ଶ୍ରାଦ୍ଧ

ଉଇକିପିଡ଼ିଆ‌ରୁ
(ଅପରପକ୍ଷରୁ ଲେଉଟି ଆସିଛି)
ପୟାଶ୍ରାଦ୍ଧ

ଶ୍ରାଦ୍ଧକର୍ମରେ ଅନ୍ତରର ଶ୍ରଦ୍ଧା ହେଉଛି ମୁଖ୍ୟ । ଅନ୍ତରର ଶ୍ରଦ୍ଧା ନଥାଇ କୌଣସି କାର୍ଯ୍ୟ ଫଳଦାୟକ ହୁଏ ନାହିଁ । ଜଣେ ଗୃହସ୍ଥ ପକ୍ଷରେ ବର୍ଷକ ମଧ୍ୟରେ ଚାରିଗୋଟି ଶ୍ରାଦ୍ଧ ସ୍ୱତନ୍ତ୍ର ଭାବେ କରିବାର ବ୍ୟବସ୍ଥା ଅଛି, ଯଥା: ପିତୃଶ୍ରାଦ୍ଧ, ମାତୃଶ୍ରାଦ୍ଧ, ମହାଳୟା ଶ୍ରାଦ୍ଧ ଓ ଦୀପଦାନ ବା ପୟାଶ୍ରାଦ୍ଧ । ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅପରପକ୍ଷ ଆରମ୍ଭ ହୋଇ ସେହି ମାସର ଅମାବାସ୍ୟା ତିଥିରେ, ମହାଳୟା ଶ୍ରାଦ୍ଧ ପରେ, ପିତୃପକ୍ଷର ପରିସମାପ୍ତି ହୁଏ । ଏହି ପିତୃପକ୍ଷରେ ପ୍ରତ୍ୟେକ ଦିନ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିବିଧାନରେ କରଣୀୟ । ଏହି ପକ୍ଷରେ ପିତୃପୁରୁଷମାନେ ନିଜନିଜର ଆତ୍ମୀୟମାନଙ୍କଠାରୁ ତିଳୋଦକ ଓ ଅନ୍ନବ୍ୟଞ୍ଜନ ପାଇବାକୁ ଆଗ୍ରହୀ ଥାଇ ମର୍ତ୍ତ୍ୟମଣ୍ଡଳକୁ ଅବତରଣ କରିଥାନ୍ତି । ପ୍ରତ୍ୟେକ ଦିନ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରି ତୃପ୍ତି କରିବାର ଅନୁକୂଳ ସମୟ । ଅସୁବିଧାବଶତଃ ପ୍ରତ୍ୟେକ ଦିନ ଶ୍ରାଦ୍ଧ ନ କରି ପାରିଲେ ଅନ୍ତତଃପକ୍ଷେ ପିତାଙ୍କର ଦେହାନ୍ତ ଯେଉଁ ତିଥିରେ ହୋଇଥିବ, ସେହିଦିନ ଶ୍ରାଦ୍ଧ କରିବା ବିଧେୟ । କିନ୍ତୁ ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ତର୍ପଣ ଚାଲୁ ରଖିବାକୁ ହେବ । ପ୍ରତ୍ୟହ ତର୍ପଣ ପରେ ବୈଶ୍ୱଦେବ କରିବା ଉଚିତ, କାରଣ ବୈଶ୍ୱଦେବ ଏକପ୍ରକାର ଶ୍ରାଦ୍ଧର ଅନ୍ତର୍ଗତ । ଯେଉଁ ଗୃହସ୍ଥଙ୍କ ପିତା ପୂର୍ଣ୍ଣିମା ତିଥିରେ ମୃତ୍ୟୁବରଣ କରିଥିବେ, ତାଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟା ଦିନ ମହାଳୟା ବିଧିରେ ଶ୍ରାଦ୍ଧ କରାଯିବ ।

ପ୍ରକାର[ସମ୍ପାଦନା]

ମୁଖ୍ୟତଃ ଦୁଇପ୍ରକାର ଶ୍ରାଦ୍ଧ ପାଳିତ ହୋଇ ଆସୁଛି: ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

ଏକୋଦ୍ଦିଷ୍ଟ[ସମ୍ପାଦନା]

ପିତା କିମ୍ବା ମାତା ଜଣକୁ ଉଦ୍ଦେଶ୍ୟ କରି ଗୋଟିଏ ପିଣ୍ଡଦେଇ ଶ୍ରାଦ୍ଧ କଲେ ଏକୋଦ୍ଦିଷ୍ଟ ଶ୍ରାଦ୍ଧ କହନ୍ତି । ଏହା ମଧ୍ୟାହ୍ନରେ ଆରମ୍ଭ କରାଯାଇଥାଏ । ଏହି ଶ୍ରାଦ୍ଧରେ ଅଗ୍ନୌକରଣ ନାହିଁ କିମ୍ବା ବିଶ୍ୱେଦେବାଙ୍କୁ ଆବାହନ କରାଯାଏ ନାହିଁ । ବାର୍ଷିକ ଶ୍ରାଦ୍ଧରେ କର୍ତ୍ତା ପାର୍ବଣ ବିଧି ଅନୁସାରେ ନିଜର ତିନି ପୁରୁଷଙ୍କୁ ପିଣ୍ଡଦାନ କରିଥାଏ, କିନ୍ତୁ ମହାଳୟା ଶ୍ରାଦ୍ଧରେ ଅଜାଘର ତିନିପୁରୁଷଙ୍କୁ ସେଥିରେ ସାମିଲ କରି ପିଣ୍ଡ ଦାନର ବ୍ୟବସ୍ଥା ଅଛି । ଏହି ଶ୍ରାଦ୍ଧ ଅପରାହ୍ନ ସମୟରେ କରାଯାଏ । ଶ୍ରାଦ୍ଧକର୍ତ୍ତା ତର୍ପଣ ଶେଷ କରି, ଶାଳଗ୍ରାମ କିମ୍ବା ବିଷ୍ଟର (କର୍ମସ୍ଥଳକୁ ନିମନ୍ତ୍ରୀତ ଦେବତାଙ୍କ ସ୍ଥାନରେ କଳ୍ପିତ କ୍ଷୁଦ୍ରାବୟବ କୁଶର ମୋଡ଼ା)ଦ୍ୱାରା ଶ୍ରାଦ୍ଧ ମଣ୍ଡଳର ପଶ୍ଚିମ ଦିଗରେ ବିଶ୍ୱେଦେବାଙ୍କୁ ପୂର୍ବମୁହାଁ କରି ସ୍ଥାପନ କରିବେ । ସେହିପରି ପିତୃଙ୍କ ପ୍ରତିନିଧି ସ୍ୱରୂପ ଶାଳଗ୍ରାମ କିମ୍ବା ବିଷ୍ଟରଦ୍ୱାରା ନିଜର ପିତା, ପିତାମହ ଓ ବୃଦ୍ଧ ପ୍ରପିତାମହଙ୍କୁ ‘ଉତ୍ତର’ ମୁଖା କରି ବସାଇବେ । ଭକ୍ତି ସହାକାରେ ଆବାହନ ପୂର୍ବକ ବସିବାକୁ ପ୍ରାର୍ଥନା କରିବେ । ତାପରେ ଅର୍ଘ୍ୟ, ଚନ୍ଦନ, ପୁଷ୍ପ, ବସ୍ତ୍ର, ଧୂପ ଓ ଦୀପ ପ୍ରଦାନ ପରେ, ତାଙ୍କର ଅନୁମତି କ୍ରମେ ଶ୍ରାଦ୍ଧର ପରଥମ ପିଣ୍ଡ ଅଗ୍ନିଦେବଙ୍କୁ ଓ ଦ୍ୱିତୀୟ ପିଣ୍ଡ ସୋମପ ପିତରଙ୍କୁ ପ୍ରଦାନ କରିବେ । ବିଶ୍ୱେଦେବା ଓ ପିତୃପୁରୁଷଙ୍କ ପତ୍ରରେ ଅନ୍ନବ୍ୟଞ୍ଜନାଦି ପରିବେଷଣ କରି ସେମାନେ ତୃପ୍ତି ସହକାରେ ଭୋଜନ କଲେ ବୋଲି ଜାଣିବା ପରେ ବିକୀର୍ଣ୍ଣ ପିଣ୍ଡ ଦେବେ । ତାପରେ କର୍ତ୍ତା ବିଶ୍ୱଦେବର ପତ୍ର ଓ ବାହ୍ୟ ବଳିପତ୍ରର ଉତ୍ସର୍ଗ କର୍ମ ନ କରି, ପିତୃପୁରୁଷଙ୍କ ଅନୁମତି ନେଇ ଭୂମିରେ ପିଣ୍ଡ ଦାନ କରିବେ ଓ ଶେଷରେ ବୈଶ୍ୱଦେବର ଅତିଥିପତ୍ର ଓ ବାହ୍ୟବଳିପତ୍ର ଉତ୍ସର୍ଗ କର୍ମ ଶେଷ କରି ଶ୍ରାଦ୍ଧ ସମାପନ କରିବେ ।

ପାର୍ବଣ[ସମ୍ପାଦନା]

ପାର୍ବଣ ଶ୍ରାଦ୍ଧରେ ତିନିଗୋଟି ପିଣ୍ଡ ଓ ମହାଳୟା ଶ୍ରାଦ୍ଧରେ ଛଅଗୋଟି ପିଣ୍ଡ ପ୍ରଦାନ କରାଯାଏ । ପ୍ରତି ପିଣ୍ଡସହ ଗୋଟିଏ ଲେପଭାଗ (ଛୋଟ ପିଣ୍ଡ) ଦିଆଯାଏ। ଏହି ଲେପଭାଗ ତିନିପୁରୁଷଙ୍କ ପୂର୍ବଜ, ଯଥା ବୃଦ୍ଧପ୍ରପିତାମହ, ଅତିବୃଦ୍ଧ ପ୍ରପିତାମହ ଓ ଅତିତୀବୃଦ୍ଧ ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ଏହା ଅର୍ପଣ କରାଯାଏ । ଏଥିରେ ପିଣ୍ଡଗ୍ରହିତା ଓ ଲେପଭାଗ ଗ୍ରହିତା ମିଶି ଛଅ ପୁରୁଷଙ୍କୁ ପିଣ୍ଡ ଦିଆଯାଏ । ଏଥିସହ କର୍ତ୍ତା ମିଶିଲେ ମୋଟ ସାତପୁରୁଷ । ଏମାନଙ୍କୁ ସପିଣ୍ଡ କହନ୍ତି । ଏଥୁଁ ଅଧିକ ତିନିପୁରୁଷଙ୍କୁ ସୋଦକ ଓ ତହିଁରୁ ଉର୍ଦ୍ଧ ତିନି ପୁରୁଷଙ୍କୁ ଗୋତ୍ରଜ କହନ୍ତି ।

ପୟା ଶ୍ରାଦ୍ଧ[ସମ୍ପାଦନା]

ଦୀପଦାନ ଶ୍ରାଦ୍ଧ ବା ପୟାଶ୍ରାଦ୍ଧ କାର୍ତ୍ତିକମାସ ଅମାବାସ୍ୟା ଦିନ କରାଯାଏ । ଏହି ଶ୍ରାଦ୍ଧରେ ଅନ୍ନବ୍ୟଞ୍ଜନଦ୍ୱାରା ପିଣ୍ଡ ଦେବାର ବ୍ୟବସ୍ଥା ନାହିଁ । ଶ୍ରାଦ୍ଧକର୍ତ୍ତା କ୍ରତୁ ଆଦି ଦଶ ବିଶ୍ୱେଦେବା, ସନକ ଆଦି ସପ୍ତ ମନୁଷ୍ୟ, ପିତା ଓ ମାତାଙ୍କର ତିନି ପୁରୁଷ, ଅଜା ଓ ଆଇଙ୍କର ତିନି ପୁରୁଷମାନଙ୍କୁ ଆବାହନ କରି, ସେମାନଙ୍କୁ ସୁଆଁଫୁଲ, ଚନ୍ଦନ, ପୁଷ୍ପ, ଧୂପ, ଦୀପ ଇତ୍ୟାଦି ଅର୍ପଣ କରିବା ପରେ ଆଖୁ, କଦଳୀ, ନଡ଼ିଆଦ୍ୱାରା ତୃପ୍ତ କରାଯାଏ । ତାପରେ ଦୀପ ଦାନ କରି ଶେଷରେ କାଉଁରିଆ ନିଆଁହୁଳାକୁ ଧରି ବିସର୍ଜନ ମନ୍ତ୍ର ପାଠ କରି ଶ୍ରାଦ୍ଧ ସମାପନ କରାଯାଏ ।

ମହାଳୟା ଶ୍ରାଦ୍ଧ[ସମ୍ପାଦନା]

