ଲାଜକୁଳୀ ଲତା

ଉଇକିପିଡ଼ିଆ ରୁ
ଲାଜକୁଳୀ ଲତା
(Mimosa pudica)
Flower-head
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiosperms
(unranked): Eudicots
(unranked): Rosids
ଗଣ: Fabales
କୁଳ: Fabaceae
ଉପକୁଳ: Mimosoideae
ପ୍ରଜାତି: Mimosa
ଜାତି: M. pudica
ବାଇନୋମିଆଲ ନାଆଁ
Mimosa pudica
L.[୧]

ଲାଜକୁଳୀ ଲତାର ଇଂରାଜୀ ନାମ 'Touch Me Not' ଓ ବୈଜ୍ଞାନିକ ନାମ ମାଇମୋସା ପୁଡିକା (Mimosa Pudica) । ଏହା ମାଇମୋସେସୀ(Mimosaceae) ବଂଶ ଅନ୍ତର୍ଗତ ଏକ କଣ୍ଟକପୂର୍ଣ୍ଣ କଠିନ ତୃଣଜାତୀୟ ଉଦ୍ଭିଦ । ଏହାର ଚେରରେ ଥିବା ଗଣ୍ଠିରେ ବହୁ ବୀଜାଣୁ ବାସ କରନ୍ତି ଓ ସେମାନେ ବାୟୁରୁ ଯବକ୍ଷାରଜାନ ସଂଗ୍ରହ କରନ୍ତି । ଛୁଇଁଦେଲେ ଲାଜକୁଳୀ ଲତା ଝାଉଁଳି ପଡେ଼ । ସ୍ପର୍ଶଜନିତ ଏହି ଗତିକୁ ଅନ୍ତର୍କୁଞ୍ଚନ (Nastic movement) କୁହାଯାଏ ।[୨]

ପରିଚୟ[ସମ୍ପାଦନା]

Mimosa pudica folding leaflets inward.
Mimosa pudica seeds

ଲାଜକୁଳୀ ଲତା ଗୋଟିଏ ଔଷଧୀୟ ଗୁଣସଂପନ୍ନ ଉଦ୍ଭିଦ । ଏହା ସାଧାରଣତଃ ଚିକିଟା କଳା ମାଟିରେ ଉଠେ ଓ ଉଷ୍ଣପ୍ରବଣ ଅଞ୍ଚଳରେ ଏହା ଦେଖାଯାଏ । ଆମ ଦେଶର ପ୍ରାୟ ସବୁ ଅଞ୍ଚଳରେ ଏହା ଦେଖିବାକୁ ମିଳେ । ଏହାର ଉଚ୍ଚତା ୪୫ ସେ.ମି.ରୁ ୯୦ ସେ.ମି. ଯାଏ ହୋଇଥାଏ । ଏହାର କାଣ୍ଡ, ଶାଖା ତଳକୁ ଓହଳି ଥାଏ । ଲତାରେ କଣ୍ଟା ଓ ପତ୍ରଗୁଡ଼ିକ ଲାଲ ଦେଖାଯାଏ । ଏହାର ମୂଳ ମାଟି ତଳେ ଦେଢ଼ ଫୁଟରୁ ଦୁଇଫୁଟ ଯାଏ ଭେଦ କରିପାରେ । ଏହା ମଧ୍ୟ ଲାଲ ଓ ସୁଗନ୍ଧଯୁକ୍ତ ହୋଇଥାଏ । ଏହା ଦୃଢ଼ ଓ ତନ୍ତୁପୂର୍ଣ୍ଣ । ପତ୍ର ପ୍ରାୟ ୨.୫ ସେ.ମି. ରୁ ୫.୦ ସେ.ମି. ଯାଏ ଓ ଉପରକୁ ଚିକ୍କଣିଆ, ତଳପାଖ ରୁଆ ରୁଆ ହୋଇଥାଏ । ଏଥିରେ ଫୁଲ ଫୁଟେ, ଫଳ ହୁଏ । ଫୁଲର ରଙ୍ଗ ଗୋଲାପୀ, ପ୍ରାୟ ୧.୦ ରୁ ୧.୫ ସେ.ମି. ଚଉଡ଼ା । ବର୍ଷା ଓ ଶୀତ ଋତୁରେ ଏହା ଫୁଲ ଫଳରେ ଭରି ଉଠେ । ଏହାର ମଞ୍ଜି ମୁଗଠାରୁ ଟିକିଏ ଛୋଟ । ଏହି ଲତାକୁ ଛୁଇଁଲାମାତ୍ରେ ଝାଉଁଳିଯାଏ । ତେଣୁ ଏହାକୁ "ଲାଜକୁଳୀ ଲତା" ବୋଲି କୁହାଯାଏ ।

ବିଭିନ୍ନ ଭାଷାରେ ନାମ[ସମ୍ପାଦନା]

ସଂସ୍କୃତରେ ଏହାକୁ ଲଜ୍ଜାଳୁ, ଅଞ୍ଜଳିକାରିକା, କନ୍ଦିରୀ, ରକ୍ତପାଦୀ, ଶମୀପତ୍ରା, ସ୍ପୃକ୍କା, ଖଦିରପତ୍ରିକା, ସଙ୍କୋଚିନୀ, ଖଦିରୀ, ସମଙ୍ଗା(ଙ୍ଗୀ), ନମସ୍କାରୀ, ପ୍ରସାରଣୀ, ସପ୍ତପର୍ଣ୍ଣୀ, ଗଣ୍ଡମାଳିକା, ଲଜ୍ଜା, ଲଜ୍ଜିରୀ, ସ୍ପର୍ଶଲଜ୍ଜା, ଅସ୍ରରୋଧିନୀ, ରକ୍ତମୂଳା, ଲଜ୍ଜାବତୀ, ଲଜ୍ଜାସ୍ପର୍ଶ, ତାମ୍ରମୂଳା, ସୂଗୁପ୍ତା, ମହାଭୀତା, ଖଣ୍ଡକାଳୀ, ବଶିନୀ, ମହୌଷଧି, ବାରାହକ୍ରାନ୍ତ [୩] ଓ ହିନ୍ଦୀରେ ଲାଜଓ୍ଵନ୍ତୀ, ଛୁଇମୁଇ କହାଯାଏ । ଏହାର ଅନ୍ୟାନ୍ୟ ନାମଗୁଡ଼ିକ ହେଲା: ମ: ଲଜାଳୁ, ଲାଜରୀ, ସଂକୋରଣୀ, ଗୁ: ରିଶାମଣୀ ।

ଗୁଣଧର୍ମ[ସମ୍ପାଦନା]

ଲାଜକୁଳୀ ଲତାର ରସ ତିକ୍ତ ଓ କଷା, ବିପାକ ଦ୍ଵାରା ଅଧିକ ତିକ୍ତ ଲାଗେ । କଫ ଓ ପିତ୍ତ ପ୍ରଶମନରେ ଏହା ସହାୟକ ହୁଏ ।

ପ୍ରୟୋଗ[ସମ୍ପାଦନା]

ଔଷଧୀୟ[ସମ୍ପାଦନା]

ଏହାର ମୂଳ, ପତ୍ର, ମଞ୍ଜି ବିଭିନ୍ନ ରୋଗର ଚିକିତ୍ସାରେ ପ୍ରୟୋଗ କରାଯାଏ । ସ୍ଵପ୍ନଦୋଷ, ଶୀଘ୍ରସ୍ଖଳନ, ଶୁକ୍ରପ୍ରମେହ, ଯୋନି ଭଙ୍ଗ , ରକ୍ତପ୍ରଦର, ଅତିସାର, ରକ୍ତସ୍ରାବ, ଭଗନ୍ଦର ଇତ୍ୟାଦି ରୋଗରେ ଏହାକୁ ଆୟୁର୍ବେଦ ପଦ୍ଧତିରେ ପ୍ରୟୋଗ କରାଗଲେ ସୁଫଳ ମିଳେ । ଏହାଛଡ଼ା ରକ୍ତବିକାର, ରକ୍ତ ଝାଡ଼ା, କାଶ, ପୁରାତନ କ୍ଷତ ଇତ୍ୟାଦିର ଚିକିତ୍ସାରେ ବ୍ୟବହାର କରାଯାଏ । ଲାଜକୁଳୀ ସହିତ ଅନ୍ୟ କେତେକ ଦ୍ରବ୍ୟର ସମ୍ମିଶ୍ରଣରେ ପ୍ରସ୍ତୁତ ଔଷଧ ଓ ରୋଗର ସଂକ୍ଷିପ୍ତ ସୂଚନା ନିମ୍ନରେ ଦିଆଗଲା[୪] -

  1. ଶୁକ୍ରପ୍ରମହେ ରୋଗରେ ଲାଜକୁଳୀ ମଞ୍ଜି ଏକ ତୋଳା, ତାଳମଖାନା ଏକତୋଳା ଏକତ୍ର କୁଟି କ୍ଷୀରରେ ଭିଜାଇ ଘୋଟି ଦେବା ପରେ ସେଗୁଡ଼ିକରୁ ଚଣା ମାପର ଗୁଳି ତିଆରି କରି ସକାଳେ ଓ ସନ୍ଧ୍ୟାରେ ଗାଈଦୁଧ ସହିତ ଦୁଇ ଦୁଇଟି ଗୁଳି ଖାଇଲେ ଶୁକ୍ରପ୍ରମହେରୁ ଉପଶମ ମିଳେ ।
  2. ଯୋନିଭଙ୍ଗ ହୋଇଥିଲେ ଯୋନିମାର୍ଗ ଦେଇ ଲାଜକୁଳୀ ପତ୍ରର ରସ ବା ମୂଳଚେର ବାଟି ଗର୍ଭାଶୟ ଉପରେ ଲେପ ଦେଲେ ଏବଂ କୌପୀନ ପିନ୍ଧାଇ ଦେଇ ଶୁଆଇ ଦେଲେ ଗର୍ଭାଶୟ ବାହାରକୁ ବାହାରି ଆସେ ନାହିଁ ।
  3. ରକ୍ତପ୍ରଦରରେ ଲାଜକୁଳୀ ଚେର ଓ ଶିମିଳିଫୁଲ, ରକ୍ତ ଚନ୍ଦନ, ଅର୍ଜୁନ ଗଛର ଛେଲି ଓ ନୀଳପଦ୍ମର ସବୁଅଂଶ ସମାନ ଭାଗରେ ଏକତୋଳା ଲେଖାଁ ବାଟି, ଛେଳି ଦୁଧରେ ଦୈନିକ ପିଇଲେ ରୋଗ ଦୂର ହୁଏ ।
  4. ସ୍ତନ ଶିଥିଳ ହୋଇ ପଡୁଥିଲେ ଲାଜକୁଳୀ ଓ ଅଶ୍ଵଗନ୍ଧା ଚେରକୁ ବାଟି ଲଗାଇଲେ ଉପକାର ମିଳେ ।

ଆଧାର[ସମ୍ପାଦନା]

  1. "Mimosa pudica information from NPGS/GRIN". www.ars-grin.gov. http://www.ars-grin.gov/cgi-bin/npgs/html/taxon.pl?24405. Retrieved 2008-03-27. 
  2. ଓଡ଼ିଶା ବିଜ୍ଞାନ ଏକାଡ଼େମି ପ୍ରକାଶିତ ପତ୍ରିକା ବିଜ୍ଞାନ ଦିଗନ୍ତ, ସେପ୍ଟେମ୍ବର ୨୦୧୨
  3. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsalsrv02.uchicago.edu. http://dsalsrv02.uchicago.edu/cgi-bin/philologic/getobject.pl?c.36:733.praharaj. Retrieved 1 May 2013. "କନ୍ଦିରୀ, ରକ୍ତପାଦୀ, ଶମୀପତ୍ରା..." 
  4. ଡାକ୍ତର ଦୀନବନ୍ଧୁ ମହାରାଣା, "ଲାଜକୁଳୀ ଲତା" - ଓଡ଼ିଶା ବିଜ୍ଞାନ ଏକାଡ଼େମି ପ୍ରକାଶିତ ପତ୍ରିକା ବିଜ୍ଞାନ ଦିଗନ୍ତ, ସେପ୍ଟେମ୍ବର ୨୦୧୨

ବାହାର ତଥ୍ୟ[ସମ୍ପାଦନା]