ପୁଚି ଖେଳ

ଉଇକିପିଡ଼ିଆ‌ରୁ

ପୁଚିଖେଳ (ଓଡ଼ିଶାର ପଶ୍ଚିମାଞ୍ଚଳରେ "ଛିଲୋ", ସମ୍ବଲପୁରରେ ଚିରେଲାଇ, ବାଲେଶ୍ୱରରେ ପୁଚ-ପୁଚି ନାମରେ ଜଣା[୧]) ଓଡ଼ିଶାର କେତେକ ଓଷାଆଦିରେ କୁଆଁରୀମାନେ ଖେଳୁଥିବା ଏକ ପାରମ୍ପାରିକ ଖେଳ । ରଜ, ଦଶହରା ଓ ବିଶେଷ କରି କୁମାର ପୂର୍ଣ୍ଣିମା ଆଦିରେ ପୁଚି ଖେଳ ହୁଏ । ଏଇ ଖେଳଟି ଝିଅମାନଙ୍କ ପାଇଁ ଏକ ବ୍ୟାୟାମ । ପୁଚି ଖେଳିଲାବେଳେ ସେମାନେ "ପୁଚିଲୋ ପୁଚି, ଯା ଯା ଯା ଘୁଞ୍ଚିଲୋ" ଗୀତ ବୋଲିଥାନ୍ତି । ବିଭିନ୍ନ ଅଞ୍ଚଳର ଗୀତ ଅଲଗା ଅଲଗା ହୋଇଥାଏ ।[୨] ଖେଳରେ ପ୍ରତିଯୋଗିତା ଚାଲେ ଓ ଜିତିବା ଦଳ/ଝିଅ ଖେଳୁ ଖେଳୁ "ହଟେଇଲିରେ ହଟେଇଲି" ଚିହାଟେ । କୁଆଁର ପୁନେଇ ଭଳି ପର୍ବରେ କୁଆଁରୀମାନେ ସକାଳୁ ଗାଧୋଇ ସଞ୍ଜରେ ଏକାଠି ହୋଇ ତୁଳସୀ ଚଉରାରେ କଳସୀରେ ପାଣି ରଖି କଉଡ଼ି ଓ ଗୀତ ବୋଲି ବୋଲି ପୁଚି ଖେଳିଥାନ୍ତି ।[୩]

ପୁଚିଗୀତ[ସମ୍ପାଦନା]

ପୁଚି ଖେଳିବା ସମୟରେ ଯେ ଖେଳ ଆରମ୍ଭ କରେ ସେ ଗୀତ ଗାଏ । ଝିଅମାନେ ପରସ୍ପରକୁ ଗେହ୍ଲାରେ ଭିନ୍ନ ଭିନ୍ନ ନାମ ଧରି ଡାକିଥାନ୍ତି ।[୩] ତେଣୁ ହାତ ପାଦର ଚଳାଇବା ବେଳେ ଶ୍ରମ ଲାଘବ ନିମନ୍ତେ ଛାଏଁଁ ଛାଏଁଁ ପୁଚି ଗୀତ ବୋଲିଥାନ୍ତି ।[୪] କୁମାରୀ ହରଷ ଚିତ୍ତରେ ପୁଚି ଖେଳ ବେଳେ ଗାଏ: [୫]

ଠିଆ ପୁଚି ନାରଙ୍ଗ
ଗୋଡ଼ ଦୁଇଟି ସାରଙ୍ଗ
ସାରଙ୍ଗ ଘରକୁ ଯାଇଥିଲି
ସାରଙ୍ଗ ଶୁଖୁଆ ଆଣିଥିଲି
ଅଧେ କଲି ରାଇ, ଅଧେ କଲି ଭଜା
ମୋ ଭାଉଜ ରାଣୀ, ମୋ ଭାଇଟି ରଜା ।

ପୁଚିଲୋ ଯା ଘୁଞ୍ଚିଲୋ
ମଦରଙ୍ଗା ଶାଗ ରାଇତା
ମୋର କଳା ମୁଚୁମୁଚୁ ଘଇତା ।
ପୁଚିଲୋ ଯା ଘୁଞ୍ଚିଲୋ
ବାରିଆଡ଼େ ଗଲା ଗୋଧି
ପୁଚି ନଜାଣୁ ତୁ ମାଇପି ଟୋକି
କିଏ ଶିଖେଇବ ବୁଦ୍ଧି ।
ଏ ଗୋଡ଼ ଖସିଲା, ସେ ଗୋଡ଼ ଖସିଲା
ଟୋକା ଦିଅର ମୋ ଗମ୍ଭୀରି ଘରେ
ମୁଚୁମୁଚୁ ହସିଲା ।
ବଡ଼ ଭାଉଜ ଋଷିଲେ,
ବାରି ପିଣ୍ଡାରେ ବସିଲେ
ହଟେଇଲିରେ ହଟେଇଲି
ଚୁଡ଼ା ଚାରିମାଣ ବତୁରାଇ ଖାଇ
ଅଇଁଠା ପତର ଚଟେଇଲି ।

ପୁଚିଲୋ ଘୁଞ୍ଚି ଯା
ଗହୀର ବିଲଲେ ଲୁଚିଯା
ଗହୀର ବିଲରେ ମଇଁଷି
ଧାନ ମଚମଚ ଖାଉଚି

ଅଡ଼େଇ ଦେରେ ଭାଇ ଗଉଡ
ବଜେଇ ଦେରେ ବଇଁଶୀ

ମଇଁଷିଆ ଭାଇ କିଏରେ
ପାନ ବୋଡ଼ିକର ଗୁଆ ବୋଡ଼ିକର
ଭାଇଙ୍କ ସାଙ୍ଗରେ ନେଏ ରେ

ଭାଇ ବସିଛନ୍ତି ଉଁଚ ପିଣ୍ଡାରେ
ଭଗାରି ବସିଛି ତଳେ
ପାନଖାଇ ପିକ ପକାଇଦେଲେ
ପଡ଼ିଲା ଭଗାରି ଶିରେ

ଭଗାରି ପଛେ ମରୁ
ଭଗାରି ମୁଣ୍ଡେ ଘିଅ ସଳିତା
ହୁ ହୁ ହେଇ ଜଳୁ

ଗୋବର ଗାଡ଼ିଆ ପୋକ
ଆମେ ଦି ଭଉଣୀ ପୁଚି ଖେଳୁଥିଲୁ
ଝୁରି ମରୁଥିଲେ ଲୋକ

ବାରିଆଡେ ଧାନ କିଆରି
ଲମ୍ବ ଲମ୍ବ ଶିଁସା
ଆମେ ଦି ଭଉଣୀ ପୁଚି ଖେଲୁଥିଲୁ
ରାତି ହୋଇଗଲା ନିଶା

ଆଧାର[ସମ୍ପାଦନା]

  1. Amaresh Datta (1988). Encyclopaedia of Indian Literature: Devraj to Jyoti. Sahitya Akademi. pp. 1306–. ISBN 978-81-260-1194-0.
  2. Kuñjabihāri Dāśa (1991). Folklore of Orissa. Orissa Sahitya Akademi.
  3. ୩.୦ ୩.୧ Dipti Ray (2007). Prataparudradeva, the Last Great Suryavamsi King of Orissa (A.D. 1497 to A.D. 1540). Northern Book Centre. pp. 89–. ISBN 978-81-7211-195-3.
  4. ଓଡ଼ିଆ ଶିଶୁସାହିତ୍ୟ ସଂକଳନ. ଓଡ଼ିଶା ସାହିତ୍ୟ ଏକାଡ଼େମୀ.
  5. ମିଶ୍ର, ଡକ୍ଟର ଅଜୟ କୁମାର (18 March 2016). ଓଡ଼ିଆ ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି (ଭାଗ- ପୁଚିଖେଳ ଗୀତ). ବିଜୟିନୀ ପ୍ରକାଶନ. p. 224. ISBN 978-93-82360-50-6.