ମ୍ୟାଲେରିଆ
| Malaria | |
|---|---|
| ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
A Plasmodium in the form that enters humans and other vertebrates from the saliva of female mosquitoes (a sporozoite) traverses the cytoplasm of a mosquito midgut epithelial cell.ମାଈ ମଶାର ଲାଳରେ ଥିବା ସ୍ପୋରୋଜଏଟ ମଶା କାମୁଡିଲା ପରେ ରକ୍ତରେ ଦେଖାଯାଉଛି |
|
| ICD-10 | B50. |
| ICD-9 | 084 |
| OMIM | 248310 |
| ରୋଗ ଡାଟାବେସ | 7728 |
| MedlinePlus | 000621 |
| eMedicine | med/1385 emerg/305 ped/1357 |
| MeSH | C03.752.250.552 |
ମ୍ୟାଲେରିଆ(ବିଷମ ଜ୍ୱର) ଏକ ବାହକ ଜନିତ ସଂକ୍ରାମକ ରୋଗ । ମାଈ ଆନୋଫିଲିସ ମଶା ଏହାର ବାହକ । ଏହା ମୁଖ୍ୟତଃ ପ୍ରୋଟିଷ୍ଟ ଗୋଷ୍ଠିର ପ୍ଲାଜମୋଡିୟମ ପ୍ରଜାତିର ଏକ ଜୀବାଣୁ ଦ୍ଵାରା ହୋଇଥାଏ । ପ୍ରୋଟିଷ୍ଟ ପ୍ରଥମେ ଯକୃତକୁ ସଂକ୍ରମଣ କରିବା ପରେ ଲୋହିତ ରକ୍ତ କଣିକାରେ ପରଜୀବୀ ଭାବେ କାର୍ଯ୍ୟ କରିଥାଏ; ଫଳ ସ୍ଵରୂପ ଜ୍ଵର ଓ ମୁଣ୍ଡ ବିନ୍ଧାର ଲକ୍ଷଣ ଦେଖାଦେଇଥାଏ। ଅତ୍ୟଧିକ ସଂକ୍ରମଣ ହେତୁ କୋମା ବା ମୃତ୍ୟୁ ମଧ୍ୟ ହେବାର ସମ୍ଭାବନା ଥାଏ ।
ପ୍ଲାଜମୋଡିୟମର ପାଞ୍ଚଟି ପ୍ରଜାତି ମନୁଷ୍ୟ ମାନଙ୍କୁ ଆକ୍ରମଣ କରିପାରେ ତଥା ସଂକ୍ରାମକ ହୋଇଥାଏ । ଅତ୍ୟଧିକ ମାତ୍ରାରେ ମ୍ୟାଲେରିଆ କରାଉଥିବା ଜୀବାଣୁଟି ହେଲା ପି. ଫାଲସିପାରମ; କିନ୍ତୁ ପି. ଭିଭାକ୍ସ, ପି. ଓଭାଲ, ପି. ମ୍ୟାଲେରିଏ କମ ସଂକ୍ରମିତ କରିଥାଏ ଓ ବିଶେଷ କ୍ଷତି ପହଞ୍ଚାଇ ନଥାଏ। ପଶୁଠାରୁ ମଣିଷକୁ ସଂକ୍ରମିତ ହେଉଥିବା ଜୀବାଣୁ ପି.ନୋଵେଲ୍ସି ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଏ ଓ ମାକେକ ନାମକ ଏକ ପ୍ରକାର ମାଙ୍କଡକୁ ଆକ୍ରମଣ କରିଥାଏ; କିନ୍ତୁ ମଣିଷକୁ ମଧ୍ୟ ସଂକ୍ରମିତ ହୋଇପାରେ । ମ୍ୟାଲେରିଆର ପ୍ରଭାବ ମୁଖ୍ୟଭାବେ ଉଷ୍ଣକୋଟି ଅଞ୍ଚଳ(ଭୂମଧ୍ୟ ରେଖାର ୨୩ ଡିଗ୍ରୀ ୨୬ ମିନିଟ ୧୬ ସେକେଣ୍ଡ ଉତ୍ତର ଓ ଦକ୍ଷିଣ)ରେ ଦେଖାଯାଏ । ଏହି ସବୁ ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ, ଉଚ୍ଚ ତାପମାତ୍ରା ଓ ଆର୍ଦ୍ରତା, ସ୍ଥିର ଜଳରାଶି ପ୍ରଭୃତି ମଶାମାନଙ୍କ ଲାର୍ଭା ର ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ।
ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଦ୍ଵାରା ପ୍ରସ୍ତୁତ ୨୦୧୦ରେ ଏକ ଆକଳନ ଅନୁସାରେ, ସମଗ୍ର ବିଶ୍ଵରେ ୨୧.୬ କୋଟି ବ୍ୟକ୍ତିଙ୍କର ମ୍ୟାଲେରିଆ ହେବାର ଲିଖିତ ତଥ୍ୟ ରହିଛି। ପ୍ରାୟ ୬୫୫,୦୦୦ ଜଣ ଏହି ରୋଗ ଫଳରେ ମୃତ୍ୟୁବରଣ କରିଛନ୍ତି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ୫ ବର୍ଷରୁ କମ ବୟସର ଶିଶୁ। [୧] ପ୍ରକୃତରେ କହିବାକୁ ଗଲେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇପାରେ କାରଣ ଗ୍ରାମାଞ୍ଚଳରୁ ସଠିକ ପରିମାଣରେ ତଥ୍ୟ ସଂଗ୍ରହ କରାଯାଇନାହିଁ। ଅଧିକଂଶ ମୃତ୍ୟୁର କାରଣ - ପି.ଫାଲସିପାରମ ଜୀବାଣୁ। ଅର୍ଥନୈତିକ ଅଭିବୃଦ୍ଧିର ଆଢୁଆଳରେ ମ୍ୟାଲେରିଆ ମୁଖ୍ୟଭାବେ ଦାରିଦ୍ର୍ୟତା ସହ ଜଡିତ ଏବଂ ଦାରିଦ୍ର୍ୟତାର କାରଣ ମଧ୍ୟ।
ଆଧୁନିକ ସମୟରେ ବହୁ ଆବଶ୍ୟକତା ସତ୍ଵେ କୌଣସି ଉଚ୍ଚମାନର ଔଷଧ ମ୍ୟାଲେରିଆ ପାଇଁ ଉପଲବ୍ଧ ନାହିଁ । ଏଥି ନିମନ୍ତେ ଗବେଷଣା ଚାଲୁ ରହିଛି। ଅତ୍ୟଧିକ ମ୍ୟାଲିରିଆକୁ ଇଣ୍ଟ୍ରାଭେନସ ପଦ୍ଧତି (ଶିରା ମାଧ୍ୟମରେ ଦେହକୁ ଜଳୀୟ ଅଂଶର ପ୍ରବେଶ), ଇଣ୍ଟ୍ରାମସ୍କୁଲାର ପଦ୍ଧତି(ଦେହର ମାଂଶପେଶୀରେ ଇଞ୍ଜେକ୍ସନ) ବା କୁଇନାଇନ(ଏକ ପ୍ରକାର ଜ୍ବର-ବ୍ୟଥା ନାଶକ ଧଳା ରଙ୍ଗର କ୍ଷାରୀୟ ବଟିକା) ଦ୍ୱାରା ଚିକିତ୍ସା କରାଯାଇଥାଏ। ୨୦୦୦ ଦଶକର ମଧ୍ୟଭାଗରୁ କୁଇନାଇନ ବଦଳରେ ଆର୍ଟେମିସିନିନ ଯାହାକି ଟିକିଏ ଉଚ୍ଚମାନର ତାହା ଉଭୟ ଶିଶୁ ତଥା ପ୍ରାପ୍ତ ବୟସ୍କଙ୍କ ପାଇଁ ମେଫ୍ଲୋକୁଇନ ସହିତ ଦିଆଯାଉଅଛି।
ବିଷୟସୂଚୀ |
ଇତିହାସ [ସମ୍ପାଦନା]
ମ୍ୟାଲେରିଆ ପ୍ରାୟତଃ ୫୦,୦୦୦ ବର୍ଷ ଧରି ମାନବ ଜାତିକୁ ପ୍ରଭାବିତ କରି ଆସିଛି ଏବଂ ବୋଧହୁଏ ସର୍ବଦା ମନୁଷ୍ୟ ଜାତିକୁ ପରଜୀବୀ ଭାବେ ଗ୍ରହଣ କରିଛି [୨]। ଏହି ପରଜୀବୀର ନିକଟତମ ସଂପର୍କୀୟ ହେଉଛନ୍ତି ସିମ୍ପାଞ୍ଜି ।[୩] ମ୍ୟାଲେରିଆର ସର୍ବପୂରାତନ ବର୍ଣ୍ଣନା ଚୀନ ଇତିହାସରେ ଖ୍ରୀ.ପୂ. ୨୭୦୦ରେ ଦେଖାଯାଏ।[୪]ଏହା ମଧ୍ୟ କୁହାଯାଏ ଯେ ମ୍ୟାଲେରିଆ ରୋମ ସାମ୍ରାଜ୍ୟ ପତନର ଏକ କାରଣ ଓ ସେ ସମୟରେ ଏହା ରୋମାନ ଜ୍ୱର ନାମରେ ପରିଚିତ ଥିଲା। [୫]
ମ୍ୟାଲେରିଆ ଉପରେ ପ୍ରଥମ ବୈଜ୍ଞାନିକ ଅଧ୍ୟୟନ ୧୮୮୦ରେ ହୋଇଥିଲା । ଚାର୍ଲ୍ସ ଲୁଇ ଅଲ୍ଫୋନ୍ସ ଲେଵେରନ ନାମକ ଫରାସୀ ସୈନ୍ୟ ଡାକ୍ତର ଆଲଜେରିଆରେ କାର୍ଯ୍ୟରତ ଥିବା ସମୟରେ ମ୍ୟାଲେରିଆ ପିଡୀତଙ୍କ ଲୋହିତ ରକ୍ତ କଣିକା ମଧ୍ୟରେ ପରଜୀବୀ ଲକ୍ଷ୍ୟ କରିଥିଲେ । ତେଣୁ ସେ ପ୍ରସ୍ତାବ ଦେଇଥିଲେ ଯେ ମ୍ୟାଲେରିଆର କାରଣ ପ୍ରୋଟୋଜୋଆ ପରଜୀବୀ ଅଟେ। [୬]ଏହି ଆବିଷ୍କାର ପାଇଁ ତାଙ୍କୁ ୧୯୦୭ରେ ଚିକିତ୍ସା ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପ୍ରୋଟୋଜୋଆର ନାମକରଣ ପ୍ଲାଜମୋଡିୟମ ବୋଲି ଇଟାଲୀୟ ବୈଜ୍ଞାନିକ ଏତୋରେ ମାର୍ଚିଆଫାଵା ଓ ଆଞ୍ଜେଲୋ ସେଲୀଙ୍କ ଦ୍ଵାରା ହୋଇଥିଲା। [୭]ଏହାର ଗୋଟିଏ ବର୍ଷ ପରେ କ୍ୟୁବାର ଜଣେ ଡାକ୍ତର କାର୍ଲୋସ ଫିନଲେ ପୀତ ଜ୍ଵରର ଚିକିତ୍ସା କରିବା ସମୟରେ ପ୍ରଥମ ଥର ପାଇଁ ଦାବୀ କରିଥିଲେ ଯେ ମଶା ମାନଙ୍କ ଦ୍ଵାରା ଏହି ରୋଗ ମନୁଷ୍ୟ ମାନଙ୍କୁ ସଂକ୍ରମିତ ହେଉଛି। [୮] କିନ୍ତୁ ଏହାକୁ ଅକାଟ୍ୟ ସତ୍ୟ ରୂପେ ୧୮୯୮ରେ ଜଣେ ସ୍କଟଲାଣ୍ଡର ଡାକ୍ତର ସାର ରୋନାଲ୍ଡ ରୋସ କଲିକତାର ପ୍ରେସିଡେନ୍ସି ଜେନେରାଲ ହସ୍ପିଟାଲରେ କାର୍ଯ୍ୟ କରୁଥିବା ସମୟରେ ପ୍ରମାଣିତ କରିଥିଲେ । ସେ ମଶା ମାନଙ୍କ ଅନାଳ ଗ୍ରନ୍ଥିରୁ ସଂଗ୍ରହିତ ଜୀବାଣୁକୁ କିଛି ପକ୍ଷୀଙ୍କ ଦେହରେ ପ୍ରବେଶ କରାଇ ମଶାକୁ ବାହକ ରୁପେ ପ୍ରମାଣ କରିଥିଲେ[୯] ଏବଂ ଏଥି ନିମନ୍ତେ ତାଙ୍କୁ ୧୯୦୨ ରେ ଚିକିତ୍ସା ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ଏହାପରେ ସେ ଭାରତୀୟ ଚିକିତ୍ସା ସେବାରୁ ଅବ୍ୟାହତି ନେଇ ସେ ସମୟର ସଦ୍ୟ ପ୍ରତିଷ୍ଠିତ ଲିଭରପୁଲ ସ୍କୁଲ ଅଫ ଟ୍ରୋପିକାଲ ମେଡିସିନରେ ଯୋଗଦେଇଥିଲେ ଏବଂ ଇଜିପ୍ଟ, ପାନାମା, ଗ୍ରୀସ, ମରିସସ ଆଦି ଦେଶରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରିଥିଲେ ।[୧୦]
ଲକ୍ଷଣ [ସମ୍ପାଦନା]
ମ୍ୟାଲେରିଆ ସଂକ୍ରମଣ ହେବାର ୮-୨୫ ଦିନ ମଧ୍ୟରେ ଏହାର ଲକ୍ଷଣ ସବୁ ଦେଖା ଯାଇଥାଏ । [୧୨]କିନ୍ତୁ ମ୍ୟାଲେରିଆ ପୂର୍ବରୁ ପ୍ରତିକାର ପାଇଁ ପ୍ରତିଷେଧକ ନେଇଥିଲେ ଲକ୍ଷଣମାନ ବିଳମ୍ବରେ ଦେଖା ଦେଇ ପାରେ ।[୧୩] ରୋଗର ଲକ୍ଷଣ ରୂପେ ଜ୍ଵର, କମ୍ପନ, ଗଣ୍ଠିରେ ଯନ୍ତ୍ରଣା, ବାନ୍ତି, ଦେହ ଶେତା ପଡିଯିବା, ଜଣ୍ଡିସ, ଆଖିରେ କଷ୍ଟ[୧୪], ତଥା ମାଂସପେଶୀରେ ପ୍ରବଳ ଯନ୍ତ୍ରଣା ହୋଇଥାଏ । ପ୍ରାୟ ୩୦% ରୋଗୀ ପ୍ରାଥମିକ ଚିକିତ୍ସା ଫଳରେ ଜ୍ଵର ଅନୁଭବ କରି ନଥାନ୍ତି।[୧୩]
