Jump to content

ଅଲି ହୋସେନୀ ଖାମେନେଇ

ଉଇକିପିଡ଼ିଆ‌ରୁ

ଅଲି ହୋସେନୀ ଖାମେନେଇ (୧୯ ଏପ୍ରିଲ ୧୯୩୯ – ୨୮ ଫେବୃଆରୀ ୨୦୨୬) ଜଣେ ଇରାନୀ ରାଜନୀତିଜ୍ଞ ଓ ଶିଆ ଧର୍ମଗୁରୁ ଥିଲେ, ଯିଏ ୧୯୮୯ ଠାରୁ ୨୦୨୬ ଇରାନ ଯୁଦ୍ଧ ସମୟରେ ହୋଇଥିବା ତାଙ୍କ ହତ୍ୟା ପର୍ଯ୍ୟନ୍ତ ଇରାନର ଦ୍ୱିତୀୟ ସର୍ବୋଚ୍ଚ ନେତା ଭାବେ କାର୍ଯ୍ୟ କରିଥିଲେ। ଖାମେନେଇ ପରିବାରର ସଦସ୍ୟ ଥିବା ସେ, ପୂର୍ବରୁ ୧୯୮୧ ଠାରୁ ୧୯୮୯ ପର୍ଯ୍ୟନ୍ତ ଇରାନର ତୃତୀୟ ରାଷ୍ଟ୍ରପତି ଭାବେ ସେବା କରିଥିଲେ। ସେ “ଗ୍ରାଣ୍ଡ ଆୟାତୋଲ୍ଲାହ” ଉପାଧି ଧାରଣ କରିଥିଲେ, ଏବଂ ସର୍ବୋଚ୍ଚ ନେତା ଭାବେ ତାଙ୍କ ୩୬ ବର୍ଷ ଓ ୬ ମାସର କାର୍ଯ୍ୟକାଳ ତାଙ୍କ ମୃତ୍ୟୁ ସମୟରେ ପଶ୍ଚିମ ଏସିଆର ସବୁଠାରୁ ଦୀର୍ଘସମୟ ଧରି କାର୍ଯ୍ୟରତ ରାଷ୍ଟ୍ରପ୍ରମୁଖ ଭାବେ ପରିଚିତ କରିଥିଲା।[]

ମଶହଦରେ ଖାମେନେଇ ପରିବାରରେ ଜନ୍ମ ନେଇଥିବା ସେ, ସେଠାରେ ଏକ ହଉଜାରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ୧୯୫୮ ମସିହାରେ କୁମ୍‌ରେ ବସୋବାସ କରିଥିଲେ, ଯେଉଁଠାରେ ସେ ରୁହୋଲ୍ଲାହ ଖୋମେନିଙ୍କ ଶ୍ରେଣୀରେ ଅଂଶଗ୍ରହଣ କରିଥିଲେ। ଖାମେନେଇ ମହମ୍ମଦ ରେଜା ପହଲଭିଙ୍କ ବିରୋଧରେ ଆନ୍ଦୋଳନରେ ସକ୍ରିୟ ହୋଇଥିଲେ ଏବଂ ପହଲଭି ସରକାର ଦ୍ୱାରା ତିନି ବର୍ଷ ପାଇଁ ନିର୍ବାସିତ ହେବା ପୂର୍ବରୁ ଛଅଥର ଗିରଫ ହୋଇଥିଲେ। ଇରାନୀ ବିପ୍ଲବ ସମୟରେ ସେ ଏକ ପ୍ରମୁଖ ଚରିତ୍ର ଥିଲେ ଏବଂ ବିପ୍ଲବ ସଫଳ ହେବା ପରେ ନୂତନ ଗଠିତ ଇସ୍ଲାମିକ ଗଣତନ୍ତ୍ରରେ ବିଭିନ୍ନ ପଦବୀ ଧାରଣ କରିଥିଲେ। ବିପ୍ଲବ ପରବର୍ତ୍ତୀ ସମୟରେ ସେ ଗୋଟିଏ ହତ୍ୟାଚେଷ୍ଟାର ଲକ୍ଷ୍ୟ ହୋଇଥିଲେ, ଯାହାର ପରିଣାମରେ ତାଙ୍କ ଡାହାଣ ହାତ ଅଚଳ ହୋଇଯାଇଥିଲା।

