ଆଫିଆ ନୁସରାତ ବର୍ଷା

ଉଇକିପିଡ଼ିଆ‌ରୁ
ଆଫିଆ ନୁସରାତ ବର୍ଷା
বর্ষা
ଜନ୍ମ (1991-02-25) ୨୫ ଫେବୃଆରୀ ୧୯୯୧ (ବୟସ ୩୩)
ସିରାଜଗନି, ବଙ୍ଗଳାଦେଶ
ବୃତ୍ତି(ସମୂହ)ଚଳଚ୍ଚିତ୍ର ଅଭିନେତ୍ରୀ, ମଡେଲ, ପ୍ରଯୋଜିକା
ସକ୍ରିୟ ବର୍ଷ୨୦୧୦–ଏବେଯାଏଁ
ବୈବାହିକ-ସାଥୀଅନନ୍ତ ଜଲିଲ୍
ୱେବସାଇଟMonsoon Films

ଆଫିଆ ନୁସରାତ ବର୍ଷା (ଜନ୍ମ: ୨୮ ଫେବୃଆରୀ ୧୯୯୧) ଜଣେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଅଭିନେତ୍ରୀ ।[୧] ସେ ଚଳଚ୍ଚିତ୍ରରେ ଅଭିନୟ ସ‌ହ ମଡେଲିଂ କରନ୍ତି ଏବଂ ଜଣେ ପ୍ରଯୋଜିକା ଭାବରେ ମଧ୍ୟ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଜଣେ ମଡେଲ ଭାବରେ ପ୍ରଥମେ ବର୍ଷା ତାଙ୍କର ପେଷା ଆରମ୍ଭ କରିଥିଲେ ଏବଂ ପରେ ୨୦୧୦ରେ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଇଫତାକର ଚୌଧୁରୀଙ୍କର ଚଳଚ୍ଚିତ୍ର ଖୋଜ୍: ଦ ସର୍ଚ୍ଚରେ ସେ ପ୍ରଥମେ ଅଭିନୟର ସୁଯୋଗ ପାଇଥିଲେ । ଏହି ଚଳଚ୍ଚିତ୍ରଟିରେ ତାଙ୍କ ସ‌ହ ନାୟକ ଭୂମିକାରେ ଜଣେ ନବାଗତ ନାୟକ ଅନନ୍ତ ଜଲିଲ୍ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଚଳଚ୍ଚିତ୍ର ମଧ୍ୟରେ ଖୋଜ୍, ହୃଦୟ ଭାଙ୍ଗେ ଢେଉ ଏବଂ ମୋଷ୍ଟ ୱେଲକମ୍ ଭଳି ବଡ଼ ବଡ଼ ବ୍ୟୟ ବ‌ହୁଳ ଚଳଚ୍ଚିତ୍ର ପାଇଁ ସେ ଅଧିକ ଲୋକପ୍ରିୟତା ପାଇଛନ୍ତି । ଗ୍ରାମୀଣଫୋନ୍‌ର ମୁଖ୍ୟ ବିଜ୍ଞାପନ ପ୍ରଚାରିକା ଭାବରେ ମଧ୍ୟ ବର୍ଷା କାର୍ଯ୍ୟ କରୁଛନ୍ତି । ମନସୁନ୍ ଫିଲ୍‌ସ୍ ନାମରେ ତାଙ୍କର ଏକ ପ୍ରଯୋଜନା ସଂସ୍ଥା ସେ ନିର୍ମାଣ କରିଥିଲେ । ଏହି ପ୍ରଯୋଜନା ସଂସ୍ଥାର ନିର୍ଦ୍ଦେଶକ ଭାବରେ ସେ କାର୍ଯ୍ୟ କରୁଛନ୍ତି । ତାଙ୍କର ପ୍ରଥମ ଚଳଚ୍ଚିତ୍ରର ନାୟକ ତ‌ଥା ସ‌ହ-ଅଭିନେତା ଅନନ୍ତ ଜଲିଲ୍‌ଙ୍କୁ ବର୍ଷା ୨୩ ସେପ୍ଟେମ୍ବର ୨୦୧୧ରେ ବିବାହ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଆଫିଆ ନୁରସତ ବର୍ଷା ୨୮ ଫେବୃଆରୀ ୧୯୯୧ରେ ବଙ୍ଗଳାଦେଶର ସିରାଜଗନିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଚାରିଜଣ ଭାଇଭଉଣୀ ଅଛନ୍ତି । ବର୍ଷା ତାଙ୍କର ଜନ୍ମିତ ଗାଁ ସିରାଜଗନିରେ ଥିବା ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିଥିଲେ ଏବଂ ଏହାପରେ ସେଠାରେ ଥିବା ସ୍ଥାନୀୟ ମହାବିଦ୍ୟାଳୟରେ ପଢ଼ିଥିଲେ । ସେ ତାଙ୍କର ଛୋଟବେଳୁ ହିଁ ଗଣମାଧ୍ୟମ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ସେଥିରେ କାର୍ଯ୍ୟ କରିବାର ଇଚ୍ଛା ରଖିଥିଲେ । ପରବର୍ତ୍ତୀ ସମୟରେ ଧିରେ ଧିରେ ସେ ଅଭିନୟ ଆଡ଼କୁ ଆକର୍ଷିତ ହୋଇଥିଲେ ଏବଂ ମଡେଲିଂରେ ଯୋଗ ଦେଇଥିଲେ । ବର୍ଷା କମ୍ପ୍ୟୁଟର ବିଜ୍ଞାନ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟାର ଛାତ୍ରୀ ଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଆଫିଆ ନୁସରାତ ବର୍ଷା ତାଙ୍କର ପେଷା ପ୍ରଥମେ ମଡେଲିଂରୁ ଆରମ୍ଭ କରିଥିଏଲ । ଏହାପରେ ସେ ୨୦୧୦ରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ପାଇଥିଲେ । ଚଳଚ୍ଚିତ୍ର ଖୋଜ୍: ଦ ସର୍ଚ୍ଚରେ ସେ ପ୍ରଥମେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ନାୟକ ଭୂମିକାରେ ଅଭିନୟ କରିଥିଲେ ନବାଗତ ଅନନ୍ତ ଜଲିଲ୍, ଯିଏକି ପରବର୍ତ୍ତୀ ସମୟରେ ବର୍ଷାଙ୍କୁ ବିବାହ କରିଥିଲେ । ଏହାପରେ ସେ ହୃଦୟ ଭାଙ୍ଗେ ଢେଉରେ ଅଭିନୟ କରିଥିଲେ । ୨୦୧୨ରେ ବର୍ଷା ଏବଂ ଅନନ୍ତଙ୍କର ଅଭିନୀତ କଥାଚିତ୍ର ମୋଷ୍ଟ ୱେଲ୍‌କମ୍ ଏକ ବଡ଼ ସଫଳତା ପାଇଥିଲେ । ଏହାପରେ ତାଙ୍କୁ ଅନେକ ବଡ଼ ବଡ଼ ବ୍ୟବସାୟ ଏବଂ ଉଦ୍ୟୋଗର ବିଜ୍ଞାପନରେ ସୁଯୋଗ ମିଳିଥିଲା । ବଙ୍ଗଳାଦେଶର ସବୁଠାରୁ ବଡ଼ ଟେଲିକମ୍ ସେବା ଯୋଗାଉଥିବା ଗ୍ରାମୀଣ ଫୋନ୍‌ର ବିଜ୍ଞାପନରେ ବର୍ଷାଙ୍କୁ ସୁଯୋଗ ମିଳିଥିଲା । ଏଥିସ‌ହ ସେ ଅନେକ ଦୂରଦର୍ଶନ ବିଜ୍ଞାପନରେ କାର୍ଯ୍ୟ କରୁଛନ୍ତି । ନିଶ୍ୱାର୍ଥ ଭଲବାଷୋ, ମୋଷ୍ଟ ୱେଲକମ୍ ୨, ସ୍ପିଡ୍ ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବର୍ଷାଙ୍କର ତାଙ୍କର ପ୍ରଥମ ଚଳଚ୍ଚିତ୍ରର ନାୟକ ତ‌ଥା ସ‌ହ ଅଭିନେତା ଅନନ୍ତ ଜଲିଲ୍‌ଙ୍କ ସ‌ହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ସେତେବେଳେ ଏହା ଅଧିକ ଚର୍ଚ୍ଚା ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟ ଏହାକୁ ସ୍ୱୀକାର କରିବା ସ‌ହ ୨୩ ସେପ୍ଟେମ୍ବର ୨୦୧୧ରେ ଉଭୟ ବିବାହ କରିଥିଲେ । ବର୍ତ୍ତମାନ ଉଭୟ ଉଭୟଙ୍କର ଅଭିନୟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଖୋଜ୍: ଦ ସର୍ଚ୍ଚ
  • ହୃଦୟ ଭାଙ୍ଗେ ଢେଉ
  • ମୋଷ୍ଟ ୱେଲ୍‌କମ୍
  • ନିଶ୍ୱାର୍ଥ ଭଲବାଷୋ
  • ମୋଷ୍ଟ ୱେଲକମ୍ ୨
  • ସ୍ପିଡ୍

ଆଧାର[ସମ୍ପାଦନା]

  1. "Bangladeshi Actress Barsha". Bdactress.com. Retrieved 2012-12-23.

ବାହାର ଆଧାର[ସମ୍ପାଦନା]