ରାଜଧାନୀ ପ୍ରତିଷ୍ଠା ଦିବସ

ଉଇକିପିଡ଼ିଆ‌ରୁ

୧୯୪୮ରୁ ପ୍ରତିବର୍ଷ ଅପ୍ରେଲ ୧୩ତାରିଖ ଦିନ, "ଭୁବନେଶ୍ୱର ପ୍ରତିଷ୍ଠା ଦିବସ ବା ରାଜଧାନୀ ପ୍ରତିଷ୍ଠା ଦିବସ" ଭାବରେ ପାଳନ କରାଯାଏ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ଦୁଇହଜାର ବର୍ଷ ପୁରୁଣା । ୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢ଼ି ଲୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର "ଅଟୋକଏନ୍ସ ବର୍ଗର" । ୧୯୪୮ ମସିହା ଅପ୍ରେଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା । ସେହି ପ୍ରତିଷ୍ଠା ଫଳକଟି ବର୍ତ୍ତମାନ ବିଧାନ ସଭା ସନ୍ନିକଟ ପାଚେରୀ ନିକଟରେ ଲାଗିଛି । ଏ ସବୁ ଯୋଜନା ପରେ ମଧ୍ଯ କିଛି ଅସୁବିଧାର କାରଣରୁ ୧୯୬୭ ଯାଏଁ କଟକରେ ରାଜଧାନୀ ରହିଲା । ବନ୍ୟଜନ୍ତୁଙ୍କ ଉତ୍ପାତ କାରଣରୁ ୧୯୯୦ ଦଶକ ଯାଏଁ ତାହା ଲୋକପ୍ରିୟ ହୋଇପାରିଲାନି ।

ସେତେବେଳେ ପ୍ରସ୍ତୁତ କରାଯାଇଥିବା ନକ୍ସା ଅନୁଯାୟୀ, ପ୍ରଥମ ଦଶ ବର୍ଷ ମଧ୍ୟରେ ଭୁବନେଶ୍ୱର ଜନସଂଖ୍ୟା ପନ୍ଦର ହଜାରରୁ ବଢ଼ି ଚାଳିଶ ହଜାର ଓ ସହରର କ୍ଷେତ୍ରଫଳ ଶହେ ବତିଶ ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା । ଭୁବନେଶ୍ୱରରେ ଛଅଟି ୟୁନିଟ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ବିଜ୍ଞାପିତ ଅଞ୍ଚଳ ହେବା ମଧ୍ୟ ସେହି ନକ୍ସାରେ ଥିଲା । ଏହି ଯୋଜନାକୁ "ଓଡ଼ିଶା ସହର ଯୋଜନା ଆଇନ" ୧୯୫୬ ଅନୁସାରେ କାର୍ଯ୍ୟକାରି କରାଗଲା । ଭୁବନେଶ୍ୱର ପାଇଁ ଜଣେ "ବିଶେଷ ଯୋଜନା ଅଧିକାରୀ"ଙ୍କୁ ନିଯୁକ୍ତ କରାଗଲା । ଜନସଂଖ୍ୟା ବୃଦ୍ଧି ସହ ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମୁନିସିପାଲିଟି ଗଠନ କରାଗଲା । ପରେ ଭୁବନେଶ୍ୱର ମୁନିସିପାଲିଟି ସହ ଖୋର୍ଦ୍ଦା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ "ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା(ବ୍ରିଟ)" ଗଠନ କରାଗଲା । ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମୁନିସିପାଲ କର୍ପୋରେସନ ଓ ସନ୍ନିକଟ ଗାଁଗୁଡିକୁ ନେଇ ଭୁବନେଶ୍ୱର ଉନ୍ନୟନ ସଂସ୍ଥା (ବିଡିଏ) ଗଠନ କରାଗଲା ।