ଇରାନ–ଇରାକ ଯୁଦ୍ଧ ସମୟରେ ୧୯୮୧ ଠାରୁ ୧୯୮୯ ପର୍ଯ୍ୟନ୍ତ ସେ ଇରାନର ତୃତୀୟ ରାଷ୍ଟ୍ରପତି ଭାବେ କାମ କରିଥିଲେ ଏବଂ ଏହି ସମୟରେ ସେ ଇସ୍ଲାମିକ ବିପ୍ଲବୀୟ ଗାର୍ଡ କୋର୍ପସ (IRGC) ସହିତ ନିକଟ ସମ୍ପର୍କ ଗଢ଼ି ଉଠିଥିଲେ। ୧୯୮୯ ମସିହାରେ ରୁହୋଲ୍ଲାହ ଖୋମେନିଙ୍କ ମୃତ୍ୟୁ ପରେ, ବିଶେଷଜ୍ଞ ସଭା (Assembly of Experts) ଦ୍ୱାରା ଖାମେନେଇଙ୍କୁ ସର୍ବୋଚ୍ଚ ନେତା ଭାବେ ଚୟନ କରାଯାଇଥିଲା। ଆଲୋଚନା ସମୟରେ ଖାମେନେଇ ନିଜର ଧାର୍ମିକ ଯୋଗ୍ୟତା ଓ ଏହି ପଦବୀ ପାଇଁ ଉପଯୋଗୀତା ବିଷୟରେ ସନ୍ଦେହ ପ୍ରକାଶ କରିଥିଲେ, କାରଣ ସେ ମଧ୍ୟମ ସ୍ତରର ଧର୍ମଗୁରୁ ଥିଲେ ଏବଂ ସଂବିଧାନରେ ଥିବା ‘ମର୍ଜା’ ଆବଶ୍ୟକତାକୁ ପୂରଣ କରୁନଥିଲେ। ପରେ ସେହି ଆବଶ୍ୟକତାକୁ ବିଲୋପ କରିବା ପାଇଁ ସଂବିଧାନ ସଂଶୋଧନ କରାଯାଇଥିଲା ଏବଂ ସେହି ବର୍ଷରେ ବିଶେଷଜ୍ଞ ସଭା ତାଙ୍କ ନେତୃତ୍ୱକୁ ପୁନଃ ସ୍ଥାପନ କରିଥିଲା।

୨୮ ଫେବୃଆରୀ ୨୦୨୬ ରେ ଇସ୍ରାଏଲ ଓ ଯୁକ୍ତରାଷ୍ଟ୍ର ଦ୍ୱାରା କୃତ ଏକ ସଂଯୁକ୍ତ ବାୟୁ ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ ଘଟିଥିଲା।[]

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା

[ସମ୍ପାଦନା]
କିଶୋରାବସ୍ଥାରେ ଖାମେନେଇ

ଅଲି ଖାମେନେଇଙ୍କ ଜନ୍ମ ୧୯ ଏପ୍ରିଲ ୧୯୩୯ ରେ ମଶହଦରେ ହୋଇଥିଲା। ତାଙ୍କ ପିତା ଜୱାଦ ଖାମେନେଇ ଜଣେ ଶିଆ ଆଲିମ ଥିଲେ, ଯାହାଙ୍କ ଜନ୍ମ ଇରାକର ନଜଫରେ ହୋଇଥିଲା। ତାଙ୍କ ମାତା ଖଦିଜେହ ମୀରଦମାଦୀ ଥିଲେ। ସେ ଆଠ ଭାଇଭଉଣୀ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଥିଲେ। ତାଙ୍କ ଛୋଟ ଭାଇ ହାଦି ଖାମେନେଇ ମଧ୍ୟ ଜଣେ ଧାର୍ମିକ ଗୁରୁ ଓ ସମ୍ବାଦପତ୍ର ସମ୍ପାଦକ ଅଟନ୍ତି। ତାଙ୍କ ବଡ଼ ଭଉଣୀ ଫାତେମା ହୁସେନୀ ଖାମେନେଇଙ୍କ ମୃତ୍ୟୁ ୨୦୧୫ ରେ ହୋଇଥିଲା।

ତାଙ୍କ ପୂର୍ବପୁରୁଷ ଅଜରବୈଜାନୀ ତୁର୍କ ଥିଲେ, ଯେଉଁମାନେ ଖାମନେହ (ତବ୍ରିଜ ନିକଟରେ)ରୁ ଆସିଥିଲେ। ତାଙ୍କ ମାତା ପାର୍ସୀ ମୂଳର ଥିଲେ ଏବଂ ଯଜ୍ଦରୁ ଥିଲେ। ତାଙ୍କ ବଂଶାବଳୀ ଅଫତାସୀ ସୟ୍ୟଦମାନଙ୍କ ସହ ଯୋଡ଼ାଯାଇଥାଏ, ଯାହାଙ୍କ ସମ୍ପର୍କ ଚତୁର୍ଥ ଶିଆ ଇମାମ ଅଲି ଅଲ-ସଜ୍ଜାଦଙ୍କ ସହ ରହିଛି।

ତାଙ୍କ ଶିକ୍ଷା ଚାରି ବର୍ଷ ବୟସରୁ କୁରାନ ଅଧ୍ୟୟନ ସହ ଆରମ୍ଭ ହୋଇଥିଲା। ସେ ମଶହଦରେ ନିଜର ପ୍ରାଥମିକ ଓ ଉଚ୍ଚ ହୌଜା ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ, ଯେଉଁଠାରେ ତାଙ୍କର ପ୍ରମୁଖ ଶିକ୍ଷକ ଶେଖ ହାଶିମ କଜ୍ୱିନୀ ଓ ଆୟତୁଲ୍ଲାହ ମିଲାନୀ ଥିଲେ।

ମଶହଦରେ ରହିବା ସମୟରେ ସେ ଧାର୍ମିକ ବିଦ୍ୱାନମାନଙ୍କ ସହ ଏବଂ ଧର୍ମନିରପେକ୍ଷ ବୁଦ୍ଧିଜୀବୀ ଓ "ଖୁଦା-ପରସ୍ତ ସମାଜବାଦୀ ଆନ୍ଦୋଳନ"ର ସଦସ୍ୟମାନଙ୍କ ସହ ସମ୍ପର୍କ ରଖିଥିଲେ। ଏହି ଆନ୍ଦୋଳନ ଇସ୍ଲାମୀ ସମାଜବାଦକୁ ସମର୍ଥନ କରୁଥିଲା ଏବଂ କାର୍ଲ ମାର୍କସ ଓ ଚେ ଗ୍ୱେରା ପରି ଚିନ୍ତକମାନଙ୍କ ଦ୍ୱାରା ପ୍ରଭାବିତ ଥିଲା।

୧୯୫୭ ରେ ସେ କିଛି ସମୟ ପାଇଁ ନଜଫକୁ ଯାଇଥିଲେ, କିନ୍ତୁ ପିତାଙ୍କ ଇଚ୍ଛାରେ ସେ ଶୀଘ୍ର ମଶହଦକୁ ଫେରି ଆସିଥିଲେ। ୧୯୫୮ ରେ ସେ କୋମରେ ବସବାସ କରିବା ଆରମ୍ଭ କରିଥିଲେ, ଯେଉଁଠାରେ ସେ ରୁହୋଲ୍ଲାହ ଖୋମେନି ଓ ସୟଦ ହୁସେନ ବୋରୁଜର୍ଦିଙ୍କ କ୍ଲାସରେ ଅଂଶଗ୍ରହଣ କରିଥିଲେ ଏବଂ ରାଜନୀତିରେ ସକ୍ରିୟ ହୋଇଥିଲେ।

ପ୍ରାରମ୍ଭିକ ରାଜନୈତିକ ଜୀବନ (୧୯୬୦ ଦଶକ-୧୯୮୧)

[ସମ୍ପାଦନା]

ଅଲି ହୁସେନୀ ଖାମେନେଇ ୧୯୬୦ ଓ ୧୯୭୦ ଦଶକରେ ଶାହଙ୍କ ଶାସନବିରୋଧୀ ଆନ୍ଦୋଳନ ମଧ୍ୟରେ ପ୍ରଥମେ ରାଜନୈତିକ ଭାବେ ସକ୍ରିୟ ହେଲେ। ସେ ସମୟରେ ସେ ବିରଜାନ୍ଦରେ ଥିବା ଏକ ଧାର୍ମିକ ପାଠଶାଳାରେ ଶିକ୍ଷାଦାନ କରୁଥିଲେ। ଖାମେନେଇଙ୍କ ଆଧିକାରିକ ଓେବସାଇଟ୍‌ ଅନୁସାରେ, ଶାହଙ୍କ ଗୁପ୍ତଚର ସଂସ୍ଥା ସାଭାକ୍‌ (SAVAK) ପରବର୍ତ୍ତୀ ବର୍ଷଗୁଡିକରେ ତାଙ୍କୁ ଛଅଥର ଗିରଫ କରିଥିଲା। ପ୍ରଥମ ଥର ୧୯୬୩ ମସିହାରେ ରୁହୋଲ୍ଲା ଖୋମେନିଙ୍କ ଗିରଫ ବିରୋଧରେ ହୋଇଥିବା ପ୍ରଦର୍ଶନ ପରେ ଗିରଫ କରାଯାଇଥିଲା। ପରେ ତାଙ୍କ ସାର୍ବଜନିକ କାର୍ଯ୍ୟକଳାପ ଉପରେ ନିଷେଧ ଲାଗୁ ହୋଇଥିଲା ଏବଂ ୧୯୭୬ ମସିହାରେ ଶାହଙ୍କ ଶାସନ ଶେଷ ପର୍ଯ୍ୟନ୍ତ ତିନି ବର୍ଷ ପାଇଁ ତାଙ୍କୁ ନିର୍ବାସିତ କରାଯାଇଥିଲା।[]

ଖାମେନେଇ ଇରାନୀ ବିପ୍ଲବରେ ଏକ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ଏବଂ ରୁହୋଲ୍ଲା ଖୋମେନିଙ୍କ ନିକଟ ସହଯୋଗୀ ଥିଲେ। ଇସ୍ଲାମିକ ଗଣତନ୍ତ୍ର ସ୍ଥାପନା ପରେ, ସେ ଅନେକ ସରକାରୀ ପଦବୀ ଧାରଣ କରିଥିଲେ। ୧୪ ଏପ୍ରିଲ ୧୯୭୯ ଠାରୁ ସେ ଆସ୍ତାନ କୁଦ୍ସ ରଜଭୀର ସେବକମାନଙ୍କ ମୁଖ୍ୟ ଭାବେ କାମ କରିଥିଲେ।[]

ମୁହମ୍ମଦ ସାହିମି ଲେଖିଥିଲେ ଯେ, ଖାମେନେଇଙ୍କ ରାଜନୈତିକ କାର୍ଯ୍ୟଜୀବନ ୧୯୭୯ ମସିହାର ଇରାନୀ ବିପ୍ଲବ ପରେ ଆରମ୍ଭ ହୋଇଥିଲା। ସେ ଏହା ମଧ୍ୟ ଲେଖିଥିଲେ ଯେ, ପରେ ଇରାନର ରାଷ୍ଟ୍ରପତି ହୋଇଥିବା ଆକବର ହାଶେମି ରଫସଞ୍ଜାନି ଖାମେନେଇଙ୍କୁ ଖୋମେନିଙ୍କ ନିକଟତର ହେବାର ସୂଯୋଗ ମିଳିଥିଲା। ପରେ, ସେତେବେଳେ ସଂସଦ ସଦସ୍ୟ ଥିବା ହସନ ରୁହାନି ଖାମେନେଇଙ୍କୁ ଅସ୍ଥାୟୀ ବିପ୍ଲବୀ ସରକାରରେ ଉପ ରକ୍ଷାମନ୍ତ୍ରୀ ଭାବେ ପ୍ରଥମ ମୁଖ୍ୟ ପଦବୀ ପାଇବାରେ ବ୍ୟବସ୍ଥା କରିଥିଲେ।[]

