ଅନଙ୍ଗ ତ୍ରୟୋଦଶୀ

ଉଇକିପିଡ଼ିଆ‌ରୁ

ଅନଙ୍ଗ ତ୍ରୟୋଦଶୀଏକ ହିନ୍ଦୁ ପର୍ବ । ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଏହି ବ୍ରତ ପାଳନ କରାଯାଇଥାଏ ।

କିମ୍ବଦନ୍ତୀ[ସମ୍ପାଦନା]

ରାକ୍ଷସ ତାଡ଼କାସୁରର ଅତ୍ୟାଚାର ବଢ଼ି ବଢ଼ି ଚାଲିଥିଲା । କେବଳ ଶିବଙ୍କ ପୁତ୍ର ହାତରେ ମୃତ୍ୟୁବରଣ କରିବ ବୋଲି ତାଡ଼କାସୁର ବରପ୍ରାପ୍ତ ହୋଇଥିଲା । ଅନ୍ୟପକ୍ଷରେ ଦେବୀ ସତୀ ଭସ୍ମ ହୋଇଯିବା ପରେ ଭଗବାନ ଶିବ ସମାଧିରେ ଲୀନ ହୋଇଯାଇଥିଲେ । ତାଙ୍କୁ ସମାଧିରୁ ଉଠାଇବା ଏବଂ ମାତା ପାର୍ବତୀଙ୍କ ସହ ତାଙ୍କ ବିବାହ କରାଇବା ନିମନ୍ତେ ଦେବତାମାନେ ପ୍ରୟାସ ଜାରି ରଖିଥିଲେ । ମାତ୍ର ଶିବଙ୍କୁ ସମାଧିରୁ ଉଠାଇବା ସହଜ ନଥିଲା । ଦେବତାମାନେ କାମଦେବଙ୍କ ସହାୟତା ନେଲେ । କାମଦେବ ନିଜ କାମବାଣ ପ୍ରୟୋଗ କରି ମହାଦେବଙ୍କ ତପସ୍ୟା ଭାଙ୍ଗିଦେଲେ, ହେଲେ ଏହାର ଫଳ ତାଙ୍କୁ ଭୋଗିବାକୁ ପଡ଼ିଲା । ଶିବଙ୍କ କ୍ରୋଧାଗ୍ନିରେ ଜଳି କାମଦେବ ଭସ୍ମ ହୋଇଗଲେ । କାମଦେବଙ୍କ ପତ୍ନୀ ରତିଦେବୀ ମହାଦେବଙ୍କ ଶରଣାପନ୍ନ ହୋଇ ପତିଙ୍କ ଉଦ୍ଧାର କରିବାକୁ ବର ମାଗିଲେ । ରତିଙ୍କୁ ଶିବ କହିଲେ, କାମଦେବ ବର୍ତ୍ତମାନ ଉପସ୍ଥିତ ରହିଛନ୍ତି, କେବଳ ସେ ଅଙ୍ଗହୀନ(ଅନଙ୍ଗ) ହୋଇଯାଇଛନ୍ତି । ଦ୍ୱାପର ଯୁଗରେ ଭଗବାନ୍‌ ବିଷ୍ଣୁ, ଶ୍ରୀକୃଷ୍ଣଙ୍କ ରୂପରେ ଅବତାର ନେବେ । ସେତେବେଳେ କାମଦେବ ତାଙ୍କ ପୁତ୍ର ପ୍ରଦ୍ୟୁମ୍ନ ରୂପରେ ଜନ୍ମନେବେ । ରତିଙ୍କୁ କାମଦେବଙ୍କ ସହ ପୁନଃମିଳନର ମାର୍ଗଦର୍ଶନ କରାଇବା ପରେ ମହାଦେବ ତାଙ୍କୁ ଅନଙ୍ଗ ତ୍ରୟୋଦଶୀ ବ୍ରତ କରିବାକୁ କହିଥିଲେ । ଶ୍ରଦ୍ଧା, ଭକ୍ତି ଓ ପ୍ରେମଭାବ ସହ ଅନଙ୍ଗ ତ୍ରୟୋଦଶୀ ବ୍ରତ ରଖିବା ସହ ମହାଦେବ, ମାତା ପାର୍ବତୀ ଓ ରତି ତଥା କାମଦେବଙ୍କୁ ପୂଜା କରିବାଦ୍ୱାରା ଭକ୍ତର ଦାମ୍ପତ୍ୟ ଜୀବନ ସୁଖମୟ, ସମୃଦ୍ଧ ଏବଂ ଶାନ୍ତିପୂର୍ଣ୍ଣ ହେବ ବୋଲି ମହାଦେବ କହିଥିଲେ ୤ କାମଦେବଙ୍କ ଅନ୍ୟନାମ ହେଉଛି କନ୍ଦର୍ପ ।

ଭାରତରେ ପାଳନ[ସମ୍ପାଦନା]

ଉଜ୍ଜୟିନୀରେ ଥିବା କନ୍ଦର୍ପେଶ୍ୱର ମହାଦେବଙ୍କ ମନ୍ଦିରରେ କନ୍ଦର୍ପ ତ୍ରୟୋଦଶୀରେ ବହୁସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥାଏ ୤ ଆମଦେଶର ଗୁଜରାଟ ଓ ମହାରାଷ୍ଟ୍ରରେ ବହୁଳଭାବେ ଅନଙ୍ଗ ତ୍ରୟୋଦଶୀ ବ୍ରତ ପାଳନ କରାଯାଇଥାଏ ।