ଅଖିଳ ଭାରତୀୟ ହିନ୍ଦୁ ମହାସଭା

ଅଖିଳ ଭାରତୀୟ ହିନ୍ଦୁ ମହାସଭା ଭାରତର ଗୋଟିଏ ରାଜନୈତିକ ଦଳ ଥିଲା ।[୧] ହିନ୍ଦୁତ୍ଵ ବାଦର ସମର୍ଥକ ଭାବେ ଏହାର ସ୍ଥାପନା ୧୯୧୫ ମସିହାରେ ‘ସର୍ବଦେଶିକ ହିନ୍ଦୁ ସଭା’ ନାମରେ ହୋଇଥିଲା ।[୨] ମଦନ ମୋହନ ମାଲବ୍ୟ, ଲାଲା ଲଜପତ ରାୟ ଏବଂ ବିନାୟକ ଦାମୋଦର ସାବରକର ଇତ୍ୟାଦି ପ୍ରସିଦ୍ଧ ଭାରତୀୟ ସ୍ୱାଧୀନତା ସେନାନୀ ଏହାର ଅଧ୍ୟକ୍ଷ ଥିଲେ । କେଶବ ବଳିରାମ ହେଡଗେୱାର ଏହାର ଉପସଭାପତି ଥିଲେ । ବାଳକୃଷ୍ଣ ଶିବରାମ ମୁଞ୍ଜେ ମଧ୍ୟ ହିନ୍ଦୁ ମହାସଭାର ସଦସ୍ୟ ଥିଲେ ଏବଂ 1927–28 ମସିହାରେ ସେ ଏହାର ଅଧ୍ୟକ୍ଷ ହୋଇଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଠନରେ ତାଙ୍କର ବହୁତ ବଡ଼ ଅବଦାନ ଥିଲା । ସଂଘର ସ୍ଥାପକ କେଶବ ବଳିରାମ ହେଡଗେୱାରଙ୍କ ରାଜନୈତିକ ଗୁରୁ ସେ ଥିଲେ । ଭାରତ ସ୍ୱାଧୀନ ହେବା ପରେ ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ହତ୍ୟା କରାଗଲା, ଏହାପରେ ଏହାର ଅନେକ କାର୍ଯ୍ୟକର୍ତ୍ତା ଏହାକୁ ଛାଡି ଭାରତୀୟ ଜନସଂଘରେ ଯୋଗ ଦେଲେ ।
ସ୍ଥାପନା
[ସମ୍ପାଦନା]୧୯୧୫ ମସିହାରେ ମଦନ ମୋହନ ମାଲବ୍ୟଙ୍କ ନେତୃତ୍ୱରେ ହିନ୍ଦୁ ମହାସଭା (ସର୍ବଦେଶକ ହିନ୍ଦୁ ସଭା) ଗଠିତ ହୋଇଥିଲା । ୧୯୧୬ ମସିହାରେ ଅମ୍ବିକାଚରଣ ମଜୁମଦାରଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ନୌରେ କଂଗ୍ରେସ ଅଧିବେଶନ ହୋଇଥିଲା । ସେଠାରେ କଂଗ୍ରେସ ଓ ମୁସଲିମ ଲିଗ ମଧ୍ୟରେ ଚୁକ୍ତି ହେଲା, ଯାହା ଫଳରେ ମୁସଲମାନମାନଙ୍କୁ ସମସ୍ତ ପ୍ରାନ୍ତରେ ବିଶେଷ ଅଧିକାର ଓ ସଂରକ୍ଷଣ ମିଳିଲା । ହିନ୍ଦୁ ମହାସଭା ୧୯୧୫ ମସିହାରେ ହରିଦ୍ୱାରରେ କାସିମବଜାରର ମହାରାଜା ମଣିନ୍ଦ୍ର ଚନ୍ଦ୍ର ନନ୍ଦୀଙ୍କ ଅଧ୍ୟକ୍ଷତାରେ ଅଧିବେଶନ କରି, କଂଗ୍ରେସ-ମୁସଲିମ ଲିଗ ଚୁକ୍ତି ଓ ଚେମ୍ସଫୋର୍ଡ ଯୋଜନାର ତୀବ୍ର ବିରୋଧ କଲା ।
ଇଂରାଜମାନେ ସ୍ୱାଧୀନତା ଆନ୍ଦୋଳନକୁ ଦମନ କରିବା ପାଇଁ ରାଉଲଟ୍ ଏକ୍ଟ ପାସ କରି ଦେଲେ ଓ କ୍ରାନ୍ତିକାରୀମାନଙ୍କ ବିରୋଧରେ ପୋଲିସ ଓ ସେନା ଅଦାଲତକୁ ଅଖଣ୍ଡ ଅଧିକାର ଦେଲେ । କଂଗ୍ରେସ ପରି ହିନ୍ଦୁ ମହାସଭା ମଧ୍ୟ ଏହାର ବିରୋଧରେ ଆନ୍ଦୋଳନ କଲା । ସେ ସମୟରେ ଗାନ୍ଧୀଜୀ ଇଂରାଜମାନେ ତୁର୍କୀର ଖଲିଫାଙ୍କୁ ହଟାଇବାର ବିରୋଧରେ ଭାରତରେ ଖିଲାଫତ ଆନ୍ଦୋଳନ ଆରମ୍ଭ କରିଥିଲେ । ୧୯୨୫ ମସିହାରେ କଲିକତାରେ ଲାଲା ଲଜପତ ରାୟଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ମହାସଭାର ଅଧିବେଶନ ହେଲା, ଯେଉଁଠାରେ କଂଗ୍ରେସ ନେତା ମୁକୁନ୍ଦରାଓ ଆନନ୍ଦରାଓ ଜୟକର ମଧ୍ୟ ଯୋଗ ଦେଲେ ।
୧୯୨୬ ମସିହାରେ ଦେଶରେ ପ୍ରଥମ ନିର୍ବାଚନ ହେବାକୁ ଥିଲା । ଇଂରେଜମାନେ ମୁସଲିମମାନଙ୍କ ପାଇଁ ବିଶେଷ ଆସନ ସଂରକ୍ଷିତ କଲେ । ହିନ୍ଦୁ ମହାସଭା ଏହି ବିଶିଷ୍ଟ ନିର୍ବାଚନ ବ୍ୟବସ୍ଥା ଓ ମୁସଲିମମାନଙ୍କ ପାଇଁ ଆସନ ସଂରକ୍ଷଣର ଦୃଢ଼ ବିରୋଧ କଲା ।[୩] ଯେତେବେଳେ ଇଂରେଜମାନେ ସାଇମନ କମିଶନ ନାମରେ ରିଫର୍ମ ଏକ୍ଟରେ ପରିବର୍ତ୍ତନ ଆଣିବା ପାଇଁ ଭାରତ ଆସିଲେ, ହିନ୍ଦୁ ମହାସଭା କଂଗ୍ରେସଙ୍କ ଆହ୍ୱାନରେ ଏହାର ବିରୁଦ୍ଧରେ ବିକ୍ଷୋଭ କଲା । ଲାହୋରରେ ହିନ୍ଦୁ ମହାସଭାର ଅଧ୍ୟକ୍ଷ ଲାଲା ଲଜପତ ରାୟ ସ୍ୱୟଂସେବକମାନଙ୍କ ସହ ଏଥିରେ ଯୋଗ ଦେଲେ । ପୋଲିସ ଲାଠି ଚାର୍ଜ କଲା ଏବଂ ଲାଲା ଗୁରୁତର ଆହତ ହେଲେ ଓ ତାଙ୍କର ମୃତ୍ୟୁ ହେଲା ।
ଇଂରାଜ ସରକାର ଲଣ୍ଡନରେ ଗୋଲଟେବୁଲ ବୈଠକ ଆୟୋଜନ କରି ହିନ୍ଦୁ, ମୁସଲିମ, ସିଖ ଇତ୍ୟାଦି ସମସ୍ତଙ୍କୁ ଆମନ୍ତ୍ରଣ କଲେ । ହିନ୍ଦୁ ମହାସଭା ପକ୍ଷରୁ ଡା. ଧର୍ମବୀର, ମୁଞ୍ଜେ ଓ ବାରିଷ୍ଟର ଜୟକର ଯୋଗ ଦେଲେ । ହିନ୍ଦୁ ମହାସଭା ସିନ୍ଧ ପ୍ରାନ୍ତକୁ ବମ୍ବେରୁ ଅଲଗା କରିବା ନିଷ୍ପତ୍ତିକୁ ମଧ୍ୟ ବିରୋଧ କଲା ।
ସାବରକରଙ୍କ ଆଗମନ
[ସମ୍ପାଦନା]୧୯୩୭ ମସିହାରେ ଯେତେବେଳେ ହିନ୍ଦୁ ମହାସଭା ଦୁର୍ବଳ ହୋଇଯାଇଥିଲା ଏବଂ ଗାନ୍ଧୀଜୀଙ୍କ ଜନପ୍ରିୟତା ବଢ଼ୁଥିଲା, ସେତେବେଳେ ବୀର ସାବରକର ରତ୍ନାଗିରିର ନଜରବନ୍ଦୀରୁ ମୁକ୍ତ ହୋଇ ଆସିଲେ । ୧୯୩୭ ମସିହାରେ ତାଙ୍କ ପ୍ରଥମ ଅଧ୍ୟକ୍ଷୀୟ ଭାଷଣରେ ସେ କହିଥିଲେ —
“ହିନ୍ଦୁମାନେ ଏହି ଦେଶର ଏକମାତ୍ର ରାଷ୍ଟ୍ରଭକ୍ତ ଜାତି ଯେଉଁମାନେ ଆଜି ମଧ୍ୟ ଇଂରେଜମାନଙ୍କୁ ଦେଶରୁ ତଡ଼ି ଦେଇ ସ୍ଵାଧୀନତା ପାଇପାରିବେ, ଯେପରି ତାଙ୍କ ପୂର୍ବଜମାନେ ଶକ, ଯୂନାନୀ, ହୁଣ, ମୁଗଳ, ତୁର୍କ ଓ ପଠାଣମାନଙ୍କୁ ହରାଇଥିଲେ ।”
ସେ ଘୋଷଣା କଲେ,“ହିମାଲୟରୁ କନ୍ୟାକୁମାରୀ ଏବଂ ଅଟକରୁ କଟକ ପର୍ଯ୍ୟନ୍ତ ଯେଉଁମାନେ ଭାରତ ଭୂମିକୁ ପୁଣ୍ୟଭୂମି ଓ ପିତୃଭୂମି ମାନନ୍ତି, ଧର୍ମ, ରୀତି-ନୀତି, ଭାଷା ଭିନ୍ନ ହେଲେ ମଧ୍ୟ ସେମାନେ ଏକ ଜାତିର । ସେମାନଙ୍କ ସଂସ୍କୃତି, ଐତିହ୍ୟ, ମିତ୍ର ଓ ଶତ୍ରୁ ସମାନ; ସେମାନଙ୍କ ମଧ୍ୟରେ କୌଣସି ଭିନ୍ନ ଭାବନା ନାହିଁ ।”
ଅଖିଲ ଭାରତ ହିନ୍ଦୁ ମହାସଭାର ଅଧ୍ୟକ୍ଷମାନେ
[ସମ୍ପାଦନା]ସ୍ୱାଧୀନତା ପୂର୍ବରୁ
[ସମ୍ପାଦନା]- ମଦନ ମୋହନ ମାଲବ୍ୟ (1915–21)
- ଲାଲା ଲଜପତ ରାୟ (1921–31)
- ବାଳକୃଷ୍ଣ ଶିବରାମ ମୁଞ୍ଜେ (1921–37)
- ବିନାୟକ ଦାମୋଦର ସାବରକର (1937–43)
- ଶ୍ୟାମପ୍ରସାଦ ମୁଖର୍ଜୀ (1945–46)
ସ୍ୱାଧୀନତା ପରେ
[ସମ୍ପାଦନା]- ସମ୍ପୂର୍ଣ୍ଣାନନ୍ଦ (1947–49)
- ଦୀନଦୟାଳ ଉପାଧ୍ୟାୟ (1957–65)
- କେବଳ ରତନ ମଲକାନୀ (1949–69)
- ମହନ୍ତ ଦିଗ୍ବିଜୟନାଥ (1969)
- ବୃଜେଶ ନାରାୟଣ (1969–70)
- ଭି.କେ. ନାରାୟଣ ସାବରକର (1970–86)
- ଏସ. ଆର. ୱାଲେ
- ବାଳାରାଓ ସାବରକର (1987–91)
- ଶିବ ସରଣ (1992–94)
- ଡି.ସି. ତ୍ୟାଗୀ (1995–2006)
- ଚକ୍ରପାଣି (ବର୍ତ୍ତମାନ ସଭାପତି)
ଆଧାର
[ସମ୍ପାଦନା]- ↑ Klostermaier, Klaus K. (1989-01-01). A Survey of Hinduism: First Edition (in ଇଂରାଜୀ). SUNY Press. ISBN 978-0-88706-807-2.
- ↑ Jha 2018, pp. 1–4.
- ↑ De, Abhishek (2024-04-12). "Yes, Hindu Mahasabha allied with Muslim League, but..." India Today (in ଇଂରାଜୀ). Retrieved 2025-10-30.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |