Jump to content

ଅନୁରୋଧବତୀ କାହାଣୀ (ବତ୍ରିଶ ସିଂହାସନ)

ଉଇକିପିଡ଼ିଆ‌ରୁ
1. Vikramaditya Memorial, Ujjain

ଅନୁରୋଧବତୀ କାହାଣୀ ବତ୍ରିଶ ସିଂହାସନର ବାଇଶିତମ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[]

ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ବାଇଶିତମ ଦିନ ଯେତେବେଳେ ସେହି ସିଂହାସନର ବାଇଶିତମ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ଅନୁରୋଧବତୀ ନାମକ ବାଇଶିତମ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[]

ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ବାଇଶିତମ ପ୍ରତିମା ଅନୁରୋଧବତୀ ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ବାଇଶିତମ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[][]

ବାଇଶିତମ କାହାଣୀ

[ସମ୍ପାଦନା]

ବତ୍ରିଶ ସଂହାସନର ଅନୁରୋଧବତୀ ନାମକ ବାଇଶିତମ ପୁତ୍ତଳିକା କହିଥିବା କଥା ଏଭଳି ଥିଲା—

ରାଜା ବିକ୍ରମାଦିତ୍ୟ ଅଦ୍ଭୁତ ଗୁଣଗ୍ରାହୀ ଥିଲେ । ସେ ଜ୍ଞାନୀ, ଗୁଣୀ ଶିଳ୍ପୀମାନଙ୍କୁ ଅତ୍ୟନ୍ତ ସମ୍ମାନ କରୁଥିଲେ ଏବଂ ସ୍ପଷ୍ଟ କଥା କହିବାକୁ ପସନ୍ଦ କରୁଥିଲେ । ତାଙ୍କ ଦରବାରରେ ଯୋଗ୍ୟତାର ସମ୍ମାନ ହେଉଥିଲା, ଚାଟୁକାରିତା ପରି ଦୁର୍ଗୁଣର କୌଣସି ମୂଲ୍ୟ ନଥିଲା । ଏହି କଥା ଶୁଣି ଜଣେ ଯୁବକ ଦିନେ ରାଜାଙ୍କ ସହିତ ଦେଖା କରିବା ପାଇଁ ତାଙ୍କ ଦରବାରକୁ ଆସି ପହଁଚିଲା । ସେତେବେଳେ ଦରବାର ସଂଗୀତର ଆସର ଚାଲିଥିଲା । ସେ ଯୁବକ ଦ୍ୱାରରେ ଦଣ୍ଡାୟମାନ ହୋଇ ରାଜାଙ୍କ ଅନୁମତିର ଅପେକ୍ଷା କରୁଥିଲା । ସେ ଅତ୍ୟନ୍ତ ଗୁଣୀ ଥିଲା, ଅନେକ ଶାସ୍ତ୍ରର ଜ୍ଞାତା ଥିଲା ଏବଂ ଅନେକ ରାଜ୍ୟରେ ଚାକିରି କରିଥିଲା । କିନ୍ତୁ ସେ ସ୍ପଷ୍ଟବକ୍ତା ଥିବାରୁ ତାଙ୍କ ଆଶ୍ରୟଦାତାମାନେ ତା’କୁ ଅଭଦ୍ର ଭାବୁଥିଲେ ଏବଂ ପ୍ରତ୍ୟେକ ସ୍ଥାନରୁ ସେ ବରଖାସ୍ତ ହୋଇଯାଉଥିଲା । ଏତେ ତିକ୍ତ ଅନୁଭବ ହେଲେ ମଧ୍ୟ ସେ ନିଜ ଚରିତ୍ର ଓ ଚାଲିଚଳନରେ କୌଣସି ପରିବର୍ତ୍ତନ ଆଣିପାରିଲେ ନାହିଁ । ସେ ଦ୍ୱାରରେ ଦଣ୍ଡାୟମାନ ଥିଲା, ଏତେବେଳେ ତାଙ୍କ କାନରେ ବାଦ୍ୟର ଧ୍ୱନି ଶୁଣାଗଲା