ପଠାଣି ସାମନ୍ତ

ଉଇକିପିଡ଼ିଆ ରୁ
(Pathani samanta ରୁ ଲେଉଟି ଆସିଛି)
ମହାମହୋପାଧ୍ୟାୟ
ସାମନ୍ତ ଚନ୍ଦ୍ରଶେଖର
ଜନ୍ମ ଓ ଜନ୍ମସ୍ଥାନ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର
୧୩ ଡିସେମ୍ବର ୧୮୩୫(1835-12-13)
ଖଣ୍ଡପଡ଼ା
ତିରୋଧାନ ୧୧ ଜୁନ, ୧୯୦୪ (୬୮ ବର୍ଷ)
ପୁରୀ
ଘର ଖଣ୍ଡପଡ଼ା
ଜାତୀୟତା ଭାରତୀୟ
ଅଲଗା ନାଆଁ ପଠାଣି ସାମନ୍ତ
ଆଞ୍ଚଳିକତା ଓଡ଼ିଆ
ଜୀବିକା ଜ୍ୟୋତିର୍ବିଦ
ଜଣାଶୁଣା କାମସବୁ ସିଦ୍ଧାନ୍ତ ଦର୍ପଣ
ଘର ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା
ବାପା ମା ଶ୍ୟାମବନ୍ଧୁ ସିଂହ, ବିଷ୍ଣୁମାଳୀ ଦେବୀ
ପୁରସ୍କାର ମହାମହୋପାଧ୍ୟାୟ

ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ ।[୧] ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।[୨] ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।

ଜୀବନକାଳ[ସମ୍ପାଦନା]

୧୮୩୫ ମସିହା ଡିସେମ୍ବର ୧୩ତାରିଖ[୩] ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ଚନ୍ଦ୍ରଶେଖର ଖଣ୍ଡପଡ଼ା ରାଜବଂଶରେ ଜନ୍ମଗ୍ରହଣ କରିଥିଲେ । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ ମହାଦେବ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ପ୍ରସାଦରୁ ଏହି ବାଳକ ଜନ୍ମଗ୍ରହଣ କରିଥିବାର ବିଶ୍ଵାସ କରି, ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ, ତାଙ୍କ ଅପର୍ତ୍ତ୍ୟାଣି ନାମ ପଠାଣି ରଖାଯାଇଥିଲା । ପିଲାଦିନୁ ସେ ଉଦାସୀନ, ମନଯୋଗୀ, ଏକାଗ୍ରଚିତ୍ତ ଓ ଅଧ୍ୟବସାୟୀ ଓ ଉଦାରମନା ଥିଲେ । ଗୁରୁ କୃତ୍ତିବାସ ରଥଙ୍କଠାରୁ ବାଲ୍ୟଶିକ୍ଷା ଓ ଗୁରୁ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗାଙ୍କଠାରୁ ସଂସ୍କୃତ ଶିକ୍ଷା ଲାଭ କରିଥିଲେ ।[୪] ଚନ୍ଦ୍ରଶେଖରଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଥିଲେ । ଗଣିତ ଜ୍ୟୋତିଷରେ ତାହାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଚନ୍ଦ୍ରଶେଖର ବାପାଙ୍କ ଠାରୁ ଗଣିତ ଜ୍ୟୋତିଷର ଆଲୋଚନା ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ । ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ପର୍ଯ୍ୟାଲୋଚନା କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ । ଦୁଇଗୋଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତର ଗ୍ରହ ମଣ୍ଡଳର ନକ୍ଷତ୍ର ମାନଙ୍କର ଗତି ଅବଲୋକନ କରି [୫]ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ତାହା ପୁରାତନ ସଂସ୍କୃତ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ ସହିତ ତାହାର ଅନେକ ଅସମାନତା ଥିଲା । ତାହାଙ୍କର ନିଜ ସିଦ୍ଧାନ୍ତରୁ ପ୍ରମାଣିତ ହେଲା ଯେ, ପୁରାତନ ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନା ଦିବସରୁ ନକ୍ଷତ୍ର ଜଗତର ସ୍ଥିତି ଗତିର ବଦଳିଯାଇଛି । ତାଙ୍କର ନୂତନ ମୌଳିକ ଗଣନା ଅନୁଯାୟୀ ସେ ସିଦ୍ଧାନ୍ତ ଦର୍ପଣ ପୋଥି ରଚନା କଲେ ।[୬]

