ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀ
ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀ | |
---|---|
ଜନ୍ମ | ଚତୁର୍ଭୁଜ ୨୬ ଅଗଷ୍ଟ ୧୮୯୧ ଔରଙ୍ଗାବାଦ ଚାନ୍ଦୋକ, ଉତ୍ତର ପ୍ରଦେଶ, ଭାରତ |
ମୃତ୍ୟୁ | ୨ ଫେବୃଆରୀ ୧୯୬୦ | (ବୟସ ୬୮)
ଜାତୀୟତା | ଭାରତୀୟ |
ବୃତ୍ତି | ଲେଖକ |
ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀ (୨୬ ଅଗଷ୍ଟ ୧୮୯୧ - ୨ ଫେବୃଆରୀ ୧୯୬୦) ଜଣେ ହିନ୍ଦୀ ଲେଖକ ଥିଲେ ।[୧] ସେ ଅନେକ ଐତିହାସିକ କାହାଣୀ ଲେଖିଥିଲେ । ସେଥିମଧ୍ୟରେ ବୈଶାଳୀ କୀ ନଗରବଧୁ (୧୯୪୮)[୨], ବୟମ୍ ରକ୍ଷାମଃ (୧୯୫୧), ସୋମନାଥ (୧୯୫୪) ଓ ଧର୍ମପୁତ୍ର (୧୯୬୧) ଅନ୍ତର୍ଭୁକ୍ତ । ବୈଶାଳୀ କୀ ନଗରବଧୁ ଓ ଧର୍ମପୁତ୍ର ପୁସ୍ତକକୁ ନେଇ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି ।[୩]
ଜୀବନୀ
[ସମ୍ପାଦନା]ଆଚାର୍ଯ୍ୟ ଚତୁରସେନ ଉତ୍ତରପ୍ରଦେଶର ବୁଲନ୍ଦସହର ନିକଟସ୍ଥ ଔରଙ୍ଗାବାଦ ଚାନ୍ଦକ ନାମକ ଏକ ଛୋଟ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ କେୱଲ ରାମ ଠାକୁର ଏବଂ ମାତାଙ୍କ ନାମ ନହ୍ନୀ ଦେବୀ ଥିଲା । ତାଙ୍କର ଜନ୍ମ ନାମ ଥିଲା ଚତୁର୍ଭୂଜ ।
ଚତୁର୍ଭୁଜ ସିକନ୍ଦରାବାଦର ଏକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ତା’ପରେ ସେ ରାଜସ୍ଥାନର ଜୟପୁରଠାରେ ଥିବା ସଂସ୍କୃତ କଲେଜରେ ଭର୍ତ୍ତି ହୋଇଥିଲେ । ଏଠାରୁ ସେ ଆୟୁର୍ବେଦରେ ଆୟୁର୍ବେଦଚାର୍ଯ୍ୟ ଏବଂ ୧୯୧୫ ମସିହାରେ ସଂସ୍କୃତରେ ଶାସ୍ତ୍ରୀ ଡିଗ୍ରୀ ହାସଲ କରିଥିଲେ । ସେ ଆୟୁର୍ବେଦ ବିଦ୍ୟାପୀଠରୁ ଆୟୁର୍ବେଦାଚାର୍ଯ୍ୟ ଡିଗ୍ରୀ ମଧ୍ୟ ହାସଲ କରିଥିଲେ ।
ଶିକ୍ଷା ସମାପ୍ତ କରିବା ପରେ ସେ ଦିଲ୍ଲୀ ଆସି ଆୟୁର୍ବେଦ ଚିକିତ୍ସକ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ଦିଲ୍ଲୀରେ ନିଜର ଆୟୁର୍ବେଦିକ ଡିସପେନସାରୀ ଖୋଲିଥିଲେ କିନ୍ତୁ ଏହା ଭଲ ନଚାଲିବାରୁ ତାଙ୍କୁ ଏହାକୁ ବନ୍ଦ କରିବାକୁ ପଡିଥିଲା । ଏହାପରେ ସେ ଜଣେ ଧନୀ ବ୍ୟକ୍ତିଙ୍କ ଚାରିଟେବୁଲ ଡିସପେନସାରିରେ ମାସିକ ୨୫ଟଙ୍କା ବେତନରେ ଯୋଗ ଦେଇଥିଲେ । ପରେ ୧୯୧୭ ମସିହାରେ ସେ ଲାହୋରର ଡିଏଭି କଲେଜରେ ଆୟୁର୍ବେଦର ବରିଷ୍ଠ ପ୍ରଫେସର ଭାବରେ ଯୋଗ ଦେଇଥିଲେ । ଡିଏଭି କଲେଜରେ ପରିଚାଳନା କର୍ତ୍ତୁପକ୍ଷଙ୍କଦ୍ୱାରା ଅପମାନିତ ହୋଇ, ସେ ଇସ୍ତଫା ଦେଇ ଅଜମେରକୁ ଚାଲି ଯାଇଥିଲେ । ସେଠାରେ ସେ ତାଙ୍କ ଶ୍ୱଶୁରଙ୍କୁ ତାଙ୍କ ଡିସପେନସାରିରେ ସାହାଯ୍ୟ କରିଥିଲେ । ଏହି ଡିସପେନସାରିରେ କାର୍ଯ୍ୟ କରି ସେ ଲେଖାଲେଖି ଆରମ୍ଭ କରିଥିଲେ ଏବଂ ଖୁବ୍ ଶୀଘ୍ର ଜଣେ ସାହିତ୍ୟିକ ହିସାବରେ ଲୋକାଦୃତି ପାଇ ଥିଲେ ।
ତାଙ୍କର ପ୍ରଥମ ଉପନ୍ୟାସ ''ହୃଦୟ କି ପରଖ'' ୧୯୧୮ରେ ପ୍ରକାଶିତ ହୋଇଥିଲା । ୧୯୨୧ରେ ତାଙ୍କର ଦ୍ୱିତୀୟ ପୁସ୍ତକ ''ସତ୍ୟାଗ୍ରହ ଓ ଅସହଯୋଗ'' ପ୍ରକାଶିତ ହୋଇଥିଲା । ଏହି ପୁସ୍ତକ ମହାତ୍ମା ଗାନ୍ଧୀଙ୍କ ବିଚାରର ପରିପନ୍ଥୀ ଥିଲା । ଏହି ପୁସ୍ତକଟି ଚତୁରସେନଙ୍କୁ ଲୋକାଦୃତି ଆଣି ଦେଇଥିଲା ଓ ଏହା ପରେ ସେ ଅନେକ ଐତିହାସିକ ଉପନ୍ୟାସ, ଗଳ୍ପ ଓ ଆୟୁର୍ବେଦ ପୁସ୍ତକ ଲେଖିଥିଲେ ।
ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀ ୧୯୬୦ ମସିହା ଫେବୃଆରୀ ୨ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ବୃତ୍ତି
[ସମ୍ପାଦନା]ତାଙ୍କର ପୁସ୍ତକଗୁଡ଼ିକ ପ୍ରାଚୀନ କାଳର ଏକ ଆଦର୍ଶବାଦୀ ଦୃଶ୍ୟ ଉପସ୍ଥାପନ କରନ୍ତି । ଏହା ତାଙ୍କର ପୁସ୍ତକ ''ପୂର୍ଣ୍ଣାହୁତିରେ'' ସ୍ପଷ୍ଟ ଭାବରେ ଦେଖାଯାଏ । ଏହି ପୁସ୍ତକରେ ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଓ ସେ ଲଢିଥିବା ଯୁଦ୍ଧସବୁକୁ ଏକ ଆଦର୍ଶବାଦୀ ଦୃଷ୍ଟିଭଙ୍ଗୀ ସହ ପରିବେଷଣ କରାଯାଇଛି । ତାଙ୍କ ପୁସ୍ତକ ବୈଶାଳୀ କି ନଗରବଧୁ ପ୍ରାରମ୍ଭରେ ସେ ଘୋଷଣା କରିଥିଲେ ଯେ ଏହା ତାଙ୍କର ପ୍ରଥମ ପୁସ୍ତକ ଏବଂ ଏହା ପୂର୍ବରୁ ଥିବା ପୁସ୍ତକଗୁଡ଼ିକ ମୂଲ୍ୟହୀନ ।
ସେ ଭାରତର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବନ୍ଧୁ ଥିଲେ, କିନ୍ତୁ ନେହେରୁଙ୍କ ଧର୍ମନିରପେକ୍ଷ ଭାରତର ପ୍ରସ୍ତାବକୁ ସେ ବିରୋଧ କରିଥିଲେ । କଂଗ୍ରେସ କ୍ଷମତାକୁ ଆସିବା ପରେ ନେହେରୁ ଆଚାର୍ଯ୍ୟ ଚତୁରସେନଙ୍କୁ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିଥିବା ଅଭିଯୋଗ କରିଥିଲେ ଏବଂ ତାଙ୍କ ପୁସ୍ତକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିଥିଲେ ।
ରଚନାବଳୀ
[ସମ୍ପାଦନା]ଆଚାର୍ଯ୍ୟ ଚତୁରସେନଙ୍କ ପ୍ରକାଶିତ ୭୨ଟି ପୁସ୍ତକ ମଧ୍ୟରେ ୮ଟି ଐତିହାସିକ ଉପନ୍ୟାସ, ୧୦ଟି ନାଟକ, ୪ଟି ଅକାଳ୍ପନିକ ପୁସ୍ତକ, ୧୫ଟି ପ୍ରବନ୍ଧ ଇ ୧୫ଟି ସ୍ୱାସ୍ଥ ସମ୍ବନ୍ଧୀୟ ପୁସ୍ତକ ରହିଛି । ଏହା ବ୍ୟତିତ ତାଙ୍କର ୨୫୦ଟି କ୍ଷୁଦ୍ରଗଳ୍ପ ବିଭିନ୍ନ ହିନ୍ଦୀ ପତ୍ରିକାରେ ପ୍ରକାଶ ପାଇଥିଲା । ୧୯୬୧ରେ ତାଙ୍କ ଉପନ୍ୟାସ ଧରମପୁତ୍ରକୁ ନେଇ ଯଶ ଚୋପ୍ରା ହିନ୍ଦୀ ଚଳଚ୍ଚିତ୍ର ''ଧର୍ମପୁତ୍ର''ନିର୍ମାଣ କରିଥିଲେ ଓ ଏହି ଚଳଚ୍ଚିତ୍ରଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।[୪]
ତାଙ୍କର ପ୍ରମୁଖ ପୁସ୍ତକ ମଧ୍ୟରେ :
- ବୈଶାଳୀ କି ନଗରବଧୁ (୧୯୪୮) ISBN 81-7028-282-9 - ଐତିହାସିକ ବ୍ୟକ୍ତିତ୍ୱ ଆମ୍ରପଲି ଉପରେ ଆଧାରିତ
- ବୟମ ରକ୍ଷାମଃ - ରାବଣର ଚରିତ୍ର ଜୀବନ ଉପରେ ଆଧାରିତ (ରାମାୟଣରୁ)
- ସାହୟଦ୍ରି କି ଚଟ୍ଟାଣେ - ଶିବାଜୀଙ୍କ ସମୟ ଏବଂ ଜୀବନ ଉପରେ ଆଧାରିତ
- ଗୋଲି
- ଧରମପୁତ୍ର
- ସୋନା ଔର ଖୁନ
- ନୀଳମଣୀ
- ନରମେଧ
- ସୋମନାଥ ମହାଳୟ- ମହମ୍ମଦ ଗଜନାଭିଙ୍କ ଆକ୍ରମଣ ଏବଂ ସୋମନାଥ ମନ୍ଦିର ଧ୍ୱଂସ ଉପରେ ଆଧାରିତ
- ଭାରତ ମେଁ ଇସଲାମ
- ଅଚ୍ଛି ଆଦତେଁ
- ଅପରାଜିତା[୫]
- ଆଦର୍ଶ ଭୋଜନ
- ନିରୋଗ ଜୀବନ
- ଇଦୋ - ଦ୍ୱିତୀୟ ବିଶ୍ୱଯୁଦ୍ଧର ଘଟଣା ଉପରେ ଆଧାରିତ
- ହିନ୍ଦୀ ଭାଷା ଔର ସାହିତ୍ୟ କା ଇତିହାସ (୧୯୪୬) - ହିନ୍ଦୀ ଭାଷାର ଏକ ଇତିହାସ ଏବଂ ଏହାର ସାହିତ୍ୟ
- ହୃଦୟ କି ପରଖ (୧୯୧୮)
- ସତ୍ୟଗ୍ରହ ଔର ଅସହଯୋଗ (୧୯୨୧) - ନାଗରିକ ପ୍ରତିରୋଧ ଏବଂ ଅସହଯୋଗ ବିଷୟରେ
ଆଧାର
[ସମ୍ପାଦନା]- ↑ Prof. R. P. Chaturvedi (September 2010). Great Personalities. Upkar Prakashan. pp. 92–. ISBN 978-81-7482-061-7.
- ↑ Achrya Chatursen (1957). Vaishali Ki Nagarvadhu. Hind Pocket Books. ISBN 978-81-216-0898-5.
- ↑ "Blast From The Past: Dharmputra 1961". The Hindu. 6 February 2010. Archived from the original on 25 January 2013. Retrieved 13 July 2020.
- ↑ "9th National Film Awards". International Film Festival of India. Archived from the original on 2 December 2016. Retrieved 28 July 2012.
- ↑ Caturasena (Acharya); Acharya Chatursen Shastri (2005). Aprajita. Atmaram & Sons. ISBN 978-81-7043-632-4.
ଗ୍ରନ୍ଥସମୂହ
[ସମ୍ପାଦନା]- Amaresh Datta (1987). Encyclopaedia of Indian Literature: A-Devo (Vol. 1). Sahitya Akademi. p. 657. ISBN 8126018038.