୧୯୮୦ ମସିହାରେ, ହୁସେନ-ଆଲି ମୋନ୍ତାଜେରିଙ୍କ ପଦତ୍ୟାଗ ପରେ, ଆୟାତୋଲ୍ଲା ଖୋମେନି ଆଲି ଖାମେନେଇଙ୍କୁ ତେହରାନର ଶୁକ୍ରବାରୀ ନମାଜର ଇମାମ୍‌ ପଦବୀକୁ ନିଯୁକ୍ତ କରିଥିଲେ। ଖାମେନେଇ ଅଳ୍ପ ସମୟ ପାଇଁ ୧୯୭୯ ମସିହାର ଜୁଲାଇ ଶେଷରୁ ୬ ନଭେମ୍ବର ପର୍ଯ୍ୟନ୍ତ ଜାତୀୟ ସୁରକ୍ଷାର ଉପମନ୍ତ୍ରୀ ଭାବେ କାମ କରିଥିଲେ ଏବଂ ଇସ୍ଲାମିକ ବିପ୍ଲବୀ ଗାର୍ଡର ଏକ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ରହିଥିଲେ। ସେ ଇରାନୀ ସଂସଦର ରକ୍ଷା କମିଶନର ପ୍ରତିନିଧି ଭାବେ ଯୁଦ୍ଧକ୍ଷେତ୍ରରେ ମଧ୍ୟ କାର୍ଯ୍ୟରତ ଥିଲେ।

ରାଷ୍ଟ୍ରପତି ପଦ (୧୯୮୧–୧୯୮୯)

[ସମ୍ପାଦନା]

୧୯୮୧ ରେ ରାଷ୍ଟ୍ରପତି ମହମ୍ମଦ-ଅଲି ରଜାଇଙ୍କ ହତ୍ୟା ପରେ, ଅଲି ଖାମେନେଇ ୯୭% ମତ ସହ ଇରାନର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ସେ ଏହି ପଦବୀ ଗ୍ରହଣ କରିବାରେ ପ୍ରଥମ ଧାର୍ମିକ ଗୁରୁ ଥିଲେ। ୧୯୮୫ ର ନିର୍ବାଚନରେ ସେ ୮୭% ମତ ସହ ପୁନର୍ବାର ରାଷ୍ଟ୍ରପତି ଭାବେ ଚୟନିତ ହୋଇଥିଲେ।

ତାଙ୍କ ପ୍ରଥମ କାର୍ଯ୍ୟକାଳର ଆରମ୍ଭରେ ସେ ବାମପନ୍ଥୀ ଓ ଉଦାରପନ୍ଥୀ ରାଜନୈତିକ ଦଳମାନଙ୍କୁ ସମାପ୍ତ କରିବାକୁ ଘୋଷଣା କରିଥିଲେ। ୧୯୮୦ ଦଶକରେ ରାଜନୈତିକ ବିରୋଧୀ ଓ ବିଦ୍ରୋହୀ ସଂଗଠନମାନଙ୍କ ସଦସ୍ୟମାନଙ୍କୁ ସ୍ଵତନ୍ତ୍ର ବିପ୍ଲବୀ ଅଦାଲତମାନଙ୍କ ଦ୍ୱାରା ଦଣ୍ଡିତ କରାଯାଇଥିଲା।

  1. Dharitri; Patra, Sucharita (2026-03-01). "କେତେ ସମ୍ପତ୍ତି ଛାଡି ଦେଇଗଲେ ଖାମେନେଇ, ଜାଣିଲେ ହୋଇଯିବେ ତାଜୁବ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2026-04-24.
  2. "Iran's Supreme Leader Ali Khamenei killed, senior Israeli official says". Yahoo News (in ବ୍ରିଟିଶ୍‌ ଇଂରାଜୀ). 2026-02-28. Retrieved 2026-04-24.
  3. "Historic Personalities of Iran: Ayatollah Seyed Ali Khamenei". www.iranchamber.com. Retrieved 2026-04-28.[permanent dead link]
  4. Kahlili, Reza (2013-02-12). A Time to Betray: A Gripping True Spy Story of Betrayal, Fear, and Courage (in ଇଂରାଜୀ). Simon and Schuster. ISBN 978-1-4391-8968-9.
  5. Sahimi, Muhammad. "Iran's Incredible Shrinking Ayatollah". The National Interest (in ଆମେରିକୀୟ ଇଂରାଜୀ). Retrieved 2026-04-28.