ବ୍ୟଞ୍ଜନ ଦ୍ୱାଦଶୀ

ଉଇକିପିଡ଼ିଆ‌ରୁ
(ଅଖଣ୍ଡ ଦ୍ଵାଦଶୀରୁ ଲେଉଟି ଆସିଛି)

ଓଡ଼ିଆ ପଞ୍ଜିକାରେ ମାର୍ଗଶୀର ଶୁକ୍ଳ ପକ୍ଷ ଦ୍ୱାଦଶୀ ବ୍ୟଞ୍ଜନ ଦ୍ୱାଦଶୀ ବା ଅଖଣ୍ଡ ଦ୍ୱାଦଶୀ ନାମରେ ଜଣା । ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ନିଶ୍ଚିତ ଫଳ ମିଳେ ବୋଲି ଲୋକ ବିଶ୍ୱାସ ରହିଛି । ବ୍ୟଞ୍ଜନ ଦ୍ୱାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଅନୁଗାମୀମାନଙ୍କର ଏକ ପ୍ରମୁଖ ପର୍ବ । ଦିନଟି କୃଷ୍ଣଙ୍କ ପାଇଁ ସମର୍ପିତ ।[୧] [୨]

କିମ୍ବଦନ୍ତୀ[ସମ୍ପାଦନା]

ମା’ ଯଶୋଦା ହଠାତ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ି ଯାଇଛି। ମା’ଙ୍କ ଆଖିକୁ ସେ ଶୁଖି କଳାକାଠ ପଡ଼ି ଯାଇଥିବା ଦେଖାଗଲେ । ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ । ଭାବିଲେ ନଖାଇ ନପିଇ ସେ ଏମିତି ହୋଇଗଲାଣି । ସେଠୁ ଯଶୋଦା କ’ଣ କଲେ ନା ନିଜେ ରୋଷେଇ ଘରକୁ ଯାଇଁ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଲେ । ଶ୍ରୀଚୈତନ୍ୟ ମହାପ୍ରଭୁ ମଧ୍ୟ ବାଲ୍ୟକାଳରେ ନିଜ ମା’ଙ୍କ ପରଷା ବହୁବିଧ ଖାଦ୍ୟ ଖାଇଥିବାର ଶୁଣାକଥା ଅଛି । ଏହି ଦୁଇଟି ଶୁଣାକଥାକୁ ମିଶାଇ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରିଥାନ୍ତି ।

ପାଳନ[ସମ୍ପାଦନା]

ମାତାମଠ (ଗୌର ବିହାର ଆଶ୍ରମ), ପୁରୀ[ସମ୍ପାଦନା]

ଦ୍ୱାପର ଯୁଗର କଥା ଯଶୋଦା ଓ କୃଷ୍ଣଙ୍କ କାହାଣୀ କୃଷ୍ଣ ଲୀଳା, ପୁରୀର ବିଭିନ୍ନ ମଠବାଡ଼ିରେ ଅଭିନୀତ ହୁଏ । ବିଶେଷକରି ମାତାମଠରେ । କୃଷ୍ଣ ଓ ଯଶୋଦାଙ୍କର ସେହି କଥା ମନେ ପକାଇବାକୁ ପୁରୀର ମାତା ମଠ ବା ଗୌର ବିହାର ଆଶ୍ରମରେ ଭିନ୍ନ ଭିନ୍ନ ବର୍ଷରେ କେବେ ୫୦୫,[୩] କେବେ ୬୦୬ ଆଉ କେବେ ୫୫୫ ପ୍ରକାର ବ୍ୟଞ୍ଜନାଦି ଖାଦ୍ୟ ଭୋଗ କରିଥାନ୍ତି । [୪] ପ୍ରତି ବର୍ଷ ଏ ଭୋଗ ସଂଖ୍ୟା ବଦଳିଥାଏ । କୃଷ୍ଣଙ୍କୁ ଏସବୁ ଖାଦ୍ୟ ଅର୍ପଣ କରାଯାଏ । ଗତ କିଛିବର୍ଷ ଧରି ଆଶ୍ରମରେ ଏହି ଅବସରରେ ଶହ ଶହ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି । ଏହି ଆଶ୍ରମରେ ପ୍ରତିବର୍ଷ ୩୦ରୁ ଅଧିକ ଅନ୍ତେବାସୀ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇଥାନ୍ତି । ଏହା ମଧ୍ୟରେ ଥାଏ ୫୦ରୁ ଅଧିକ ପ୍ରକାରର ଅନ୍ନ, ୫୦ରୁ ଅଧିକ ପ୍ରକାରର ଡାଲି, ୧୦୦ରୁ ଅଧିକ ପ୍ରକାର ତରକାରୀ, ୫୦ରୁ ଅଧିକ ପ୍ରକାର ଭଜା ଓ ୧୦୦ରୁ ଅଧିକ ପ୍ରକାର ପିଠା ଓ ମିଠା ଇତ୍ୟାଦି । ଆଶ୍ରମବାସୀ ପରିବାପତ୍ର କଟାକଟି କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହ୍ଣ ୨ଟାରୁ ଭୋଗ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ । ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରଯାଏ । ଏତେ ପ୍ରକାର ବ୍ୟଞ୍ଜନ ପରଷିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଖଲିପତ୍ର ବ୍ୟବହାର କରାଯାଇଥାଏ । [୫]

ଶ୍ରୀକ୍ଷେତ୍ର[ସମ୍ପାଦନା]

ଗୌର ବିହାର ବ୍ୟତୀତ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଭୋଗ କରାଯାଇଏ । ଜଗନ୍ନାଥ, ବଳଭଦ୍ରସୁଭଦ୍ରାଙ୍କୁ ୪୦୦ରୁ ଅଧିକ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଏ । [୬]

ଆଧାର[ସମ୍ପାଦନା]

  1. http://www.bhubaneswarbuzz.com/citizen-bloggers/daily-column/odiapost-byanjana-dwadasi-puri-huge-menu-prasad-krishna
  2. http://www.hindu-blog.com/2010/11/vyanjan-dwadashi-dedicated-to-sri.html?m=1
  3. http://puriwaves.nirmalya.in/photo_news/byanjan-dwadashi-at-gour-bihar-puri[permanent dead link]
  4. http://m.huffingtonpost.in/entry/byanjan-dwadashi-krishna_n_1139264
  5. http://newsdog.today/a/article/584d7f9a1290716b93f261b3/[permanent dead link]
  6. http://www.telegraphindia.com/1101221/jsp/orissa/story_13326064.jsp