ଭୁବନେଶ୍ୱରୀ

ଉଇକିପିଡ଼ିଆ‌ରୁ
(Bhuvaneshvariରୁ ଲେଉଟି ଆସିଛି)
ଭୁବନେଶ୍ୱରୀ

ଦେବୀଙ୍କ ଶରୀରର କାନ୍ତି ଉଦିତ ସୂର୍ଯ୍ୟଙ୍କ ପରି ସୁନ୍ଦର I ଦେବୀଙ୍କ କପାଳରେ ଅର୍ଦ୍ଧଚନ୍ଦ୍ର, ମସ୍ତକରେ ମୁକୁଟ, ଦୁଇବକ୍ଷୋଜ ଉଚ୍ଚ, ତ୍ରିନେତ୍ର ଓ ସବୁବେଳେ ହସହସ ମୁହଁ, ଚାରିହାତରେ ବର, ଅଙ୍କୁଶ, ପାଶ ଓ ଅଭୟ ମୁଦ୍ରାରେ ବିଦ୍ୟମାନ I ଦେବୀ ଭାଗବତରେ ବର୍ଣ୍ଣନା କରାଯାଇଛି ମୂଳ ପ୍ରକୃତି ଯୋଗମାୟା, ଚିନ୍ମୟୀ ଭୁବନେଶ୍ୱରୀଙ୍କଠାରୁ ଜଗତର ଉତ୍ପତ୍ତି କାଳରେ ପ୍ରାଣର ଅଧିଷ୍ଠାତ୍ରୀ ଦେବୀ ରାଧା ଓ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ଦୁର୍ଗା ଆବିର୍ଭୂତା ହୋଇଥିଲେ I ମା’ ଭୁବନେଶ୍ୱରୀଙ୍କ ଧାମକୁ ମଣିଦ୍ୱୀପ କୁହାଯାଏ I ସେଠାରେ ‘ ଚିନ୍ତାମଣି ’ ନିବାସରେ ମାଆ ଅବସ୍ଥାନ କରନ୍ତି I ମା’ଙ୍କର ହ୍ରାଁ, ପୁଷ୍ଟି, ପ୍ରଜ୍ଞା, ସିନୀ, ଅମ୍ବିକା, ଆହ୍ଲାଦିନୀ ଆଦି ବତ୍ରିଶ ପାର୍ଶ୍ୱ ଦେବୀ ଅଛନ୍ତି I ଏମାନେ ଆଦେଶ ପାଇବା ମାତ୍ରେ ସୃଷ୍ଟିକୁ ସଂହାର କରନ୍ତି I ଭୁବନେଶ୍ୱରୀଙ୍କର ଅସଂଖ୍ୟ ଦାସଦାସୀ ସହିତ ଷୋଡଶ ଶକ୍ତି, ଅଷ୍ଟବସୁ, ଏକାଦଶ ରୁଦ୍ର ଓ ଦ୍ୱାଦଶ ଆଦିତ୍ୟ ଅଛନ୍ତି I ସମସ୍ତ ଶାକ୍ତତନ୍ତ୍ରରେ ଏକାକ୍ଷରୀ ଭୁବନେଶ୍ୱରୀଙ୍କୁ ଦେବୀପ୍ରଣବ,ଶକ୍ତିବୀଜ,ସର୍ବମନ୍ତ୍ରର ହୃଦୟରୂପିଣୀ ହୃଲ୍ଲେଖା ନାମରେ ସ୍ତୁତି କରାଯାଇଛି I ସେହି ଦେବୀ ଭାଗବତରେ ମାତା ଭୁବନେଶ୍ୱରୀଙ୍କୁ ପ୍ରଣବ ରୂପିଣୀ ବ୍ରହ୍ମ ରୂପେ ସ୍ତୁତି କରାଯାଇଛି I ସ୍ୱୟଂ ବିଷ୍ଣୁ ସୃଷ୍ଟିର ଆରମ୍ଭରେ ରାତ୍ରୀଦେବୀ ଭୁବନେଶ୍ୱରୀଙ୍କୁ ପୂଜା କରିଥିବାରୁ ତାଙ୍କୁ ପରମ ବୈଷ୍ଣବୀ ମଧ୍ୟ କୁହାଯାଏ I ଜ୍ଞାନୀମାନଙ୍କର ହୃଦୟରେ ଅବସ୍ଥାନ କରୁଥିବାରୁ ଦେବୀ ଭୁବନେଶ୍ୱରୀଙ୍କ ଅନ୍ୟ ନାମ ହୃଲ୍ଲେଖା । ମା' ଅନ୍ନପୂର୍ଣ୍ଣା ମଧ୍ୟ ଭୁବନେଶ୍ୱରୀ ମନ୍ତ୍ରବୀଜଦ୍ୱାରା ପୂଜିତା । ଓଡ଼ିଶାରେ ପୁରୁଷୋତ୍ତମ ଧାମରେ ବିମଳାଙ୍କ ପୀଠରେ ଅନ୍ନପୂର୍ଣ୍ଣା ରୂପରେ, ରତ୍ନ ସିଂହାସନରେ ଦେବୀ ସୁଭଦ୍ରାଙ୍କ ପୂଜାରେ ୟୋଗମାୟା ରୂପରେ,କଟକର କଟକଚଣ୍ଡୀ ପୀଠରେ ରାଷ୍ଟ୍ରଦେବୀ ରୂପରେ ଓ ଭୁବନେଶ୍ୱରସ୍ଥ ଗୋପାଳିନୀଙ୍କ ପୂଜାରେ ଶମ୍ଭୁବନିତା ରୂପରେ ବହୁ ପ୍ରାଚୀନ କାଳରୁ ଭୁବନେଶ୍ୱରୀଙ୍କ ମନ୍ତ୍ର ଓ ପୂଜା ପଦ୍ଧତି ଅନୁସରଣ କରାଯାଏ I ଶ୍ରୀମନ୍ଦିର ଭିତରେ ମଧ୍ୟ ନୀଳମାଧବଙ୍କ ମନ୍ଦିର ନିକଟରେ ଚତୁର୍ଭୁଜା ଭୁବନେଶ୍ୱରୀଙ୍କ ମନ୍ଦିର ଅଛି I ଶାରଦୀୟ ଓ ବାସନ୍ତିକ ପୂଜା ବେଳେ ସେଠାରେ ବିଶେଷ ନୀତି ଅନୁଷ୍ଠିତ ହୁଏ I ଓଡ଼ିଶାର ଷୋହଳ ଶାସନ ଓ ଅନ୍ୟାନ୍ୟ ଶାସନମାନଙ୍କରେ ସ୍ମାର୍ତ ବ୍ରାହ୍ମଣମାନେ ଦଶ ମହାବିଦ୍ୟା ଅନ୍ତର୍ଭୁକ୍ତ ଚତୁର୍ଥ ମହାବିଦ୍ୟା ଭୁବନେଶ୍ୱରୀଙ୍କୁ କୁଳଦେବୀ ବା ଇଷ୍ଟଦେବୀ ରୂପେ ପୂଜା କରନ୍ତି I ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଦେବୀ ପୂଜା ପାଉଛନ୍ତି ଗୋପାଳିନୀ ବା ଭୁବନେଶ୍ୱରୀ ରୂପରେ I ମୂଳାଷ୍ଟମୀଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ସେଠାରେ ପୂଜା ଅନୁଷ୍ଠିତ ହୋଇଥାଏ I ଏହାବ୍ୟତୀତ ଭୁବନେଶ୍ୱର ମହାନଗରୀରେ ଅନେକ ସ୍ଥାନରେ ଭୁବନେଶ୍ୱରୀ ମନ୍ଦିର ଓ ଉପାସନାର ପରମ୍ପରା ପ୍ରଚଳିତ I ଶ୍ରୀଜଗନ୍ନାଥଙ୍କୁ ଭୁବନେଶ୍ୱରୀଙ୍କ ବୈଷ୍ଣବ ଶକ୍ତିର ପରମ ପୁରୁଷ ରୂପେ ଗ୍ରହଣ କରାଯାଏ ଓ ମା’ବିମଳା ଭୁବନେଶ୍ୱରୀ ତତ୍ତ୍ୱର ସାଦୃଶ୍ୟ ଯୋଗୁଁ ଉଭୟ ଦେବୀଙ୍କୁ ଓଡ଼ିଶାର ରାଷ୍ଟ୍ରଦେବୀ ମାନ୍ୟତା ଦିଆଯାଏ I [୧]

ଆଧାର[ସମ୍ପାଦନା]

  1. ସମ୍ବାଦ, ପୃଷ୍ଠା-୨, ୩.୧.୨୦୧୩

ଅଧିକ ତଥ୍ୟ[ସମ୍ପାଦନା]

  • Tantric Yoga and the Wisdom Goddesses: David Frawley
  • Hindu Goddesses: Vision of the Divine Feminine in the Hindu Religious Traditions (ISBN 81-208-0379-5) by David Kinsley