ରମାଦେବୀ ଚୌଧୁରୀ

ଉଇକିପିଡ଼ିଆ ରୁ
ରମାଦେବୀ ଚୌଧୁରୀ
ରମାଦେବୀ ଚୌଧୁରୀ
ଜନ୍ମ ଓ ଜନ୍ମସ୍ଥାନ ଡିସେମ୍ବର ୩, ୧୮୯୯(1899-12-03)
ସତ୍ୟଭାମାପୁର, କଟକ, ଓଡ଼ିଶା
ତିରୋଧାନ ୨୨ ଜୁଲାଇ, ୧୯୮୫ (୮୫ ବର୍ଷ)
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ନାଗରିକତା ଭାରତୀୟ
ଜୀବିକା ସ୍ଵାଧୀନତା ସଂଗ୍ରାମୀ
ଜୀବନସାଥି ଗୋପବନ୍ଧୁ ଚୌଧୁରୀ
ସନ୍ତାନ ମନମୋହନ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣା
ବାପା ମା ଗୋପାଳ ବଲ୍ଲଭ ଦାସ (ବାପା)
ବନ୍ଧୁବାନ୍ଧବ ଉତ୍କଳଗୌରବ ମଧୁସୂଦନ ଦାସ (ବଡ଼ ବାପା)

ରମାଦେବୀ ଚୌଧୁରୀ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ।

ଜୀବନୀ[ସମ୍ପାଦନା]

ପରିବାର[ସମ୍ପାଦନା]

୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । ୧୯୧୪ ମସିହା ଅପ୍ରେଲ ମାସରେ ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ତଥା କଟକର ଓକିଲ ଗୋପବନ୍ଧୁ ଚୌଧୁରୀଙ୍କୁ ସେ ବିବାହ କରିଥିଲେ ।

୧୯୨୧ ମସିହା ମାର୍ଚ୍ଚ ମାସରେ ମହାତ୍ମା ଗାନ୍ଧୀ କଟକ ଆସିଥିବା ସମୟରେ ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ ଗାନ୍ଧୀଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ତାଙ୍କର ସମସ୍ତ ଗହଣା ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ ।

ରମାଦେବୀ ୧୮୯୯ ଡିସେମ୍ବର ୩ ତାରିଖ ଦିନ ଉତ୍କଳଗୌରବ ମଧୁସୂଦନଙ୍କ ଅନୁଜ ଗୋପାଳବଲ୍ଲଭଙ୍କ ସହଧର୍ମିଣୀ ବସନ୍ତ କୁମାରୀଙ୍କ କୋଳମଣ୍ଡନ କରିଥିଲେ । ପିତାମାତା ଶ୍ରଦ୍ଧାରେ 'ବେଲ' ଡାକୁଥିଲେ । ସମସ୍ତ ସଂସ୍କାର, ସୁଗୁଣ ଓ ଶିକ୍ଷା ସେ ପାଇଥିଲେ ପିତା ଗୋପାଳବଲ୍ଲଭ ଓ ମାତା ବସନ୍ତ କୁମାରୀଙ୍କଠାରୁ । ମା'ଙ୍କ ଶିକ୍ଷା ଥିଲା, "ନାରୀର ଦୟା, କରୁଣା, ସେବା, ଲଜ୍ଜା ଭୂଷଣ ଅଟେ । ପରର ଉପକାର ଶ୍ରେଷ୍ଠ ଧର୍ମ ଅଟେ ।' ପିତା କିନ୍ତୁ ପୁରାଣ କଥା, ଇତିହାସ କଥା, ସ୍ୱଦେଶୀ ଜାଗରଣ କଥା କହି ଝିଅକୁ ମାର୍ଗଦର୍ଶନ ଦେଇଥିଲେ । ପିତା ଥିଲେ ଇଂରେଜ ଅମଳର ଡେପୁଟି କଲେକ୍ଟର । ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ । ୧୯୧୪ ମସିହା ପ୍ରଥମ ବିଶ୍ୱ ଯୁଦ୍ଧ ବିଭୀଷିକା ମଧ୍ୟରେ ପିତା ଗୋପାଳବଲ୍ଲଭ ନିଜର ଅଲିଅଳି କନ୍ୟାର ହାତକୁ ସର୍ବଗୁଣସମ୍ପନ୍ନ ଡେପୁଟି କଲେକ୍ଟର ଗୋପବନ୍ଧୁ ଚୌଧୁରୀଙ୍କୁ ଟେକି ଦେଇଥିଲେ । ଗୋପବନ୍ଧୁବାବୁ ଥିଲେ କଟକର ପ୍ରସିଦ୍ଧ ଓକିଲ ତଥା ନାମକରା ଜମିଦାର ଗୋକୁଳାନନ୍ଦ ଚୌଧୁରୀଙ୍କ ସୁଯୋଗ୍ୟ ପୁତ୍ର । ମଣିକାଞ୍ଚନ ସଂଯୋଗ ଭଳି ସ୍ୱାମୀ-ସ୍ତ୍ରୀ ସବୁ ଭୁଲି ଦେଶ ସେବାରେ ଜୀବନ ବିତାଇବାକୁ ସଂକଳ୍ପ କରିନେଲେ । ସେସମୟର ମର୍ଯ୍ୟାଦାସମ୍ପନ୍ନ ଡେପୁଟି କଲେକ୍ଟର ପଦବୀ ଛାଡି ଗୋପବନ୍ଧୁବାବୁ ସସ୍ତ୍ରୀକ ସ୍ୱଦେଶୀ ଆନ୍ଦୋଳନରେ ସାମିଲ ହୋଇଗଲେ । ପରେ ପରେ ତାଙ୍କ ଅନୁଜ ନବକୃଷ୍ଣ ଚୌଧୁରୀ, ଭ୍ରାତୃବଧୂ ମାଳତୀ ଚୌଧୁରୀ, ପୁତ୍ର ମନମୋହନ ଚୌଧୁରୀ, କନ୍ୟା ଅନ୍ନପୂର୍ଣ୍ଣା ଦେଶ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ନେଇଥିଲେ । ୧୯୨୧ ମାର୍ଚ୍ଚ ୨୪ ତାରିଖ ଦିନ ମହାତ୍ମା ଗାନ୍ଧୀ କଟକ କାଠଯୋଡି ବାଲି ଓ ବିନୋଦ ବିହାରୀ ପରିସରରେ ଦୁଇଗୋଟି ସାଧାରଣ ସମାବେଶରେ ଯୋଗଦେଇ ହରିଜନ, ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ବୁଝାଇଥିଲେ । ଏହି ସମାବେଶରେ ସ୍ୱାମୀଙ୍କ ସହ ମା' ରମାଦେବୀ ଯୋଗଦେଇ ଜୀବନର ମାର୍ଗଦର୍ଶନ ପାଇଥିଲେ । ନିଜର ବହୁମୂଲ୍ୟ ୨୦୦ ଭରି ସ୍ୱର୍ଣ୍ଣ ଅଳଙ୍କାର ଓ ଅନେକ ମୂଲ୍ୟବାନ ଦ୍ରବ୍ୟ ଗାନ୍ଧୀଙ୍କ ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ । ଖଦୀବସ୍ତ୍ର ଆଜୀବନ ପରିଧାନ କରିବା ପାଇଁ ସଂକଳ୍ପ କରିଥିଲେ । ୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ୧୯୩୪ ଅଗଷ୍ଟ ୮ ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ହରିଜନ ସମାବେଶ ସହ ଶ୍ରୀମନ୍ଦିର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ିତି ଉନ୍ମୋଚନର ମୁଖ୍ୟ ଦାୟିତ୍ୱ ନେଇଥିଲେ ମା' ରମାଦେବୀ । ୧୯୨୫ ଅଗଷ୍ଟ ୧୯ ଓ ୨୦ ଦୁଇଦିନ ଧରି ମହାତ୍ମା ଗାନ୍ଧୀ ଉତ୍କଳଗୌରବ ମଧୁସୂଦନଙ୍କ କଟକ ବାସଭବନରେ ରହିବା ବେଳେ ତାଙ୍କଠାରୁ ସ୍ୱଦେଶ ଜାଗରଣ କାର୍ଯ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ । କଟକ ରହଣି ସମୟରେ ମଧୁସୂଦନଙ୍କ ସଞ୍ଚାଳିତ କୁଟୀର ଶିଳ୍ପ, ତାରକସୀ ଶିଳ୍ପ, ଚମଡା ଶିଳ୍ପ କେନ୍ଦ୍ରଗୁଡିକ ଦେଖି ଗାନ୍ଧିଜୀ ପ୍ରଭାବିତ ହୋଇ ଯାଇଥିଲେ । କଟକରେ କୁଷ୍ଠାଶ୍ରମ ପ୍ରତିଷ୍ଠା, ହରିଜନ ମଙ୍ଗଳ କାର୍ଯ୍ୟ ଗାନ୍ଧିଜୀ ଆରମ୍ଭ କରିଥିଲେ । ମା' ରମାଦେବୀ ଛାଇ ପରି ତାଙ୍କ ସଙ୍ଗେ ସଙ୍ଗେ ରହି ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣର ଓଡ଼ିଆ ଅନୁବାଦ ସମସ୍ତଙ୍କୁ ଶୁଣାଉ ଥିଲେ । ବଡବାପା ମଧୁସୂଦନ ଓ ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଓ୍ୱାର୍ଦ୍ଧା ଆଶ୍ରମ ଶୈଳୀରେ ଗଢିଥିଲେ "ବରି ଆଶ୍ରମ' । ମା' ରମାଦେବୀଙ୍କ ଏତାଦୃଶ କାର୍ଯ୍ୟ ଇଂରେଜ ସରକାରଙ୍କୁ ବିଚଳିତ କରିଦେଲା । ୧୯୩୦ ନଭେମ୍ବର ୮ ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ ପାଇଁ କଟକ ଜେଲରେ ରଖାଗଲା । ୧୯୪୨ ଭାରତଛାଡ ଆନ୍ଦୋଳନରେ ପ୍ରତ୍ୟକ୍ଷ ସମ୍ପୃକ୍ତି ହେତୁ ଇଂରେଜ ସରକାର ମା' ରମାଦେବୀ ଓ ସ୍ୱାମୀ ଗୋପବନ୍ଧୁ ବାବୁଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଦେଲେ । ଦେଶ ସ୍ୱାଧୀନ ହେବା ପରେ ବହୁ ଜନନେତା ପଦପଦବୀ ପାଇଁ ବ୍ୟାକୁଳ ହୋଇଉଠିଲେ । ମାତ୍ର ଏହି ଦେଶ ସେବକ ଦମ୍ପତି ସେଥିରୁ ନିବୃତ ରହି ଜନସେବାକୁ ଧର୍ମଭାବେ ମାନି ନେଇଥିଲେ । ୧୯୫୫ ମସିହା ବିନୋବାଜୀଙ୍କ ଭୂଦାନ ଯଜ୍ଞର ସଫଳତା ପଛରେ ମା' ରମାଦେବୀଙ୍କର ଅଭୟ ହସ୍ତ ଥିଲା । ସମସ୍ତ ପରିବାର ସଦସ୍ୟ ଏହି ମହାନ କାର୍ଯ୍ୟରେ ନିଜକୁ ସାମିଲ କରି ଏକ ଆଦର୍ଶ ସ୍ଥାପନ କରିଯାଇଛନ୍ତି ।

୧୯୫୮ ମସିହା ଏପ୍ରିଲ ୨୯ ସ୍ୱାମୀ ଗୋପବନ୍ଧୁଙ୍କ ସ୍ୱର୍ଗବାସ ମା' ରମାଦେବୀଙ୍କୁ ନିଃସଙ୍ଗ କରିଦେଲା । ତଥାପି ଧୈର୍ଯ୍ୟ ଧରି ନିଜର ସଂକଳ୍ପ ରକ୍ଷାରେ ଅଗ୍ରସର ହୋଇଥିଲେ । ୧୯୬୨ ଚୀନ୍ ଭାରତ ଯୁଦ୍ଧ ସମୟରେ ନିଜେ ସେବାଦଳ ଧରି ଦୁର୍ଦ୍ିଦିନରେ ପଡିଥିବା ଭାରତୀୟ ଜବାନମାନଙ୍କୁ ସେବା ସହ ସାହସ ପ୍ରଦାନ କରିଥିଲେ । ଇନ୍ଦିରା ପ୍ରିୟଦର୍ଶିନୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଜରୁରିକାଳୀନ ପରିସ୍ଥିତିର ଦୃଢ ମୁକାବିଲା କରିଥିଲେ ଜୟପ୍ରକାଶ ନାରାୟଣ । ମା' ରମାଦେବୀ ଭାରତୀୟ ଗଣତନ୍ତ୍ରର ମାନ ରକ୍ଷା ଲାଗି ଜୟପ୍ରକାଶଜୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଇ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ କରାଇଥିଲେ । ୧୪୪ଧାରା ଜାରି ସତ୍ତେ୍ୱ ସମାବେଶର ଅଗ୍ରଭାଗରେ ମା' ରମାଦେବୀଙ୍କୁ ଦେଖି ପ୍ରଶାସନ ପଛଘୁଞ୍ଚା ଦେଇଥିଲା । ବହୁ ଜନନାୟକ ଜେଲ୍ ଗଲେ, ମାତ୍ର ମା' ରମାଦେବୀଙ୍କୁ ଗିରଫ କରିବାକୁ କେହି ସାହସ କରି ନଥିଲେ । ଏହି ମହିୟସୀ ଦୃଢମନା ମହିଳା ମା' ରମାଦେବୀ ୧୯୮୫ ମସିହା ଜୁଲାଇ ୨୨ଦିନ ସବୁ ଜଞ୍ଜାଳ ତୁଟାଇ ସ୍ୱର୍ଗବାସୀ ସ୍ୱାମୀଙ୍କ ପାଖକୁ ଚାଲିଗଲେ । ତାଙ୍କ ମୃତୁ୍ୟରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ବିଶ୍ୱମ୍ଭରନାଥ ପାଣ୍ଡେ କାନ୍ଦ କାନ୍ଦ ହୋଇ କହିଥିଲେ- "ସେ ଓଡ଼ିଆ ଜାତିର ମା' ନଥିଲେ, ମୋର ମଧ୍ୟ ମା' ଥିଲେ ।' କୌଣସି ଉଚ୍ଚ ପଦବୀରେ ନଥାଇ ମଧ୍ୟ ତାଙ୍କ ପାଇଁ ରାଷ୍ଟ୍ରୀୟ ମର୍ଯ୍ୟାଦା ମିଳିଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୁଖାଗ୍ନି ଦେଇଥିଲେ ପୁତ୍ର ମନମୋହନ । ଇସାଇ ଜନକଥାରେ ଅଛି, ଅଗ୍ନି ଲୁହାକୁ ତରଳାଏ ମାତ୍ର ଜଳଦ୍ୱାରା ଲିଭିଯାଏ । ଜଳର ବାଦଲକୁ ପବନ ବୋହିନିଏ, ମାତ୍ର ମନୁଷ୍ୟ ଯୋଗ ଦ୍ୱାରା ପବନକୁ ଆୟତ୍ତ କରିଦିଏ । ନିଦ୍ରା-ମନୁଷ୍ୟକୁ ଅବଶ କରି ପକାଏ, ମାତ୍ର ମୃତୁ୍ୟ ନିକଟରେ ହାର୍ମାନେ । ଏହି ପ୍ରତାପଶାଳୀ ମୃତୁ୍ୟ କେବଳ କରୁଣା ପାଖରେ ନତମସ୍ତକ ହୋଇଥାଏ । ମା' ରମାଦେବୀ ଥିଲେ ଦୟା କରୁଣାର ପ୍ରତିମୂର୍ତ୍ିତି । ତେଣୁ ସେ କାଳ କାଳ ମୃତୁ୍ୟର ଊ–ର୍ରେ । ତାଙ୍କ ସ୍ମରଣରେ ଏକ ତଟରକ୍ଷୀ ଜାହାଜର ନାମ ମା' ରମାଦେବୀ ରଖାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଏକ ଆଦର୍ଶ ମହିଳା କଲେଜ ସ୍ଥାପିତ ହୋଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ଦେଇଛି । ସମର୍ପିତ ସେବା ଲାଗି ମିଳିଛି ସମ୍ମାନଜନକ "ଯମୁନାଲାଲ ବାଜାଜ' ପୁରସ୍କାର । କିନ୍ତୁ ମା' ସବୁଥିରେ ନିର୍ଲିପ୍ତ । ଓଡ଼ିଆ ଜାତି ବଞ୍ଚିଥିବା ପର୍ଯ୍ୟନ୍ତ ଏହି ମହୀୟସୀ ମହିଳା ମା' ରମାଦେବୀଙ୍କ ଋଣରୁ ମୁକ୍ତ ହୋଇପାରିବ ନାହଁ । ପ୍ରକୃତି ଭବନ, ପ୍ରାଚୀ ବିହାର କାକଟପୁର, ପୁରୀ

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ୍[ସମ୍ପାଦନା]