ହରିଶ୍ଚନ୍ଦ୍ର

ଉଇକିପିଡ଼ିଆ‌ରୁ
ହରିଶ୍ଚନ୍ଦ୍ର ନିଜ ସ୍ତ୍ରୀ ଓ ପୁତ୍ରଙ୍କଠାରୁ ବିଚ୍ଛିନ୍ନ ହେବାର ଚିତ୍ର

ତ୍ରେତୟା ଯୁଗର ସୂର୍ଯ୍ୟବଂଶୀଯ ଅଷ୍ଟାବିଂଶ ରାଜା ।[୧] ଏହାଙ୍କର ପିତା ତ୍ରିଶଙ୍କୁ ପୁତ୍ର ରୋହିତାଶ୍ୱ ଓ ରାଣୀ ଶୈବ୍ୟା ।ଏ ଅତି ଧର୍ମନିଷ୍ଠ, ଗୁଣବାନ୍ ଓ ଦାତା ଥିଲେ ଦିନେ ସ୍ୱର୍ଗରେ ବିଶ୍ୱାମିତ୍ର ବଶିଷ୍ଟଙ୍କଠାରୁ ହରିଶ୍ଚନ୍ଦ୍ରଙ୍କ ଧର୍ମନିଷ୍ଠା ଓ ଦାନତ୍ୱର ପ୍ରଶଂସା ଶୁଣି ଏହା ପରୀକ୍ଷା କରିବା ପାଇଁ ହରିଶ୍ଚନ୍ଦ୍ରଙ୍କ ନିକଟରେ ଉପସ୍ଥିତ ହେଲେ; ଏବଂ ଏହାଙ୍କୁ ରାଜ୍ୟ ସହିତ ସର୍ବସ୍ୱ ମାଗିବାରୁ ଏ ଅକୁଣ୍ଠିତ ଚିତ୍ତରେ ବିଶ୍ୱାମିତ୍ରକୁ ସମସ୍ତ ଦାନ କରି ଏକବସ୍ତ୍ର ହୋଇ ସ୍ତ୍ରୀ ଓ ପୁତ୍ର ସହିତ ରାଜ୍ୟତ୍ୟାଗ କଲେ । ତଥାପି ବିଶ୍ୱାମିତ୍ର ଏତିକିରେ ସନ୍ତୁଷ୍ଟ ନ ହୋଇ ଏହାଙ୍କଠାରୁ 'ଦାନର ଦକ୍ଷିଣା' ପାଇବା ପାଇଁ ଅଳି କଲେ । ବିଶ୍ୱାମିତ୍ରଙ୍କୁ ଦକ୍ଷିଣା ଦେବାପାଇଁ ଧନ ସଂଗ୍ରହ କରିବାର ଅନ୍ୟଉପାୟ ନଥିବାରୁ ହରିଶ୍ଚନ୍ଦ୍ର ନିଜର ସ୍ତ୍ରୀ ଶୈବ୍ୟାଙ୍କୁ ଦାସୀରୂପେ ଓ ଏକମାତ୍ର ପୁତ୍ର ରୋହିତାଶ୍ୱକୁ ଦାସରୂପେ ଜଣେ ବ୍ରାହ୍ମଣଙ୍କୁ ବିକ୍ରି କଲେ ଓ ନିଜେ ଗୋଟିଏ ଚଣ୍ଡାଳ ନିକଟରେ ଦାସତ୍ୱ ଗ୍ରହଣ କରି, ଏବଂ ଭୂତ ଦାସତ୍ୱଲବ୍ଧ ଧନ ଆଣି ବିଶ୍ୱାମିତ୍ରଙ୍କୁ ଦକ୍ଷିଣା ଦେଲେ । ଶ୍ମଶାନରେ ଶବସଂସ୍କାର କରିବାପାଇଁ ଆସିବା ବ୍ୟକ୍ତିମାନଙ୍କଠାରୁ ଶୁଳ୍କ (ଟିକସ) ଅସୁଲ କରିବାର ଭାର ଏହାଙ୍କ ଖମିଦ ଚଣ୍ଡାଳ ହରିଶ୍ଚନ୍ଦ୍ରଙ୍କଠାରେ ଅର୍ପଣ କରିଥିଲା; ତେଣୁ ଏ ଅଗତ୍ୟା ଶ୍ମଶାନରେ ରହି ସେ କାର୍ଯ୍ୟ କରୁଥାଆନ୍ତି ଏଣେ ଶୈବ୍ୟା ରୋହତାଶ୍ୱ ସହିତ ବ୍ରାହ୍ମଣ ଘରେ ଦାସୀ ବୃତ୍ତି କରି ଅତି ଦୁଃଖରେ କାଳୟାପନ କରୁଥାଆନ୍ତି, ଓ ଏହି ଅବସ୍ଥାରେ ହରିଶ୍ଚନ୍ଦ୍ରଙ୍କ ସଙ୍ଗେ ସ୍ତ୍ରୀଙ୍କର ଓ ପୁତ୍ରଙ୍କର କିଛିମାତ୍ର ସଂଶ୍ରବ ନ ଥାଏ ଏହିରୂପେ କିଛି ଦିନ ଗତ ହେବା ପରେ ରୋହିତାଶ୍ୱ ସର୍ପଦଂଶନରେ ପ୍ରାଣତ୍ୟାଗ କଲା । ଶୈବ୍ୟା ପୁତ୍ରର ଶବକୁ ସଂସ୍କାର କରିବାପାଇଁ ନିଶାରାତିରେ ଶ୍ମଶାନକୁ ନେଲେ ପ୍ରଥମେ ସ୍ୱାମୀ ଓ ସ୍ତ୍ରୀ କେହି କାହାରିକୁ ଚିହ୍ନି ପାରିଲେ ନାହିଁ ଶ୍ମଶାନରେ ଶୁଳ୍କ ଦେବାପାଇଁ ଶୈବ୍ୟାଙ୍କର ଅର୍ଥସଙ୍ଗତି ନ ଥିଲା ତଥାପି ଚଣ୍ଡାଳର ନିର୍ଦ୍ଧାରିତ ଶୁଳ୍କ ଦେବାପାଇଁ ହରିଶ୍ଚନ୍ଦ୍ର ଶୈବ୍ୟାଙ୍କୁ ଜିଗର କରିବାରୁ ଶୈବ୍ୟା ଶୋକାଭିଭୁତା ହୋଇ ନିଜର ପୂର୍ବ ବୃତ୍ତାନ୍ତ ବର୍ଣ୍ଣନା କରି ରୋଦନ କଲେ; ହରିଶ୍ଚନ୍ଦ୍ର ଶୈବ୍ୟାଙ୍କୁ ଓ ଶୈବ୍ୟା ହରିଶ୍ଚନ୍ଦ୍ରଙ୍କୁ ଚିହ୍ନିଲେ ଏକମାତ୍ର ପୁତ୍ର ମୃତ ହେବାରୁ ମାତାପିତା ଦୁହେଁ ମଧ୍ୟ ପୁତ୍ରର ଶବ ସଙ୍ଗେ ଚିତାଗ୍ନିରେ ଝାସ ଦେଇ ଇହଲୋକର ପାପତାପ ଦୁଃଖଶୋକରୁ ମୃକ୍ତ ହେବା ପାଇଁ ଚିତାଗ୍ନି ଜଳାଇଲେ । ଏହି ଅବସ୍ଥାରେ ଏହାଙ୍କର ଧର୍ମନିଷ୍ଠତାରେ ପ୍ରୀତ ହୋଇ ବିଶ୍ୱାମିତ୍ର ସେହି ଶ୍ମଶାନରେ ଉପସ୍ଥିତ ହେଲେ ଓ ବର ଦାନପୂର୍ବକ ରୋହିତାଶ୍ୱକୁ ଜୀଆଇଁ ଦେଲେ ଓ ହରିଶ୍ଚନ୍ଦ୍ରଙ୍କୁ ରାଜ୍ୟ ଫେରାଇ ଦେଲେ ।

ଆଧାର[ସମ୍ପାଦନା]

  1. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 23 April 2013. ସୂର୍ଯ୍ୟବଂଶୀଯ ଅଷ୍ଟାବିଂଶ ରାଜା[permanent dead link]

ବାହାର ତଥ୍ୟ[ସମ୍ପାଦନା]