ଅଭିନବ ବିଦ୍ୟାତୀର୍ଥ
| ଜଗଦ୍ଗୁରୁ ଅଭିନବ ବିଦ୍ୟାତୀର୍ଥ ମହାସ୍ଵାମୀ Jyeshta Mahasannidhanam | |
|---|---|
| ଧର୍ମ | Hinduism |
| ବ୍ୟକ୍ତିଗତ | |
| ଜାତୀୟତା | Indian |
| ଜନ୍ମ | Srinivasa Sastri 13 November 1917 Bangalore, India |
| ମୃତ୍ୟୁ | ୨୧ ସେପ୍ଟେମ୍ବର ୧୯୮୯ Sringeri |
| Senior posting | |
| ଉପାଧି | 35th Jagadguru Shankaracharya of Sringeri Sharada Peetham |
| ଧାର୍ମିକ ବୃତ୍ତି | |
| Ordination | 22 May 1931 |
ଜଗଦ୍ଗୁରୁ ଅଭିନବ ବିଦ୍ୟାତୀର୍ଥ ମହାସ୍ଵାମୀ (ଜନ୍ମନାମ ଶ୍ରୀନିବାସ ଶାସ୍ତ୍ରୀ) (13 ନଭେମ୍ବର 1917 – 21 ସେପ୍ଟେମ୍ବର 1989) ଶୃଙ୍ଗେରୀ ଶାରଦା ପୀଠର ୩୫ତମ ଜଗଦ୍ଗୁରୁ ଥିଲେ । ଏହି ପୀଠ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଅଦ୍ୱୈତ ବେଦାନ୍ତବାଦର ପ୍ରଚାର ପ୍ରତିଷ୍ଠା କରାଯାଇଥିବା ୪ଟି ମଠ ମଧ୍ୟରୁ ଅନ୍ୟତମ ।
ଶୈଶବକାଳ
[ସମ୍ପାଦନା]ସେ ୧୩ ନଭେମ୍ବର ୧୯୧୭ ଦୀପାବଳି ଦିନ ଭେଙ୍କଟଲକ୍ଷ୍ମୀ ଅମ୍ମାଳ ଓ ରାମ ଶାସ୍ତ୍ରୀ (ବ୍ୟାଙ୍ଗାଲୋରରେ ଜଣେ ପ୍ରାଥମିକ ଶିକ୍ଷକ)ଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଶୈଶବ ନାମ ଥିଲା ଶ୍ରୀନିବାସ ଶାସ୍ତ୍ରୀ । ତାଙ୍କ ଉପନୟନ ସଂସ୍କାର ଶୃଙ୍ଗେରୀ ଶାରଦା ମନ୍ଦିରରେ ହେଲା ଓ ସେ ମଠରେ ନିଜ ବେଦାଧ୍ୟୟନ ଜାରି ରଖିଲେ । ଏଠାରେ ସମୟକ୍ରମେ ସେ ନିଜ ଗୁରୁ ଶ୍ରୀ ଚନ୍ଦ୍ରଶେଖର ଭାରତୀ ମହାସ୍ଵାମୀଙ୍କ ସଂପର୍କରେ ଆସିଲେ । ଶିଶୁକାଳରୁ ହିଁ ଶ୍ରୀନିବାସ ଅତ୍ୟନ୍ତ ଭକ୍ତିଶୀଳ ଥିଲେ । ବିଦ୍ୟାଳୟରେ ସେ ଆଜ୍ଞାବହ ଓ କର୍ତ୍ତବ୍ୟନିଷ୍ଠ ଛାତ୍ର ଥିଲେ । ତାଙ୍କ ଶୈଶବକାଳରେ ଏପରି ବହୁତ ଘଟଣା ଘଟିଛି, ଯେଉଁଥିରେ ସେ ଅସାଧାରଣ ପ୍ରଜ୍ଞା, ଦୂରଦର୍ଶିତା ଓ ବିବେକ ପ୍ରଦର୍ଶନ କରିଥିଲେ । ଅତ୍ୟନ୍ତ କୁମାର ବୟସରୁ ସେ ନିଜ ବନ୍ଧୁମାନଙ୍କ ପାଖରେ ସନ୍ୟାସ ଗ୍ରହଣ କରି ଭଗବାନଙ୍କ ଦର୍ଶନ ପାଇବାକୁ ଚେଷ୍ଟା କରିବାପାଇଁ ଇଚ୍ଛା ପ୍ରକାଶ କରୁଥିଲେ ।[୧]
ସନ୍ନ୍ୟାସ ଗ୍ରହଣ