ରଚନାବଳୀ[ସମ୍ପାଦନା]

  • ସିଦ୍ଧାନ୍ତ ଦର୍ପଣ (୧୮୯୯ରେ କଲିକତା ବିଶ୍ଵବିଦ୍ୟାଳୟରୁ ପ୍ରକାଶିତ) ଏଥିରେ ପାଖାପାଖି ୨୦୦୦ଗୋଟି ପଦ ରହିଅଛି ।[୧]

ପଠାଣି ସାମନ୍ତ ୧୮୬୯ ମସିହା ମେଷ ସଂକ୍ରମଣ ଦିନ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥର ରଚନା ଆରମ୍ଭ କରିଥିଲେ । ୩୪ବର୍ଷ ବୟସରୁ ଆରମ୍ଭ କରିଥିବା ଏହି ଗ୍ରନ୍ଥ ମୁକୁନ୍ଦ ଦେବଙ୍କ ୧୪ଶ ଅଙ୍କ ମାର୍ଗଶୀର କୃଷ୍ଣ ନବମୀ ଶନିବାର ଅର୍ଥାତ ୧୮୯୨ ମସିହା ନଭେମ୍ବର ୧୨ତାରିଖ ଦିନ ସମାପ୍ତ ହୋଇଥିଲା । ଅତି ସୁନ୍ଦର ପଦ୍ୟାବଳି ସହ ସଂସ୍କୃତ ଭାଷାରେ ଲିଖିତ ଏହି ବୃହତ ଗ୍ରନ୍ଥରେ ୨୪ଟି ବିଭାଗ ଏବଂ ୨୫୦୦ଟି ଶ୍ଳୋକ ସ୍ଥାନିତ ହୋଇଛି । ଏଥିମଧ୍ୟରୁ ୨୨୮୪ଟି ଶ୍ଳୋକ ସାମନ୍ତଙ୍କ ଦ୍ଵାରା ରଚିତ ହୋଇଥିବା ବେଳେ ଅବଶିଷ୍ଟ ପୁରାତନ ସିଦ୍ଧାନ୍ତମାନଙ୍କରୁ ଗୃହୀତ । ଏହି ଗ୍ରନ୍ଥ ମଧ୍ୟାଧିକାର, ସ୍ଫୁଟାଧିକାର, ତ୍ରିପ୍ରଶ୍ନାଧିକାର, ଗୋଳାଧିକାର ଓ କାଳାଧିକାର ପରି ପଞ୍ଚ ଅଧିକାରରେ ବିଭକ୍ତ । ତାଳପତ୍ର ଉପରେ ଲିଖିତ ପଠାଣି ସାମନ୍ତଙ୍କ ହସ୍ତଲିପିକୁ ଘନଶ୍ୟାମ ମିଶ୍ର କାଗଜକୁ ଉତ୍ତାରିଥିଲେ । ତତ୍କାଳିନ କରଦରାଜ୍ୟ ସମୂହର ତଦନାନ୍ତୀନ ସହକାରୀ ସୁପରିଟେଣ୍ଡେଣ୍ଟ ସୁଦାମ ଚରଣ ନାୟକଙ୍କ ଉଦ୍ୟମରେ ଆଠମଲ୍ଲିକ ରାଜା ମହେନ୍ଦ୍ର ଦେଓ ଓ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଆର୍ଥିକ ସହାୟତା କ୍ରମେ କଲିକତା ସ୍ଥିତ ଗିରୀଶ ବିଦ୍ୟାରତ୍ନ ମୁଦ୍ରଣାଳୟରେ ୧୮୯୪ ମସିହାରେ ଛାପାକାର୍ଯ୍ୟ ଆରମ୍ଭ ହୋଇଥିଲା ।[୭]

ଏହି ଗ୍ରନ୍ଥଟି ପାଖାପାଖି ୧୦୦ ବର୍ଷ ପର୍ଯ୍ୟନ୍ତ ଅନାଲୋଚିତ ହୋଇ ରହିଥିଲା । ଅଧ୍ୟାପକ ଯୋଗେଶଚନ୍ଦ୍ର ରାୟ ବିଦ୍ୟାନିଧି ‘‘ନେଚର କଲେଜ’’ ନାମକ ପତ୍ରିକାରେ ଏ ବିଷୟରେ ଏକ ଲେଖା ପ୍ରକାଶ କରି ଏହାକୁ ଲୋକ ଲୋଚନକୁ ଆଣିଥିଲେ । ପଦାର୍ଥବିଜ୍ଞାନୀ ପ୍ରଫେସର ଲକ୍ଷ୍ମୀଧର ଶତପଥି ଓ ଡଃ ପ୍ରହଲ୍ଲାଦ ଚନ୍ଦ୍ର ନାୟକ ମିଳିତ ଭାବେ ପଠାଣି ସାମନ୍ତ ସମ୍ବନ୍ଧରେ କତିପୟ ପ୍ରବନ୍ଧ ପ୍ରକାଶ କରି ଅଛନ୍ତି । କେତକ ଭାରତୀୟ ଓ ଅଣ-ଭାରତୀୟ ବୈଜ୍ଞାନିକଙ୍କ ଚେଷ୍ଟାରେ ତାଙ୍କ ସମ୍ବନ୍ଧରେ ‘‘ବୌଦ୍ଧିକ ଅବଦାନ’’ ନାମକ ପୁସ୍ତକ ଦିଲ୍ଲୀର ନିରୋସା ପବ୍ଲିସିଂ ହାଉସ ତରଫରୁ ପ୍ରକାଶିତ ହୋଇଛି ।[୮]

ତାଙ୍କ ତିଆରି ଯନ୍ତ୍ର[ସମ୍ପାଦନା]

  • ଗୋଲଯନ୍ତ୍ର
  • ସୂର୍ଯ୍ୟଘଡ଼ି (ଏହା ସୂର୍ଯ୍ୟଙ୍କ ଗତିକୁ ନେଇ ସମୟ ନିରୂପଣ ପାଇଁ ବ୍ୟବହାର କରାଯାଇଥାଏ)
  • ଶଙ୍କୁଦଣ୍ଡ
  • ଉଲମ୍ବୀ ଚକ୍ର
  • ମାନଯନ୍ତ୍ର
  • ଖଗୋଳଯନ୍ତ୍ର

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଫଳିତ ଜ୍ୟୋତିଷର ନିର୍ଭୁଲ ଗଣନା ଯୋଗୁଁ ତାଙ୍କୁ ୧୮୯୩ ମସିହାରେ ମହାମହୋପାଧ୍ୟାୟ ଉପାଧିରେ ବିଭୂଷିତ କରାଯାଇଥିଲା।
  • ତା ୨୦.୧୧.୧୯୦୩ରିଖରେ ତତ୍କାଳିନ ଇଂରେଜ ସରକାର ତାଙ୍କୁ ଟ୫୦ଙ୍କାର ମାସିକ ବୃତ୍ତି ପ୍ରଦାନ କରିଥିଲେ।

ଶେଷ ଜୀବନ[ସମ୍ପାଦନା]

