Jump to content

"କ ଚମ୍ପୂ" - କି ହେଲାରେ କହିତ ନୁହଇ ଭାରତୀରେ

ଉଇକିପିଡ଼ିଆ‌ରୁ

କ ଚମ୍ପୂ (ରାଗ: ସାବେରୀ)

କି ହେଲା ରେ, କହିତ ନୁହଇ ଭାରତୀରେ କାଲି ଯା ଦୂରରୁ ଦେଖି/ସଖୀ, କଳନା କଲା ମୋ ଆଖି କଳା ଇନ୍ଦୀବର ଆରତିରେ ॥ ପଦ ॥

କେଳି କଦମ୍ବ ଲତାର, କୋଳେ କି ଶ୍ୟାମଳତାର, ତେଜ ସେ ରବିସୁତାର ତୀରେ, କମ୍ପି ମୋର କଳେବର, ହୋଇଗଲା ଆରପାର, ଯାହାକୁ ଡରଇ ତାର ତୀରେ ॥ ୧ ॥

କୁସୁମ କୋଦଣ୍ଡ କାଣ୍ଡ, କେତେ କରିଥିଲା ରୁଣ୍ଡ, କର୍କଶ ନୋହିବା ଭାରତୀରେ, କହୁଛି ବରଜି ଲଜ୍ଜା, କେବଳ ହେଲା ମୋ ମଜ୍ଜା, ମଜ୍ଜିଯିବି କି ଉଭା ରତିରେ ॥ ୨ ॥

କି ମୋହନ ଲୀଲା ଧରି, କୋଟି କଳାକର ଶିରୀ, ପୁରିଛି ସେ ଶ୍ୟାମ ମୂରତିରେ, କୁତ୍ସା କରେ ମୁଁ ଧାତାକୁ, କାହିଁକି ସରଜି ତାକୁ, ଚିରାୟୁ ରଖିଲା ଜରତୀରେ ॥ ୩ ॥

କି ନୀତି କି ଜାତିଶୀଳ, କି କୁଳବରତ ଫଳ, ଠଉର ପାରିଲା ମୋ ମତିରେ, କୋମଳତର ମୋହନ, କୁଞ୍ଜକୁକ୍ଷିରୁ ନିଃସ୍ୱନ, ଆସି ଚୁମ୍ବିଦେଲା ମୋ ଶ୍ରୁତିରେ ॥ ୪ ॥

କଲବଲ ଛଟପଟ, ହୋଇ ଯାଉଛି ନିପଟ, ସଂବେଶ ଅଶନ ବିରତିରେ, କହଇ ଶ୍ରୀବାଲୁଙ୍କେଶ, ଶରଣ ଧରଣୀ ଈଶ, ଏ କି ଦଣ୍ଡ ବିନା ପୀରତିରେ ॥ ୫ ॥