[ସମ୍ପାଦନା]ଶ୍ରୀ ଚନ୍ଦ୍ରଶେଖର ଭାରତୀ-ତୃତୀୟ ମହାସ୍ଵାମୀ ଶ୍ରୀନିବାସ ଶାସ୍ତ୍ରୀଙ୍କୁ ନିଜ ଉତ୍ତରାଧିକାରୀ (୩୫ତମ ଜଗଦ୍ଗୁରୁ ଆଚାର୍ଯ୍ୟ) ଭାବେ ନିୟୋଜିତ କରିବା ଓ ସନ୍ନ୍ୟାସ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେତେବେଳେ ଶ୍ରୀନିବାସଙ୍କ ବୟସ୍ ମାତ୍ର ୧୪ ବର୍ଷ ଥିଲା । ୨୨ ମେ ୧୯୩୧ରେ ଶିଷ୍ୟ ସ୍ୱୀକାରମ୍ ଅନୁଷ୍ଠାନ ହେଲା ଓ ଉପନୀତ ବ୍ରହ୍ମଚାରୀ ଆଚାର୍ଯ୍ୟଙ୍କ ନିକଟରୁ ସେ କୌପୀନ, ଦଣ୍ଡ ଓ କମଣ୍ଡଳୁ ଗ୍ରହଣ କଲେ । ନୂତନ ଦୀକ୍ଷିତ ସନ୍ନ୍ୟାସୀଙ୍କୁ ଦଶନାମୀ ସମ୍ପ୍ରଦାୟ ଅନୁସାରେ "ଶ୍ରୀ ଅଭିନବ ବିଦ୍ୟାତୀର୍ଥ" ବୋଲି ଯୋଗପାଟ୍ଟ ଦିଆଗଲା।[୧]
ଶୃଙ୍ଗେରୀ ପୀଠର ଜଗଦ୍ଗୁରୁ ଭାବେ ଶାସନକାଳ
[ସମ୍ପାଦନା]ଶ୍ରୀ ଅଭିନବ ବିଦ୍ୟାତୀର୍ଥ ମହାସ୍ଵାମୀ ଜଣେ ଶ୍ରେଷ୍ଠ ବେଦାନ୍ତୀ ଓ ଯୋଗରେ ବିଶାରଦ ଥିଲେ । ନିଜ ଗୁରୁଙ୍କ ପ୍ରତ୍ୟକ୍ଷ ଶିକ୍ଷାଧୀନ ରହି ସେ ମାତ୍ର ୨୦ ବର୍ଷ ପୂର୍ବରୁ ନିଜ ଆତ୍ମାନୁଭୂତି (ସକ୍ଷାତ୍କାର) ଲାଭ କରିପାରିଥିଲେ । 26 ସେପ୍ଟେମ୍ବର 1954ରେ ଶ୍ରୀ ଚନ୍ଦ୍ରଶେଖର ଭାରତୀ ମହାସ୍ଵାମୀଙ୍କ ଦେହାନ୍ତ ହୋଇଥିଲା । ପ୍ରାୟ ୨୦ ଦିନ ପରେ, ୧୬ ଅକ୍ଟୋବର ୧୯୫୪ରେ, ଶ୍ରୀ ଅଭିନବ ବିଦ୍ୟାତୀର୍ଥ ଶୃଙ୍ଗେରୀ ଶାରଦା ପୀଠମ୍ର ୩୫ତମ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଭାବରେ ପୀଠାରୋହଣ କଲେ ।[୨]
ସେ ଜଣେ କୁଶଳ ପ୍ରଶାସକ ଥିଲେ ଓ ମଠର କାର୍ଯ୍ୟପଦ୍ଧତିରେ ବିପୁଳ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିଲେ। ସେ ମଠର ଅତିଥି ନିବାସ ନିର୍ମାଣ କଲେ, ଶାରଦା ମନ୍ଦିରର ଅମ୍ମନାଭାରୁ ଓ ଗଣପତି ମନ୍ଦିରଗୁଡ଼ିକୁ ନବୀକରଣ କଲେ, ବିଶାଳ ବାଉଁଶବନକୁ ଚାଷଯୋଗ୍ୟ ଭୂମିରେ ପରିଣତ କଲେ, ରାସ୍ତା ନିର୍ମାଣ କଲେ ଓ ସିଚାଇ ବ୍ୟବସ୍ଥା ଆଣିଲେ। ସେ ତୁଙ୍ଗା ନଦୀ ଉପରେ ସେତୁ ନିର୍ମାଣ କାମ ଆରମ୍ଭ କଲେ,ଯାହା ଆଜି "ବିଦ୍ୟାତୀର୍ଥ ସେତୁ" ବୋଲି ପରିଚିତ। ତାଙ୍କ ଶାସନକାଳରେ ଶାରଦା ଧନ୍ବନ୍ତରୀ ହସ୍ପିଟାଲ ନିର୍ମିତ ହେଲା। ସେ ୧୯୮୮ ଅପ୍ରେଲରେ "ଜ୍ଞାନୋଦୟ" ବିଦ୍ୟାଳୟ ନିର୍ମାଣ କରି ତାହାର ଉଦ୍ଘାଟନ କଲେ ।[୩]
