ଗୌରଚରଣ ଅଧିକାରୀ

ଉଇକିପିଡ଼ିଆ‌ରୁ
ଗୌରଚରଣ ଅଧିକାରୀ
ଜନ୍ମ ଓ ଜନ୍ମସ୍ଥାନଲେହେଙ୍ଗା, ଖୋରଧା, ପୁରୀ ଜିଲ୍ଲା
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ବିଷୟଭକ୍ତି ସଙ୍ଗୀତ ଓ ରାଧାକୃଷ୍ଣ ପ୍ରେମମୂଳକ ଚଉପଦୀ
ସାହିତ୍ୟ କୃତି
  • ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା
  • କୃଷ୍ଣଲୀଳା
ସମ୍ପର୍କୀୟମୁକୁନ୍ଦ ମିଶ୍ର (ପିତା) ସଦାନନ୍ଦ ବ୍ରହ୍ମଚାରୀ (ଦୀକ୍ଷାଗୁରୁ)

ଗୌରଚରଣ ଅଧିକାରୀ ଓଡ଼ିଶାର ଜଣେ ପ୍ରାଚୀନ କବି । ସେ ଅନେକ ଭକ୍ତି ସଙ୍ଗୀତ ଓ ଚଉପଦୀ, ସଂକୀର୍ତ୍ତନ, ବୋଲି, ଚଉତିଶା ଓ ଗ୍ରନ୍ଥର ରଚୟିତା ଅଟନ୍ତି । ସେ କବିସୂର୍ଯ୍ୟ ବଳଦେବ ରଥ ଓ କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସମସାମୟିକ ଥିଲେ ।

ଜୀବନ[ସମ୍ପାଦନା]

ଗୌରଚରଣ ୧୮୧୪ ଖ୍ରୀଷ୍ଟାବ୍ଦ ଭାଦ୍ରବ ମାସ ରାଧାଷ୍ଟମୀ ଦିନ ‌(୧୨୨୧ ସାଲ) ପୁରୀ ଜିଲ୍ଲାର ଖୋର୍ଦ୍ଧା ସବଡିଭିଜନ ଅନ୍ତର୍ଗତ ଲେହେଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୁକୁନ୍ଦ ମିଶ୍ର । ମୁକୁନ୍ଦ ମିଶ୍ରଙ୍କ ଅବସ୍ଥା ଆଦୌ ସ୍ୱଚ୍ଛଳ ନଥିଲା । ତେଣୁ ପାଠଶାଳାଟିଏ କରି ଗୌରଚରଣଙ୍କୁ ପରିବାରର ଭରଣପୋଷଣ କରିବାକୁ ପଡ଼ୁଥିଲା । ତାଙ୍କ ଦୀକ୍ଷାଗୁରୁ ସଦାନନ୍ଦ ବ୍ରହ୍ମଚାରୀ ତାଙ୍କୁ ରଣପୁର ନିକଟବର୍ତ୍ତୀ ପୁରୁଣାବସ୍ତ ଗ୍ରାମରେ ଅବସ୍ଥିର ନିଜ ମଠର ଅଧିକାରୀ ପଦ ପ୍ରଦାନ କରିଥିଲେ । ଏହାଦ୍ୱାରା ଗୌରଚରଣଙ୍କ ଅବସ୍ଥାରେ ଉନ୍ନତି ଘଟିଥିଲା ।[୧]

ଗୌରଚରଣ ଅତି କମ ବୟସରୁ ରାଧାକୃଷ୍ଣ ଓ ଚୈତନ୍ୟଙ୍କ ସମ୍ବନ୍ଧୀୟ ଗୀତ ଲେଖି ପାଠଶାଳାର ଛାତ୍ରମାନଙ୍କ ଶିଖାଉଥିଲେ । ପୁରୁଣାବସ୍ତ ମଠର ଅଧିକାରୀ ହେବା ପରେ ସେ କୃଷ୍ଣଲୀଳା ଗ୍ରନ୍ଥ ରଚନା କରି କୃଷ୍ଣଲୀଳା ଯାତ୍ରା ଅନୁଷ୍ଠାନ କରିଥିଲେ । ସେ ଓଡ଼ିଶା ବଙ୍ଗଳା ମିଶା ସଂକୀର୍ତ୍ତନ ପଦାବଳୀ ରଚନା କରି କୀର୍ତ୍ତନିଆମାନଙ୍କୁ ଦେଉଥିଲେ । ଏହାଦ୍ୱାରା ତାଙ୍କ ଖ୍ୟାତି ଚାରିଆଡ଼େ ବ୍ୟାପିଗଲା । କବି ହେବା ସଙ୍ଗେ ସଙ୍ଗେ ଏକ ଉଚ୍ଚକୋଟିର ସାଧକ ଭାବେ ସେ ପୂଜିତ ହେଉଥିଲେ ଓ ଅନେକ ଲୋକ ତାଙ୍କଠାରୁ ଦୀକ୍ଷା ଗ୍ରହଣ କରୁଥିଲେ । ଗୌରଚରଣ ଗୃହୀ ବୈଷ୍ଣବ ଥିଲେ ।

କବି ଗୌରଚରଣ ୧୮୯୦ ଖ୍ରୀଷ୍ଟାବ୍ଦ (୧୨୯୭ ସାଲ) ମାର୍ଗଶୀର କୃଷ୍ଣ ଏକାଦଶୀ ଦିନ ସୂର୍ଯ୍ୟାସ୍ତ ସମୟରେ କୃଷ୍ଣ ନାମ କହି ଇହଧାମ ତ୍ୟାଗ କରିଥିଲେ ।[୧]

ରଚନାବଳୀ[ସମ୍ପାଦନା]

କବି ଗୌରଚରଣଙ୍କ ରଚନାଗୁଡ଼ିକ ମୁଖ୍ୟତଃ କ୍ଷୁଦ୍ରଗୀତ । ଏଥିରେ ରାଧାକୃଷ୍ଣ ପ୍ରେମ ଆଧାରିତ ଚଉପଦୀ ଓ ଭଜନ ଜଣାଣ ପ୍ରଭୃତି ଭକ୍ତିସଙ୍ଗୀତ ରହିଛି ।

ରଚନାଶୈଳୀ[ସମ୍ପାଦନା]

ଗୌରଚରଣଙ୍କ ଗୀତଗୁଡ଼ିକରେ ତଦ୍ଭବ ଓ ଦେଶଜ ଶବ୍ଦର ବହୁଳ ବ୍ୟବହାର ଦେଖାଯାଏ ।

ସଂରକ୍ଷଣ ଓ ମୁଦ୍ରଣ[ସମ୍ପାଦନା]

ତାଙ୍କ ରଚିତ 'କୃଷ୍ଣଲୀଳା' ଗ୍ରନ୍ଥ କଟକର ଏକାଧିକ ପ୍ରେସ ଛାପିଛନ୍ତି । ତାଙ୍କ ପୁତ୍ର 'ଗୌରହରି ଭଜନ ଶତକ' ବୋଲି ତାଙ୍କର ଖଣ୍ଡିଏ ଗୀତ ସଙ୍ଗ୍ରହ ଅନେକ ବର୍ଷ ତଳେ ପ୍ରକାଶ କରିଥିଲେ । ତାହା ବର୍ତ୍ତମାନ ଦୁଷ୍ପ୍ରାପ୍ୟ । ତାଙ୍କ ରଚିତ 'ଅଦ୍ୱୈତ ମଙ୍ଗଳ' ନାମକ ଓଡ଼ିଶାମିଶା ବଙ୍ଗଳାରେ ଲିଖିତ ଗ୍ରନ୍ଥ ଛପାଯାଇଛି । ଏହା ଛଡ଼ା ତାଙ୍କର ଅନ୍ୟାନ୍ୟ ରଚନା ଏ ଯାଏଁ ପ୍ରକାଶିତ ହୋଇପାରିନାହିଁ ।[୧]

ଗୌରଚରଣ ଅଧିକାରୀଙ୍କ ରଚନାବଳୀ ପ୍ରଥମ ଥର ପାଇଁ ବାବାଜୀ ବୈଷ୍ଣବ ଚରଣ ଦାସଙ୍କଦ୍ୱାରା ସଂଗୃହୀତ ହୋଇ କଳିଙ୍ଗଭାରତୀ ଅନୁଷ୍ଠାନ ପକ୍ଷରୁ 'ଗୀତକଳ୍ପତରୁ' ଗ୍ରନ୍ଥ ଭାବରେ ପ୍ରକାଶିତ ହୋଇଥିଲା ।

  • କୃଷ୍ଣଲୀଳା
  • ଅଦ୍ୱୈତ ମଙ୍ଗଳ
  • ଆଠରସ
  • ପଞ୍ଚସ୍ପୃହ
  • ପଶାଖେଳ
  • ଚମତ୍କାର ଚନ୍ଦ୍ରିକା
  • ଶରଦ୍ରାସ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ଗୀତ କଳ୍ପତରୁ (ପ୍ରଥମ ଶାଖା), ଗୌରଚରଣ ଗୀତାବଳୀ (ପ୍ରଥମ ଭାଗ) । କଳିଙ୍ଗଭାରତୀ ଗ୍ରନ୍ଥମାଳା (ଦ୍ୱିତୀୟ ଖଣ୍ଡ) । ସଂଗ୍ରାହକ- ବାବାଜୀ ଶ୍ରୀ ବୈଷ୍ଣବଚରଣ ଦାସ, ସଂଶୋଧକ ଓ ସମ୍ପାଦକ- ବିଚ୍ଛନ୍ଦଚରଣ ପଟ୍ଟନାୟକ । ଉତ୍କଳ ରାଷ୍ଟ୍ରଭାଷା ପ୍ରକାଶନ ସମିତି, ରାଷ୍ଟ୍ରଭାଷା ରୋଡ଼, କଟକ ।