ଅରଣ୍ୟ କାଣ୍ଡ (ରାମାୟଣ)
ଅରଣ୍ୟ କାଣ୍ଡ ହେଉଛି ମହର୍ଷି ବାଳ୍ମୀକିଙ୍କ ରଚିତ ରାମାୟଣ ଓ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତମାନସ ର ଗୋଟିଏ ଅଂଶ (କାଣ୍ଡ କିମ୍ବା ସୋପାନ) । ରାମ ବନବାସ ସମୟରେ ଚିତ୍ରକୁଟରୁ ପ୍ରସ୍ଥାନ କରିବା ପରର ଘଟଣାବଳୀ ଏହି ଭାଗରେ ବର୍ଣ୍ଣିତ ।[୧]
କଥାବସ୍ତୁ
[ସମ୍ପାଦନା]କିଛି ସମୟ ପରେ ଶ୍ରୀରାମ ଚିତ୍ରକୂଟରୁ ପ୍ରସ୍ଥାନ କଲେ ଓ ଋଷି ଅତ୍ରିଙ୍କ ଆଶ୍ରମକୁ ପହଞ୍ଚିଲେ । ଅତ୍ରି ଋଷି ରାମଙ୍କ ସ୍ତୁତି କଲେ ଓ ତାଙ୍କ ଭାର୍ଯ୍ୟା ଅନସୂୟା ଦେବୀ ସୀତାଙ୍କୁ ପତିବ୍ରତା ଧର୍ମର ମହତ୍ତ୍ୱ ବୁଝାଇଲେ । ସେଠାରୁ ରାମ ଆଗକୁ ଚାଲି ଶରଭଙ୍ଗ ମୁନିଙ୍କ ସହ ଭେଟିଲେ । ଶରଭଙ୍ଗ ମୁନି କେବଳ ରାମଙ୍କ ଦର୍ଶନ ପାଇଁ ସେଠାରେ ରହିଥିଲେ, ତେଣୁ ରାମଙ୍କ ଦର୍ଶନ ମିଳିଲା ପରେ ସେ ଯୋଗାଗ୍ନିରେ ଦେହ ଦାହ କରି ବ୍ରହ୍ମଲୋକକୁ ଗମନ କଲେ । ଆଗକୁ ଯିବା ସମୟରେ ରାମ ଅନେକ ସ୍ଥାନରେ ହାଡ଼ର କୁଢ ଦେଖିଲେ । ମୁନିମାନେ ସେଠାରେ କହିଲେ ଯେ ରାକ୍ଷସମାନେ ଅନେକ ମୁନିଙ୍କୁ ହତ୍ୟା କରି ଭକ୍ଷଣ କରିଦେଇଛନ୍ତି, ଏଗୁଡ଼ିକ ସେହି ମୁନିମାନଙ୍କ ହାଡ଼ । ଏହା ଶୁଣି ରାମ ପ୍ରତିଜ୍ଞା କଲେ ଯେ ସେ ସମସ୍ତ ରାକ୍ଷସଙ୍କୁ ବଧ କରି ପୃଥିବୀକୁ ରାକ୍ଷସମୁକ୍ତ କରିବେ । ତା’ପରେ ରାମ ଆଗକୁ ବଢ଼ି ସୁତୀକ୍ଷ୍ଣ, ଅଗସ୍ତ୍ୟ ଇତ୍ୟାଦି ଋଷିମାନଙ୍କ ସହ ଭେଟିଲେ ଓ ଦଣ୍ଡକାରଣ୍ୟ ମଧ୍ୟରେ ପ୍ରବେଶ କଲେ, ଯେଠାରେ ସେ ଜଟାୟୁ ପକ୍ଷୀ ସହ ଭେଟିଲେ । ରାମ ସେଠାରେ ପଞ୍ଚବଟୀକୁ ନିଜ ନିବାସ ସ୍ଥାନ ବନାଇଲେ ।[୨]
ପଞ୍ଚବଟୀରେ ରାବଣଙ୍କ ଭଉଣୀ ଶୂର୍ପଣଖା ଆସି ରାମଙ୍କୁ ପ୍ରେମ ପ୍ରସ୍ତାବ ଦେଲା । ରାମ ହସି କହିଲେ ଯେ ସେ ନିଜ ପତ୍ନୀ ସହ ଅଛନ୍ତି, ତାଙ୍କ ଛୋଟ ଭାଇ ଲକ୍ଷ୍ମଣ ଏକା, ସେଥିପାଇଁ ତା’ପାଖକୁ ଯିବାକୁ । ଶୂର୍ପଣଖା ଲକ୍ଷ୍ମଣଙ୍କୁ ପ୍ରେମ ପ୍ରସ୍ତାବ ଦେଲା, କିନ୍ତୁ ସେ ତା’କୁ ଶତ୍ରୁର ଭଉଣୀ ବୋଲି ଜାଣି ତାଙ୍କ ନାକ ଓ କାନ କାଟିଦେଲେ । କ୍ରୋଧିତ ଶୂର୍ପଣଖା ତାଙ୍କ ଭାଇ ଖର-ଦୂଷଣ ପାଖକୁ ଯାଇ ଏକଥା କହି ସାହାଯ୍ୟ ଚାହିଁଲା । ସେ ସେନା ସହ ଯୁଦ୍ଧ ପାଇଁ ଆସିଲା, କିନ୍ତୁ ଯୁଦ୍ଧରେ ରାମ ସେମାନଙ୍କୁ ବଧ କଲେ । ପରେ ଶୂର୍ପଣଖା ଯାଇ ରାବଣଙ୍କୁ ସବୁ ଅଭିଯୋଗ କଲା । ରାବଣ ପ୍ରତିଶୋଧ ନେବାକୁ ମାରୀଚଙ୍କୁ ସୁବର୍ଣ୍ଣମୃଗ ରୂପେ ପଠାଇଲେ । ସୀତା ସେହି ମୃଗ ଦେଖି ତାହାର ଛାଲ ପାଇଁ ରାମଙ୍କୁ ଅନୁରୋଧ କଲେ । ରାମ ଲକ୍ଷ୍ମଣକୁ ସୀତାଙ୍କ ରକ୍ଷାର ଆଜ୍ଞା ଦେଇ ତିନିଗାର ଟାଣି ମୃଗକୁ ମାରିବାକୁ ଚାଲିଗଲେ । ମାରୀଚ ରାମଙ୍କ ହାତରେ ମରିଗଲା, କିନ୍ତୁ ମରିବା ପୂର୍ବରୁ ସେ ରାମଙ୍କ ସ୍ୱରରେ “ହେ ଲକ୍ଷ୍ମଣ” ବୋଲି ଚିତ୍କାର କଲା । ଏହା ଶୁଣି ସୀତା ଭୟଭୀତ ହୋଇ ଲକ୍ଷ୍ମଣକୁ ରାମ ପାଖକୁ ପଠାଇଦେଲେ । ଲକ୍ଷ୍ମଣ ଚାଲିଯିବା ପରେ ସୀତାଙ୍କୁ ଏକାକିନୀ ଦେଖି ଦୁଷ୍ଟ ରାବଣ ଏକ ସନ୍ୟାସୀ ବେଶରେ କୁଟୀର ସମ୍ମୁଖରେ ହାଜର ହେଲା । ରାବଣ ମାୟାରେ ଦେବୀ ସୀତା ଭିକ୍ଷା ଦେବା ବେଳେ ସେହି ତିନି ଗାର ଡେଇଁବାକ୍ଷଣି ସେ ବଳପୂର୍ବକ ସୀତାଙ୍କୁ ହରଣ କରି ଲଙ୍କାକୁ ନେଇଗଲା । ସୀତା ହରଣର ପ୍ରଥମ ସୋପାନରେ ଜଟାୟୁ ସୀତାଙ୍କୁ ରକ୍ଷା କରିବାକୁ ଯାଇ ରାବଣ ସହ ସଂଗ୍ରାମରେ କ୍ଷତାକ୍ତ ହୋଇପଡ଼ିଲା । ଇତିମଧ୍ୟରେ ରାବଣ ସୀତାଙ୍କୁ ନେଇ ଲଙ୍କାସ୍ଥିତ ଅଶୋକ ବନରେ ରଖିଲା । ଜଟାୟୁଠାରୁ ସୀତାହରଣ ଖବର ପାଇ ରାମ ଓ ଲକ୍ଷ୍ମଣ ସୀତାଙ୍କ ସନ୍ଧାନରେ ବାହାରି ପଡ଼ିଲେ । ସୀତା ନ ମିଳିବାରେ ରାମ ବହୁତ ଦୁଃଖିତ ଓ ବିଳାପିତ ହେଲେ । ରାସ୍ତାରେ ଜଟାୟୁ ସହ ଭେଟିଲେ, ସେ ତାଙ୍କୁ ରାବଣ ଦ୍ୱାରା ନିଜ ଦୁର୍ଦ୍ଦଶା ଓ ରାବଣ ସୀତାଙ୍କୁ ଦକ୍ଷିଣ ଦିଗକୁ ନେଇଯାଇଥିବା ବିଷୟରେ କହିଲେ । ଏହା କହି ଜଟାୟୁ ପ୍ରାଣ ତ୍ୟାଗ କଲେ । ରାମ ତାଙ୍କ ଶବଦାହ କରି ସୀତାଙ୍କ ଖୋଜରେ ଅଧିକ ଗଭୀର ଜଙ୍ଗଳକୁ ପ୍ରବେଶ କଲେ ।

