ସୋମବତୀ ଅମାବାସ୍ୟା

ଉଇକିପିଡ଼ିଆ‌ରୁ
ସୋମବତୀ ଅମାବାସ୍ୟା
ତାରିଖସୋମବାର ଦିନ ଅମାବାସ୍ୟା
୨୦୨୪ ତାରିଖdate missing (please add)

ସୋମବାର ଦିନ ପଡୁଥିବା ଅମାବାସ୍ୟା ସୋମବତୀ ଅମାବାସ୍ୟା ଭାବେ ପରିଚିତ ।[୧] ଗୋଟିଏ ଗରିବ ବ୍ରାହ୍ମଣ ପରିବାରର ଏକ ଅନୂଢ଼ା କନ୍ୟା ଥିଲା । ଝିଅଟି ସମସ୍ତ ଗୁଣରେ ପରିପୂର୍ଣ୍ଣ ଥିଲେ ମଧ୍ୟ ତା’ର ବିବାହ ହୋଇପାରୁନଥିଲା । କନ୍ୟାର ବିବାହକୁ ନେଇ ବ୍ରାହ୍ମଣ ଦମ୍ପତି ସର୍ବଦା ଚିନ୍ତିତ ଥିଲେ । ଏକଦା ଜନୈକ ସାଧୁ ମହାରାଜ ଉକ୍ତ ବ୍ରାହ୍ମଣଙ୍କ ଘରେ ଉପସ୍ଥିତ ହେଲେ । ବ୍ରାହ୍ମଣ କନ୍ୟାର ସେବାରେ ସନ୍ତୁଷ୍ଟ ହୋଇ, ତା’ଭାଗ୍ୟରେ କ’ଣ ଅଛି ଗଣନା କଲେ । କିନ୍ତୁ ଉକ୍ତ କନ୍ୟାର ବିବାହ ଯୋଗନାହିଁ ବୋଲି ବ୍ରାହ୍ମଣ ଦମ୍ପତିଙ୍କୁ ସୂଚାଇଦେଲେ । ଏହାର ଉପାୟ କହିଲେ- ଯଦି ତୁମ କନ୍ୟା ସୋନା ନାମକ ଧୋବଣୀ ଘରେ ଯାଇ ତାଙ୍କର ସେବାଶୁଶ୍ରୁଷା କରିବ ଓ ଉକ୍ତ ଧୋବଣୀ ତା’ମଥାରେ ଲାଗିଥିବା ସିନ୍ଦୂରକୁ ତୁମଝିଅର ମଥାରେ ଲଗାଇଦେବ ତାହାହେଲେ ତୁମଝିଅର ବିବାହ ଯୋଗ ଫିଟିପାରିବ । ଏହି କଥା ଶୁଣି ବ୍ରାହ୍ମଣ କନ୍ୟା ସାଧୁମହାରାଜାଙ୍କ ନିର୍ଦ୍ଦେଶରେ ପ୍ରତ୍ୟୁଷରୁ ଉଠି ନିଜଘର କାମ କରିବା ସହ ଧୋବଣୀ ଘରେ ଯାଇ ସମସ୍ତ କାମ ସାରି ଫେରିଥାଏ । ଘରର ଚାକଚକ୍ୟତା ଓ ସମସ୍ତ କାମ ସରିବା ଦେଖି ସୋନା ଧୋବଣୀ ଆଶ୍ଚର୍ଯ୍ୟ ହୁଏ । ଏହାର ରହସ୍ୟ ଜାଣିବା ପାଇଁ ସୋନା ଧୋବଣୀ ସକାଳୁ ଉଠି ନଜର ରଖିଲା । ସବୁଦିନ ପରି ବ୍ରାହ୍ମଣ କନ୍ୟା ସକାଳେ ଧୋବଣୀ ଘରେ ପଶି ସମସ୍ତ କାମ ସାରି ଘରକୁ ଫେରୁଥିଲା । ହଠାତ୍‌ ସୋନା ତାକୁ ଅଟକାଇ ପଚାରିଲେ ତୁମେ କିଏ ? କାହିଁକି ଆମଘର କାମ କରୁଛ ? ଏହି ପ୍ରଶ୍ନ ଶୁଣି ସାଧୁ ଜଣକ କହିଥିବା କଥା ସୋନା ଧୋବଣୀକୁ ସେ କହିଲା । ସୋନା ଧୋବଣୀ ଜଣେ ସ୍ୱାମୀପରାୟଣ ଥିଲା । ସେ ତାକୁ ଅଟକାଇ କହିଲା ମୋ ସ୍ୱାମୀ ଅସୁସ୍ଥ ଅଛନ୍ତି, ମୋ ବୋହୂ ଫେରିଲା ପର୍ଯ୍ୟନ୍ତ ତୁମେ ରହିଯାଅ । କିଛି ସମୟ ପରେ ସୋନା ଧୋବଣୀ ନିଜ ମୁଣ୍ଡରେ ଲାଗିଥିବା ସିନ୍ଦୂରକୁ ମଥାରୁ ଆଣି ଉକ୍ତ ବ୍ରାହ୍ମଣ କନ୍ୟାର ମୁଣ୍ଡରେ ଲଗାଇଦେଲା । ସିନ୍ଦୂର ଦାନ କରି ସୋନା ଧୋବଣୀର ସ୍ୱାମୀ ପ୍ରାଣତ୍ୟାଗ କଲା । ଏହା ଜାଣିପାରି ସେ ନିରାଜଳ ହୋଇ ଚାଲିଚାଲି ଏକ ଅଶ୍ୱତ୍ଥ ବୃକ୍ଷ ନିକଟରେ ପହଞ୍ଚିଲା । ସେ ସେଠାରେ ପୂଜା କରି ବୃକ୍ଷର ଚାରିପଟେ ପରିକ୍ରମା କରି ଜଳ ଗ୍ରହଣ କଲା । ସେ ଯେଉଁ ଦିନ ଏହି ବ୍ରତ କରିଥିଲା ସେହିଦିନ ସୋମବତୀ ଅମାବାସ୍ୟା ଥିଲା । ସେ ସେଦିନ ଯେଉଁ ଫଳାହାର ପାଇଥିଲା ତାହାକୁ ନେଇ ୧୦୮ ଥର ପାଣି ଛଡ଼ାଇ ୧୦୮ଥର ଅଶ୍ୱତ୍‌ଥ ବୃକ୍ଷ ଚାରିପଟେ ପରିକ୍ରମା କରି ଜଳଗ୍ରହଣ କଲା । ଏପରି କରିବାଦ୍ୱାରା ସୋନା ଧୋବଣୀ ନିଜ ସ୍ୱାମୀକୁ ଫେରିପାଇଥିଲା । ସୋମବତୀ ଅମାବାସ୍ୟା ଦିନ ଯେଉଁ ନାରୀ ଅଶ୍ୱତ୍‌ଥ ବୃକ୍ଷକୁ ପୂଜା କରିବ ଓ ବୃକ୍ଷ ଚାରିପଟେ ପରିକ୍ରମା କରିବ ସେ ସୁଖି ଓ ସୌଭାଗ୍ୟବତୀ ହୋଇଥାଏ ବୋଲି ଜ୍ୟୋତିର୍ବିଦ୍‌ମାନେ ମତ ବ୍ୟକ୍ତ କରିଥାନ୍ତି । [୨]

ଆଧାର[ସମ୍ପାଦନା]

  1. "Somvati Amavasya Akhand Mantra Jap". Ashram.org. Archived from the original on 8 February 2014. Retrieved 3 May 2014.
  2. ସମୟ, ପୃଷ୍ଠା-୨, ୧.୫.୨୦୧୪