍ପତି ଅସ୍ତ।
ମେ ୨୯ବୁଧ ଅସ୍ତ - ବୃହସ୍ପତି ଅସ୍ତ।
ଜୁନ ୨୦ବୁଧ ଅସ୍ତ - ଶୁକ୍ର ଅସ୍ତ
ଜୁଲାଇ ୨୦ମଙ୍ଗଳ ଉଦୟ - ବୃହସ୍ପତି ଉଦୟ
ନଭେମ୍ବର ୧୭ଶୁକ୍ର ଅସ୍ତ - ବୃହସ୍ପତି ଉଦୟ, ବୁଧ ଉଦୟ - ଶନି ଉଦୟ। ଏହିଦିନ ସନ୍ଧ୍ୟାବେଳେ ପଶ୍ଚିମ ଦିଗରେ ଶୁକ୍ର ଅସ୍ତ ହେଲା ବେଳକୁ ପୂର୍ବ ଅକାଶରେ ବୃହସ୍ପତି ଉଦୟ ହେଉଥ‌ିବ। ସେହିଦିନ ପାହାନ୍ତା ବେଳକୁ ବୁଧ ଗ୍ରହ ଓ ଶନି ଗ୍ରହ ପ୍ରାୟ ଏକା ସମୟରେ ଉଦୟ ହେବେ।

ଗ୍ରହ ଗତିବିଧ‌ି

[ସମ୍ପାଦନା]

ବୁଧ ଗ୍ରହ:

[ସମ୍ପାଦନା]

ବୁଧ ଗ୍ରହ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ବା ସୂର୍ଯ୍ୟାସ୍ତ ପରେ ଅଳ୍ପ ସମୟ ପାଇଁ ଦେଖାଯାଏ। ଦିଗବଳୟର ଆଲୁଅ ଯୋଗୁ ତାକୁ ଦେଖ‌ିବା କଷ୍ଟ। ୨୦୧୩ ମସିହାରେ ବୁଧ ଗ୍ରହ କେଉଁ ସମୟରେ ସନ୍ଧ୍ୟା ଆକାଶରେ ଏବଂ କେବେ ପାହାନ୍ତା ଆକାଶରେ ଦେଖାଯିବ ତାହା ତଳ ସାରଣୀରୁ ଜଣାଯିବ।

ସନ୍ଧ୍ୟା (ପଶ୍ଚିମ ଆକାଶ)ପାହାନ୍ତା (ପୂର୍ବ ଆକାଶ)
ଫେବୃଆରି ୫ - ଫେବୃଆରି ୨୫ମାର୍ଚ୍ଚ ୨୭ - ଏପ୍ରିଲ ୨୬
ମେ ୨୧ - ଜୁନ ୩୦ଜୁଲାଇ ୨୦ - ଅଗଷ୍ଟ ୨୪
ସେପ୍ଟେମ୍ବର ୮ - ଅକ୍ଟୋବର ୨୩ନଭେମ୍ବର ୨୨ - ଡିସେମ୍ବର ୧୨

ଜାନୁଆରୀ ୧୮, ମେ ୧୨, ଅଗଷ୍ଟ ୨୫, ଡିସେମ୍ବର ୨୯ ତାରିଖ ଦିନ ବୁଧର ଦୂର ସ‌ଂଯୋଗ ଅବସ୍ଥା ଏବଂ ମାର୍ଚ୍ଚ ୪, ଜୁଲାଇ ୧୦, ନଭେମ୍ବର ୨ ନିକଟ ସଂଯୋଗ ଅବସ୍ଥା ରହିବ। ଏହି ଦିନମାନଙ୍କରେ ଗ୍ରହଟି ସୂର୍ଯ୍ୟ ସିଧାରେ ରହିବ ଏବଂ ସୂର୍ଯ୍ୟ ଉଦୟ ସମୟରେ ଉଦୟ ହେବ। ତେଣୁ ଏହା ଦେଖାଯିବନାହିଁ। ଏହାର କିଛିଦିନ ପୂର୍ବ ଓ ପର ଯାଏଁ ମଧ୍ୟ ଗ୍ରହଟି ଦେଖାଯିବନାହିଁ।

ଫେବୃଆରି ୧୭, ଏପ୍ରିଲ ୧, ଜୁନ ୧୨, ଜୁଲାଇ ୩୦, ଅକ୍ଟୋବର ୯, ନଭେମ୍ବର ୧୮ - ଏହି ଦିନମାନଙ୍କର ବୁଧ ଗ୍ରହର ସର୍ବାଧ‌ିକ ଲମ୍ବନ ହେବ। ଅର୍ଥାତ ଏହି ଦିନଗୁଡ଼ିକରେ ଆକାଶରେ ସବୁଠାରୁ ଉପରକୁ ଉଠିବ ଏବଂ ଅଧ‌ିକ ସମୟ ଯାଏଁ ଦେଖାଯିବ।

ଶୁକ୍ର ଗ୍ରହ:

[ସମ୍ପାଦନା]

ବର୍ଷ ଆରମ୍ଭରୁ ଫେବୃଆରି ୫ ଯାଏଁ ଶୁକ୍ର ଗ୍ରହ ପାହାନ୍ତା ଆକାଶରେ ଦେଖାଯିବ। ଏହାପରେ ସୂର୍ଯ୍ୟର ଅତି ପାଖରେ ରହୁଥ‌ିବାରୁ କିଛିଦିନ ପାଇଁ ଦେଖାଯିବନାହିଁ। ତା'ପରେ ପୁଣି ମେ ୧୧ ତାରିଖରୁ ବର୍ଷ ଶେଷ ଯାଏଁ ସନ୍ଧ୍ୟାବେଳେ ପଶ୍ଚିମ ଆକାଶରେ ଦେଖାଯିବ।

ମଙ୍ଗଳ ଗ୍ରହ:

[ସମ୍ପାଦନା]

ମଙ୍ଗଳ ଗ୍ରହ ବର୍ଷର ଆରମ୍ଭ ବେଳକୁ ପଶ୍ଚିମ ଆକାଶରେ ଦେଖାଯାଉଥ‌ିବ। ତା'ପରେ ଏହା ସୂର୍ଯ୍ୟର ବେଶ୍ ପାଖକୁ ଚାଲିଯିବ। ତେଣୁ କିଛିଦିନ ପାଇଁ ଲୁଚିଯାଇ ପୁଣି ଥରେ ଜୁନ ୧୦ ତାରିଖ ବେଳକୁ ପାହାନ୍ତା ବେଳକୁ ଉଦୟ ହେବ। ଧୀରେ ଧୀରେ ଉଦୟ ହେବା ସମୟ କମି କମି ବର୍ଷ ଶେଷ ବେଳକୁ ରାତି ଅଧରେ ଉଦୟ ହେବ।

ବୃହସ୍ପତି:

[ସମ୍ପାଦନା]

ଗ୍ରହରାଜ ବୃହସ୍ପତି ବର୍ଷ ଆରମ୍ଭରୁ ରାତି ୪ଘ. ବେଳକୁ ଅସ୍ତ ହେଉଥ‌ିବ। ଅର୍ଥାତ ବର୍ଷ ଆରମ୍ଭରେ ସୂର୍ଯ୍ୟାସ୍ତ ବେଳକୁ ବୃହସ୍ପତି ଗ୍ରହ ଆକାଶରେ ରହିଥ‌ିବ। ଧୀରେ ଧୀରେ ସଅଳ ଅସ୍ତ ହେବ ଏବଂ ଜୁନ ୧୯ ଦିନ ସୂର୍ଯ୍ୟ ସହ ସ‌ଂଯୋଗ ଅବସ୍ଥାରେ ରହିବ। ଏହିଦିନ ସୂର୍ଯ୍ୟ ଅସ୍ତ ସମୟରେ ବୃହସ୍ପତି ମଧ୍ୟ ଅସ୍ତ ହେବ। ଏହାର ଆଗରୁ ଓ ପରେ କିଛିଦିନ ପାଇଁ ବୃହସ୍ପତିକୁ ଦେଖ‌ିବା କଷ୍ଟକର ହେବ। ଏହା ପୁଣି ଜୁଲାଇ ୧୦ ତାରିଖ ବେଳକୁ ପାହାନ୍ତାରେ ଉଦୟ ହେବ। ବର୍ଷ ଶେଷ ବେଳକୁ ଏହା ସୂର୍ଯ୍ୟାସ୍ତ ପାଖାପାଖ‌ି ଉଦୟ ହେବ। ଜାନୁଆରି ୬, ୨୦୧୪ ଦିନ ଏହା ସୂର୍ଯ୍ୟ ସହ ବିଯୋଗ ଅବସ୍ଥାରେ ରହିବ। ଏହିଦିନ ଗ୍ରହଟି ସୂର୍ଯ୍ୟାସ୍ତ ସମୟରେ ଉଦୟ ହୋଇ ରାତି ସାରା ଆକାଶରେ ରହିବ।

ଶନି ଗ୍ରହ:

[ସମ୍ପାଦନା]

ବର୍ଷ ଆରମ୍ଭ ବେଳକୁ ଶନି ଗ୍ରହ ରାତି ପ୍ରାୟ ୨ଘ. ବେଳକୁ ଉଦୟ ହେବ। ଏପ୍ରିଲ ୨୮ ତାରିଖ ଦିନ ଏହା ସୂର୍ଯ୍ୟ ସହ ବିଯୋଗ ଅବସ୍ଥାରେ ରହିବ। ଏହିଦିନ ସୂର୍ଯ୍ୟାସ୍ତ ବେଳକୁ ଗ୍ରହଟି ଉଦୟ ହୋଇ ରାତି ସାରା ଆକାଶରେ ରହିବ ଏବଂ ତା ପରଦିନ ସୂର୍ଯ୍ୟ ଉଦୟ ସମୟରେ ଅସ୍ତ ହେବ। ଧୀରେ ଧୀରେ ଶନି ଗ୍ରହର ଅସ୍ତ ସମୟ କମିବ ଓ ନଭେମ୍ବର ୬ ତାରିଖ ଦିନ ସ‌ଂଯୋଗ ଅବସ୍ଥାରେ ରହିବ। ଅର୍ଥାତ ସୂର୍ଯ୍ୟ ସହ ଉଦୟ ହେବ। ଏହି ସମୟରେ ସୂର୍ଯ୍ୟର ଅତି ପାଖରେ ରହୁଥ‌ିବାରୁ ତାହା ଦେଖାଯିବନାହିଁ। ଏପରିକି ଏହାର କିଛିଦିନ ଆଗରୁ ଓ ପରେ ମଧ୍ୟ ଏହା ଦେଖ‌ିବା କଷ୍ଟ। ନଭେମ୍ବର ୧୭ ତାରିଖ ବେଳକୁ ଏହା ପୁଣି ଥରେ ପାହାନ୍ତା ଆକାଶରେ ଦେଖାଯିବ।

ଗ୍ରହମାନଙ୍କର ପଛୁଆ ଗତି

[ସମ୍ପାଦନା]

ବେଳେ ବେଳେ ତାରାମାନଙ୍କ ଭିତରେ ଗ୍ରହମାନେ ପଛୁଆ (ପଶ୍ଚିମରୁ ପୂର୍ବକୁ) ଗଲା ଭଳି ମନେହୁଅନ୍ତି। ଏହାକୁ ବକ୍ରୀ ଗତି କୁହାଯାଏ। ବର୍ଷକ ଭିତରେ ବୁଧ ଗ୍ରହର ଏଭଳି ଗତି ଅନେକଥର ହୋଇଥାଏ। କିନ୍ତୁ କ୍ଷୀଣ ବୁଧ ଗ୍ରହର ଏହି ଗତି ଦେଖ‌ିବା ପାଇଁ ଏତେ ମଜାଦାର ଲାଗେନାହିଁ। କିନ୍ତୁ ଅନ୍ୟ ଗ୍ରହମାନଙ୍କର ଏହିଭଳି ଗତି ବେଶ୍ ଆଗ୍ରହର କଥା ହୋଇପାରେ। ଏବର୍ଷ ହେବାକୁ ଥ‌ିବା ଏହିଭଳି ଗତି ଭିତରେ ରହିଛି:

ଏ ବର୍ଷର ବିଶେଷ ଘଟଣା

[ସମ୍ପାଦନା]

ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ

[ସମ୍ପାଦନା]
ଏପ୍ରିଲ ୨୫ଆଂଶିକ ଚନ୍ଦ୍ରଗ୍ରହଣଭାରତକୁ ଦେଖାଯିବ
ମେ ୧୦ବଳୟ ସୂର୍ଯ୍ୟପରାଗଭାରତକୁ ଦେଖାଯିବନାହିଁ
ନଭେମ୍ବର ୩ଉଭୟ ବଳୟ ଓ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗଭାରତକୁ ଦେଖାଯିବନାହିଁ

ଉଲ୍‌କା ବର୍ଷା

[ସମ୍ପାଦନା]
ଜାନୁଆରି ୩ପକ୍ଷୀରାଜୀୟ ଉଲ୍‌କା ବର୍ଷାଅଗଷ୍ଟ ୧୨ବୃଷପର୍ବୀୟ ଉଲ୍‌କା ବର୍ଷା
ଏପ୍ରିଲ ୨୧ବୀଣୀୟ ଉଲ୍‌କା ବର୍ଷାଅକ୍ଟୋବର ୨୧କାଳପୁରୁଷୀୟ ଉଲ୍‌କା ବର୍ଷା
ମେ ୫କୁମ୍ଭୀୟ ଉଲ୍‌କା ବର୍ଷାନଭେମ୍ବର ୧୭ସିଂହୀୟ ଉଲ୍‌କା ବର୍ଷା
ଜୁଲାଇ ୨୮କୁମ୍ଭୀୟ ଉଲ୍‌କା ବର୍ଷାଡିସେମ୍ବର ୧୩ମିଥୁନୀୟ ଉଲ୍‌କା ବର୍ଷା

(ଉଲ୍‌କା ବର୍ଷାଗୁଡ଼ିକର ନାଁ ଗୋଟିଏ ଲେଖାଏଁ ତାରାମଣ୍ଡଳ ଅନୁସାରେ ରହିଛି। କାରଣ, ଉଲ‌କାଗୁଡ଼ିକ ସେହି ତାରାମଣ୍ଡଳରୁ ଆସିବା ଭଳି ମନେହୁଏ।)

ସୂର୍ଯ୍ୟ ସହ ସଂଯୋଗ

[ସମ୍ପାଦନା]
ବୁଧଜାନୁଆରି ୧୮, ମାର୍ଚ୍ଚ ୪, ମେ ୧୨, ଜୁଲାଇ ୧୦, ଅଗଷ୍ଟ ୨୫, ନଭେମ୍ବର ୨, ଡିସେମ୍ବର ୨୯
ଶୁକ୍ରମାର୍ଚ୍ଚ ୨୮
ମଙ୍ଗଳଏପ୍ରିଲ ୧୮
ବୃହସ୍ପତିଜୁନ ୧୯

ସୂର୍ଯ୍ୟ ସହ ବିଯୋଗ

[ସମ୍ପାଦନା]
ଶନିଏପ୍ରିଲ ୨୮

ସମ୍ପାତ ଓ ଅୟନାନ୍ତ

[ସମ୍ପାଦନା]
ମାର୍ଚ୍ଚ ୨୦ବସନ୍ତ ସମ୍ପାତଜୁନ ୨୧ଗ୍ରୀଷ୍ମ ଅୟନାନ୍ତ
ସେପ୍ଟେମ୍ବର ୨୩ଶରତ ସମ୍ପାତଡିସେମ୍ବର ୨୧ଶୀତ ଅୟନାନ୍ତ

ସୂର୍ଯ୍ୟ - ପୃଥ‌ିବୀ ଦୂରତା

[ସମ୍ପାଦନା]
  • ସର୍ବାଧିକ - ଜାନୁଆରି ୨ (୦.୯ ସୌରଏକକ)
  • ସର୍ବନିମ୍ନ - ଜୁଲାଇ ୬ (୧.୦୧୬୭ ସୌରଏକକ)

କିଏ କେବେ କାହା ପାଖରେ

[ସମ୍ପାଦନା]
ଜାନୁଆରୀ୦୭ଚନ୍ଦ୍ର - ଶନି
ଫେବୃଆରି୦୮ବୁଧ ମଙ୍ଗଳ
ମାର୍ଚ୍ଚ୦୨ଚନ୍ଦ୍ର - ଶନି
ବୁଧ - ମଙ୍ଗଳ
୨୮ଚନ୍ଦ୍ର - ଚିତ୍ରା
୩୦ଚନ୍ଦ୍ର - ଶନି
ଏପ୍ରିଲ୧୪ଚନ୍ଦ୍ର - ବୃହସ୍ପତି
ମେ୧୨ଚନ୍ଦ୍ର - ବୃହସ୍ପତି
୧୮ଶୁକ୍ର - ଶନି
୨୧ବୁଧ - ମଙ୍ଗଳ
୨୮ଶୁକ୍ର - ବୃହସ୍ପତି
୨୯ବୁଧ - ବୃହସ୍ପତି
ଜୁନ୧୯ଚନ୍ଦ୍ର - ଚିତ୍ରା - ଶନି
୨୦ବୁଧ - ଶୁକ୍ର
ଜୁଲାଇ୦୩ଶୁକ୍ର - କୃତ୍ତିକା
୨୦ମଙ୍ଗଳ - ବୃହସ୍ପତି
ଅଗଷ୍ଟ୦୪ଚନ୍ଦ୍ର - ବୃହସ୍ପତି
୧୭ମଙ୍ଗଳ - ସୋମ
୩୧ଚନ୍ଦ୍ର - ବୃହସ୍ପତି
ସେପ୍ଟେମ୍ବର୦୯ଚନ୍ଦ୍ର - ଶୁକ୍ର
୦୯ଚନ୍ଦ୍ର - ଶନି
୧୯ଶୁକ୍ର - ଶନି
ଅକ୍ଟୋବର୧୬ଶୁକ୍ର - ଜ୍ୟେଷ୍ଠା
ନଭେମ୍ବର୧୯ଚନ୍ଦ୍ର - ରୋହିଣୀ
୨୭ବୁଧ - ଶନି
୨୯ଚନ୍ଦ୍ର - ଚିତ୍ରା

ଆହୁରି ଦେଖନ୍ତୁ

[ସମ୍ପାଦନା]

ବାହାର ଆଧାର

[ସମ୍ପାଦନା]