ଶବରୀ ଚରିତ
[ସମ୍ପାଦନା]ପଥରେ ରାମ ଦୁର୍ବାସାଙ୍କ ଶାପରେ ରାକ୍ଷସ ହୋଇଥିବା ଗନ୍ଧର୍ବ କବନ୍ଧଙ୍କୁ ମୁକ୍ତି କଲେ ଓ ପରେ ଶବରୀଙ୍କ ଆଶ୍ରମରେ ପହଞ୍ଚିଲେ । ଶବରୀ ରାମଙ୍କ ଭାକ୍ତ ଥିଲେ, ଯିଏ ତାଙ୍କ ଗୁରୁ ମାତଙ୍ଗ ଋଷିଙ୍କ ଆଶ୍ରମରେ ରହୁଥିଲେ । ଗୁରୁ ମରଣ ପୂର୍ବରୁ ତାଙ୍କୁ କହିଥିଲେ ଯେ, “କେବେ ନା କେବେ ଭଗବାନ ରାମ ଏଇ ଆଶ୍ରମକୁ ଆସିବେ।” ସେଥିପାଇଁ ଶବରୀ ପ୍ରତିଦିନ ରାମଙ୍କ ପ୍ରତୀକ୍ଷା କରୁଥିଲେ।[୩]
ଏକଦିନ ରାମ ଓ ଲକ୍ଷ୍ମଣ ସୀତାଙ୍କ ଖୋଜରେ ଆଶ୍ରମକୁ ପହଞ୍ଚିଲେ। ଶବରୀ ଅତ୍ୟନ୍ତ ଆନନ୍ଦରେ ସେମାନଙ୍କୁ ସ୍ବାଗତ କଲେ। ସେ ଭକ୍ତିପୂର୍ଣ୍ଣ ଭାବରେ ରାମଙ୍କ ପାଇଁ କୋଳି ଆଣିଲେ । ଫଳ ଖଟ୍ଟା କିମ୍ବା ଭଲ ତା ଜାଣିବା ପାଇଁ ସେ ପ୍ରତିଟି ଫଳର ସ୍ବାଦ ନିଜେ ଚାଖିକରି ଭଲ ଫଳଟି ରାମଙ୍କୁ ଦେଉଥିଲେ । ରାମ ଶବରୀଙ୍କ ଶୁଦ୍ଧ ଭକ୍ତିକୁ ଦେଖି ଅତ୍ୟନ୍ତ ଖୁସି ହେଲେ ଏବଂ ତାଙ୍କୁ ମୋକ୍ଷ ଦାନ କଲେ। ଶବରୀଙ୍କ ଭକ୍ତିକୁ ରାମାୟଣରେ "ସବୁଠାରୁ ଶ୍ରେଷ୍ଠ ଭକ୍ତି" ବୋଲି କୁକହାଯାଏ ।
ପଥରେ କବନ୍ଧ ନାମକ ଅସୁର ସହ ଭେଟ ହେବାପରେ କବନ୍ଧର ଅନୁରୋଧକ୍ରମେ ରାମ ଓ ଲକ୍ଷ୍ମଣ ସୁଗ୍ରୀବ ସହ ବନ୍ଧୁତା ସ୍ଥାପନ କରିବା ନିମନ୍ତେ ତାଙ୍କ ସନ୍ଧାନରେ ଚାଲିଲେ ।
ଆଧାର
[ସମ୍ପାଦନା]- ↑ Keshavadas, Sadguru Sant (1988-01-01). Ramayana at a Glance (in ଇଂରାଜୀ). Motilal Banarsidass Publishing House. ISBN 978-81-208-0545-3.
- ↑ Rajagopalachari C. (1958). Ramayana (1958). Bhartya Vidya Bhavan.
- ↑ "A Tale of Shabari". JKP (in ଆମେରିକୀୟ ଇଂରାଜୀ). 2024-01-22. Retrieved 2025-11-17.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |