Jump to content

ଅକ୍ଷୟ ପାତ୍ର (ମହାଭାରତ)

ଉଇକିପିଡ଼ିଆ‌ରୁ
Krishna Eating from Akshya Patra in front of Draupadi - Indian Print 1948

ଅକ୍ଷୟ ପାତ୍ର (ସଂସ୍କୃତ: अक्षयपात्र, ରୋମନାଇଜ୍‌ଡ: Akṣayapātra, ଅର୍ଥ — ଅସୀମ ପାତ୍ର ) ହେଉଛି ମହାଭାରତରେ ବର୍ଣ୍ଣିତ ଏକ ପୌରାଣିକ ତାମ୍ର ପାତ୍ର । ଏହା ଏକ ଦିବ୍ୟ ପାତ୍ର ଯାହା ସୂର୍ଯ୍ୟଦେବ ଯୁଧିଷ୍ଠିରଙ୍କୁ ଦାନ କରିଥିଲେ । ଏହି ପାତ୍ର ପାଣ୍ଡବମାନଙ୍କୁ ପ୍ରତିଦିନ ଯେତେ ଇଚ୍ଛା ସେତେ ଭୋଜନ ଯୋଗାଇ ଦେଉଥିଲା; ଅର୍ଥାତ ଯେତେ ଖାଇଲେ ମଧ୍ୟ ପାତ୍ରରୁ ଭୋଜନ ଶେଷ ହେଉନଥିଲା ।[]

ପୌରାଣିକ କଥା

[ସମ୍ପାଦନା]

ଯେତେବେଳେ ପାଣ୍ଡବମାନେ ବନବାସରେ ଥିଲେ, ବହୁ ସନ୍ଥ, ରାଜା ଓ ମନ୍ତ୍ରୀମାନେ ତାଙ୍କୁ ଦେଖିବାକୁ ଆସୁଥିଲେ। ସେମାନେ ଯୁଧିଷ୍ଠିରଙ୍କ ଦୁର୍ଦ୍ଦଶା ଦେଖି ଦୁଃଖିତ ହେଉଥିଲେ । ଡ୍ରୌପଦୀ ପାଇଁ ଏହା ଏକ ବିପୁଳ ସମସ୍ୟା ହୋଇଯାଇଥିଲା; କାରଣ ସେ ସଂସ୍କାର ଅନୁସାରେ ଆସଥିବା ଅତିଥିମାନଙ୍କୁ ଆତିଥ୍ୟ ଦେବାକୁ ଚାହୁଁଥିଲେ, କିନ୍ତୁ ବନରେ ରହିବାରୁ ସେମାନଙ୍କ ପାଖରେ ଖାଦ୍ୟ ଉପଲବ୍ଧ ନଥିଲା । ଯୁଧିଷ୍ଠିର ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କଲେ, ଏବଂ ସୂର୍ଯ୍ୟଦେବ ସେତେବେଳେ ତାଙ୍କୁ ଅକ୍ଷୟ ପାତ୍ର ଦାନ କଲେ; ଯାହାକି ଏକ ଅସୀମ ଖାଦ୍ୟ ଯୋଗାଇବା ପବିତ୍ର ପାତ୍ର।[]

ଅନ୍ୟ ଏକ ପ୍ରସଙ୍ଗ ଅନୁସାରେ, ଦ୍ରୌପଦୀ ସ୍ୱୟଂ କୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ । ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ, ଶ୍ରୀକୃଷ୍ଣ ତାଙ୍କୁ ଅକ୍ଷୟ ପାତ୍ର ଦେଲେ; ଯାହା ପ୍ରତିଦିନ ଅସୀମ ଭୋଜନ ଯୋଗାଇଥାଏ, ଏବଂ ଦ୍ରୌପଦୀ ନିଜେ ଭୋଜନ ଶେଷ କଲା ପରେ ମାତ୍ର ସେହି ଦିନପାଇଁ ପାତ୍ର ଶୂନ୍ୟ ହୁଏ ।

ଦୁର୍ବାସା ଋଷି ଓ ଅକ୍ଷୟ ପାତ୍ର

[ସମ୍ପାଦନା]

ପାଣ୍ଡବମାନଙ୍କ ବନବାସ କାଳରେ ଋଷି ଦୁର୍ବାସା ଏବଂ ତାଙ୍କ ଶିଷ୍ୟମାନେ ହସ୍ତିନାପୁରକୁ ଆସିଥିଲେ । ଦୁର୍ଯୋଧନ, ତାଙ୍କ ମାମୁଁ ଶକୁନିଙ୍କ ସହାୟତାରେ, ଦୁର୍ବାସାଙ୍କୁ ସନ୍ତୁଷ୍ଟ କରିବା ଫଳରେ ଦୁର୍ବାସା ତାଙ୍କୁ ଏକ ବର ମାଗିବାକୁ ଅନୁରୋଧ କଲେ । ଦୁର୍ଯୋଧନ ମନେ ମନେ ଦୁର୍ବାସାଙ୍କୁ ପାଣ୍ଡବମାନଙ୍କ ଉପରେ ରୁଷ୍ଟ କରିବାକୁ ଚାହୁଁଥିଲେ । ସେ ଋଷିଙ୍କୁ ଅନୁରୋଧ କଲେ ଯେ ଦ୍ରୌପଦୀ ଭୋଜନ ଶେଷ କରିବା ପରେ ସେ ବନରେ ଥିବା ପାଣ୍ଡବମାନଙ୍କ ଆଶ୍ରମକୁ ଯାଆନ୍ତୁ । କାରଣ ଦୁର୍ଯୋଧନ ଜାଣିଥିଲେ ସେ ସମୟରେ ସେମାନଙ୍କ ପାଖରେ ଖାଦ୍ୟ ରହିବ ନାହିଁ ।

ଦୁର୍ବାସା ଋଷି ଶିଷ୍ୟଙ୍କ ସହ ଏହିପରି ଏକ ସମୟରେ ପାଣ୍ଡବମାନଙ୍କ ଆଶ୍ରମରେ ପହଞ୍ଚିଲେ । ସେ ସମୟରେ ଦ୍ରୌପଦୀ ଭୋଜନ କରି ସାରିଥିଲେ ଓ ଅକ୍ଷୟ ପାତ୍ର ସେହିଦିନ ପାଇଁ ଶୂନ୍ୟ ହୋଇଯାଇଥିଲା । ପାଣ୍ଡବମାନେ ଚିନ୍ତିତ ହୋଇପଡିଲେ, କାରଣ ସେମାନେ ଯଦି ସେମାନେ ମହାଋଷିକୁ ଭୋଜନ ଦେଇପାରିବେ ନାହିଁ, ତା’ହେଲେ ଦୁର୍ବାସା ରାଗୀ ହୋଇ ସେମାନଙ୍କୁ ଶାପ ଦେଇପାରନ୍ତି । ଦୁର୍ବାସା ଓ ତାଙ୍କ ଶିଷ୍ୟମାନେ ନଦୀରେ ସ୍ନାନ କରିବାକୁ ଯାଇଥିବା ସମୟରେ, ଦ୍ରୌପଦୀ ଶ୍ରୀକୃଷ୍ଣଙ୍କୁ ମନେ ମନେ ଚିନ୍ତା କଲେ । କୃଷ୍ଣ ତୁରନ୍ତ ପ୍ରକଟ ହେଲେ ଓ କହିଲେ, “ମୁଁ ଖୁବ ଭୋକିଲା ଅଛି, ମୋତେ ଖାଇବାକୁ ଦିଅ ।” ଡ୍ରୌପଦୀ ଦୁଃଖିତ ହୋଇ କହିଲେ, “ପ୍ରଭୁ, ମୁଁ ଆପଣଙ୍କୁ ଏଇଥିପାଇଁ ଡାକିଛି ଯେ, ଆମ ପାଖରେ ଖାଦ୍ୟ ନାହିଁ ।” କୃଷ୍ଣ କହିଲେ, “ଅକ୍ଷୟ ପାତ୍ର ଆଣ ।” ଦ୍ରୌପଦୀ ପାତ୍ର ଆଣିଲେ, ଓ ଶ୍ରୀକୃଷ୍ଣ ସେଥିରେ ବଳିପଡିଥିବା ଏକ ଶାକ ଟୁକୁଡ଼ ଲଗିଥିବା ଦେଖିଲେ । ସେ ତାହା ଖାଇ କହିଲେ, “ମୋ ଭୋଜନ ସମ୍ପୂର୍ଣ୍ଣ ହେଲା ।” ଏହିପରି କୃଷ୍ଣଙ୍କ ସନ୍ତୁଷ୍ଟି ସହିତ ଋଷି ଦୁର୍ବାସା, ତାଙ୍କ ଶିଷ୍ୟ ତଥା ସମସ୍ତ ପ୍ରାଣୀଙ୍କ ଭୋକ ଶାନ୍ତ ହେଲା, କାରଣ ସେ ନିଜେ ସମସ୍ତ ବ୍ରହ୍ମାଣ୍ଡରେ ବ୍ୟାପ୍ତ । ଦୁର୍ବାସା ଓ ତାଙ୍କ ଶିଷ୍ୟମାନଙ୍କର ପେଟ ଭରିଯିବାରୁ ସେମାନେ ସ୍ନାନ ଶେଷ କରି ଆଶ୍ରମକୁ ଫେରିଲେ ନାହିଁ। ସେମାନେ ଆଆଶଙ୍କ କଲେ ଯେ ପାଣ୍ଡବମାନେ ତାଙ୍କୁ ଖାଦ୍ୟ ଦେଲେ ସେମାନେ ଆଉ ଗ୍ରହଣ କରିପାରିବେନି ଏବଂ ଏହି ଅଶିଷ୍ଟ ଆଚରଣ ପାଇଁ ପାଣ୍ଡବମାନେ ରୁଷ୍ଟ ହେବେ । ଏହା ଭାବି ସେମାନେ ଚୁପଚାପ ଚାଲିଗଲେ ।[]

ଏପରିଭାବେ, ଶ୍ରୀକୃଷ୍ଣଙ୍କ କୃପାରେ ଅକ୍ଷୟ ପାତ୍ର ପାଣ୍ଡବମାନଙ୍କ ଲଜ୍ଜ୍ୟା ଓ ଦୁର୍ବାସାଙ୍କ ଶାପରୁ ତାଙ୍କୁ ରକ୍ଷା କରିଲା ।

  1. Hiltebeitel, Alf (1991-01-01). The cult of Draupadī: Mythologies : from Gingee to Kurukserta (in ଇଂରାଜୀ). Motilal Banarsidass Publishing House. ISBN 978-81-208-1000-6.
  2. Mani, Vettam (1975). Puranic encyclopaedia : a comprehensive dictionary with special reference to the epic and Puranic literature. Robarts - University of Toronto. Delhi : Motilal Banarsidass. ISBN 978-0-8426-0822-0.
  3. Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 65.