ହିନ୍ଦୁ ପରମ୍ପରାରେ ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକାଧିକ ଶ୍ରାଦ୍ଧ କର୍ମ କରାଯାଏ । ସେସବୁ ମଧ୍ୟରେ ମହାଳୟା ଶ୍ରାଦ୍ଧ ଶ୍ରେଷ୍ଠ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ମହାଳୟା ଶ୍ରାଦ୍ଧ, ସାମ୍ବତ୍ସରିକ ଶ୍ରାଦ୍ଧ ବା ପାର୍ବଣ ଶ୍ରାଦ୍ଧ ବା ମଉଳା ଶ୍ରାଦ୍ଧ କୁହାଯାଏ । ମହଳୟା ଶ୍ରାଦ୍ଧର ତର୍ପଣର ପ୍ରଥମ ପାହାଚ ଦେବତର୍ପଣ ଏଇ ତର୍ପଣରେ ମନ୍ତ୍ର ସହିତ ବ୍ରହ୍ମା ( ମନ୍ତ୍ର -ଓଁ ବ୍ରହ୍ମା ତୃପ୍ୟନ୍ତାମ୍ ) ବିଷ୍ଣୁ, ରୁଦ୍ର, ପ୍ରଜାପତି, ଦେବଗଣ , ଛନ୍ଦଗଣ , ବେଦଗଣ ,ଋଷିଗଣ ,ସନାତନ , ପୁରାଣାଚାର୍ଯ୍ୟ,ଗନ୍ଧର୍ବାଚାର୍ଯ୍ୟ , ଇତରାଚାର୍ଯ୍ୟ , ସମ୍ବତ୍ସରସାବୟବ, ଦେବୀ , ଅପ୍ସରା , ଦେବାନୁଗା ,ନାଗଗଣ, ସାଗରଗଣ , ପର୍ବତଗଣ , ସରିତଗଣ , ମନୁଷ୍ୟଗଣ , ଯକ୍ଷଗଣ , ରାକ୍ଷସଗଣ , ପିଶାଚଗଣ , ସୁପର୍ଣ୍ଣଗଣ , ଭୂତଗଣ , ପଶୁଗଣ , ବନସ୍ପତିସମୂହ , ଔଷଧସମୂହ , ଭୂତଗ୍ରାମ ଚତୁର୍ବିଧ ଇତ୍ୟାଦି ଦେବଗଣଙ୍କୁ ଗୋଟିଏ ଥର ତର୍ପଣ ଜଳ ଅର୍ପଣ କରାଯାଏ ତର୍ପଣର ଦ୍ୱିତୀୟ ପାହାଚରେ ଦଶଜଣ ଋଷିଙ୍କୁ ମନ୍ତ୍ର ସହିତ ମରୀଚି ( ଓଁ ମରୀଚିଃ ସ୍ତୁପ୍ୟନ୍ତାମ୍ ),ଅତ୍ରି,ଅଙ୍ଗିରା,ପୁଲସ୍ତ୍ୟ,ପୁଲହ,କ୍ରତୁ,ବଶିଷ୍ଠ,ପ୍ରଚେତା,ଭୃଗୁ ଓ ନାରଦ ଗୋଟିଏ ଥର ତର୍ପଣ ଜଳ ଅର୍ପଣ କରାଯାଏ । ତର୍ପଣର ତୃତୀୟ ପାହାଚରେ ସାତ ଜଣ ଦିବ୍ୟ ମନୁଷ୍ୟଙ୍କୁ ମନ୍ତ୍ର ସହିତ ସନକ(ଓଁ ସନକଃ ତୃପ୍ୟନ୍ତାମ୍) ସନନ୍ଦ, ସନାତନ, କପିଳ, ଆସୁରୀ, ବୋଢୁ , ଏବଂ ପଞ୍ଚଶିଖ ପ୍ରତ୍ୟେକଙ୍କୁ ଦୁଇ ଥର ଲେଖାଏଁ ତର୍ପଣ ଜଳ ଅର୍ପଣ କରାଯାଏ । ତର୍ପଣର ଚତୁର୍ଥ ପାହାଚ ପିତୃ ତର୍ପଣ ଆରମ୍ଭରେ ମନ୍ତ୍ର ସହିତ ଏକାଦଶ ପିତୃ ଶ୍ରେଣୀ ଯଥା କବ୍ୟବାଡ଼ନଳ ( ଓଁ କବ୍ୟବାଡ଼ନଳଃ ତୃପ୍ୟନ୍ତାମ୍ )ସୋମ ଯମ ଅର୍ଯ୍ୟମା ଅଗ୍ନିଷ୍ୱାତ୍ୱା ସୋମପା ବର୍ହିଷଦ ବସୁ ରୁଦ୍ର ଆଦିତ୍ୟ ଆଚାର୍ଯ୍ୟଙ୍କୁ ତିନି ଥର ଲେଖାଏଁ ତର୍ପଣ ଜଳ ଅର୍ପଣ କରାଯାଏ । ପିତୃ ଶ୍ରେଣୀ ପରେ ଚତୁର୍ଦ୍ଦଶ ଯମଙ୍କୁ ମନ୍ତ୍ର ସହିତ ତର୍ପଣ ଜଳ ଅର୍ପଣ କରାଯାଏ ଯଥା ଯମ (ଓଁ ଯମାୟ ନମଃ ) ଧର୍ମରାଜ , ମୃତ ,ଅନ୍ତକ, ବୈବସ୍ୱତ, କାଳ , ସର୍ବଭୁତକ୍ଷୟ, ଔଦୁମ୍ବର, ଦଧ୍ନ, ନୀଳ, ପରମେଷ୍ଠୀ, ବୃକୋଦର, ଚିତ୍ର, ଓ ଚିତ୍ରଗୁପ୍ତ ଯମ ତର୍ପଣ ପରେ ଗୋତ୍ର ଉଚ୍ଚାରଣ କରି ପିତା ପିତାମହ ପ୍ରପିତାମହ ସେମାନଙ୍କର ପତ୍ନୀ ମାତା ପିତାମହୀ ପ୍ରପିତାମହୀଙ୍କ ନାମରେ ପ୍ରତ୍ୟେକଙ୍କୁ ତିନି ତିନି ଥର ତର୍ପଣ ଜଳ ଅର୍ପଣ କରାଯାଏ । ପୁନଶ୍ଚ ମନ୍ତ୍ର ସହିତ ଅଜା ଘର ଗୋତ୍ରଉଚ୍ଚାରଣ କରି ମାତାମହ ପ୍ରମାତାମହ ବୃଦ୍ଧପ୍ରମାତାମହ ପ୍ରତ୍ୟେକଙ୍କ ନାମରେ ତିନିଥର ଲେଖାଏଁ ତର୍ପଣ ଜଳ ପ୍ରଦାନ କରାଯାଏ । ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ । ପିତୃ ତର୍ପଣ ପରେ ପିତୃବ୍ୟ ଭାଇ ଶଶୁର ଗୁରୁ ସଖାଙ୍କ ପାଇଁ ଜଳଦାନ ଓ ସମାପ୍ତିରେ ଜଗତ ତଥା ରାଷ୍ଟ୍ର କଲ୍ୟାଣ ପାଇଁ ଅବିବାହିତ ଭୀଷ୍ମଙ୍କୁ ପିଣ୍ଡୋଦକ ଆଶାୟୀ ସମସ୍ତ ପୂର୍ବଜଙ୍କୁ ତର୍ପଣ ଜଳ ଅର୍ପଣ କରାଯାଏ ।

ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ ।

ପରମ୍ପରା[ସମ୍ପାଦନା]

ପିତୃଲୋକରେ ଦୁଇପ୍ରକାର ପିତର ଅବସ୍ଥାନ କରନ୍ତି । ଯଥା: ନିତ୍ୟପିତର ଓ ସାଧାରଣ ପିତର । ନିତ୍ୟପିତର ହେଲେ ଅଗ୍ନିଷ୍ୱାତ୍ତ, ବହିର୍ଷଦ, ସୋମପ, ଆଜ୍ୟପ, ସାଗ୍ନିକ ଓ ନିରଗ୍ନିକ । ଏମାନେ ସଦାସର୍ବଦା ପ୍ରତ୍ୟେକ ପ୍ରାଣୀଙ୍କର ବଂଶବୃଦ୍ଧି ଇଚ୍ଛାରେ ମହାସମାଧିରେ ମଜ୍ଜି ରହନ୍ତି । ଦକ୍ଷ କନ୍ୟା ସ୍ୱଧା ଏହି ପିତରମାନଙ୍କୁ ବିବାହ କରିଥିଲେ । ଗୃହସ୍ଥମାନେ କେବଳ ତିଳୋଦକଦ୍ୱାରା ସ୍ୱଧା ଉଚ୍ଚାରଣ କରି ଏହି ପିତରମାନଙ୍କୁ ତୃପ୍ତି କରିଥାନ୍ତି । ଯେଉଁମାନେ ଇହଲୋକରୁ ମୃତ୍ୟୁପରେ ପିତୃଲୋକକୁ ଗମନ କରନ୍ତି, ସେମାନଙ୍କୁ ସାଧାରଣ ପିତର କୁହାଯାଏ । ଏହି ସାଧାରଣ ପିତର ହେଲେ ଆମ୍ଭମାନଙ୍କର ପିତୃପୁରୁଷ । ପିତୃଋଣରୁ ମୁକ୍ତି ପାଇବାପାଇଁ ପ୍ରତ୍ୟକ ଗୃହସ୍ଥ ନିଜ ନିଜର ପିତୃପୁରୁଷଙ୍କୁ ତିଳୋଦକ ଓ ପିଣ୍ଡ ପ୍ରଦାନ କରିବା ପରମ୍ପରା ଆଜି ପର୍ଯ୍ୟନ୍ତ ଚଳି ଆସୁଛି । ସୃଷ୍ଟି ଆରମ୍ଭରେ ପିତୃଶ୍ରାଦ୍ଧର ବ୍ୟବସ୍ଥା ନଥିଲା, ସମସ୍ତେ ଅମର ଥିଲେ । ଅତ୍ରୀଋଷିଙ୍କ ପ୍ରପୌତ୍ରର ଅକାଳ ବିୟୋଗ ହେତୁ ଅତ୍ରୀଋଷିଙ୍କ ଅନୁମୋଦନ କ୍ରମେ ପିତୃଶ୍ରାଦ୍ଧର ପ୍ରଚଳନ ଆରମ୍ଭ ହେଲା ।

ଜଣେ ଗୃହସ୍ଥ ପକ୍ଷରେ ଜିବଦ୍ଦଶା ମଧ୍ୟରେ ପାଞ୍ଚଗୋଟି ଋଣ ସୁଝିବାର ବ୍ୟବସ୍ଥା ଅଛି, ଯଥା: ପିତୃଋଣ, ଦେବଋଣ, ଋଷିଋଣ, ମନୁଷ୍ୟଋଣ ଓ ଭୂତଋଣ । ସେଥିମଧ୍ୟରୁ ପ୍ରଥମେ ପିତୃଋଣରୁ ମୁକ୍ତି ପାଇବା ଉଚିତ। କାରଣ ପିତାମାତାଙ୍କ ଯୋଗୁଁ ଏ ଶରୀର ମିଳିଛି । ମାତୃ ସ୍ତନ୍ୟପାନ ଓ ପିତାଙ୍କ ଅର୍ଜିତ ଧନରୁ ଶିକ୍ଷା ଓ ଯୋଗ୍ୟତା ମିଳିଛି ଓ ଗୃହସ୍ଥା ଜୀବନର ଆରମ୍ଭ ହୋଇଛି ।

ଋଣ ଶୁଝିବା ପାଇଁ ଶ୍ରାଦ୍ଧ[ସମ୍ପାଦନା]

