ବୋଲ ବମ

ଉଇକିପିଡ଼ିଆ‌ରୁ
(Bol bamରୁ ଲେଉଟି ଆସିଛି)
ବୋଲ ବମ

ବୋଲ ବମ କହିଲେ ଶ୍ରାବଣ ମାସରେ ଜଳାଭିଷେକ କରିବା ପାଇଁ ଶିବ ମନ୍ଦିର ଉଦ୍ଦେଶ୍ୟରେ କରାଯାଉଥିବା ଧାର୍ମିକ ପଦଯାତ୍ରାକୁ ବୁଝାଯାଏ । ଓଡ଼ିଶାର ବିଭିନ୍ନ ଶୈବକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ । ଆଷାଢ଼ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ବୋଲ ବମ ଯାତ୍ରାରେ ଭାଗନେଉଥିବା ଭକ୍ତମାନଙ୍କୁ 'କାଉଡ଼ିଆ' କହାଯାଏ । ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ବହୁ ଭକ୍ତ କଟକରୁ ମହାନଦୀର ଗଡ଼ଗଡ଼ିଆ ଘାଟରୁ ପାଣି ଆଣି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଢାଳନ୍ତି । [୧] ଏହା ବ୍ୟତିତ ଓଡ଼ିଶାର ଅନ୍ୟାନ ସ୍ଥାନ ଯଥା, ପୁରୀର ଲୋକନାଥ ମନ୍ଦିରରେ, ଆଖଣ୍ଡଳମଣି ମନ୍ଦିରରେ, ଢେଙ୍କାନାଳର କପିଳାସ ଶିବ ମନ୍ଦିର ଆଦିରେ ମଧ୍ୟ ଭକ୍ତମାନେ ପାଣି ଢାଳନ୍ତି । [୨] ଏହି ଧାର୍ମିକ ଯାତ୍ରାରେ ଆଜିକାଲି ମହିଳାମାନେ ମଧ୍ୟ ବହୁ ସଂଖ୍ୟାରେ ଭାଗ ନେଲେଣି । [୩] ଯାତ୍ରା ସମୟରେ 'କାଉଡ଼ିଆ'ମାନଙ୍କର ସେବା ଶୁଶ୍ରୂଷା ତଥା ଯାତ୍ରା କଷ୍ଟ ଲାଘବ କରିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ସାଧାରଣ ଜନତା ରାସ୍ତାକଡ଼ରେ ବିଶ୍ରାମ ଓ ଜଳଯୋଗର ବ୍ୟବସ୍ଥା କରିଥାନ୍ତି ।

ପୌରାଣିକ ମତ[ସମ୍ପାଦନା]

ଦେବତା ଓ ଅସୁରମାନଙ୍କଦ୍ୱାରା କରାଯାଇଥିବା ସମୁଦ୍ରମନ୍ଥନ ଯୋଗୁଁ , ଶ୍ରାବଣ ମାସ ଅମାବାସ୍ୟା ଦିନ ସମୁଦ୍ରରୁ ଅମୃତ ଓ ବିଷ ପ୍ରାପ୍ତ ହୋଇଥିଲା । ଦେବତାମାନଙ୍କ ଅନୁରୋଧକ୍ରମେ, ମହାଦେବ ସେହି ବିଷପାନ କରିଥିଲେ । ସେହି ବିଷର ଉତ୍କଟ ଜ୍ୱାଳାରେ ତାଙ୍କ କଣ୍ଠ ନୀଳବର୍ଣ୍ଣ ହୋଇଯାଇଥିଲା । ବିଷପାନ ଯନ୍ତ୍ରଣାକୁ ଲାଘବ କରିବା ପାଇଁ, ଦେବତାଗଣ, ମହାଦେବଙ୍କ ମସ୍ତକରେ ସୁବାସିତ ଜଳ ଢାଲିଥିଲେ । ଏହାକୁ ମନେପକାଇବା ପାଇଁ, ପ୍ରତିବର୍ଷ ଶ୍ରାବଣ ମାସରେ ନୀଳକଣ୍ଠଙ୍କ ଜଳଲାଗି ଉତ୍ସବ ପାଳନ କରାଯାଏ । [୪]

ଆଧାର[ସମ୍ପାଦନା]