ମୟୂର
| ମୟୂର | |
|---|---|
| ପୁରୁଷ (ମୟୂର) | |
| ସ୍ତ୍ରୀ (ମୟୂରୀ) | |
| Conservation status | |
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Animalia |
| ସଂଘ: | Chordata |
| ବର୍ଗ: | ପକ୍ଷୀ |
| ଗଣ: | Galliformes |
| କୁଳ: | Phasianidae |
| ଉପକୁଳ: | Phasianinae |
| ପ୍ରଜାତି: | Pavo |
| ଜାତି: | P. cristatus |
| ବାଇନୋମିଆଲ ନାଆଁ | |
| Pavo cristatus Linnaeus, 1758 |
|
| Range map | |
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ମୟୁର କର୍ଷକ ବର୍ଗର ଏକ ପକ୍ଷୀ ବିଶେଷ । ମୟୂର ପ୍ରଜାତିର ପୁରୁଷପକ୍ଷୀକୁ ମୟୂର ଓ ସ୍ତ୍ରୀ ପକ୍ଷୀକୁ ମୟୂରୀ କୁହାଯାଏ । ମୟୂରର ଲାଞ୍ଜ ଖୁବ ବଡ଼ ହେଇଥିବାରୁ ତାହାକୁ ଲୋକୋକ୍ତିରେ ଲଞ୍ଜା ମୟୁର ଏବଂ ମୟୂରୀର ଲାଞ୍ଜ ଛୋଟ ହେଇଥିବାରୁ ତାହାକୁ ଲାଣ୍ଡୀ ମୟୂର ବୋଲି ମଧ୍ୟ କୁହାଯାଏ । ମୟୂରର ଲାଞ୍ଜର ବଡ଼ ପକ୍ଷ ଓ କଣ୍ଠର କ୍ଷୁଦ୍ର ପର ନାନା ବର୍ଣ୍ଣରେ ରଞ୍ଜିତ । ମୟୂରୀର ପରର ରଙ୍ଗ ମୟୁର ତୁଳନାରେ ଅପେକ୍ଷା କୃତ ମ୍ଲାନ ହେଲେହେଁ ମୟୂର ପରି ମୟୂରୀ ମଧ୍ୟ ସମମାତ୍ରାରେ ଆକର୍ଷଣୀୟ । ଏଣୁ ଏହି ପକ୍ଷୀ ପ୍ରଜାତି କାଳେ କାଳେ ବିଶ୍ଵର ବିହଙ୍ଗ ବିବିଧତା ମଧ୍ୟରେ ପ୍ରମୁଖତା ପାଇଆସିଛି। । ଏହା ସଂସ୍କୃତ ମି ଧାତୁରୁ ଉର୍ ପ୍ରତ୍ୟୟ ଦ୍ଵାରା ନିଷ୍ପନ୍ନ । ମି ର ଅର୍ଥ କ୍ଷେପଣକରିବା ବୋଲି ଭାଷାକୋଷ ଲେଖିଥିଲେହେଁ ଏହାର ପ୍ରକୃତ ଅର୍ଥ ମାରିପକାଇବା । ମୟୂରର ଏକ ବିଶେଷତ୍ଵ ହେଉଛି, ପ୍ରାଣନାଶକାରୀ ବିଷଧର ସର୍ପକୁ ସେ ମାରିପକାଏ ।[୨] ସେଥିପାଇଁ ହିଁ ମି ଧାତୁର ଉର୍ ପ୍ରତ୍ୟୟ ଯୋଗରେ ମୟୁର ଶବ୍ଦର ସୃଷ୍ଟି ହେଇଛି । ଭାଷାକୋଷ ଅନୁସାରେ ମୟୂରର ଅନ୍ୟନାମ କେକୀ, ଶିଖି, ଶିଖଣ୍ଡୀ ।
ମୟୁର ଭାରତର ଜାତୀୟ ପକ୍ଷୀ । ୧୯୬୨ ରେ ଜାପାନର ରାଜଧାନୀ ଟୋକିଓରେ ଆନ୍ତର୍ଜାତିକ ପକ୍ଷୀ ସଂରକ୍ଷଣର ଯେଉଁ ସମ୍ମିଳନୀ ହେଇଥିଲା ସେଥିରେ ସବୁ ଦେଶକୁ ନିଜ ନିଜର ଜାତୀୟ ପକ୍ଷୀ ଚୟନ ପରାମର୍ଶ ଦିଆଯାଇଥିଲା । ଏହାର ମୂଲ ଉଦ୍ଦେଶ୍ୟ ଅବଶ୍ୟ ଥିଲା ପକ୍ଷୀ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି । ମାତ୍ର ଏହା ଫଳରେ ମୟୂର ପାଇଲା ଭାରତର ପକ୍ଷୀର ମାନ୍ୟତା।ଫଳ ସ୍ଵରୂପ ୧୯୬୩ ରୁ ମୟୂର ଭାରତର ଜାତୀୟ ପକ୍ଷୀ ରୂପେ ବିବେଚିତ ହେଲା ।[୩]
ବିଷୟସୂଚୀ |
ବିବିଧ ଭାଷାରେ ନାମ [ସମ୍ପାଦନା]
ମୟୂର ଦେଶ ବିଦେଶରେ ଭିନ୍ନ ଭିନ୍ନ ନାମରେ ପରିଚିତ। ଓଡ଼ିଆରେ ମୟୂର କୁହାଯାଏ । ହିନ୍ଦୀ, ଉର୍ଦ୍ଦୁ , ଗୁଜୁରାଟୀ ଓ ମରାଠିରେ ଏହାକୁ ମୋର୍ କୁହାଯାଉଥିବା ବେଳେ କନ୍ନଡ଼ରେ ନଭିଲା ଓ ତେଲୁଗୁରେନେମିଲା କୁହାଯାଏ । ସେହିପରି ସିଂହଳ ରେ ଏହା ମନାର,ଫରାସୀରେ ପାଓନ୍ ଓ ପର୍ସିଆରେ ତାଉସ୍ ନାମରେ ପରିଚିତ । [୪] କିନ୍ତୁ ବିଶ୍ଵର ପ୍ରାଣୀ ବିଜ୍ଞାନୀମାନଙ୍କ ପାଇଁ ଏହାର ଗୋଟିଏ ନାମ ପାଭୋ କ୍ରିଷ୍ଟାଟସ୍ ।
କଳା ଓ ସାହିତ୍ୟ [ସମ୍ପାଦନା]
ବହୁ ପ୍ରାଚୀନ କାଳରୁ ମୟୂର ଦେଶ ବିଦେଶର କଳା,ସାହିତ୍ୟ,ସଂସ୍କୃତିରେ ପ୍ରମୂଖ ସ୍ଥାନ ପାଇଆସିଛି । ସିନ୍ଧୁ ସଭ୍ୟତା ସମୟରେ ମଧ୍ୟ ମୟୁର ବେଶ ଲୋକପ୍ରିୟ ଥିଲା।ପ୍ରାଚୀନ ସଭ୍ୟତା ମହେଞ୍ଜୋଦାରୋ, ହରପ୍ପାର ପ୍ରତ୍ନତାତ୍ଵିକ ଖନାରୁ ମିଳିଥିବା ମୃତପାତ୍ରରେ ମୟୁରର ଚିତ୍ର ରହିଛି । ଆଜିଠୁ ପ୍ରାୟ ତିନିହଜାର ବର୍ଷ ପୂର୍ବ ଫୋନେସୀୟ ମାନେ ଭାରତରୁ ମୟୁର ନେଇ ଇଜିପ୍ଟର ଫାରୋ ସୋଲୋମନଙ୍କୁ ଉପହାର ଦେଇଥିବାର ପ୍ରମାଣ ମିଳେ ।
ଗବେଷକଙ୍କ ମତରେ [ସମ୍ପାଦନା]
- ପକ୍ଷୀ ବିଜ୍ଞାନୀମାନଙ୍କ ଅନୁସାରେ ମୟୂରର ପରରେ ଥିବା ବର୍ଣ୍ଣାଳିର ଗୋପନସୂତ୍ର ଭିନ୍ନ।ବିଜ୍ଞାନ ଗବେଷଣା ପତ୍ରିକା ପ୍ରୋସିଡିଂସ୍ ଅଫ୍ ଦ ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସ ଅନୁସାରେ କେରାଟିନ୍ ଓ ମେଲାନିନ୍ ମଧ୍ୟରେ ସମନ୍ଵୟର କିଂଚିତ ବିଚ୍ୟୁତିରୁ ଏହି ବର୍ଣ୍ଣାଳିସୃଷ୍ଟି ହେଇଛି । କେରାଟିନ୍ ହେଉଛି ସେହି ରାସାୟନିକ ଉପାଦାନ ଯାହା ଆମ ହାତ ଆଙ୍ଗୁଠିର ନଖରେ ଥାଏ ।
- ତ୍ରୟୋଦଶ ଶତଦ୍ଦୀର ବିଶିଷ୍ଟ ପ୍ରକୃତିତତ୍ତ୍ଵବିତ ହଂସଦେବ ବଣ୍ୟ ପଶୁପକ୍ଷୀ ମାନଙ୍କ ସମ୍ପର୍କରେ ମୃଗପକ୍ଷୀ ଶାସ୍ତ୍ରମ୍ ନାମକ ଏକ ଗ୍ରନ୍ଥ ରଚନା କରିଛନ୍ତି । ସେଥିରେ ସେ ବର୍ଗ, ବସତି ଓ ବ୍ୟବହାର ଦୃଷ୍ଟିରୁ ଏହି ପକ୍ଷୀକୁ ଛଅ ଭାଗରେ ବିଭକ୍ତ କରିଛନ୍ତି, ସେହି ବିଭାଗ ଗୁଡ଼ିକ ହେଉଛି :- ମୟୂର, ବର୍ହିନ୍, ନୀଳକଣ୍ଠନ୍, ଭୁଜଙ୍ଗଭୁକ୍, ଶିଖାବଳ ଓ କେକୀନ୍ ।
- କ୍ରିଷ୍ଣା ଲାଲ୍ ନାମକ ଜଣେ ଗବେଷକ ମୟୂର ବିଷୟକ ତାଙ୍କର ଏକ ଇଂରାଜୀ ପୁସ୍ତକରେ ମୟୁରର ଅନ୍ୟ କେତେକ ସଂସ୍କୃତ ନାମ ଦେଇଛନ୍ତି । ମୟୂରର କଣ୍ଠର ବର୍ଣ୍ଣ ନୀଳ-ତେଣୁ ସେ ନୀଳକଣ୍ଠ, ତାହାର ଏକ ଶିଖା ଅଛି-ତେଣୁ ସେ ଶିଖି, ମୟୂରର ପର ବର୍ଣ୍ଣାଳୀରେ ଭରା-ତେଣୁ ସେ ଚିତ୍ରପିଚକ, ତାର ପର ବୃତ୍ତାକାରରେ ସଜ୍ଜିତ-ତେଣୁ ସେ କଳପୀ, ମୟୂରର ପରର ଶୋଭା ଅତ୍ୟନ୍ତ ସୁନ୍ଦର-ତେଣୁ ସେ ଶିଖଣ୍ଡୀ, ମୟୂର ସାପ ଖାଏ-ତେଣୁ ସେ ଭୁଜଙ୍ଗଭୁକ୍, ମୟୂର ମେଘ ଦେଖି ନାଚେ-ତେଣୁ ସେ ମେଘାନନ୍ଦ, ମୟୂରର ଆଖିର ପ୍ରାନ୍ତ ବା ଅପାଙ୍ଗ ଶ୍ଵେତବର୍ଣ୍ଣର-ତେଣୁ ସେ ସିତାପାଙ୍ଗ ।
ଇତିହାସ [ସମ୍ପାଦନା]
ଆଲେକଜାଣ୍ଡାର [ସମ୍ପାଦନା]
ବିଶ୍ଵର ପ୍ରାଚୀନ ଐତିହାସିକ ବୃତ୍ତାନ୍ତମାନଙ୍କରୁ ମିଳୁଥିବା ପ୍ରମାଣ ଅନୁସାରେ ଗ୍ରୀକ ବୀର ଆଲେକଜାଣ୍ଡାର ଖ୍ରୀଷ୍ଟପୂର୍ବ ୩୨୬ ରେ ଭାରତ ଆକ୍ରମଣ କରିବା ପରେ ଭାରତରୁ ୨୦୦ଟି ମୟୁର ଗ୍ରୀକକୁ ନେଇଯାଇଥିଲେ।ରୋମରେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାଦ୍ଦୀରେ ମୟୁର ଥିବାର ପ୍ରମାଣ ମିଳେ ଆରିଷ୍ଟୋଟଲଙ୍କ ରଚନାରୁ । ପେରିକ୍ଲିସଙ୍କ ସମୟରେ (ଖ୍ରୀଷ୍ଟପୂର୍ବ ୫୯୦ରୁ ୪୨୯) ଏହି ବିରଳ ପକ୍ଷୀକୁ ଦେଖିବାକୁ ଦୂରଦୂରାନ୍ତରରୁ ଲୋକ ଆସୁଥିବାର ବର୍ଣ୍ଣନା ମଧ୍ୟ ରହିଛି ।[୨] ଖ୍ରୀଷ୍ଟପୂର୍ବ ତୃତୀୟ ଶତକରେ ମୟୁର ଥିଲା ମୌର୍ଯ୍ୟ ସାମ୍ରାଜ୍ୟର ସନ୍ତକ।ବିହାର ବୁଲନ୍ଦିବାଗର କୁମାରହାର ପ୍ରତ୍ନତାତ୍ତ୍ଵିକ ଖନନରୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପ୍ରାସାଦର ଭିତ୍ତିରେ ମୟୁରର ଚିତ୍ର ଖୋଦିତ ହୋଇଥିବାର ନିଦର୍ଶନ ମିଳିଛି।
ଓଡ଼ିଶା [ସମ୍ପାଦନା]
ଓଡ଼ିଶାର ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ ମୟୁରଭଞ୍ଜ ମଧ୍ୟ ମୟୁର ଶବ୍ଦକୁ ନେଇ ସୃଷ୍ଟି ହେଇଥିବାର ଜଣାଯାଏ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ, ଆଜିଠୁଁ ପ୍ରାୟ ୨୦୦୦ ବର୍ଷତଳେ ରାଜପୁତନାର ଜୟପୁର ରାଜବଂଶର ଜଣେ ରାଜପୁରୁଷ ଏହି ରାଜ୍ୟ ସ୍ଥାପନ କରି ସେଠାରେ ରାଜତ୍ଵ କରୁଥିଲେ । ପ୍ରଥମେ ଏହାର ନାମଥିଲା ହରିହରପୁର । ମୟୁର ଥିଲା ରାଜବଂଶର ସଙ୍କେତ ଏବଂ ରାଜା ମାନେ ଥିଲେ ଭଞ୍ଜବଂଶୀ।ତେଣୁ ତାହା ପରେ ମୟୁରଭଞ୍ଜ ନାମରେ ପରିଚିତ ହେଲା । ଗଜପତି ରାଜାଙ୍କ ରାଜତ୍ଵରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ, ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଏବଂ ସିଂହଭୂମି, ମାନଭୂମି ଅଞ୍ଚଳ ମାନ ଏହିରାଜ୍ୟର ଅନ୍ତର୍ଗତ ଥିଲା । କାଳକ୍ରମେ ସେହି ସବୁ ରାଜ୍ୟ ମୟୁରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି ।
ଭାଷାକୋଷରେ ମୟୁରଭଞ୍ଜର ନାମ ସମ୍ପର୍କରେ ଆଉ ଏକ ପ୍ରସଙ୍ଗ ମଧ୍ୟ ମିଳେ । ମୟୁରଭଞ୍ଜର ଏକ ପୂର୍ବତନ ରାଜବଂଶର ଉପାଧି ଥିଲା ମୟୁରଧ୍ଵଜ'। ସେହି 'ମୟୁରଧ୍ଵଜ ରାଜବଂଶର ଗର୍ବଭଞ୍ଜନ କରି ସିଂହାସନ ଅଧିକାର କରିଥିବାରୁ ପରବର୍ତ୍ତୀ ରାଜବଂଶର ନାମ ମୟୁରଭଞ୍ଜ ହେଇଥିଲା ।
ମୟୁର ସିଂହାସନ [ସମ୍ପାଦନା]
ମୟୁର ସହିତ ରାଜବଂଶ ବା ରାଜସନ୍ତକର ସମ୍ପର୍କ କଥା ଆସିଲେ, ପ୍ରଥମେ ମନକୁ ଆସେ ମୟୂର ସିଂହାସନ।ଏ ହେଉଛି ସେହି ରାଜ ଆସନ ଯାହାକୁ ନେଇ ମୋଗଲକାଳୀନ ଭାରତରେ ସଂଘଟିତ ହେଇଛି ବହୁ ଦ୍ଵନ୍ଦ,ସଂଘର୍ଷ ଓ ରକ୍ତପାତର ନାଟକ।ବର୍ତ୍ତମାନ ମୟୂର ସିଂହାସନର ଅସ୍ତିତ୍ଵ ନଥିଲେ ହେଁ ପରବର୍ତ୍ତୀ କାଳରେ ଏହି ନାମଟି ଗର୍ବ ଓ ଗାରିମାର ଏକ ପ୍ରତୀକ ହୋଇରହି ଆସିଛି, ୧୮୧୨ ରେ ତୁର୍କୀର ସୁଲତାନ ଫତେ ଅଲି ଶାହା କାଜାରଙ୍କ ପାଇଁ ନିର୍ମିତ ସିଂହାସନକୁ ମଧ୍ୟ ମୟୂର ସିଂହାସନ କୁହାଯାଉଥିଲା ।
ଅଶୋକ [ସମ୍ପାଦନା]
ମୟୂରର ସୁନ୍ଦର ଚନ୍ଦ୍ରିକା ତାକୁ ଯେତିକି ପ୍ରସିଦ୍ଧ ଦେଇଛି,ସେପରି ମଧ୍ୟ ତାହାର ମୃତ୍ୟୁର କାରଣ ହେଇ ଆସିଛି।ସାଧାରଣତଃ ଏହି ସୁନ୍ଦର ଚନ୍ଦ୍ରିକା ପାଇଁ ଶିକାରୀମାନେ ମୟୂରକୁ ଶିକାର କରିଥାନ୍ତି।ଅନେକ ସ୍ଥଳରେ ସ୍ଵାଦିଷ୍ଠ ମାଂସ ପାଇଁ ମଧ୍ୟ ମୟୂର ଶିକାର କରାଯାଇଥାଏ।ସମ୍ରାଟ ଅଶୋକଙ୍କର ଗୀର୍ଣ୍ଣାର ଶିଳାଲେଖରୁ ଏହା ଏକ ପ୍ରମାଣ ମିଳେ।ଅଶୋକ ଥିଲେ ମୟୂରମାଂସ ପ୍ରିୟ।ତେଣୁ ରାଜମଣୋହି ପାଇଁ ପ୍ରତିଦିନ ବହୁ ମୟୂରଙ୍କୁ ହତ୍ୟା କରାଯାଉଥିଲା।ପରେ ଅଶୋକ ପ୍ରତିଦିନ ମାତ୍ର ୨ଟି ମୟୂର ଓ ଗୋଟିଏ ମୃଗରେ ସୀମିତ ରଖିବାକୁ ସେହି ଶିଳାଲେଖରେ ନିର୍ଦ୍ଦେଶ ଦେଇଥିଲେ।[୫]
ପୁରାଣ [ସମ୍ପାଦନା]
କାର୍ତ୍ତିକେୟ [ସମ୍ପାଦନା]
ମୟୁର କାଳେକାଳେ କଳା,ସାହିତ୍ୟ,ଇତିହାସ ଓ ପୁରାଣ ଆଦିରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ପାଇଆସିଛି । ଆମ ପୁରାଣର ଶୌର୍ଯ୍ୟ ଓ ସୌନ୍ଦର୍ଯୟର ଦେବତା କାର୍ତ୍ତିକେୟଙ୍କର ବାହାନ ହେଉଛି ମୟୂର।ତାରକାସୁରର ବିନାଶ ପାଇଁ ତାଙ୍କୁ ଯେତେବେଳେ ବିଭିନ୍ନ ଦେବାଦେବୀ ବିଭିନ୍ନ ଆୟୁଧ ଓ ଭୂଷଣ ଦାନ କରୁଥିଲେ,ସେତିକି ବେଳେ ଗରୁଡ଼ ନିଜର ପୁତ୍ର ମୟୁରଙ୍କୁ ତାଙ୍କୁ ଦାନ କରିଥିଲେ । ସେହି ଗରୁଡ଼ ପୁତ୍ର ମୟୂର ହେଲେ କାର୍ତ୍ତିକେୟଙ୍କ ବାହାନ ।[୨]
ଅନ୍ୟ ଏକ ପୌରାଣିକ ଉପାଖ୍ୟାନ ଅନୁସାରେ, ଦକ୍ଷିଣ ଭାରତର ମୟୁରପୁର ପର୍ବତଠାରେ କାର୍ତ୍ତିକେୟ ତାରକାସୁରକୁ ବିନାଶ କରିଥିଲେ ଏବଂ ତାରକାସୁର ଏକ ମୟୂର ରୂପରେ ପୁନର୍ଜନ୍ମ ନେଇଥିଲା । ସ୍କନ୍ଦପୁରାଣର ବୀରମହେନ୍ଦ୍ର କାଣ୍ଡ ଅନୁସାରେ,ମୟୁର ଏକ ଅସୁର।ସେ ସ୍କନ୍ଦ ବା ସୁବ୍ରହ୍ମଣ୍ୟ ବା କାର୍ତ୍ତିକେୟଙ୍କ ସହ ଯୁଦ୍ଧ କରିଥିଲା । ମହାଭାରତ ଆଦିପର୍ବର ୬୫ ଅଧ୍ୟାୟ ଅନୁସାରେ,ମୃତ୍ୟୁ ପରେ ମୟୂର ବିଶ୍ଵ ନାମକ ଏକ ରାଜା ରୂପେ ପୁନର୍ଜନ୍ମ ଗ୍ରହଣ କରିଥିଲା।
ଅଶ୍ଵମେଧ ଯଜ୍ଞ [ସମ୍ପାଦନା]
ଋକବେଦରେ ଇନ୍ଦ୍ରଙ୍କର ପ୍ରିୟପକ୍ଷୀ ରୂପେ ମୟୂରର ବର୍ଣ୍ଣନା ଅଛି । ଶୁକ୍ଳ ଯଜୁର୍ବେଦ ଅନୁସାରେ ଅଶ୍ଵମେଧ ଯଜ୍ଞରେ ଅଶ୍ଵିନୀ କୁମାରଙ୍କୁ ମୟୁର ଆହୁତି ଦିଆଯାଇଥିଲା । ଏହି ଆହୁତି ଦ୍ଵାରା ଅଶ୍ଵମେଧର ଅଶ୍ଵ ସହଜରେ ସ୍ଵର୍ଗାରୋହଣ କରିଥାଏ ବୋଲି ଉଲ୍ଲେଖ ଅଛି ।
ଇନ୍ଦ୍ରଦେବ [ସମ୍ପାଦନା]
ଆଉ ଏକ ଉପାଖ୍ୟାନ ଅନୁସାରେ, ରାବଣ ଥରେ ସ୍ଵର୍ଗରାଜ୍ୟ ଆକ୍ରମଣ କରି ଦେବତା ମାନକୁ ପରାସ୍ତ କଲା।ଇନ୍ଦ୍ର ପରାସ୍ତ ହେଇ ପଳାୟନ କଲେ ଏବଂ ଯାଇ ଗୋଟିଏ ମୟୂରର ପରଭିତରେ ଲୁଛି ରହିଲେ।ସେଥିପାଇଁ ସଂକଟ ଟଳିଯିବା ପରେ ସେ ମୟୂରକୁ ବରଦେଇ - ମୋର ସହସ୍ରାକ୍ଷି ପରି ଆଜିଠୁ ତୋର ପର ସହସ୍ରାକ୍ଷି ହେବ ବୋଲି କହିଥିଲେ । ସେହି ଦିନଠୁ ମୟୂର ଚନ୍ଦ୍ରିକାଯୁକ୍ତ ପରରେ ଶୋଭା ପାଇଲା ଓ ପ୍ରସିଦ୍ଧ ହେଲା । ଋକବେଦ ସଂହିତା ଅନୁସାରେ ଇନ୍ଦ୍ରଙ୍କ ଅଶ୍ଵର ଅନ୍ୟନାମ ମୟୂରାରୋମ । କାରଣ ତାହାର ଲୋମର ରଙ୍ଗ ମୟୂରର ରଙ୍ଗ ପରି ଏବଂ ପୁଚ୍ଛ ମଧ୍ୟ ମୟୂରର ପୁଚ୍ଛ ପରି । ଅଥର୍ବବେଦ ଅନୁସାରେ ମୟୂର ସର୍ପବିଷ ନିବାରକ । [୨]
ଗ୍ରୀକ୍ ପୁରାଣ [ସମ୍ପାଦନା]
ଗ୍ରୀକ୍ ପୁରାଣ୍ ଅନୁସାରେ ଜୁପିଟରଙ୍କ ସ୍ତ୍ରୀ ଜୁନୋ ଅତ୍ୟନ୍ତ ଖଳ ପ୍ରକୃତିର ଥିଲେ । ସେ ଆର୍ଗସ ନାମକ ଏକ ରାକ୍ଷସର ଶହେଟି ଆଖିକୁ ଉପାଡ଼ି ନେଇ ମୟୂରର ଲାଞ୍ଜରେ ଖଞ୍ଜି ଦେଇଥିଲେ।ସେହି ପରି ଗ୍ରୀକ୍ ପୁରାଣର ଅନ୍ୟ ଏକ ଉପାଖ୍ୟାନ ଅନୁସାରେ ହେରା ତାଙ୍କର ବିଶ୍ଵସ୍ତ ପ୍ରହରୀ ହେବାପାଇଁ ମୟୂରର ପରରେ ବହୁ ଆଖି ଖଞ୍ଜି ଦେଇଥିଲେ, ତାହା ହିଁ ହେଉଛି ମୟୂର ପରର ଚନ୍ଦ୍ରିକା ।
ଧର୍ମ [ସମ୍ପାଦନା]
ବୌଦ୍ଧ ଜାତକ କଥା ମହାମୟୂର ଜାତକ ଅନୁସାରେ ଭଗବାନ ବୁଦ୍ଧ ଏକଦା ଏକ ସୁନାମୟୂର ରୂପେ ଜନ୍ମଗ୍ରହଣ କରିଥିଲେ । ପୁଣି ବୌଦ୍ଧ ଧର୍ମରେ ମହାମୟୂରୀ ନାମରେ ଜଣେ ଦେବୀ ମଧ୍ୟ ଅଛନ୍ତି ।[୬]
ଆଧାର [ସମ୍ପାଦନା]
- ↑ BirdLife International (2009). "Pavo cristatus". IUCN Red List of Threatened Species. Version 2009.2. International Union for Conservation of Nature. http://www.iucnredlist.org/apps/redlist/details/141357. Retrieved 2010-02-15.
- ↑ ୨.୦ ୨.୧ ୨.୨ ୨.୩ Krishna Lal (1 January 2007). Peacock In Indian Art, Thought And Literature. Abhinav Publications. ISBN 978-81-7017-429-5. http://books.google.com/books?id=wuotb7YyrigC. Retrieved 14 September 2012.
- ↑ http://articles.timesofindia.indiatimes.com/2006-09-16/open-space/27830704_1_national-bird-peacock-common-man
- ↑ http://www.archive.org/stream/booksword00unkngoog#page/n197/mode/1up
- ↑ http://www.buddhanet.net/pdf_file/king_asoka.pdf
- ↑ http://ccbs.ntu.edu.tw/FULLTEXT/JR-BH/bh117490.htm
ଅଧିକ ତଥ୍ୟ [ସମ୍ପାଦନା]
| ଉଇକି କଥାରେ ମୟୂର ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି |
| ମୟୂର ଶବ୍ଦଟି ଖୋଲା ଅଭିଧାନ, ଉଇକି ଅଭିଧାନରେ ଖୋଜନ୍ତୁ । |
- Peafowl Varieties Database
- Etymology of the word Peacock
- United Peafowl Association Knowledge Base
- Peafowl videos, photos & sounds on the Internet Bird Collection.
- Behavioural Ecologists Elucidated How Peahens Choose Their Mates, And Why, an article at Science Daily.
- The Peacock Pages: All About Peacocks!, an article by Lisa Johnson from the Game Bird and Conservationists' Gazette — aspects of the cultural role of peafowl and their place in aviculture.
- Raising Peacocks
|
|||||||