ନବଗୁଞ୍ଜର

ଉଇକିପିଡ଼ିଆ‌ରୁ
ଅର୍ଜୁନ ନବଗୁଞ୍ଜରଙ୍କ ସମ୍ମୁଖରେ ପ୍ରଣାମ କରୁଛନ୍ତି । ଏହି ପଟ୍ଟଚିତ୍ରରେ ନବଗୁଞ୍ଜରକୁ ଜଗନ୍ନାଥଙ୍କ ରୂପ ଭାବେ ଦେଖାଯାଇଛି ।

ନବଗୁଞ୍ଜର ସାରଳା ମହାଭାରତରେ ବର୍ଣ୍ଣିତ ଏକ ବିଚିତ୍ର ପ୍ରାଣୀ । ବର୍ଣ୍ଣନା ଅନୁସାରେ ଏହି ପ୍ରାଣୀ ନଅଗୋଟି ପଶୁପକ୍ଷୀଙ୍କ ଅଙ୍ଗର ଏକ ସମ୍ମିଶ୍ରଣ । ବିଷ୍ଣୁ ବା କୃଷ୍ଣଙ୍କ ଏକ ଅବତାର ଭାବେ ନବଗୁଞ୍ଜର ଗୃହୀତ । ନବଗୁଞ୍ଜରର ଚୂଳ ଓ ଶିର କୁକୁଡ଼ାର, ବେକ ମୟୂରର, ଗୋଟିଏ ଭୁଜ ମନୁଷ୍ୟର, ଗୋଟିଏ ପାଦ ହାତୀର, ଗୋଟିଏ ପାଦ ବାଘର, ଗୋଟିଏ ପାଦ ଘୋଡ଼ାର, ପିଠି ବୃଷଭର, କଟି ସିଂହର ଓ ଲାଞ୍ଜ ସାପର ।[୧] ପଟ୍ଟଚିତ୍ରକାରଙ୍କ ପାଇଁ ନବଗୁଞ୍ଜର ଏକ ପ୍ରିୟ ବିଷୟ ।[୨]

ସାରଳା ଦାସଙ୍କ ଲିଖିତ ମହାଭାରତ ଛଡ଼ା ଅନ୍ୟ କୌଣସି ମହାଭାରତରେ ନବଗୁଞ୍ଜରର କାହାଣୀ ମିଳେ ନାହିଁ । ଥରେ ଅର୍ଜୁନ ଗିରି ଉପରେ ତପ କରୁଥିବା ବେଳେ କୃଷ୍ଣ ନବଗୁଞ୍ଜର ଭାବେ ତାଙ୍କ ସମ୍ମୁଖରେ ଉଭା ହୁଅନ୍ତି । ନବଗୁଞ୍ଜରର ବିଚିତ୍ର ରୂପ ଦେଖି ଅର୍ଜୁନ ପ୍ରଥମେ ଆଶ୍ଚର୍ଯ୍ୟ ଚକିତ ଓ ଭୟଭୀତ ହୁଅନ୍ତି । କେବେ ନ ଦେଖିଥିବା ପ୍ରାଣୀ ଦେଖିବାରୁ ସେ ଧନୁ ଟେକି ତାକୁ ମାରିବାକୁ ଚେଷ୍ଟା କରନ୍ତି । ପରେ ଏହା ବିଷ୍ଣୁଙ୍କ ମାୟା ବୋଲି ବିଚାରି ଅର୍ଜୁନ ନବଗୁଞ୍ଜରକୁ ପ୍ରଣାମ କରନ୍ତି ।

ପୁରୀ ବଡ଼ଦେଉଳର ଉତ୍ତର ପାର୍ଶ୍ୱରେ ନବଗୁଞ୍ଜର ଓ ଅର୍ଜୁନଙ୍କ ଦୃଶ୍ୟ ଖୋଦିତ ହୋଇଛି ।[୩] ଗଞ୍ଜପା ପରମ୍ପରାରେ ମଧ୍ୟ ନବଗୁଞ୍ଜର ଦେଖିବାକୁ ମିଳେ । ସାଧାରଣତଃ ପୁରୀ ଓ ଗଞ୍ଜାମରେ ନବଗୁଞ୍ଜର ରଜା ଓ ଅର୍ଜୁନ ମନ୍ତ୍ରୀ ଥାଇ ଗଞ୍ଜପା ମିଳେ । ଏ ଶୈଳୀରେ ଅଙ୍କିତ ଗଞ୍ଜପାକୁ ମଧ୍ୟ ନବଗୁଞ୍ଜର କୁହନ୍ତି ।[୪][୫][୬]

ଆଧାର[ସମ୍ପାଦନା]

  1. ଗାନ୍ଧୀ, ମାନେକା. "ପୌରାଣିକ ପକ୍ଷୀ". ଧରିତ୍ରୀ. Retrieved 6 March 2019.
  2. Cesarone, Bernard (2001). "Pata-Chitras of Orissa: An Illustration of Some Common Themes". journal. /www.asianart.com. Retrieved 2008-10-12.
  3. Starza, O. M. (1993). The Jagannatha Temple at Puri: Its Architecture, Art, and Cult. BRILL. p. 45. ISBN 9789004096738.
  4. Kishor Gordhandas (25 November 2007). "A Short History Of Ganjifa Cards". magazine. Epic India. Archived from the original on 2008-10-13. Retrieved 2008-10-12.
  5. "HISTORICAL NOTES". website. Geocities. Archived from the original on 2009-07-23. Retrieved 2008-10-12.
  6. "Asian Cards". website. Alta Carta. Retrieved 2008-10-12.