ମଣିଷ ଜନ୍ମବେଳେ ତିନିଟି ଋଣ ଶୁଝିବାକୁ ବାଧ୍ୟ ହୋଇ ଆସିଥାଏ । ସେଗୁଡ଼ିକ ହେଲା ଦେବଋଣ, ଋଷିଋଣ ଓ ପିତୃଋଣ। ଦେବଋଣ ଅଧ୍ୟୟନ ଦ୍ୱାରା, ଋଷିଋଣ ଯାଗଯଜ୍ଞଦ୍ୱାରା ଏବଂ ପିତୃଋଣ ନିଜେ ପିତା ହେବାଦ୍ୱାରା ଶୁଝାଯାଇଥାଏ । ଅପୁତ୍ରିକ ପିତାମାନେ ମୋକ୍ଷ ପାଆନ୍ତି ନାହିଁ ବୋଲି ଧର୍ମମତେ ବିଶ୍ୱାସ ରହିଛି । ପୁତ୍ରର ପିଣ୍ଡଦାନଦ୍ୱାରା ସ୍ୱର୍ଗତ ପିତାମାତା ଏବଂ ପୂର୍ବଜଙ୍କୁ ମୁକ୍ତି ମିଳେ ଏବଂ ଏହିକ୍ରମରେ ବଂଶାନୁକ୍ରମ ଚାଲୁରହେ । ଏହି ପିଣ୍ଡଦାନ ବ୍ୟବସ୍ଥାକୁ ଶ୍ରାଦ୍ଧ କୁହାଯାଏ । ଅନ୍ୟ ମତେ ପୂର୍ବପୁରୁଷଙ୍କୁ ପ୍ରତି ଶ୍ରଦ୍ଧା ଓ ସମ୍ମାନକୁ ଶ୍ରାଦ୍ଧ କୁହାଯାଏ । ଶ୍ରାଦ୍ଧ ଦିବସରେ ଶୁଦ୍ଧପୂତ ଅନ୍ତରରେ ଭକ୍ତି ସହକାରେ ସ୍ନାନପୂର୍ବକ ଦେବଗଣ, ଋଷିଗଣ, ପିତୃ ତଥା ମାତୃଗଣଙ୍କୁ ତିଳ-ତଣ୍ଡୁଳ ମିଶ୍ରିତ ଜଳ ଦାନ କରାଯାଏ । ଏହାକୁ ତର୍ପଣ ବା ତର୍ପଣ ଶ୍ରାଦ୍ଧ କହନ୍ତି । ତିଳ ଅର୍ଥ ରାଶି, ତଣ୍ଡୁଳ ଅର୍ଥାତ ଅନ୍ନ ଏବଂ ତା ସହିତ ତୁଳସୀ ଜଳକୁ ତ୍ରିଳୋତ୍ରୟ ବା ତିଳୋଦକ କହନ୍ତି । ଏଥିରେ ନିଜ ତିନି ପୁରୁଷ ସହ ଅଜା ଆଇଙ୍କ ସମେତ ତାଙ୍କ ଘରୁ ତିନି ପୁରୁଷଙ୍କ ଶ୍ରାଦ୍ଧ ପକାଯାଏ । ପିତୃପୁରୁଷ ଶ୍ରଦ୍ଧରେ ପିତା, ପିତାମହ ଓ ପ୍ରପିତାମହ ମିଶି ତିନି ପୁରୁଷଙ୍କୁ ‘ସୋଦକ’ ଏବଂ ତାଙ୍କର ତିନି ପୁରୁଷଙ୍କୁ ଗୋତ୍ରଜ ବୋଲି କହାଯାଏ । ଏହିପରି ସେମାନେ ଛଅ ପୁରୁଷ । ଏଥି ସହ କର୍ତ୍ତାକୁ ଯୋଡ଼ିଲେ ସାତପୁରୁଷର ଶ୍ରାଦ୍ଧ ପଡ଼େ । ପିଣ୍ଡଦାନ କରୁଥିବା ବ୍ୟକ୍ତି ପିଣ୍ଡକୁ ଆଘ୍ରାଣ କରିବାକୁ ବାଧ୍ୟ । କାରଣ ଭକ୍ତ ଠାକୁରଙ୍କୁ ସମର୍ପିତ ନୈବେଦ୍ୟ ନିଶ୍ଚୟ ପାଇବେ, ନଚେତ ଏହା ଏକ ଅପରାଧ ବୋଲି ଧରାଯିବ ।

କିଛି ପୌରାଣିକ ତଥ୍ୟ[ସମ୍ପାଦନା]

ପୌରାଣିକ ବିଶ୍ୱାସ ଅନୁଯାୟୀ, ମହାଦାନୀ କର୍ଣ୍ଣଙ୍କର ମୃତ୍ୟୁପରେ ତାଙ୍କ ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଲା, କିନ୍ତୁ ଅଭୁକ୍ତ ରଖାଗଲା, କିଛି ଖାଦ୍ୟ ଦିଆଗଲା ନାହିଁ, କାରଣ ଜୀବିତାବସ୍ଥାରେ ସେ କେବେ କୌଣସି ବ୍ୟକ୍ତିକୁ ଅନ୍ନଦାନ ଦେଇନଥିଲେ । ସେ ଚିନ୍ତିତ ହୋଇ ଯମରାଜଙ୍କୁ ପ୍ରାର୍ଥନା କରିବାରୁ, ତାଙ୍କୁ ମାତ୍ର ଚଉଦ ଦିନ ପାଇଁ ମର୍ତ୍ତ୍ୟମଣ୍ଡଳକୁ ପଠାଯାଇଥିଲା । ସେହି ଚଉଦଦିନ ମଧ୍ୟରେ ସେ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ଫଳସ୍ୱରୂପ ତାଙ୍କୁ ଆଉ ଯମପୁରରେ ଅନ୍ନରୁ ବଞ୍ଚିତ ହେବାକୁ ପଡ଼ି ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦଦିନ ପିତୃପକ୍ଷ ଥିଲା ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]