ପ୍ରତାପ ସିନ୍ଧୁକେଶ୍ୱର ମନ୍ଦିର

ଉଇକିପିଡ଼ିଆ ରୁ
(ସିନ୍ଦୁକେଶ୍ଵର ମନ୍ଦିର ରୁ ଲେଉଟି ଆସିଛି)
ସିନ୍ଧୁକେଶ୍ୱର ମନ୍ଦିର
ଅବସ୍ଥାନ
ଦେଶ: ଭାରତ
ରାଜ୍ୟ: ଓଡ଼ିଶା
ଜିଲ୍ଲା: ଭଦ୍ରକ
ସ୍ଥାନ: ଅଣିଜୋର

ପ୍ରତାପ ସିନ୍ଧୁକେଶ୍ୱର ମନ୍ଦିର ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ବନ୍ତ ବ୍ଳକର ଅଣିଜୋର(ଅଣିଜୋ)ଠାରେ ଥିବା ଏକ ଶିବ ମନ୍ଦିର । ପ୍ରତାପ ସିନ୍ଦୁକେଶ୍ୱର ଓଡ଼ିଶାର ଦ୍ୱିତୀୟ ବୃହତ ଶିବଲିଙ୍ଗ ଭାବେ ମାନ୍ୟତା ପାଇଛନ୍ତି ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସିନ୍ଦୁକେଶ୍ୱରଙ୍କ ଲିଙ୍ଗ ପ୍ରତିବର୍ଷ ବଢୁଛନ୍ତି । ଯେଉଁ ବସ୍ତ୍ର ତାଙ୍କୁ ଲାଗି କରାଯାଇଥାଏ, କିଛି ଦିନ ପରେ ତାହା ଛୋଟ ହୋଇଯାଏ । ସେଥିରୁ ଜଣାଯାଏ ବାବାଙ୍କ ଲିଙ୍ଗ ବୃଦ୍ଧି ହେଉଛି । ଆରଡ଼ିର ଆଖଣ୍ଡଳମଣି ହେଉଛନ୍ତି ସାନ ଭାଇ ଓ ଅଣିଜୋର ସିନ୍ଦୁକେଶ୍ୱର ହେଉଛନ୍ତି ବଡ଼ଭାଇ । [୧] ଏହି ମନ୍ଦିର ୧୯ଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ମୁଖ୍ୟ ମନ୍ଦିରର ଚତୁଃପାର୍ଶ୍ୱରେ ଗଣେଶ, ହନୁମାନ, ଜଗନ୍ନାଥ, ପାର୍ବତୀ, ରାମ ଆଦି ଦେବଦେବୀଙ୍କ ଛୋଟ ମନ୍ଦିରମାନ ନିର୍ମାଣ କରାଯାଇଛି । [୨]

କିମ୍ବଦନ୍ତୀ[ସମ୍ପାଦନା]

୧୯ଶ ଶତାବ୍ଦୀରେ ସାଳନ୍ଦୀ ନଦୀର ତଟଦେଶରେ ପ୍ରତାପ ସିନ୍ଧୁକେଶ୍ୱରଙ୍କ ଆବିର୍ଭାବ ଘଟିଥିଲା । କିମ୍ବଦନ୍ତୀ ଅନୁସାରେ, ନଦୀ ପାଖ ପାଦଚଲା ବାଟରେ ଜଣେ ଗଉଡୁଣୀ ନିତି ଦହି ବିକ୍ରି କରିବାକୁ ଗାଁକୁ ଯାଉଥିଲେ । ଦିନେ ଦହି ବିକ୍ରି କରି ଘରକୁ ଫେରିବା ବେଳେ ଅନତି ଦୂରରେ ଏକ ଗାଈ ଠିଆ ହୋଇଥିବା ଦେଖିଲେ । ଗାଈର ସ୍ତନରୁ କ୍ଷୀର ଝରୁଥିଲା । ସେ କ୍ଷୀର ପଡୁଥିବା ସ୍ଥାନରେ ଏକ ସୁନା କଙ୍କଣ ପରି ଉଜ୍ଜ୍ୱଳ ବସ୍ତୁଟିଏ ଦେଖିବାକୁ ପାଇଲେ । ଗଉଡୁଣୀ ଉକ୍ତ ସ୍ଥାନକୁ ଯାଇ ଶିବଲିଙ୍ଗ ଦେଖିଲେ । ଏହାକୁ ନେବା ଆଶା ରଖି ନିଜ ଦହି ହାଣ୍ଡିକୁ ଶିବଲିଙ୍ଗ ଉପରେ ଢାଙ୍କିଦେଇ ଘରକୁ ଫେରିଗଲେ । ଘରକୁ ଯାଇ ନିଜ ପତିଙ୍କୁ ସମସ୍ତ ଘଟଣା କହିଲେ ଏବଂ ପରଦିନ ସକାଳୁ ସ୍ୱାମୀଙ୍କ ସହ ଏକ ଶାବଳ ନେଇ ସେହି ଶିବଲିଙ୍ଗକୁ ତାଡ଼ିବାକୁ ଲାଗିଲେ । ଲିଙ୍ଗଟି ଭାରୀ ହୋଇଥିବାରୁ ଉଠାଇ ନପାରିବାରୁ ଗଉଡ଼ କ୍ରୋଧାନ୍ୱିତ୍ୱ ହୋଇ ସାବଳରେ ଲିଙ୍ଗକୁ ଏକ ଶକ୍ତ ପ୍ରହାର ଦେଇଥିଲେ । ଗଉଡ଼ର ପ୍ରହାର ଫଳରେ ଉକ୍ତ ଲିଙ୍ଗରୁ ରକ୍ତ ଝରିବାକୁ ଲାଗିଲା । ଏହି ଘଟଣା ଦେଖି ଗଉଡ଼ ଗଉଡ଼ୁଣୀ ନିଜର ଭୁଲ ବୁଝି କାନ୍ଦିବାକୁ ଲାଗିଲେ । ତାଙ୍କର କାନ୍ଦିବା ଦେଖି ହଠାତ ଆକାଶବାଣୀ ହେଲା "କ’ଣ ପାଇଁ କାନ୍ଦୁଛ?" । ଉଭୟ ଦମ୍ପତି ସମସ୍ତ ଘଟଣା ବଖାଣିଲେ । ଉତ୍ତର ଆସିଲା, "ମୁଁ ହେଉଛି ସେହି ଲିଙ୍ଗ, ତୁ ଯାହାକୁ ଲୋଭାସକ୍ତ ହୋଇ ନେବାକୁ ଉଦ୍ୟମ କରୁଥିଲୁ ଓ ଖୋଳି ନ ପାରିବାରୁ କ୍ରୋଧାନ୍ୱିତ ହୋଇ ପ୍ରହାର କରିଥିଲୁ । ମୋର ନାମ ବାବା ପ୍ରତାପ ସିନ୍ଧୁକେଶ୍ୱର । ତୁ ମୋତେ ପୂଜା କର, ତୋର ସମସ୍ତ ମନସ୍କାମନା ପୂର୍ଣ୍ଣ କରିବି । ଏ ଅଞ୍ଚଳର ଅଭୀଷ୍ଟ ସିଦ୍ଧିଲାଭ ସଙ୍ଗେସଙ୍ଗେ ମୋର ମହିମା ପ୍ରଚାର ହେବ ।" ଏହା ପରଠାରୁ ବାବା ସିନ୍ଧୁକେଶ୍ୱର ନାମରେ ପୂଜା ପାଉଛନ୍ତି ଅଣିଜୋ ଗ୍ରାମରେ । [୨]

ଇତିହାସ[ସମ୍ପାଦନା]

ସିନ୍ଧୁକେଶ୍ୱରଙ୍କ ଆବିର୍ଭାବ ପରେ କାଶୀରୁ ରାମାନୁଜ ବ୍ରହ୍ମଚାରୀ ସେଠାରେ ପହଞ୍ଚି ଲିଙ୍ଗକୁ ଦେଖି ମନ୍ଦିର ନିର୍ମାଣ ପାଇଁ ମନ ବଳାଇଥିଲେ । ଲାଲଗୋରା ଗ୍ରାମର ଜମିଦାର ଯଶୋବନ୍ତ ଚୌଧୁରୀଙ୍କ ସହାୟତାରେ ମନ୍ଦିର ନିର୍ମାଣ କରାଯାଇ ପୂଜା କରାଯାଇଥିଲା । ବାଲେଶ୍ୱର ଜିଲ୍ଲାର ସାମନ୍ତ ରାଧାଗୋବିନ୍ଦ ଦାସ, ଭଦ୍ରକ ବାଉଦଘରର ଓକିଲ ଗଣପତି ଦାସ, ଆଗରପଡ଼ାର ଜମିଦାର କୃଷ୍ଣ ଚରଣ ଦାସ ଆଦି ମନ୍ଦିର ତୋଳାଇବାରେ ସହଯୋଗ କରିଥିଲେ । ରାମାନୁଜ ବ୍ରହ୍ମଚାରୀଙ୍କ ଦେହାନ୍ତ ପରେ ଶୁକଦେବ ଦାସ, ତାଙ୍କ ଅନ୍ତେ ଗୋପାଳ ଦାସ ଓ ତାଙ୍କ ମୃତ୍ୟୁ ପରେ ମନ୍ଦିରର ଅଂଶୀଦାରମାନେ ପୂଜାର୍ଚ୍ଚନା କରୁଛନ୍ତି । [୨]

ପାଳିତ ପର୍ବପର୍ବାଣୀ[ସମ୍ପାଦନା]

ଏଠାରେ ମୁଖ୍ୟପର୍ବ ମହାଶିବରାତ୍ରି ପନ୍ଦର ଦିନ ବ୍ୟାପୀ ପାଳିତ ହୁଏ । ମନ୍ଦିରରେ ମକର ସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି, ଗଣେଶ ଚତୁର୍ଥୀ, ରଥଯାତ୍ରା, ଶୀତଳ ଷଷ୍ଠୀ, ଅଶୋକାଷ୍ଟମୀ, ରାମ ନବମୀ ଆଦି ପାଳିତ ହୋଇଥାଏ । ଏହି ପର୍ବରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର ଆଦି ଜିଲ୍ଲାରୁ ଭକ୍ତ ସମାଗମ ହୋଇଥାଏ । [୨]

ଆଧାର[ସମ୍ପାଦନା]

  1. ସୂର୍ଯ୍ୟପ୍ରଭା, ୧୭ନଭେମ୍ବର ୨୦୧୧, ପୃଷ୍ଠା-୮
  2. ୨.୦ ୨.୧ ୨.୨ ୨.୩ କରଶର୍ମା, ଜ୍ଞାନଦା (୯ ନଭେମ୍ବର ୨୦୧୪). "ଶୈବପୀଠ ବାବା ପ୍ରତାପ ସିନ୍ଧୁକେଶ୍ୱର". ସମାଜ. http://samajaepaper.com/epaper/pdf/2014/11/09/20141109b_003100004.jpg. Retrieved ୯ ନଭେମ୍ବର ୨୦୧୪.