ସୁଧାକର ସାହୁ

ଉଇକିପିଡ଼ିଆ‌ରୁ
ସୁଧାକର ସାହୁ
Born (1935-01-01) ୧ ଜାନୁଆରୀ ୧୯୩୫ (ବୟସ ୮୯)
ବଦ୍ୟକାଟେଣୀ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା
Nationalityଭାରତୀୟ
Occupationଓଡ଼ିଶୀ ନୃତ୍ୟ ଗୁରୁ
Parent(s)ଦୁର୍ଯୋଧନ ସାହୁ, କନକଲତା ସାହୁ
Awardsକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ସୁଧାକର ସାହୁ ଜଣେ ଓଡ଼ିଶୀ ନୃତ୍ୟ ଗୁରୁ ।[୧]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ସୁଧାକର ସାହୁ, ୧୯୩୫ ମସିହା ଜାନୁୟାରୀ ୧ ତାରିଖରେ, ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଅନ୍ତର୍ଗତ ବଦ୍ୟକାଟେଣୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ଦୁର୍ଯୋଧନ ସାହୁ, ଓଡ଼ିଶୀ ଛାନ୍ଦ, ଚମ୍ପୁରେ ନିପୂଣ ଥିଲେ ଓ ମାତା କନକଲତା ସାହୁ ମଧ୍ୟ ସଙ୍ଗୀତରେ ରୂଚି ରଖୁଥିଲେ । ସଙ୍ଗୀତମୟ ପରିବେଶରେ ବଢିଥିବା, ସୁଧାକର ମାତ୍ର ୭ ବର୍ଷ ବୟସରୁ ପିତା ଦୁର୍ଯୋଧନ ସାହୁଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଗୁରୁ ଦୁର୍ଯୋଧନ ମହାନ୍ତି ତାଙ୍କର ପ୍ରଥମ ନୃତ୍ୟ ଗୁରୁ ଥିଲେ । ୧୯୫୦ ମସିହା ବେଳକୁ, ସେ କଟକର ଅନ୍ନପୂର୍ଣ୍ଣା ବି ଅନୁଷ୍ଠାନରେ ଯୋଗଦାନ କରିଥିଲେ । ୧୯୫୩ ମସିହାରେ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଥିବା ସମୟରେ, ଗୁରୁ କେଳୁଚରଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ପ୍ରଥମ ଗୀତିନାଟ୍ୟ 'ଗିରି ଗୋବର୍ଦ୍ଧନ ପୂଜା'ରେ 'ମଧୁମଙ୍ଗଳ' ଭୂମିକାରେ ଅଭିନୟ କରିଥିଲେ । ଅନ୍ନପୂର୍ଣ୍ଣା ବିରେ ତାଙ୍କ ଅଭିନୟ ଦେଖି ଗୁରୁ ଦେବପ୍ରସାଦ ଦାସ ତାଙ୍କୁ ନିଜର ଶିଷ୍ୟ ଭାବରେ ଗ୍ରହଣ କରିଥିଲେ ଓ ସେତିକି ବେଳୁ, ତାଙ୍କର ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ ହୋଇଥିଲା । ଗୁରୁ ଦେବପ୍ରସାଦ ଦାସଙ୍କ ଦେହାନ୍ତ ପର୍ଯ୍ୟନ୍ତ, ସୁଧାକର ତାଙ୍କ ସହିତ ଜଡ଼ିତ ରହିଥିଲେ । ସେ ସମୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପୁରୀରେ ଏକ ନୃତ୍ୟ ଗବେଷଣା କେନ୍ଦ୍ର ଖୋଲା ଯାଇଥିଲା ଓ ଗୋଟିପୁଅ, ମାହାରୀ ଆଦି ନୃତ୍ୟ ଶିକ୍ଷାପ୍ରଦାନ କରାଯାଉଥିଲା । ଏହି ଗବେଷଣା କେନ୍ଦ୍ରରେ ଯୋଗଦେବା ପାଇଁ ହେଉଥିବା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଓ ବୃତ୍ତିଲାଭ କରିଥିଲେ । ଏଠାରେ ସେ ଗୁରୁ ପଦ୍ମନାଭ ଦାସଙ୍କଠାରୁ ଗୋଟିପୁଅ ନାଚ ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ, ଗୁରୁ ମୋହନ ମହାପାତ୍ରଙ୍କଠାରୁ ମଧ୍ୟ ନୃତ୍ୟ ଶିକ୍ଷା ଲାଭ କରିଥିଲେ ।[୨]

ବୃତ୍ତିଗତ ଜୀବନ[ସମ୍ପାଦନା]

ଗୁରୁ ଦେବପ୍ରସାଦ ଦାସଙ୍କ ନିର୍ଦ୍ଦେଶନାରେ 'ଶରତ ରାସ' ନାମକ ଗୀତିନାଟ୍ୟରେ କୃଷ୍ଣ ଭୂମିକାରେ ଅଭିନୟ କରି ସୁଧାକର ସାହୁ, ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଇନ୍ଦ୍ରାଣି ରେହମାନଙ୍କ ସହ, ସେ ମର୍ଦ୍ଦଳ ବାଦକ ଓ ଗାୟକ ଭାବରେ ବହୁସ୍ଥାନରେ ପରିବେଷଣ କରିଥିଲେ । ଶୃଙ୍ଗାର ରସ ଓ କରୁଣ ରସକୁ ବିଶେଷ ଭଲ ପାଉଥିବା ସୁଧାକର, ବହୁ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି । ଓଡ଼ିଶାରେ ବାନ୍ଧ ନୃତ୍ୟକୁ ପରିଚିତ ଓ ପ୍ରତିଷ୍ଠିତ କରାଇବାରେ, ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । [୩]

ନୃତ୍ୟ ଗୁରୁ ଭାବରେ[ସମ୍ପାଦନା]

ସୁଧାକର ସାହୁ, ଗୁରୁ ଦେବପ୍ରସାଦ ଦାସଙ୍କ ଶୈଳୀର ଜଣେ ଦକ୍ଷ ନୃତ୍ୟଗୁରୁ ଭାବରେ ପରିଚିତ । ମାତ୍ର ୨୫ ବର୍ଷ ବୟସରୁ, ସେ ନୃତ୍ୟ ଶିକ୍ଷାଦାନ କରିବା ଆରମ୍ଭ କରିଥିଲେ । ପୁରୀର କିଶୋର କ୍ଳବ, ମୟୁରଭଞ୍ଜ କଳା ପରିଷଦ, ସମ୍ବଲପୁର କଳା ପରିଷଦ, ଛତ୍ରପୁର କଳା ପରିଷଦ, ବାଲେଶ୍ୱର ନୃତ୍ୟ ସଙ୍ଗୀତ କଳାମନ୍ଦିର ଆଦି ଅନୁଷ୍ଠାନରେ, ସେ ନୃତ୍ୟ ଶିକ୍ଷା ଦେଇଥିଲେ । ତାଙ୍କର ପ୍ରମୁଖ ଶିଷ୍ୟମାନଙ୍କ ମଧ୍ୟରେ ଇନ୍ଦିରା ପଟ୍ଟନାୟକ, ବିଜୟଲକ୍ଷ୍ମୀ ମହାନ୍ତି, ନିତା ବହିଦାର, ବାଣୀ ମାଧବ, ଇତିଶ୍ରୀ ମହାନ୍ତି, ପୂର୍ଣ୍ଣିମା ବାରିକ, ଦୀପ୍ତି ମିଶ୍ର, ଉର୍ମୀଳା ଓ ସୁଜାତା ମହାପାତ୍ର[୪] ଆଦି ଅନ୍ୟତମ ।

ନୃତ୍ୟ ନିର୍ଦ୍ଦେଶନା[ସମ୍ପାଦନା]

ନୃତ୍ୟାଭିନୟ[ସମ୍ପାଦନା]

  • କଲ୍ୟାଣ ପଲ୍ଲବୀ
  • ଆନନ୍ଦ ଭୈରବୀ
  • ଗୌଡ଼ ପଲ୍ଲବୀ

ଗୀତିନାଟ୍ୟ[ସମ୍ପାଦନା]

  • ମାନିନୀ
  • ଶକୁନ୍ତଳା
  • କୋଣାର୍କ
  • ବିଚିତ୍ର ବର୍ଣ୍ଣ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • କଳିଙ୍ଗ ଭାରତୀ ସଚ୍ଚିଦାନନ୍ଦ ପୁରସ୍କାର - ୧୯୯୧
  • ଭାରତ ସରକାରଙ୍କ ଫେଲୋସିପ[୫]
  • ଗୁରୁ ଦେବପ୍ରସାଦ ପୁରସ୍କାର[୬]
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ- ୨୦୧୪[୭]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୪[୮]

ଗୁରୁ ସୁଧାକର ସାହୁଙ୍କ ସମ୍ମାନରେ, ୨୦୧୦ ମସିହାରୁ ଓଡ଼ିଶୀ ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ଶ୍ରେଷ୍ଠ ଅବଦାନ ପାଇଁ 'ସୁଧାକର ସାହୁ ସମ୍ମାନ' ଆରମ୍ଭ କରାଯାଇଛି ।[୯]

ଆଧାର[ସମ୍ପାଦନା]