ନିଜର ଜାତକକୁ ଗଣନା କରି ନିଜର ମୃତ୍ୟୁ ସମୟ ସେ ବହୁ ପୂର୍ବରୁ ଜାଣି ପାରିଥିଲେ । ସେଥିପାଇଁ ଅନ୍ତିମ କାଳରେ ସେ ପୁରୀରେ ଅବସ୍ଥାନ ପୂର୍ବକ ମହାପ୍ରଭୁ ଜଗନ୍ନାଥଙ୍କ କୃପାଲାଭ କରି ୧୧ ଜୁନ୧୯୦୪ରେ ଇହଲୀଳା ସମ୍ବରଣ କରିଥିଲେ । କବିବର ରାଧାନାଥ ତାଙ୍କର ପ୍ରତିଭା ଓ କୃତିକୁ ଲକ୍ଷ୍ୟକରି ଦରବାର କବିତାରେ ଲେଖିଛନ୍ତି
‘‘ଉତ୍କଳମାତାର ଯୋଗ୍ୟତମ ସୂତ,
ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ,
ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ,
ନର ଦେହେଥିବ ଯାବତ ହୃଦୟ।’’

ସ୍ମୃତି ସନ୍ତକ[ସମ୍ପାଦନା]

"ନିଜ ଦେଶରେ ନିଜ ଗ୍ରାମରେ , ଆପଣା ଜୀବିତ କାଳରେ ମହାପୁରୁଷ ମାନେ ସମ୍ମାନିତ ହେବାର ମହାପୁରୁଷମାନଙ୍କର ଜୀବନରେ କ୍ୱଚିତ୍ ଘଟିଥାଏ । ଆମ ଦେଶର "ଗାଁ କନିଆଁ ସିଙ୍ଘାଣିନାକୀ" ଏବଂ "ଗାଁ ବଳଦ ଗାଁରେ ବିକାଯାଏ ନାହିଁ " ପ୍ରଭୃତି ପ୍ରବଚନ ଏହି ଉକ୍ତିର ସତ୍ୟତା ପ୍ରତିପାଦନ କରୁଅଛି ।"

ଆଧାର[ସମ୍ପାଦନା]

  1. ୧.୦ ୧.୧ Samanta Chandrasekhar. Nayagarh district portal. Arun Kumar Upadhyaya, in his translation of the Siddhanta Darpana – interprets this Shloka as:
    “Solar eclipse due to Sukra (Venus) – To find the eclipse of the Sun due to Sukra, their bimba (angular diameter) and size of other tara graha (stars and planets nearby?) is stated. In Kali year 4975 (1874 AD) there was a Solar Eclipse due to Sukra in Vrischika Rasi (Scorpio). Then Sukra bimba was seen as 1/32 of solar bimba which is equal to 650 yojana. Thus it is well proved that bimba of Sukra and planets is much smaller than the Sun.”
  2. "Famous eminent persons poets freedom fighters of Orissa.". insideorissa.co.in. 2012. http://www.insideorissa.co.in/eminent_persons.php. Retrieved 17 July 2012. "Mahamahopadhyaya Chandra Sekhar Simha Samanta Harichandan Mohapatra, popularly in Orissa as Pathani Samanta" 
  3. "ASTROLOGERS OF ORISSA". orissa.gov.in. http://orissa.gov.in/eminent/astrologer.htm. Retrieved 6 April 2013. "He was born on 13/12/1835 at Khandapada" 
  4. ପ୍ରମେୟ ୧୧/୦୬/୨୦୧୪ ପୃଷ୍ଠା ୮ରେ ପ୍ରକାଶିତ ଗିରିଜା ଶଙ୍କର ତରାସିଆଙ୍କ ପ୍ରବନ୍ଧ 'ଆମ ଗୌରବ ପଠାଣି ସାମନ୍ତ'
  5. 174th Pathani Samanta Jayanti. 25 December 2010
  6. Prabhukalyan Mohapatra. Pathani Samanta : The Great Hindu Astrologer. Orissa Review. December - 2007
  7. ଧରିତ୍ରୀ, ୧୭ଡିସେମ୍ବର୨୦୧୧, ପୃଷ୍ଠା:୦୬
  8. ଉତ୍କଳ ପ୍ରସଙ୍ଗ, ଡିସେମ୍ବର ୨୦୦୪ - ‘‘ଜ୍ୟୋତିର୍ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର’’ - ଶ୍ରୀନିବାସ ଆଚାର୍ଯ୍ୟ