ଏବଂ ସେ ଆପେ ଆପେ କହି ଉଠିଲା — “ଆସରରେ ବସିଥିବା ଲୋକମାନେ ମୂର୍ଖ । ସେମାନେ ସଙ୍ଗୀତର ଆନନ୍ଦ ନେଉଛନ୍ତି, କିନ୍ତୁ ସଙ୍ଗୀତର ଜ୍ଞାନ ତାଙ୍କୁ ନାହିଁ । ସଂଗୀତକାର ଭୁଲ ରାଗ ବଜାଇ ଚାଲିଛି, କିନ୍ତୁ କେହି ମଧ୍ୟ ତାକୁ ରୋକୁନାହାନ୍ତି ।” ସେ ଯାହା ବୋଲିଲା, ଦ୍ୱାରପାଳ ସ୍ପଷ୍ଟ ଶୁଣିଲା । ତାଙ୍କ ମୁହଁ ରାଗରେ ଲାଲ ହୋଇଗଲା । ସେ ଯୁବକକୁ ସାବଧାନ ହୋଇ କଥା କହିବାକୁ କହିଲା । ଯେତେବେଳେ ସେ କହିଲା ଯେ ମହାରାଜ ବିକ୍ରମାଦିତ୍ୟ ନିଜେ ସଂଗୀତ ଆସରରେ ବସିଛନ୍ତି ଏବଂ ସଂଗୀତ ବିଷୟରେ ତାଙ୍କର ଯଥେଷ୍ଟ ଜ୍ଞାନ ରହିଛି, ସେତେବେଳେ ଯୁବକ ହସି ପକାଇ କହିଲା, “ସେ କଳାକାରପ୍ରେମୀ ହୋଇପାରନ୍ତି, କିନ୍ତୁ ସଂଗୀତ ଶାସ୍ତ୍ରଜ୍ଞ ନୁହନ୍ତି, କାରଣ ସଂଗୀତକାରର ଭୁଲ ଭାବରେ ନଜାଉଥିବା ରାଗର ଧାରଣା ତାଙ୍କର ନାହିଁ ।” ସେ ଏହା ମଧ୍ୟ କହିଦେଲା ଯେ ସେ ସଂଗୀତକାର କେଉଁ ପାର୍ଶ୍ୱରେ ବସିଛି । ଏବେ ଦ୍ୱାରପାଳ ନିଜକୁ ସଂଯମ କରିପାରିଲେନି । ସେ କହିଲା — “ଯଦି ତୋର କଥା ଭୁଲ ହୋଇଥାଏ, ତୋତେ ରାଜଦଣ୍ଡ ଦିଆଯିବ ।” ଯୁବକ ଶାନ୍ତ ଭାବରେ କହିଲା, “ମୁଁ ସତ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ, ଯଦି ମୋ କଥା ଭୁଲ ସିଦ୍ଧ ହେଉଥାଏ, ମୁଁ ଯେକୌଣସି ଦଣ୍ଡ ଭୋଗିବି ।” ଦ୍ୱାରପାଳ ଭିତରକୁ ଗଲା ଏବଂ ଏହି କଥା ରାଜାଙ୍କ କାନରେ ପହଁଚିଲା । ବିକ୍ରମାଦିତ୍ୟ ତୁରନ୍ତ ଆଦେଶ ଦେଲେ ଯେ ସେ ଯୁବକଙ୍କୁ ସଂଗୀତ ଆସରକୁ ଆଣାଯାଉ । ଯେତେବେଳେ ସେ ଆସିଲେ, ସେ ଜଣେ ବାଦକଙ୍କ ଦିଗକୁ ଆଙ୍ଗୁଠି ଦେଖାଇ କହିଲା, “ସେଠି ଥିବା ଜଣେ ବାଦକଙ୍କ ଆଙ୍ଗୁଠି ଦୋଷପୂର୍ଣ୍ଣ ଅଛି ।” ସେହି ଦିଗରେ ବସିଥିବା ସମସ୍ତ ବାଦକଙ୍କ ହାତ ଯାଞ୍ଚ କରାଗଲା । ଏବଂ ସତ୍ୟପ୍ରତିପାଦିତ ହେଲା, ଜଣେ ବାଦକଙ୍କ ଆଙ୍ଗୁଠିର ଉପରି ଅଂଶ କଟା ଥିଲା ଏବଂ ସେ ତାହାକୁ ପତଳା ଚମଡ଼ି ଦେଇ ଢାଙ୍କିରଖିଥିଲା । ରାଜା ସେ ଯୁବକଙ୍କ ସଙ୍ଗୀତ ଜ୍ଞାନରେ ଅତି ପ୍ରଭାବିତ ହେଲେ । ସେ ତାଙ୍କ ନାମ ଓ ପରିଚୟ ଜାଣି ଦରବାରରେ ଉଚିତ ସମ୍ମାନ ସହିତ ତାଙ୍କୁ ରଖିନେଲେ । ସେ ଯୁବକ ସତରେ କଳାର ଜ୍ଞାନ ରଖିଥିଲେ । ସମୟ ସମୟରେ ସେ ନିଜ ଯୋଗ୍ୟତାର ପ୍ରମାଣ ଦେଇ ରାଜାଙ୍କ ମନ ଜିତିନେଲେ ।

ଦିନେ ଦରବାରକୁ ଜଣେ ଅତ୍ୟନ୍ତ ସୁନ୍ଦରୀ ନୃତ୍ୟାଙ୍ଗନା ଆସିଲେ । ତାଙ୍କ ନୃତ୍ୟର ଆୟୋଜନ ହେଲା ଏବଂ କିଛି ମୁହୂର୍ତ୍ତରେ ଆସର ସଜାହେଲା । ସେ ଯୁବକ ମଧ୍ୟ ଅନ୍ୟ ଦରବାରୀମାନଙ୍କ ମଧ୍ୟରେ ବସି ସଙ୍ଗୀତ ଓ ନୃତ୍ୟର ଆନନ୍ଦ ଉଠାଉଥିଲେ । ନୃତ୍ୟାଙ୍ଗନା ଅତି ସୁନିୟୋଜିତ ଭାବରେ ନୃତ୍ୟ କରୁଥିଲେ ଏବଂ ଦର୍ଶକମାନେ ମୋହିତ ହୋଇ ତାହା ଦେଖୁଥିଲେ । ଏହି ସମୟରେ କୋଉଠୁ ଜଣେ ଭାଁର ଉଡ଼ିଆସି ନୃତ୍ୟାଙ୍ଗନାର ଉରସ୍ଥଳରେ ବସିଗଲା । ନୃତ୍ୟାଙ୍ଗନା ନୃତ୍ୟ ବନ୍ଦ କରିପାରୁନଥିଲେ, ଏଣେ ନିଜ ହାତରେ ଭଅଁରକୁ ହଟାଇପାରୁନଥିଲେ, କାରଣ ଏମିତିରେ ନୃତ୍ୟର ଭଙ୍ଗୀମା ଭାଙ୍ଗିଯିବ। ସେ ବହୁତ ଚତୁରତା ସହିତ ଶ୍ୱାସକୁ ଭିତରକୁ ଟାଣିଲେ ଏବଂ ତାହାକୁ ବହୁ ଜୋରରେ ଭଅଁର ଉପରେ ଛାଡ଼ିଲେ । ହଠାତ୍ ସେ ହାଲୁକା ପବନରେ ଭଅଁର ଡରି ଉଡ଼ିଗଲା । ସେ ମୁହୂର୍ତ୍ତର ଘଟଣା କେହି ଧ୍ୟାନ ଦେଇପାରିଲେନି, କିନ୍ତୁ ସେ ଯୁବକଙ୍କ ନୟନ ଏହି ସବୁ ଦେଖିନେଲା ।ସେ “ବାହ୍! ବାହ୍!” କହି ଉଠିଲେ ଏବଂ ନିଜ ଗଳାର ମୋତିର ମାଳାଟି ତାହା ନର୍ତ୍ତକୀଙ୍କ ଗଳାରେ ପିନ୍ଧାଇଦେଲେ । ସମସ୍ତ ଦରବାରୀ ଆଶ୍ଚର୍ଯ୍ୟ ତଥା କ୍ଷୁବ୍ଧ ହୋଇ ଗଲେ । ଏହା ଅନୁଶାସନହୀନତାର ଚୂଡ଼ାନ୍ତ ଦୃଷ୍ଟାନ୍ତ ଥିଲା । ରାଜାଙ୍କ ଉପସ୍ଥିତିରେ ଦରବାରରେ କାହାରି ଦ୍ୱାରା ଅନ୍ୟ କାହାକୁ ପୁରସ୍କାର ଦେବା ରାଜାଙ୍କ ପାଇଁ ସବୁଠୁ ବଡ଼ ଅପମାନ ବୋଲି ବିବେଚନା କରାଯାଉଥିଲା । ବିକ୍ରମଙ୍କୁ ମଧ୍ୟ ଏହା ଭଲ ଲାଗିଲା ନାହିଁ, ସେ ତେଣୁ ଯୁବକଙ୍କୁ ଏହି ଧୃଷ୍ଟତା ପାଇଁ ଉଚିତ କାରଣ ଦେବାକୁ କହିଲେ । ତେବେ ଯୁବକ ରାଜାଙ୍କୁ ଭଅଁର ସମ୍ବନ୍ଧୀୟ ସମସ୍ତ ଘଟଣା କହିଦେଲେ । ସେ କହିଲେ, ନୃତ୍ୟର ଗୋଟିଏ ମାତ୍ର ଭଙ୍ଗିମାକୁ ନଷ୍ଟ ନକରି, ଲୟ ଓ ତାଳ ସହିତ ସମନ୍ୱୟ ରଖି, ଯେପରି ସଫଳତା ଓ ସଫାଇ ସହିତ ସେ ନର୍ତ୍ତକୀ ଭଅଁରକୁ ଉଡ଼ାଇଦେଲେ, ସେଥିପାଇଁ ସେ ନିଶ୍ଚୟ ପୁରସ୍କାର ଯୋଗ୍ୟ । ତେବେ ଯୁବକ ବ୍ୟତୀତ କାହାରି ଧ୍ୟାନ ତାହା ଉପରେ ଯାଇନଥିଲା, ତେଣୁ ସେ କେମିତି ପୁରସ୍କୃତ ହେବେ? ବିକ୍ରମ ନର୍ତ୍ତକୀଙ୍କୁ ପଚାରନ୍ତେ, ସେ ଯୁବକଙ୍କ କଥା ସତ୍ୟ ବୋଲି ସମର୍ଥନ କଲେ । ବିକ୍ରମଙ୍କ କ୍ରୋଧ ଶାନ୍ତ ହେଲା ଏବଂ ସେ ନର୍ତ୍ତକୀ ଓ ଯୁବକ ଦୁଇଜଣଙ୍କୁ ବହୁତ ପ୍ରଶଂସା କଲେ । ଏବେ ବିକ୍ରମଙ୍କ ନଜରରେ ସେ ଯୁବକଙ୍କ ମହତ୍ତ୍ୱ ଆଉରି ବଢ଼ିଗଲା । ଯେତେବେଳେ କୌଣସି ସମସ୍ୟାର ସମାଧାନ ଦରକାର ହୁଏ, ସେ ଯୁବକଙ୍କ ମତାମତକୁ ଗୁରୁତ୍ୱ ଦେଇ ଶୁଣୁଥିଲେ ଏବଂ ତାଙ୍କ ପରାମର୍ଶକୁ ଗମ୍ଭୀରତାର ସହିତ ଗ୍ରହଣ କରାଯାଉଥିଲା ।