ମ୍ୟାଲେରିଆର ସର୍ବାଧିକ ଦେଖାଯାଇଥିବା ଲକ୍ଷଣଟି ହେଲା - ପ୍ରତି ଦୁଇ ଘଣ୍ଟାରେ ପ୍ରବଳ ଶୀତ ଲାଗିବା ପରେ ଦେହ ଅବଶ ହୋଇଯାଇ ଜ୍ୱର ଆସିବା ଓ ପରେ ପରେ ବହୁ ଝାଳ ବାହାରିବା । ପି. ଭିଭାକ୍ସ ଓ ପି. ଓଭାଲ ଜୀବାଣୁ ଜନିତ ସଂକ୍ରମଣରେ ଏହା ପ୍ରତି ଦୁଇ ଦିନରେ ଥରେ ଏବଂ ପି. ମ୍ୟାଲେରିଏ ଓ ପି. ଫାଲସିପାରମ ଜନିତ ସଂକ୍ରମଣରେ ଏହା ପ୍ରତି ତିନି ଦିନରେ ହୋଇପାରେ ତଥା ୩୬-୪୮ ଘଣ୍ଟା ମଧ୍ୟରେ ବାରମ୍ବାର ଜ୍ଵର ଆସିଥାଏ । [୧୫]ବୋଧହୁଏ ଭୁଲ କାରଣ ବଶତଃ ବା ମସ୍ତିଷ୍କ ମଧ୍ୟରେ ଚାପ ଯୋଗୁଁ ସମ୍ବନ୍ଧିତ ହୋଇଥିବାରୁ; ମ୍ୟାଲେରିଆ ପିଡୀତ ଛୋଟ ଶିଶୁ ନାନା ଅସ୍ଵାଭାବିକ ଅବସ୍ଥା ପ୍ରଦର୍ଶିତ କଲେ ଧରିନିଆଯାଏ ଯେ ଭୟଙ୍କର ମସ୍ତିଷ୍କ ବିକୃତି ଘଟିଛି ।[୧୬] ସେରେବ୍ରାଲ ମ୍ୟାଲେରିଆ ହେବା ଫଳରେ ଦୃଷ୍ଟିପଟଳ ଧଳା ପଡିଯାଉଥିବାରୁ ଏହାକୁ ଚିକିତ୍ସା ସମୟରେ ସାଧାରଣ ମ୍ୟାଲେରିଆ ଠାରୁ ବାରି ହୋଇଯାଏ।[୧୭]
ମାତ୍ରାଧିକ ମ୍ୟାଲେରିଆ ପି. ଫାଲସିପାରମ ଦ୍ଵାରା ହୋଇଥାଏ ଯାହାର ଲକ୍ଷଣ ୬-୧୪ ଦିନ ମଧ୍ୟରେ ଦେଖାଯାଇଥାଏ । ଫାଲସିପାରମ ବ୍ୟତୀତ ଅନ୍ୟ ଜୀବାଣୁ ଦ୍ଵାରା ହେଉଥିବା ପ୍ରାୟ ୧୪% ମ୍ୟାଲେରିଆ ବିପଦଜ୍ଜନକ ହୋଇପାରେ ।[୧୩] ଚିକିତ୍ସାରେ ହେଳା ହେଲେ କୋମା ଅବସ୍ଥା ବା ସମ୍ଭାବ୍ୟ ମୃତ୍ୟୁ ହୋଇପାରେ - ବିଶେଷ କରି ଯୁବକ/ଯୁବତୀ ଓ ଗର୍ଭବତୀ ମହିଳା ମାନେ ମ୍ୟାଲେରିଆ ପ୍ରତି ବିଶେଷ ଭାବେ ସାବଧାନ ରହିବା ଉଚିତ ।
ଜଟୀଳତା [ସମ୍ପାଦନା]
ମ୍ୟାଲେରିଆରେ ଅନେକ ଗୁଡିଏ ଜଟୀଳ ସମସ୍ୟା ଉତ୍ପନ୍ନ ହୁଏ । ଫାଲ୍ସିପାରମ ମ୍ୟାଲେରିଆ ଭୋଗୁଥିବା ୨୫% ବୟସ୍କ ଓ ୪୦% ପିଲାମାନେ ଶ୍ବାସ କ୍ରିୟା ଅସୁବିଧା ଭୋଗନ୍ତି । ମେଟାବୋଲିକ୍ ଏସିଡୋସିସ, ଫୁସଫୁସ ଶୋଥ, ନିମୋନିଆ ଓ ରକ୍ତ ହୀନତା ଯୋଗୁ ଏହି ଅସୁବିଧା ହୁଏ । ଗର୍ଭବତୀ ମହିଳାମାନଙ୍କର ଏହି ଅସୁବିଧା ବହୁଳ ଭାବରେ ହୁଏ । ଏଚ.ଆଇ.ଭି. ଥିଲେ ଜଟୀଳତା ବଢିଯାଏ ।
ଗର୍ଭବତୀ ମହିଳାମାନଙ୍କ ଶିଶୁର ଅଳ୍ପ ଓଜନ ବିଶିଷ୍ଟ ଛୁଆ ଜନ୍ମ, ଗର୍ଭ ମୃତ୍ୟୁ, ଶିଶୁ ମୃତ୍ୟୁ ଭଳି ଜଟୀଳତା ଫାଲସିପ୍ୟାରମ ମ୍ୟାଲେରିଆରେ ଅଧିକ ହୁଏ ।
କାରଣ [ସମ୍ପାଦନା]
ମ୍ୟାଲେରିଆ ପରଜୀବୀ ଗୁଡିକ ପ୍ଲାଜମୋଡ଼ିୟମ ପ୍ରଜାତିର । ମନୁଷ୍ୟ ମାନଙ୍କ ଠାରେ ମୁଖ୍ୟତଃ ପି. ଫାଲସିପାରମ, ପି. ମ୍ୟାଲେରିଏ, ପି. ଭିଭାକ୍ସ, ପି. ଓଭାଲ, ପି.ନୋଵେଲ୍ସି ଦ୍ଵାରା ମ୍ୟାଲେରିଆ ସଂକ୍ରମିତ ହୋଇଥାଏ ।[୧୮] [୧୯] ଏଗୁଡିକ ମଧ୍ୟରୁ ପି. ଫାଲସିପାରମ ପ୍ରାୟ ୭୫% ଓ ପି. ଭିଭାକ୍ସ ପ୍ରାୟ ୨୦% ରୋଗର ମୁଖ୍ୟ କାରଣ ତଥା ପି. ଫାଲସିପାରମ ଅଧିକାଂଶ ମୃତ୍ୟୁର କାରଣ ହୋଇଥାଏ ।[୧୩] ପି. ଭିଭାକ୍ସର ପ୍ରକୋପ ଅଧିକା ମାତ୍ରାରେ ଆଫ୍ରିକା ମହାଦେଶ ବାହାରେ ଦେଖାଯାଇଥାଏ। [୨୦]
ପ୍ଲାଜ୍ମୋଡିଅମର ଜୀବନ ଚକ୍ର (Life cycle of Plasmodium) [ସମ୍ପାଦନା]
ମଶା କାମୁଡିବା ଦ୍ଵାରା ଚଳନକ୍ଷମ ସଂକ୍ରମଣ କ୍ଷମତା ସମ୍ପର୍ଣ୍ଣ ସ୍ପୋରୋଜଏଟ (ପରଜୀବୀ ଜୀବନର ପ୍ରଥମ ଆକାର) ମେରୁଦଣ୍ଡୀ ପ୍ରାଣୀର ଦେହରେ ପ୍ରବେଶ କରି ରକ୍ତ ମାଧ୍ୟମରେ ଯକୃତର କୋଷରେ (Hepatocyte) ପ୍ରବେଶ କରେ । ଏଠାରେ ଏହାର ଅଲିଙ୍ଗୀ ଜୀବନ ଆରମ୍ଭ ହୋଇ ହଜାର ହଜାର ସଂକ୍ଷକ ମେରୋଜଏଟ ସୃଷ୍ଟି ହୁଅନ୍ତି । ଗୋଟିଏ ମେରୋଜଏଟ ଗୋଟିଏ ଲୋହିତ ରକ୍ତ କଣିକାରେ ପ୍ରବେଶ କରି ସେହି ଅଲିଙ୍ଗୀ ପଦ୍ଧତିରେ ବଂଶ ବିସ୍ତାର କରି ୮ ରୁ ୨୪ ଟି ମେରୋଜଏଟରେ ପରିଣତ ହୁଏ । ଏତେ ସଂଖ୍ୟକ ମେରୋଜଏଟ ରହିବା ପାଇଁ ଜାଗା ଅଭାବ ହୁଏ ଓ ରକ୍ତ କଣିକା ଫାଟି ଯାଏ । ଏହି ମୋରୋଜଏଟରୁ ଗାମିଟୋସାଇଟ ତିଆରି ହୁଅନ୍ତି । ଏତିକି ବେଳେ ସଂକ୍ରମିତ ଲୋକକୁ ମାଈ ଆନୋଫିଲିସ ମଶା କାମୁଡି ରକ୍ତ ଶୋଷିଲେ ଏହି ଅପରିପକ୍ବ ଗାମୋଟୋସାଇଟ ମଶା ଦେହକୁ ଯାଇ ତାହାର ଖାଦ୍ୟ ନଳୀରେ ରହେ । ସେଠାରେ ପୁରୁଷ ଓ ସ୍ତ୍ରୀ ଗାମିଟୋସାଇଟ ମିଳିତ ହୋଇ ମିଶି ଯାଆନ୍ତି ଓ ଜାଇଗୋଟରେ ପରିଣତ ହୁଅନ୍ତି । ଏହି ଜାଇଗୋଟ ପୁନଶ୍ଚ ସ୍ପୋରୋଜଏଟରେ ପରିଣତ ହୋଇ ଲାଳ ଗ୍ରନ୍ଥିକୁ ଯାଇ ରହେ । ଏହି ଭଳି ତାହାର ଜୀବନ ଚକ୍ର ଲାଗି ରହେ । ମଶା କାମୁଡିଲେ ତାହାର ଶୁଣ୍ଢରେ ଥିବା ଲାଳ ମିଶ୍ରିତ ସ୍ପୋରୋଜଏଟ ଶରୀରକୁ ଯାଇ ରୋଗ ବିସ୍ତାର କରନ୍ତି ।
କେବଳ ମାଈ ଆନୋଫିଲିସ ରକ୍ତ ଶୋଷଣ କରେ । ସଂଧ୍ୟାରୁ ଆରମ୍ଭ କରି ରାତି ସାରା ଏହା ରକ୍ତ ଶୋଷଣ କାମରେ ଲାଗିଥାଏ । ସଂକ୍ରମିତ ରକ୍ତ ମାଧ୍ୟମରେ ମଧ୍ୟ ଏହି ରୋଗ ରକ୍ତ ଗ୍ରହଣ ସମୟରେ ବ୍ୟାପିଥାଏ ।
ବାରମ୍ବାର ହେଉଥିବା ମ୍ୟାଲେରିଆ [ସମ୍ପାଦନା]
ଏହି ମ୍ୟାଲେରିଆ ତିନୋଟି କାରଣ ଯୋଗୁ ବାରମ୍ବାର ହୁଏ । କାରଣଗୁଡିକ: ୧. ଚିକିତ୍ସା କରିବା ସତ୍ତ୍ଵେ ଯଦି ପରଜୀବୀ ନିଃଶେଷ ନ ହୁଅନ୍ତି, ୨. ଆଉ ଥରେ ମଶା କାମୁଡା ଯୋଗେ ହୁଏ, ୩. ଭାଇଭାକ୍ସ ଓ ଓଭେଲ ଯକୃତରେ ହିପ୍ନୋଜଏଟ(Hypnozoites) ସୁପ୍ତ ଭାବରେ ରହି ରକ୍ତକୁ ଆସି ଆଉଥରେ ଆକ୍ରମଣ କଲେ ହୁଏ ।
ରକ୍ତରେ ପରଜୀବୀ ନ ମିଳିଲେ ମ୍ୟାଲେରିଆ ଆରୋଗ୍ୟ ହୋଇଗଲା କହିଲେ ଭ୍ରମାତ୍ମକ ହେବ । ପି.ଭାଇଭାକ୍ସ ସଂକ୍ରମଣ ହେବାର ୩୦ ବର୍ଷ. ପରେ ମଧ୍ୟ ଲକ୍ଷଣ ପ୍ରକାଶ ପାଇ ପାରେ (ପୁଷ୍ଟି ସମୟ ବା Incubation period) । ନାତିଶୀତୋଷ୍ନ ଜଳବାୟୁରେ ପି. ଭାଇଭାକ୍ସର ହିପ୍ନୋଜଏଟ୍ ଶୀତ ଓ ଶୁଖିଲା ଜଳବାୟୁରେ ନିସ୍ପୃହ ରହି ପାରେ ଓ ରୋଗ ସୃଷ୍ଟି କରେ ନାହିଁ ।
ନିଦାନ [ସମ୍ପାଦନା]
ମଶା ମଣିଷକୁ ତାର ସିରିଞ୍ଜ ଛୁଞ୍ଛି ଭଳି ଶୁଣ୍ଢ ସାହାଯ୍ୟରେ ଚମକୁ ଫୋଡି ରକ୍ତ ଶୋଷେ । ସେହି ଶୁଣ୍ଢ ପଥ ଦେଇ ମଶାର ଲାଳ ଗ୍ରନ୍ଥିରେ ଥିବା ମ୍ୟାଲେରିଆ ପରଜୀବୀ ବା ପାରାସାଇଟ ମଣିଷର ରକ୍ତରେ ପ୍ରବେଶ କରେ । ଏହି ପାରାସାଇଟ ଶରୀରର ମଣିଷ ଦେହରେ କ୍ରମ ବିକାଶ ହେଉ ଥାଏ ଓ ଆକାର ପରିବର୍ତ୍ତନ ହେଉଥାଏ । ମଣିଷ ରକ୍ତରେ ପ୍ରବେଶ କରିବା ସମୟରେ ତାର ନାମ ସ୍ପୋରୋଜଏଟ ଥାଏ । ଏହାର ବିକାଶ ଯକୃତ ଓ ରକ୍ତ, ଏହି ଦୁଇ ସ୍ଥାନରେ ହୁଏ । ଯକୃତର କୋଷ ନାମ ହେପାଟୋସାଇଟ । ପାରାସାଇଟ ଏହି ହେପା ଟୋସାଇଟରେ ୮ ରୁ ୩୦ ଦିନ ଲକ୍ଷଣହୀନ ଭାବରେ ରହି ଅଲିଙ୍ଗୀ(Asexual) ବଂଶ ବିସ୍ତାର କରି ମେରୋଜଏଟ ରେ ପରିଣତ ହୁଏ ।
ଯକୃତ କୋଷ ଫଟେଇ ମେରୋଜଏଟ ବାହାରକୁ ଆସିବା ବେଳେ ଯକୃତର ଘୋଡଣି ସ୍ତରରେ ନିଜେ ଘୋଡେଇ ହୋଇ ଆସିବା ଦ୍ଵାରା ଚିହ୍ନା ପଡେ ନାହିଁ । ଏହା ତା ପରେ ରକ୍ତର ଲୋହିତ କଣିକାରେ ପ୍ରବେଶ କରେ ।
ଲୋହିତ ରକ୍ତ କଣିକାରେ ମଧ୍ୟ ଅଲିଙ୍ଗୀ ବିସ୍ତାର ହୁଏ । ଏହି ବିସ୍ତାର ସମୟରେ କିଛି କିଛି ମେରୋଜଏଟ ରକ୍ତ କଣିକା ଫଟେଇ ବ୍ବାହାରି ଆସି ଅନ୍ୟ ଲୋହିତ ରକ୍ତ କଣିକାରେ ପ୍ରବେଶ କରନ୍ତି ।
ସବୁଠାରୁ ବିଷ୍ମୟକର ବିଷୟ ଏହି ଯେ: ଯକୃତରେ କିଛି ସ୍ପୋରୋଜଏଟ ହିପ୍ନୋଜଏଟରେ ପରିଣତ ହୁଅନ୍ତି ଓ ଯକୃତରେ ୭ ରୁ ୧୦ ମାସ ବା ବର୍ଷ ବର୍ଷ ଧରି ରହନ୍ତି । ଏହି ସମୟ ମଧ୍ୟରେ ସୁପ୍ତ ଭାବରେ ରହିବା ପରେ ପୁନଃ ସଚଳ ହୋଇ ହୋଇ ମେରୋଜଏଟରେ ପରିଣତ ହୁଅନ୍ତି । ପି ଭାଇଭାକ୍ସ ଜନିତ ମ୍ୟାଲେରିଆ ଏହିଭଳି ଭାବରେ ବହୁତ ଦିନ ଧରି ମଣିଷ ଶରୀର ମଧ୍ୟରେ ରାହି ବାରମ୍ବାର ମ୍ୟାଲେରିଆ ସୃଷ୍ଟି କରନ୍ତି ।
ପରଜୀବୀ ଗୁଡିକ ଯକୃତ ଓ ଲୋହିତ ରକ୍ତ କଣିକା ମଧ୍ୟରେ ରହୁଥିବାରୁ ମଣିଷ ଶରୀରରେ ଥିବା ପ୍ରତିରୋଧକ ବ୍ୟବସ୍ଥା ତାହାର ଟେର ପାଏନି । କିନ୍ତୁ ସଂକ୍ରମିତ ରକ୍ତ କଣିକା ସବୁ ପ୍ଲିହାରେ ନଷ୍ଟ ହୋଇଯାଏ । ଏଥିରୁ ରକ୍ଷା ପାଇବା ନିମନ୍ତେ ପି. ଫାଲସିପ୍ୟାରମ ଛୋଟ ଛୋଟ ରକ୍ତ ନାଳୀର କାନ୍ଥରେ ଏକ ପ୍ରକାର ଅଠାଳିଆ ପ୍ରୋଟିନ ଦ୍ଵାରା ଲାଖି ଯାଆନ୍ତି । ଏଣୁ ଏମାନେ ପ୍ଲିହା ମଧ୍ୟକୁ ନ ଯାଇ ପାରି ବଞ୍ଚି ଯାଆନ୍ତି । ଏହି ସରୁ ରକ୍ତ ନାଳିରେ ରକ୍ତ ଯାଇ ନ ପାରିବାରୁ ସଞ୍ଚାଳନ ଜନିତ ଅସୁବିଧା ହୁଏ । ମସ୍ତିଷ୍କରେ ପରଜୀବୀ ପହଞ୍ଚିଲେ ମସ୍ତିଷ୍କ ମ୍ୟାଲେରିଆ ହୁଏ ।
ଅଠାଳିଆ ପ୍ରୋଟିନ ଗୁଡିକ ଅନେକ ପ୍ରକାରର ହୋଇଥିବାରୁ ପ୍ରତିରୋଧ ବ୍ୟବସ୍ଥା ଏହା ବିରୁଦ୍ଧରେ କାମ କରେ ନାହିଁ ।
ଅନୁବଂଶିୟ ବାଧା [ସମ୍ପାଦନା]
ସିକଲ ସେଲ ଟ୍ରେଟ, ଥାଲାସେମିଆ, ଗ୍ଲୁକୋଜ-୬-ଫସଫେଟ ଡିହାଡ୍ରୋଜେନେଜ ଅଭାବ ଓ ରକ୍ତରେ ଡଫି ଆଣ୍ଟିଜେନ ଥିଲେ ପାରାସାଇଟ ବାଧାପ୍ରାପ୍ତ ହୁଅନ୍ତି । ଏହି ସମସ୍ତ ଅବସ୍ଥା ଅସ୍ଵାଭାବିକ ଗୁଣସୂତ୍ର ଯୋଗୁ ହୁଏ । ସିକଲ ସେଲରେ ଅସାଧାରଣ ହେମୋଗ୍ଲୋବିନ ଥିବାରୁ ଲୋହିତ ରକ୍ତ କଣିକା ଦାଆ ଭଳି ଦେଖାଯାଏ । ଏହାର ଅମ୍ଳଜାନ ଧାରଣ ଶକ୍ତି କମ ରହେ । ଏଣୁ ପାରାସାଇଟ ଏଥିରେ ବଞ୍ଚି ପାରନ୍ତି ନାହିଁ ।
ମ୍ୟାଲେରିଆ ହେପାଟୋପାଥି [ସମ୍ପାଦନା]
ଯକୃତରେ ପାରାସାଇଟ ଥିବାରୁ ପ୍ରଦାହ ସମ୍ଭାବନା ଥାଏ, କିନ୍ତୁ ପ୍ରକୃତରେ ଏହା ହୁଏ ନାହିଁ । ଯକୃତର ଭିନ୍ନ ପ୍ରିସ୍ଥିତିରେ ନିଜକୁ ସମ୍ଭାଳି ନେବାର କ୍ଷମତା ଥାଏ ।
ରୋଗ ନିର୍ଣ୍ଣୟ [ସମ୍ପାଦନା]
ନିଧାର୍ୟ୍ୟ ଭାବରେ ମ୍ୟାଲେରିଆ ରୋଗର ଚିହ୍ନଟ ନିମନ୍ତେ ରକ୍ତର ସ୍ଲାଇଡ ପରୀକ୍ଷା ଓ ଆଣ୍ଟିଜେନ ଆଧାରିତ ଶିଘ୍ର ନିର୍ଣ୍ଣୟ ପରୀକ୍ଷା (rapid diagnostic tests ବା RDT ) ଆବଶ୍ୟକ । ରକ୍ତ ଫିଲ୍ମ ସ୍ଲାଇଡ ପରୀକ୍ଷା ବହୁଳ ଭାବରେ କି ସହର କି ଗ୍ରାମ ସବୁଠାରେ ବ୍ୟବହାର ହୁଏ । ଏଥିରେ ମୂଖ୍ୟ ଅସୁବିଧା ହେଲା; ଅଣୁବିକ୍ଷଣ ଯନ୍ତ୍ରରେ ସ୍ଲାଇଡ ପରୀକ୍ଷା କରିବା ଲୋକର ଦକ୍ଷତା ଓ ଫିଲ୍ମରେ ଥିବା ପାରାସାଇଟ ସଂଖ୍ୟ । ସ୍ଲାଇଡରେ ଟୋପାଏ ରକ୍ତ ନେଇ ତାହାକୁ ଆଉ ଗୋଟିଏ ସ୍ଲାଇଡ ସାହାଯ୍ୟରେ ଟଣାଯାଇ ଫିଲ୍ମ୍ ତିଆରି କରାଯାଏ । ଫିଲ୍ମରେ କେଉଁଠି ବେଶୀ ପାରାସାଇଟ ଅଛି ତ କେଉଁଠି କମ । ସୁତରାଂ ସ୍ଲାଇଡ ପରୀକ୍ଷାର ପାରାସାଇଟ ନ ଥିଲେ ରୋଗ ନାହିଁ ବୋଲି ଧରାଯାଇ ପାରିବ ନାହିଁ । ଯଦି ଥାଏ, ତେବେ ରୋଗ ନିଶ୍ଚିତ ଅଛି । ନ ଠିଲେ ଆଉ ଥରେ ପରୀକ୍ଷା ଆବଶ୍ୟକ । ୭୫ ରୁ ୯୦ ଭାଗ ସଠିକ ଫଳ ମିଳେ । ଆର.ଡି.ଟି. ପରୀକ୍ଷା ଅଧିକ ସଠିକ ଫଳ ଦିଏ ।
ଅଧିକାଂଶ ସ୍ଥାନରେ ଲାବୋରେଟୋରି ନ ଥାଏ । ତେଣୁ କିଛି ଦିନ ଜ୍ଵର ଭୋଗୁଥିବା ରୋଗୀକୁ ମ୍ୟାଲେରିଆ ଔଷଧ ସେବନ ନିମନ୍ତେ ଦିଆଯାଏ । ଏହା ଦ୍ଵାରା ରୋଗ ପରିସଂଖ୍ୟନ ଅଯଥାରେ ବୃଦ୍ଧି ପାଏ ଓ ଔଷଧ ପ୍ରତିରୋଧ ବୃଦ୍ଧି ହୁଏ । ଏହା ଦ୍ଵାରା ଚିକିତ୍ସା ପଦ୍ଧତି ଉପରେ ବିଶ୍ଵାସ ତୁଟିଯାଏ କିନ୍ତୁ ଏହ ଏକ୍ ଉପାୟ ବିହୀନ ସମସ୍ୟା । ଅଧୁନା ପଲିମରେଜ ଚେନ ରିଆକ୍ସନ( polymerase chain reaction)ପରୀକ୍ଷା କରି ନିର୍ଣ୍ଣୟ କରିବା ଚେଷ୍ଟା ଚାଲିଛି ।
ଶ୍ରେଣୀ ବିଭାଗ [ସମ୍ପାଦନା]
ଡବ୍ଲ୍ୟୁ.ଏଚ.ଓ. ମ୍ୟାଲେରିଆକୁ ଦୁଇ ପ୍ରକାର ବିଭକ୍ତ କରିଛି । ନିମ୍ନରେ ଦିଆ ଯାଇଥିବା ଅବସ୍ଥ ଥିଲେ ଭୟାବହ() ନାମ୍ ହେବ, ନଚେତ ଜଟୀଳ ବିହୀନ ନାମ୍ ହେବ ।
- କମିଥିବା ଚେତନା
- ଚାଲି ନ ପାରିବା ଭଳି ଦୁର୍ବଳତା
- ଖାଇ ନ ପାରିବା
- ଦୁଇ ବା ତତୋଧିକ ପେଶୀ ସ୍ଫୁରଣ (Convulsions)
- କମ୍ ରକ୍ତ ଚାପ(ବୟସ୍କ- ୭୦ ମିମି Hg ରୁ କମ୍ ଓ ପିଲାମାନଙ୍କର ୫୦ମିମି Hg ରୁ କମ୍)
- ଶ୍ଵାସ ଅସୁବିଧା
- ରକ୍ତ ସଞ୍ଚାଳନ ସକ୍
- ପରିସ୍ରାରେ ରକ୍ତ ପଡିବା ଓ ବୃକକ(Kidney failure) ଫେଲ ମାରିବା
- ରକ୍ତ ସ୍ରାବ ଓ ହେମୋଗ୍ଲୋବିନ ୫ ଗ୍ରାମରୁ କମ (<5 g/dl)
- ଫୁସଫୁସ ଶୋଥ(Oedema of Lungs)
- କମ ରକ୍ତ ଶର୍କରା (less than 2.2 mmol/l / 40 mg/dl)