ମେ ୧୯୭୯ରେ ସେ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସ୍ଥାପିତ ଚାରିଟି ମଠ, ଶୃଙ୍ଗେରୀ, ପୁରୀ, ଦ୍ୱାରକା ଓ ଜ୍ୟୋତିର୍ମଠର ସମସ୍ତ ପୀଠାଧୀଶମାନଙ୍କ ଐତିହାସିକ ସମ୍ମିଳନର ଆୟୋଜନ କରିଥିଲେ ।
ଉତ୍ତରାଧିକାରୀ ନିଯୁକ୍ତି
[ସମ୍ପାଦନା]୧୯୭୪ରେ ଶ୍ରୀ ଅଭିନବ ବିଦ୍ୟାତୀର୍ଥ ମହାସ୍ଵାମୀ ବ୍ରହ୍ମଚାରୀ ଶୀତାରାମ ଅଞ୍ଜନେୟଲୁଙ୍କୁ ୩୬ତମ ଜଗଦ୍ଗୁରୁ ଭାବେ ନିଯୁକ୍ତ କଲେ ଓ ତାଙ୍କୁ "ଶ୍ରୀ ଭାରତୀ ତୀର୍ଥ ମହାସ୍ଵାମୀ" ବୋଲି ଯୋଗପଟ୍ଟ ଦେଲେ। ଶ୍ରୀ ଅଭିନବ ବିଦ୍ୟାତୀର୍ଥ ମହାସ୍ଵାମୀ ୨୧ ସେପ୍ଟେମ୍ବର ୧୯୮୯ରେ ମହା–ନିର୍ବାଣ ପ୍ରାପ୍ତ କଲେ । ତାଙ୍କ ଅଧିଷ୍ଠାନ ଶ୍ରୀଙ୍ଗେରୀର "ନରସିଂହ ବନ"ରେ ଅବସ୍ଥିତ ।
ପାରମ୍ପରିକ ସମ୍ମାନ
[ସମ୍ପାଦନା]ତାଙ୍କ ସମ୍ମାନରେ 1991ରେ "ଶ୍ରୀ ଵିଦ୍ୟାତୀର୍ଥ ଫାଉଣ୍ଡେସନ୍" ସ୍ଥାପିତ ହୋଇଥିଲା ।[୪] ତାଙ୍କ ଜୀବନୀ "ଦ ମଲ୍ଟିଫାସେଟେଡ୍ ଜୀବନ୍ମୁକ୍ତ" ନାମକ ପୁସ୍ତକ ତାଙ୍କ ଅନ୍ୟ ଶିଷ୍ୟ ଶ୍ରୀ ଆର୍.ଏମ୍. ଉମେଶ ଲେଖିଛନ୍ତି ।[୫] ତାଙ୍କୁ ନେଇ ଚାରିଟି ଭାଷାରେ ଚିତ୍ରମୟ ଗଳ୍ପ–ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Biography of Sri Abhinava Vidyatirtha Mahaswamiji". www.sringeri.net (in ଇଂରାଜୀ). Retrieved 2025-11-19.
- ↑ "Biography | Acharyal" (in ଆମେରିକୀୟ ଇଂରାଜୀ). Retrieved 2025-11-19.
- ↑ "About Us – jnanodaya Institution" (in ଆମେରିକୀୟ ଇଂରାଜୀ). Retrieved 2025-11-19.
- ↑ "Abhinava – Sri Vidyatheertha Foundation" (in ଆମେରିକୀୟ ଇଂରାଜୀ). Retrieved 2025-11-19.
- ↑ Venkataramanan, Geetha (2018-09-27). "Sri Abhinava Vidyatirtha — ascetic extraordinary". The Hindu (in Indian English). ISSN 0971-751X. Retrieved 2025-11-19.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |