ତାଳ ଚଟିଆ

ଉଇକିପିଡ଼ିଆ‌ରୁ

ତାଳ ଚଟିଆ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Apodiformes
Family: Apodidae
Genus: Cypsiurus
ଜାତି: C. balasiensis
ବାଇନୋମିଆଲ ନାମ
Cypsiurus balasiensis
(ଜନ୍ ଏଡ୍ୱାର୍ଡ୍ ଗ୍ରେ, ୧୮୨୯)

ତାଳ ଚଟିଆ (ଇଂରାଜୀରେ Asian palm swift, ଜୀବବିଜ୍ଞାନ ନାମ Cypsiurus balasiensis) ଏକ କ୍ଷୁଦ୍ରାକାର ସ୍ୱିଫ୍ଟ୍ (swift) ପ୍ରଜାତିର ସଦସ୍ୟ ପକ୍ଷୀ । ଦେଖିବାକୁ ଏହା ଆଫ୍ରିକୀୟ ତାଳ ଚଟିଆ (ଜୀବବିଜ୍ଞାନ ନାମ Cypsiurus parvus) ପରି । ପୂର୍ବେ ଉଭୟ ଆଫ୍ରିକୀୟ ଓ ଏସୀୟ ତାଳ ଚଟିଆଙ୍କୁ ଗୋଟିଏ ପ୍ରଜାତିର ବୋଲି ବିବେଚନା କରାଯାଉଥିଲା ।

ଏସିଆ ମହାଦେଶର ଭାରତରୁ ନେଇ ଫିଲିପାଇନ୍ସ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ ଓ ଏହି ଅଞ୍ଚଳର ନିବାସୀ ବା ସ୍ଥାନୀୟ ପକ୍ଷୀ । ତାଳ ଗଛର ଡାଳ ମୂଳରେ ଏହି ପକ୍ଷୀ ନିଜର ନୀଡ଼ ନିର୍ମାଣ କରିଥାଏ ଓ ନିଜ ବସାରେ ୨-୩ଟି ଅଣ୍ଡା ଦେଇଥାଏ । ଜନବସତି ଓ ଚାଷଜମି ଅଞ୍ଚଳର ତାଳବଣରେ ଏହି ପକ୍ଷୀ ଅଧିକାଂଶରେ ଦେଖାଯାନ୍ତି ।[୨] ଭାରତର ଉତ୍ତର-ପଶ୍ଚିମରେ ଏମାନେ ପ୍ରାୟ ଦେଖାଯାନ୍ତି ନାହିଁ କିନ୍ତୁ ଉତ୍ତର-ପୂର୍ବ ଭାରତର ପାହାଡ଼ିଆ ଅଞ୍ଚଳ ଓ ଏପରିକି ହିମାଳୟର ନିମ୍ନ ଦେଶରେ ଏମାନଙ୍କୁ ବହୁ ମାତ୍ରାରେ ଦେଖିବାକୁ ମିଳେ ।[୩]

୧୩ ସେଣ୍ଟିମିଟର୍ ଦୈର୍ଘ୍ୟବିଶିଷ୍ଟ ଏହି ପକ୍ଷୀର ରଙ୍ଗ ଫିକା ମାଟିଆ ରଙ୍ଗର । ତାଳ ଚଟିଆର ଡେଣାଗୁଡ଼ିକ ଅର୍ଦ୍ଧ-ଚନ୍ଦ୍ରାକୃତି ବା ବୁମେରାଙ୍ଗ୍ ଅସ୍ତ୍ର ପରି ଆକାରର । ଏହାର ଶରୀର ପତଳା । ତାଳ ଚଟିଆର ଲାଞ୍ଜଟି ଲମ୍ବା ଓ ଲାଞ୍ଜ ଅଗଟି ଦୁଇ-ମୁନିଆ କଣ୍ଟା ଚାମୁଚ ପରି । ଏହି ପକ୍ଷୀର “ଟିରିରିରୀ” ଡାକ ତୀବ୍ର ଓ ତୀକ୍ଷ୍ଣ ।[୨]

ଉଭୟ ମାଈ ଓ ଅଣ୍ଡିରା ତାଳ ଚଟିଆ ଦେଖିବାକୁ ଏକା ପରି । ଅଳ୍ପବୟସ୍କ ଚଢ଼େଇମାନଙ୍କ ଲାଞ୍ଜ ବୟସ୍କ ଚଢ଼େଇଙ୍କ ଲାଞ୍ଜଠାରୁ ଛୋଟ । ତାଳ ଚଟିଆଙ୍କ ଗୋଡ଼ଗୁଡ଼ିକ ଖୁବ୍ ଛୋଟ ଏବଂ ଏହା ସାହାଯ୍ୟରେ ଏମାନେ ଅଭିଲମ୍ବ ବସ୍ତୁରେ ମଧ୍ୟ ବସିଯାଇ ପାରନ୍ତି । ଆବଶ୍ୟକତା ନ ପଡ଼ିଲେ ତାଳ ଚଟିଆ ଭୂମି ଉପରେ ଅବତରଣ କରନ୍ତି ନାହିଁ ।[୨]

ତାଳ ଚଟିଆ ଅଧିକାଂଶ ସମୟ ଆକାଶରେ ଅତିବାହିତ କରନ୍ତି । ଏମାନେ ମୁଖ୍ୟତଃ କୀଟପତଙ୍ଗମାନଙ୍କୁ ଭକ୍ଷଣ କରନ୍ତି । ବେଳେବେଳେ ଏମାନଙ୍କୁ ଭୂମି ନିକଟରେ ଖାଇବାର ଦେଖିବାକୁ ମିଳେ ।[୨] ଯୋଡ଼ି ହୋଇ ବା ଏକ ଅସ୍ଥାୟୀ ଦଳରେ ଏମାନଙ୍କୁ ଖାଇବାର ଦେଖିବାକୁ ମିଳେ ।[୪]

ପ୍ରଜନନ[ସମ୍ପାଦନା]

ଏମାନେ ପ୍ରାୟ ବର୍ଷ ସାରା ପ୍ରଜନନ କରନ୍ତି । କିନ୍ତୁ ଭୌଗୋଳିକ ପରିବାସ ଅନୁସାରେ ଏଥିରେ ତାରତମ୍ୟ ଦେଖାଯାଇପାରେ । ଭାରତରେ ଅନୁଚ୍ଚ ଭୂଭାଗରେ ମାର୍ଚ୍ଚ-ଅଗଷ୍ଟ ମାସ ଓ ଉଚ୍ଚଭୂମିରେ ଅପ୍ରେଲ୍-ଜୁନ୍ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ହାର ଅଧିକ ଥାଏ ।[୫]

ଆଧାର[ସମ୍ପାଦନା]

  1. "Cypsiurus balasiensis". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013. {{cite web}}: Invalid |ref=harv (help)
  2. ୨.୦ ୨.୧ ୨.୨ ୨.୩ Birds of India by Grimmett, Inskipp and Inskipp, ISBN 0-691-04910-6
  3. A Pictorial Field Guide to Birds of India, Pakistan, Nepal, Bhutan, Sri Lanka and Bangaladesh by Grewal, Sen, Singh, Devasar, Bhatia, ISBN 978-93-80070-22-3
  4. https://ebird.org/species/aspswi1
  5. https://www.hbw.com/species/asian-palm-swift-cypsiurus-balasiensis