ଏକଦା ଦରବାରରେ "ବୁଦ୍ଧି ଓ ସଂସ୍କାର" ଉପରେ ଆଲୋଚନା ଆରମ୍ଭ ହେଲା । ଦରବାରୀମାନେ କହିଲେ ଯେ ସଂସ୍କାର ବୁଦ୍ଧିରୁ ଆସେ, କିନ୍ତୁ ସେ ଯୁବକ ସହମତ ନଥିଲେ । ସେ କହିଲେ, ସମସ୍ତ ସଂସ୍କାର ବଂଶାନୁଗତ ହୋଇଥାଏ । ଯେତେବେଳେ ସେ ମଧ୍ୟ ଏକମତ ହୋଇପାରିଲା ନାହିଁ, ବିକ୍ରମ ଗୋଟିଏ ବିଚିତ୍ର ଉପାୟ ଭାବିଲେ । ସେ ନଗରରୁ ଦୂରରେ ଜଙ୍ଗଲ ମଝିରେ ଗୋଟିଏ ମହଲ ନିର୍ମାଣ କରାଇଲେ ଏବଂ ସେଠାରେ ମୂକ ଓ ବଧିର ଦାସୀମାନଙ୍କୁ ନିଯୁକ୍ତ କଲେ । ପରେ ସେ ଏକ ଏକ କରି ଚାରିଜଣ ନବଜାତ ଶିଶୁଙ୍କୁ ସେଇ ମହଲରେ ସେମାନଙ୍କ ଦେଖଭାଳରେ ରଖିଦେଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଥିଲେ ରାଜାଙ୍କ ପୁତ୍ର, ଗୋଟିଏ ମହାମନ୍ତ୍ରୀଙ୍କ, ଗୋଟିଏ କଟୁଆଳଙ୍କ ଓ ଗୋଟିଏ ବ୍ରାହ୍ମଣଙ୍କ ପୁତ୍ର । ବାର ବର୍ଷ ପରେ ଯେତେବେଳେ ସେ ଚାରିଜଣ ଦରବାରରେ ପ୍ରସ୍ତୁତ ହେଲେ, ବିକ୍ରମ ଜଣ ଜଣକୁ ପଚାରିଲେ, “ସବୁ ଠିକ୍ ଅଛିତ?” ରାଜାଙ୍କ ପୁତ୍ର କହିଲେ, “ସବୁ କୁଶଳ ଅଛି।” ମହାମନ୍ତ୍ରୀଙ୍କ ପୁତ୍ର କହିଲେ, “ଯେତେବେଳେ ଆସିବା ଅଛି ଏବଂ ଯିବାକୁ ମଧ୍ୟ ଅଛି, ତେଣୁ କୁଶଳ କେମିତି?” କଟୁଆଲଙ୍କ ପୁତ୍ର କହିଲେ, “ଚୋର ଚୋରି କରେ ଓ ଦୋଷ ନିରପରାଧ ଉପରେ ଯାଏ, ତେଣୁ ଏମିତି ଦୁନିଆରେ କୁଶଳ କେଉଁଠି?” ଶେଷରେ ବ୍ରାହ୍ମଣ ପୁତ୍ର କହିଲେ, “ଆୟୁ ଦିନକୁ ଦିନ କମିଯାଉଛି, ତେଣୁ କୁଶଳ କାହାକୁ କହିବି?” ଏହି ଚାରିଟି ଉତ୍ତର ସୁଣି ସେ ଯୁବକଙ୍କ କଥା ସତ୍ୟ ପ୍ରମାଣ ହେଲା । ରାଜପୁତ୍ର ମୋଟାମୋଟି ଭାବରେ ସବୁକୁ ଭଲ ମାନିଲେ, ମନ୍ତ୍ରୀପୁତ୍ର ତର୍କସଂପନ୍ନ ଉତ୍ତର ଦେଲେ, କଟୁଆଳପୁତ୍ର ନ୍ୟାୟ ବ୍ୟବସ୍ଥାର କଥା କହିଲେ ଓ ବ୍ରାହ୍ମଣପୁତ୍ର ଦାର୍ଶନିକ ଉତ୍ତର ଦେଲେ । ଉତ୍ତରରେ ଏ ସମସ୍ତ ଅନ୍ତର ତାଙ୍କ ବଂଶାନୁଗତ ସଂସ୍କାରରୁ ଆସିଥିଲା । ସମସ୍ତଙ୍କ ପାଳନପୋଷଣ ଏକ ପ୍ରକାର ହୋଇଥିଲେ ମଧ୍ୟ, ତାଙ୍କ ଚିନ୍ତାଧାରା ସଂସ୍କାର ଅନୁସାରେ ଭିନ୍ନ ହୋଇଗଲା । ଏହା ଦେଖି ସମସ୍ତ ଦରବାରୀ ସେ ଯୁବକଙ୍କ ମତ ସଠିକ୍ ବୋଲି ସ୍ୱୀକାର କଲେ । [][]

ଗପଟି କହି ବାଇଶିତମ ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ପରି ଜ୍ଞାନୀ ତଥା ଜ୍ଞାନର ପୂଜାରୀ ହୋଇପାରିବେ? ଏହିପରି କହିବା ପରେ ବାଇଶିତମ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା

  1. ୧.୦ ୧.୧ ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).{{cite book}}: CS1 maint: unrecognized language (link)
  2. WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
  3. samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.{{cite web}}: CS1 maint: numeric names: authors list (link)[permanent dead link]
  4. "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
  5. "Singhasan Battisi - The Story of 22nd Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-11.