- ଏସିଡୋସିସ୍ ଓ ୫ ମି.ମୋଲ/ଲିଟରରୁ କମ (Acidosis or lactate levels of greater than 5 mmol/l)
- ପାରାସାଇଟ ୨ % ରୁ ଅଧିକ
ନିବାରଣ [ସମ୍ପାଦନା]
ତିନି ପ୍ରକାର ଉପାୟରେ ନିବାରଣ କରାଯାଏ । ୧. ଔଷଧ, ୨. ମଶା ନିପାତ ଓ ୩. ମଶା କାମୁଡା ନିବାରଣ । ମ୍ୟାଲେରିଆର ପ୍ରାଦୁର୍ଭାବ ନିମନ୍ତେ ଅଧିକ ଲୋକ ସଂଖ୍ୟା, ଅଧିକ ମଶା ଓ ଅଧିକ ସଂକ୍ରମଣ ଦରକାର । ଦେଖାଯାଇଛି, ଏହି ଅଧିକ ସମସ୍ତ କମି ଗଲେ ରୋଗ କମିଯାଏ । ଦେଶାନ୍ତର ଓ ଅତ୍ୟଧିକ ଜନ ସଂଖ୍ୟାର ଯିବା ଆସିବା ଯୋଗୁ ଆସ୍ତେ ମ୍ୟାଲେରିଆ ବଢିବା ଲକ୍ଷ କରା ଯାଉଛି ।
ରୋଗ ଚିକିତ୍ସା ଅପେକ୍ଷା ନିବାରଣ କଲେ ଦେଶର ଖର୍ଚ୍ଚ କମ ହୁଏ । କିନ୍ତୁ ଗରିବ ଦେଶ ନିମନ୍ତେ ଏହି ନିବାରଣ ଖର୍ଚ୍ଚ ତୁଲେଇବା ମଧ୍ୟ କାଠିକର ପାଠ । ଖର୍ଚର ପରିମାଣ ଦେଶ ଉପରେ ନିର୍ଭର କରେ । ତାଞ୍ଜାନିଆରେ ସ୍ବାସ୍ଥ୍ୟ ବଜେଟର ୨୦ % ଖର୍ଚ୍ଚ ହେଲେ ଚୀନରେ ଅଳ୍ପ ଖର୍ଚ୍ଚରେ କାମ ହେଇ ଯାଉଛି ।
ମଶା ନିୟନ୍ତ୍ରଣ [ସମ୍ପାଦନା]
ମଶାରୀ ବ୍ୟବହାର ବହୁତ ଦିନଠାରୁ ହେଉଛି । ଏବେ କିନ୍ତୁ ଔଷଧ ସିଞ୍ଚିତ ମଶାରୀ (ITNs) ମୁଳୁଛି ଯାହା ଅତି ଭଲ କାମ କରୁଛି । ମ୍ୟାଲେରିଆ ପ୍ରବଣ ଇଲାକାରେ ରୋଗ ଓ ମୃତ୍ୟୁ ହାର ଉଲ୍ଲେଖନୀୟ ଭାବେ କମୁଛି । ଘର କାନ୍ଥ ଉପରେ ମଶା ମରା ଔଷଧ ସିଞ୍ଚନ (IRS ) କଲେ ଭଲ । ମଶା ରକ୍ତ ଶୋଷିସାରି କାନ୍ଥ୍ ଉପରେ ବସି ହଜମ ହେବାକୁ ଅପେକ୍ଷା କରେ । ତେଣୁ ଅନ୍ୟ ଜଣକୁ କାମୁଡିବା ପୂର୍ବରୁ ମରି ଯାଆନ୍ତି । ୨୦୦୬ ମସିହାରେ ଡବ୍ଲ୍ୟୁ. ଏଚ. ଓ. ୧୨ଟି ଔଷଧ ସିଞ୍ଚନ ପାଇଁ ନିର୍ଦ୍ଦେଶ ଦେଇଥିଲା । ଏମାନଙ୍କ ମଧ୍ୟରେ ଡି.ଡି.ଟି., ପରମେଥରିନ ଓ ଡେଲଟାମେଥରିନ ଅନ୍ୟତମ । ସ୍ଟକହୋମ କନଭେନସନରେ ଡି.ଡି.ଟି.କୁ କୃଷି ସମ୍ପର୍କୀୟ କାମରେ ଲଗେଇବା ମନା ଅଛି ।
ଘର କାନ୍ଥ ଉପରେ ମଶା ମରା ଔଷଧ ସିଞ୍ଚନର (IRS )ଗୋଟିଏ ବଡ ଅସୁବିଧା ହେଲା, ମଶା ଦେହରେ ଓଷଧ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୋଇଯାଏ । ଔଷଧ ପ୍ରଭାବିତ ମଶା ଘର ଭିତରେ ରହନ୍ତି, କିନ୍ତୁ ଅନେକ ମଶା ଏହାର୍ ସଂସ୍ପର୍ଶରେ ନ ଆସି ବାହାରକୁ ପଳାନ୍ତି । ମଶାରୀକୁ ଭଲା ଭାବରେ ବିଛଣା ଚାରି ଦିଗରେ ଶେଜ ତଳେ ଭର୍ତ୍ତି କଲେ ସହଜରେ ମଶା ଭିତରକୁ ପଶି ପାରନ୍ତି ନାହିଁ । ପାଇଥ୍ରଏଡ ଔଷଧ ସିଞ୍ଚିତ ମଶାରୀ ସବୁଠାରୁ ଉପାଦେୟ ।
ଅନ୍ୟ ଉପାୟ [ସମ୍ପାଦନା]
ଜନ ସ୍ବାସ୍ଥ୍ୟ ଶିକ୍ଷା ରୋଗ ନିବାରଣରେ ବହୁତ ସାହାଯ୍ୟ କରେ । ପ୍ରାଥମିକ ଅବସ୍ଥାରେ ରୋଗ ଚିହ୍ନଟ ହେଲେ ଚିକିତ୍ସା ହୋଇଯିବ, ତେଣୁ ରୋଗ ବିସ୍ତାର ହେବ ନାହିଁ । ଜନ ବସତିରେ ଜମି ରହିଥିବା ସ୍ଥିର ଜଳ ନିସ୍କାସନ କଲେ ମଶା ଡିମ୍ବ ଦେବା ନିମନ୍ତେ ଜାଗା ପାଇବେ ନାହିଁ । ମ୍ୟାଲେରିଆ ହେଉ ଥିବା ଋତୁରେ ମଝିରେ ମଝିରେ ନିବାରଣ ନିମନ୍ତେ ଗର୍ଭବତୀ ଓ ଶିଶୁମାନଙ୍କୁ ଔଷଧ ଦିଆଯାଏ ।
ପ୍ରତିରୋଧକ ଔଷଧ [ସମ୍ପାଦନା]
ମ୍ୟାଲେରିଆ ପ୍ରବଣ ଇଲାକାକୁ ପରିଦର୍ଶନରେ ଗଲେ ଔଷଧ ଖାଇବା ଉଚିତ । ମ୍ୟାଲେରିଆ ଗୋଗ ଚିକିତ୍ସା ନିମନ୍ତେ ମିଳୁଥିବା ଔଷଧ ନିବାରଣ ପାଇଁ ମଧ୍ୟ ବ୍ୟବହାର କରାହୁଏ । କ୍ଲୋରୋକୁଇନ ଉପାଦେୟ ଔଷଧ କିନ୍ତୁ ଏହା ପାରାସାଇଟ ଉପରେ ସର୍ବଦା କାମ କରେ ନାହିଁ । ମେଫ୍ଲୋକୁଇନ୍, ଡକସିସାଇକ୍ଲିନ୍ ଓ ଆଟୋଭକ୍ବନ ପ୍ରୋଗୁଆନିଲ ଜୋଡି ମଧ୍ୟରୁ ଯେ କୌଣସି ଗୋଟିଏ ବ୍ୟବହାର କରାଯାଇ ପାରେ । ମେଫ୍ଲୋକୁଇନର ସ୍ନାୟୁ ଉପରେ ପ୍ରତିକ୍ରିୟା ଅଛି ଓ ମନ ମଧ୍ୟ ପ୍ରଭାବିତ ହେବା ସମ୍ଭାବନା ଥାଏ ।
ଔଷଧ ଖାଇବା ସାଥେ ସାଥେ ରୋଗ ନିବାରଣ ଶକ୍ତି ସୃଷ୍ଟି ହୁଏ ନାହିଁ । ମ୍ୟାଲେରିଆ ପ୍ରବଣ ଇଲାକାକୁ ଯିବାର ୨ ସପ୍ତାହ ପୂର୍ବରୁ ଓ ସେଠାରୁ ଫେରିବା ପରେ ୪ ସପ୍ତାହ ପର୍ଯ୍ୟନ୍ତ ଖାଇବାକୁ ପଡେ, କେବଳ ଆଟୋଭାକ୍ଵନ ଓ ପ୍ରୋଗୁଆନିଲ୍ ବ୍ୟତୀତ । ଏହି ଦୁଇ ଔଷଧ ୨ ଦିନ ପୂର୍ବରୁ ଓ ଫେରିବା ପରେ ୭ ଦିନ ପର୍ଯ୍ୟନ୍ତ ଖାଇବାକୁ ପଡେ । ନିବାରଣ ସକାଶେ ଔଷଧ ଅଳ୍ପ ମାତ୍ରାରେ ପ୍ରତିଦିନ ବା ସାପ୍ତାହିକ ଭାବେ ଖିଆଯାଏ । ଆଞ୍ଚଳିକ ମ୍ୟାଲେରିଆ ହେଉଥିବା ସ୍ଥାନରେ ବହୁତ ଦିନ ଧରି ଖାଇବାକୁ ପଡୁଥିବାରୁ ଲୋକମାନେ ଖାଆନ୍ତି ନାହିଁ । ଦାମ ଅଧିକ, ପ୍ରିତିକ୍ରିଆ ଇତ୍ୟାଦି କାରଣ ଯୋଗୁ ମଧ୍ୟ ଅନେକ ଖାଆନ୍ତି ନାହିଁ । କେତେକ ଔଷଧ କେବଳ ଧନୀ ଦେଶରେ ମିଳେ ।
ଚିକିତ୍ସା [ସମ୍ପାଦନା]
ତିନୋଟି ବିଷୟ ଉପରେ ଚିକିତ୍ସା ନିର୍ଭର କରେ: ରୋଗର ପ୍ରାଦୁର୍ଭାବ, ପାଟିରେ ଖାଇହେବ ବା ନାହିଁ ଓ ଆଡମିଶନ ହେବା ଯୋଗ୍ୟ ନା ନାହିଁ ।
ଜଟୀଳତା ବିହୀନ ମ୍ୟାଲେରିଆ [ସମ୍ପାଦନା]
ପାଟିରେ ଔଷଧ ଖୁଆଇ ଏହାର ଚିକିତ୍ସା କରାଯାଏ । ଫ୍ୟାଲସିପାରମ ନିମନ୍ତେ ଆରଟେମିସିନିନ ଅନ୍ୟ ଔଷଧ ସହ ଦିଆଯାଏ । ଏହାଦ୍ଵାରା ଔଷଧ ପ୍ରତିରୋଧ ଶକ୍ତି କମିଯାଏ । ଏହି ଅନ୍ୟ ଔଷଧ ନାମ: ଆମୋଡିଆକୁଇନ୍, ଲୁମେଫାନଟ୍ରିନ, ମେଫ୍ଲୋକୁଇନ୍ ଓ ସଲଫାଡକ୍ସିନ-ପାଇରିମେଥାମିନ । ଆଉ ଗୋଟିଏ ଯୁଗ୍ମ ଔଷଧ ନାମ ହେଲା ଡାଇହାଡ୍ରୋମିସିନିନ-ପିପେରାକୁଇନ୍ । ଆରଟେମିସିନିନ ପ୍ରତି ମଧ୍ୟ ପ୍ରତିରୋଧ ଶକ୍ତି ଦେଖା ଗଲାଣି ।
ମାରାତ୍ମକ ମ୍ୟାଲେରିଆ(Severe malaria) [ସମ୍ପାଦନା]
ଏହି ଅବସ୍ଥାରେ ଶିରା ମାଧ୍ୟମରେ ଔଷଧ ଦିଆଯାଏ । ୨୦୦୦ ମସିହାର ମଧ୍ୟ ଭାଗ ପର୍ଯ୍ୟନ୍ତ କୁଇନାଇନ ଦିଆଯାଉଥିଲା । ଶିଶୁ ଓ ଯୁବକମାନଙ୍କ ନିମନ୍ତେ କୁଇନାଇନ ଅପେକ୍ଷା ଆରଟେସୁନେଟ ଅଧିକ ଉପାଦେୟ ବୋଲି ପ୍ରମାଣିତ ହୋଇଛି । କ୍ରିଟିକାଲ କେୟାର ୟୁନିଟରେ ମାତ୍ରାଧିକ ଜର ଓ ପରବର୍ତ୍ତୀ ବାତ ଚିକିତ୍ସା କରାଯାଏ । କମ ଶର୍କରା, କମ ପୋଟାସିୟମ ଓ ଶ୍ଵାସ ଅସୁବିଧା ଇତ୍ୟାଦି ଏଠାରେ ନିୟନ୍ତ୍ରଣ କରାଯାଏ । ଭାଇଭାକ୍ସ ପାରାସାଇଟର ଦୁଇ ସ୍ତରିୟ ଚିକିତ୍ସା କରାହୁଏ: ରକ୍ତ ପାରାସାଇଟ ଓ ଯକୃତ ପାରାସାଇଟ ନିମନ୍ତେ । ଯକୃତ ପାରାସାଇଟ ନିମନ୍ତେ ପ୍ରାଇମାକୁଇନ ଦିଆଯାଏ ।
ଗବେଷଣା [ସମ୍ପାଦନା]
ବହୁ ବର୍ଷ ଧରି ଫାଲସିପ୍ୟାରମ ସଂକ୍ରମିତ ହେଲେ ଆପେ ଆପେ ପ୍ରତିରୋଧ ଶକ୍ତି ଜାତ ହୁଏ । ଏକ୍ସ୍-ରେ ଦ୍ବାରା ସଂକ୍ରମଣ ଶକ୍ତିବିହୀନ ଫାଲସିପ୍ୟାରମ ପାରାସାଇଟ ହଜାର ଥର କାମୁଡିଲେ ପ୍ରତିରୋଧ ଶକ୍ତି ଜାତ ହୁଏ । ଫାଲସିପ୍ୟାରମ ପ୍ରୋଟିନର ପଲିମର୍ଫିକ ଗୁଣ ଟୀକା ତିଆରିକୁ ସମ୍ଭବ କରୁନି । ଅନେକ ଚେଷ୍ଟା ସତ୍ତ୍ବେ ଏକ ସଫଳ ଟୀକା ତିଆରି ହୋଇପାରୁ ନାହିଁ । ଜାଇଗୋଟ, ଗ୍ୟାମିଟ ଓ ଉକାଇନେଟ ଆଣ୍ଟିଜେନ ପ୍ରତି ଆଣ୍ଟିବଡି ତିଆରି ହେଲେ ପାରାସାଇଟ ପ୍ରବେଶ ପ୍ରତିରୋଧ ହୋଇଯିବ । ଏହି ଟୀକା ମଣିଷ ରକ୍ତରେ ରହିଲେ ମଶା କାମୁଡିବା ପରେ ତା ଦେହରେ ପାରାସାଇଟର ବିକାଶ ହେବ ନାହିଁ
ଜନସଚେତନତା [ସମ୍ପାଦନା]
ମ୍ୟାଲେରିଆ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ରେ ପାଳିତ ହେଇଥାଏ ବିଶ୍ଵ ମ୍ୟାଲେରିଆ ଦିବସ। ଏହି ଦିବସରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।ଏହି ସଂଗଠନ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ,ସମଗ୍ର ବିଶ୍ଵକୁ ମ୍ୟାଲେରିଆ ମୁକ୍ତ କରିବା ହେଉଛି ମୂଳ ଲକ୍ଷ ।
ଆଧାର [ସମ୍ପାଦନା]
- ↑ "World Malaria Report 2011 summary" (PDF). World Health Organization. http://www.who.int/malaria/world_malaria_report_2011/wmr2011_summary_keypoints.pdf.
- ↑ Joy DA, Feng X, Mu J, Furuya T, Chotivanich K, Krettli AU, Ho M, Wang A, White NJ, Suh E, Beerli P, Su XZ (2003). "Early origin and recent expansion of Plasmodium falciparum". Science 300 (5617): 318–21. doi:10.1126/science.1081449. PMID 12690197.
- ↑ Prugnolle F, Durand P, Ollomo B, Duval L, Ariey F, Arnathau C, Gonzalez JP, Leroy E, Renaud F (2011). "A fresh look at the origin of Plasmodium falciparum, the most malignant malaria agent". PLoS Pathogens 7 (2): e1001283. doi:10.1371/journal.ppat.1001283. PMC 3044689. PMID 21383971.
- ↑ Cox F (2002). "History of human parasitology". Clinical Microbiology Reviews 15 (4): 595–612. doi:10.1128/CMR.15.4.595-612.2002. PMC 126866. PMID 12364371.
- ↑ "DNA clues to malaria in ancient Rome". BBC News. February 20, 2001. http://news.bbc.co.uk/2/hi/science/nature/1180469.stm., in reference to Sallares R, Gomzi S (2001). "Biomolecular archaeology of malaria". Ancient Biomolecules 3 (3): 195-213. OCLC 538284457.
- ↑ "The Nobel Prize in Physiology or Medicine 1907: Alphonse Laveran". The Nobel Foundation. http://nobelprize.org/nobel_prizes/medicine/laureates/1907/laveran-bio.html. Retrieved 2012-05-14.
- ↑ Valkiūnas G (2005). Avian Malaria Parasites and Other Haemosporidia. CRC Press. ପୃଷ୍ଠା. 589. ISBN 978-0-415-30097-1. http://books.google.com/books?id=2btzeZON0qgC&pg=PA589.
- ↑ Tan SY, Sung H (2008). "Carlos Juan Finlay (1833–1915): of mosquitoes and yellow fever" (PDF). Singapore Medical Journal 49 (5): 370–1. PMID 18465043. http://smj.sma.org.sg/4905/4905ms1.pdf.
- ↑ "The Nobel Prize in Physiology or Medicine 1902: Ronald Ross". The Nobel Foundation. http://nobelprize.org/nobel_prizes/medicine/laureates/1902/ross-bio.html. Retrieved 2012-05-14.
- ↑ "Ross and the Discovery that Mosquitoes Transmit Malaria Parasites". CDC Malaria website. Archived from the original on 2007-06-02. http://web.archive.org/web/20070602185153/http://www.cdc.gov/malaria/history/ross.htm. Retrieved 2012-06-14.
- ↑ "Malaria symptoms". WebMD. April 20, 2011. http://www.webmd.com/a-to-z-guides/malaria-symptoms. Retrieved 2012-05-09.
- ↑ Mandell GL, Bennett JE, Dolin R (eds) (2010). Mandell, Douglas, and Bennett's Principles and Practice of Infectious Diseases (7th ed.). Philadelphia, PA: Churchill Livingstone/Elsevier. ପୃଷ୍ଠା. Chapter 275. ISBN 978-0-443-06839-3.
- ↑ ୧୩.୦ ୧୩.୧ ୧୩.୨ ୧୩.୩ Nadjm B, Behrens RH (2012). "Malaria: an update for physicians". Infectious Disease Clinics of North America 26 (2): 243–59. doi:10.1016/j.idc.2012.03.010. PMID 22632637.
- ↑ Beare NA, Taylor TE, Harding SP, Lewallen S, Molyneux ME (2006). "Malarial retinopathy: a newly established diagnostic sign in severe malaria". American Journal of Tropical Medicine and Hygiene 75 (5): 790–7. PMC 2367432. PMID 17123967. http://www.ajtmh.org/cgi/pmidlookup?view=long&pmid=17123967.
- ↑ Fernando RL, Fernando SSE, Siew-Yin Leong A (2001). Tropical Infectious Diseases: Epidemiology, Investigation, Diagnosis and Management. Cambridge University Press. ପୃଷ୍ଠା. 26. ISBN 978-1-900151-39-9. http://books.google.com/books?id=H_HMXkI5BC4C&pg=PA26.
- ↑ Idro R, Otieno G, White S, Kahindi A, Fegan G, Ogutu B, Mithwani S, Maitland K, Neville BG, Newton CR (2005). "Decorticate, decerebrate and opisthotonic posturing and seizures in Kenyan children with cerebral malaria". Malaria Journal 4: 57. doi:10.1186/1475-2875-4-57. PMC 1326205. PMID 16336645.
- ↑ Beare NA, Lewallen S, Taylor TE, Molyneux ME (2011). "Redefining cerebral malaria by including malaria retinopathy". Future Microbiology 6 (3): 349–55. doi:10.2217/fmb.11.3. PMID 21449844.
- ↑ Mueller I, Zimmerman PA, Reeder JC (2007). "Plasmodium malariae and Plasmodium ovale—the "bashful" malaria parasites". Trends in Parasitology 23 (6): 278–83. doi:10.1016/j.pt.2007.04.009. PMID 17459775.
- ↑ Collins WE (2012). "Plasmodium knowlesi: a malaria parasite of monkeys and humans". Annual Review of Entomology 57: 107–21. doi:10.1146/annurev-ento-121510-133540. PMID 22149265.
- ↑ Mendis K, Sina B, Marchesini P, Carter R (2001). "The neglected burden of Plasmodium vivax malaria" (PDF). American Journal of Tropical Medicine and Hygiene 64 (1–2 Suppl): 97–106. PMID 11425182. http://www.ajtmh.org/cgi/reprint/64/1_suppl/97.pdf.
ଆହୁରି ପଢନ୍ତୁ [ସମ୍ପାଦନା]
- Packard RM (2007). The Making of a Tropical Disease: A Short History of Malaria. Johns Hopkins Biographies of Disease. JHU Press. ISBN 978-0-8018-8712-3. http://books.google.com/books?id=B_V1Xj6wH7IC.
- Shah S (2010). The Fever: How Malaria Has Ruled Humankind for 500,000 Years. Macmillan. ISBN 978-0-374-23001-2. http://books.google.com/books?id=4jUjPh64X9UC. excerpt and text search
- Bynum WF, Overy C (1998). The Beast in the Mosquito: The Correspondence of Ronald Ross and Patrick Manson. Wellcome Institute Series in The History of Medicine. Rodopi. ISBN 978-90-420-0721-5. http://books.google.com/books?id=5BXbsSJLaToC.
ବାହାର ଆଧାର [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ମ୍ୟାଲେରିଆ ଉପରେ ମାଧ୍ୟମ ରହିଅଛି |
- WHO site on malaria
- UNHCO site on malaria
- Global Malaria action Plan
- World Malaria Report 2005
- Doctors Without Borders/Médecins Sans Frontières – Malaria information pages
- Who/TDR Malaria Database
- Anti malaria and sustainable development
- Worldwide Antimalarial Resistance Network (WWARN)