ମାଘ ସପ୍ତମୀ

ଉଇକିପିଡ଼ିଆ ରୁ

ପଦ୍ମପୁରାଣର ପ୍ରାଚୀ ମାହାତ୍ମ୍ୟରେ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି I ସେହି ଅର୍କ ତୀର୍ଥ ପରବର୍ତ୍ତୀ କାଳରେ ‘ ଚନ୍ଦ୍ରଭାଗା ତୀର୍ଥ ’ ନାମରେ ପ୍ରସିଦ୍ଧ ହୋଇଛି I ସ୍ୱର୍ଗର ପୁଣ୍ୟତୋୟା ସରସ୍ୱତୀ ମର୍ତ୍ତ୍ୟଲୋକରେ ପ୍ରାଚୀ ନାମରେ ପ୍ରବାହିତ ହୋଇଥିଲେ I ତା’ପରେ ଏହା ଚିତ୍ରୋତ୍ପଳା, କାଦୁଆ ଓ ଶେଷରେ ଚନ୍ଦ୍ରଭାଗା ନାମରେ କୋଣାର୍କ ନିକଟରେ ସମୁଦ୍ରରେ ପଡ଼ିଥିଲା I ଶାମ୍ବ ଏହି ଚନ୍ଦ୍ରଭାଗା ନଦୀକୂଳରେ ସୂର୍ଯ୍ୟ ଉପାସନା କରି କୁଷ୍ଠରୋଗରୁ ମୁକ୍ତିଲାଭ କରିଥିଲେ I ଏହି ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ସମୟରେ ଶାମ୍ବ ସୂର୍ଯ୍ୟଙ୍କର ମଣିବିଗ୍ରହ ପାଇଥିଲେ ଏବଂ ସ୍ୱୟଂ ସୂର୍ଯ୍ୟଦେବ ତାଙ୍କର ସେହି ମୂର୍ତ୍ତିକୁ ଚନ୍ଦ୍ରଭାଗା ନଦୀ ତୀରରେ ମନ୍ଦିର ନିର୍ମାଣ ପାଇଁ ଶାମ୍ବଙ୍କୁ ନିର୍ଦ୍ଦେଶ ଦେଇଥିଲେ I ତେଣୁ ପ୍ରାଚୀନ କାଳରୁ ଚନ୍ଦ୍ରଭାଗା ଏକ ପୂଣ୍ୟତୀର୍ଥ ରୂପେ ଖ୍ୟାତି ଅର୍ଜନ କରିଆସିଛି I ସାରଳା ଦାସଙ୍କ ମହାଭାରତର ବନ ପର୍ବରେ ଅର୍କକ୍ଷେତ୍ର ବିଷୟରେ ଉଲ୍ଲେଖ ଅଛି ଯେ ମକର ମାସ ଅର୍ଥାତ ପବିତ୍ର ମାଘ ସପ୍ତମୀ ତିଥିରେ ସୂର୍ଯ୍ୟଦେବ ‘ ଅର୍କ ’ ନାମକ ଏକ ଦୈତ୍ୟକୁ ପାତାଳକୁ ଚାପି ତୀର୍ଥ ଅର୍କତୀର୍ଥ ସୃଷ୍ଟି କରିଥିବାରୁ ପ୍ରତିବର୍ଷ ମାଘ ଶୁକ୍ଳ ସପ୍ତମୀ ଦିନ ଏହିତୀର୍ଥରେ ପବିତ୍ର ସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ I ତେଣୁ ‘ କୋଣାର୍କ ’ ସୂର୍ଯ୍ୟକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛନ୍ତି I ତେଣୁ ଏହିଦିନରେ ସୂର୍ଯ୍ୟପୂଜା କରାଯାଏ I ପଦ୍ମ ପୁରାଣରେ ପ୍ରାଚୀ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି ଯେ ସୂର୍ଯ୍ୟଦେବ ନିଜର ପାପ ମୋଚନ ନିମନ୍ତେ ଅର୍କତୀର୍ଥରେ ତପସ୍ୟା କରି ମୁକ୍ତିଲାଭ କରିଥିଲେ I ମହାଦେବ ମଧ୍ୟ ଏଠାରେ ତପସ୍ୟା କରି ବ୍ରହ୍ମାଶିର ଛେଦନ ଜନିତ ପାପରୁ ମୁକ୍ତି ପାଇଥିଲେ I ସୂର୍ଯ୍ୟଦେବ ଶିବଙ୍କୁ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରି କହିଛନ୍ତି -

 “ ଅର୍କ ତୀର୍ଥ ଯେତେ ପୁଣ୍ୟ, ମୁଁ କହିବାକୁ ନୋହେଁ କ୍ଷମ I
 ମାଘ ମାସର ଶୁକ୍ଳପକ୍ଷ, ସପ୍ତମୀ ହୋଇଲେ ପ୍ରତ୍ୟେକ୍ଷ I
 ତିଳ ଲଗାଇ କଲେ ସ୍ନାନ, ତିଳେ ଦେଲେ ଦାନ ଭୋଜନ I
 କୋଟି ଗୋଦାନ ଫଳ ପାଇ, ତା ଦେହେ ବ୍ୟାଧି ନ ଲାଗଇ I
 ଅପୁତ୍ରୀ ନାରୀ କଲେ ଦାନ, କୋଳେ ତା ହୁଅଇ ନନ୍ଦନ I

ଅର୍କ ତୀର୍ଥରେ ସ୍ନାନ କରି, ବ୍ରହ୍ମ ହତ୍ୟାରୁ ହୋଏ ପାରି I ”

ମାଘ ଶୁକ୍ଳ ସପ୍ତମୀରେ ସୂର୍ଯ୍ୟଦେବ ଜନ୍ମଗ୍ରହଣ କରିଥିଲେ I ଏହି ତିଥିରେ ଅର୍କ ତୀର୍ଥରେ ସ୍ନାନ କଲେ ମନୁଷ୍ୟ ବୀତରୋଗ ବିକଳ୍ମଷ ହୋଇ ମନୁଷ୍ୟ ଜନ୍ମରୁ ମୁକ୍ତି ମିଳିଥାଏ I ପ୍ରତିବର୍ଷ ମାଘ ସପ୍ତମୀରେ ସୂର୍ଯ୍ୟ ମନ୍ଦିର କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗାରେ ପବିତ୍ର ବୁଡ ଅନୁଷ୍ଠିତ ହୋଇଥାଏ I ଭାରତର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ ସମାଗମ ହୋଇ ବ୍ରାହ୍ମ ମୁହୂର୍ତ୍ତରେ ଚନ୍ଦ୍ରଭାଗାରେ ବୁଡ ପକାଇ ତୀର୍ଥଜଳରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଦାନଧର୍ମ କରି ପୁଣ୍ୟ ଅର୍ଜନ କରିଥାନ୍ତି I ଏହା ଚନ୍ଦ୍ରଭାଗା ଯାତ୍ରା ବା ଚନ୍ଦ୍ରଭାଗା ମେଳା ନାମରେ ପ୍ରସିଦ୍ଧ I ଏହିମେଳା ଉପଲକ୍ଷେ ପୂର୍ବେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରତିଷ୍ଠିତ ସୂର୍ଯ୍ୟ ଓ ଚନ୍ଦ୍ର ଏକ ବିମାନରେ ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରୁଥିଲେ I ଏହି ପ୍ରତିମାଙ୍କ ସହ କୋଣାର୍କର ଅଷ୍ଟଶମ୍ଭୁ ଓ ଅଷ୍ଟଚଣ୍ଡୀ ମଧ୍ୟ ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରିଥାନ୍ତି I ସୂର୍ଯ୍ୟଦେବଙ୍କର ଏଇ ରଥଯାତ୍ରା ଅତ୍ୟନ୍ତ ବିରଳ I ବ୍ରହ୍ମ ପୁରାଣରେ ଏହା ସୌର ଗୁଣ୍ଡିଚା ନାମରେ ଖ୍ୟାତିଲାଭ କରିଛି I ତେବେ ପ୍ରଥମେ ଏଇ ଦେବଗଣମାନେ ପ୍ରଦକ୍ଷଣ କରିସାରିବା ପରେ ଭକ୍ତଗଣ ହରିବୋଲ ହୁଳହୁଳିର ପ୍ରକମ୍ପିତ ଧ୍ୱନିରେ ବୁଡପକାଇଥାନ୍ତି I କୋଣାର୍କ ମନ୍ଦିର ଭାଙ୍ଗିଯିବା ପରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରତିମା ଦ୍ୱୟକୁ ପୁରୀ ନିଆଯାଇ ଶ୍ରୀ ମନ୍ଦିର ବେଢାରେ ସ୍ଥାପନ କରାଯାଇଛି I ଚନ୍ଦ୍ରଭାଗା ନଦୀଟି ପୋତି ହୋଇ ତାର ସତ୍ତା ହଜାଇ ବସିଲାଣି I ତଥାପି ଏଠାରେ ପ୍ରତିବର୍ଷ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ ପାଳିତ ହୋଇଆସୁଛି I ମାଘସପ୍ତମୀ ତିଥିରେ ଭୁବନେଶ୍ୱରସ୍ଥିତ ଖଣ୍ଡଗିରିଠାରେ ନଅଦିନ ବ୍ୟାପୀ ଏକ ଯାଗଯଜ୍ଞ ଓ ବିରାଟମେଳାର ଆୟୋଜନ ହୋଇଥାଏ I ପୌରାଣିକ ତଥ୍ୟାନୁସାରେ କୃଷ୍ଣପୁତ୍ର ଶାମ୍ବ ମାଘସପ୍ତମୀ ତିଥିରେ ସୂର୍ଯ୍ୟଭଳି ପ୍ରତିଷ୍ଠା କରି ପୂଜାର୍ଚ୍ଚନା ପୂର୍ବକ ଭୁବନେଶ୍ୱରରେ ଥିବା କପିଳମୁନିଙ୍କ ଆଶ୍ରମରେ ଅବସ୍ଥାନ କରିଥିଲେ I ମହାମୁନି କପିଳ ଶାମ୍ବଙ୍କୁ ‘ ଖଣ୍ଡଖିରୀ ’ ଖାଇବା ପାଇଁ ଦେଇ ସନ୍ତୁଷ୍ଟ କରିଥିଲେ I ଖଣ୍ଡଖିରୀ ନାମର ଅପଭ୍ରଂଶ ହୋଇ ଏହା ଖଣ୍ଡଗିରି ନାମଧାରଣ କରିଥିବା ଜନଶ୍ରୁତିରୁ ଜଣାଯାଏ I ଅଦ୍ୟାପି ଏଠାରେ କପିଳମୁନୀଙ୍କ ପୂଜିତ ଶିବଲିଙ୍ଗ ‘ କପିଳେଶ୍ୱର ’ ନାମରେ ଖ୍ୟାତି ଲାଭ କରିଛନ୍ତି I ଏଇ ମାଘସପ୍ତମୀ ତିଥିରେ ସାଧୁସନ୍ଥମାନେ ଏକତ୍ର ହୋଇ ବିଭିନ୍ନ ଧର୍ମାଲୋଚନା ଓ ଯାଗଯଜ୍ଞରେ ଭାଗନେଇ ବିଭିନ୍ନ ଧାର୍ମିକ ପରିବେଶ ସୃଷ୍ଟି କରିଥାନ୍ତି I ଏଇ ମାଘସପ୍ତମୀ ଯାଜପୁରରେ ପୂଣ୍ୟତୋୟା ଦଶାଶ୍ୱମେଧ ଘାଟରେ ମଧ୍ୟ ବୁଡପକାଇ ପୂଣ୍ୟ ଅର୍ଜନ କରିବାର ଦେଖାଯାଏ I ଏହାଛଡା ବେଦବ୍ୟାସ (ରାଉରକେଲା )ରେ ଶଙ୍ଖ, କୋଏଲର ମିଶ୍ରଣ ସ୍ଥାନରେ ମଧ୍ୟ ବୁଡ ଦିଆଯାଇ ଅଶେଷ ପୂଣ୍ୟ ଅର୍ଜନ କରାଯାଇଥାଏ I ଏହାଛଡା ଆହୁରି ଅନେକ ସ୍ଥଳୀରେ ସପ୍ତମୀ ବୁଡ ଦେଇ ବ୍ରତଧାରୀମାନେ ମହାପୁଣ୍ୟର ଅଧିକାରୀ ହୋଇଥାନ୍ତି I ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ମାଘ ମାସ ଏକ ପୂଣ୍ୟର ମାସ I ତ୍ରିବେଣୀ ଅମାବାସ୍ୟା ଶ୍ରୀପଞ୍ଚମୀ, ମାଘସପ୍ତମୀ ଇତ୍ୟାଦି ପୂଣ୍ୟଦିବସ ମାନ ମାଘମାସର ତାତ୍ପର୍ଯ୍ୟକୁ ବଢାଇ ଦେଇଥାଏ I ଇତିହାସରୁ ଜଣାଯାଏ ପ୍ରାଚୀନ କାଳରେ ପୂର୍ବ ଭାରତରେ ପ୍ରମୁଖ ବନ୍ଦର କୋଣ – କମଣ – କୋଣାର୍କକୁ ବିଶ୍ୱର ବାଣିଜ୍ୟ ଦ୍ୱାର ବୋଲି କୁହାଯାଉଥିଲା I ସେଥିପାଇଁ ଆଜିର ବଙ୍ଗୋପସାଗର କଳିସାଗର ନାମରେ ପ୍ରସିଦ୍ଧ ଥିଲା I ଆଜିର ଗବେଷକମାନେ କହନ୍ତି ପ୍ରାଚୀନ ଚିତ୍ରୋତ୍ପଳା ନଦୀ ହିଁ ଆଜିର ଚନ୍ଦ୍ରଭାଗା ସ୍ଥାନ ନେଇଛି I ମାଘସପ୍ତମୀ ଖଣ୍ଡଗିରି ମେଳା ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲେ I ମାଘସପ୍ତମୀ ଏକ ପବିତ୍ର ତିଥି ଓ ପ୍ରାଚୀନ ସ୍ମୃତିର ସଂସ୍କୃତିପୂର୍ଣ୍ଣ ଦିବସ I ସାଧୁସନ୍ଥମାନଙ୍କ ସହ ଖଣ୍ଡଗିରିର ମାହାତ୍ମ୍ୟ ଅନେକ ବଢିଯାଏ ଏଇ ମାଘ ସପ୍ତମୀର ଆରମ୍ଭରୁ I ଏଇ ମାଘ ସପ୍ତମୀ ଆମ ପରମ୍ପରାର ପ୍ରତୀକ I [୧]

କୋଣାର୍କରେ ରଥଯାତ୍ରାର ଇତିହାସ[ସମ୍ପାଦନା]

ଅଭିଶପ୍ତ ଶାମ୍ବ ପିତା ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକ୍ରମେ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗାରେ ତପସ୍ୟା କରିଥିଲେ ଏବଂ ସୂର୍ଯ୍ୟପୂଜାର ଅୟମାରମ୍ଭ କରିଥିଲେ । ସେହି ଦ୍ଵାପରଯୁଗର ସମୟ ଯୁଧିଷ୍ଠିର ରାଜାଙ୍କ ରାଜତ୍ଵକାଳରୁ ସାକ୍ୟ ସମ୍ବତ ଯାଏ ୨୫୨୬ବର୍ଷ, ବୁଦ୍ଧଦେବଙ୍କ ଜନ୍ମଠାରୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ୫୭୪ବର୍ଷ ଏବଂ ଯୀଶୁଙ୍କ ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ୨୦୧୪ବର୍ଷଯାଏଁ; ଅତଏବ ବର୍ତ୍ତମାନ କଳିଯୁଗକୁ ମିଶାଇ ୫୧୧୩ ବର୍ଷ ଅତିକ୍ରାନ୍ତ ହୋଇଗଲାଣି । ସୁତରାଂ ୫୧୧୩ ବର୍ଷ ପୂର୍ବେ ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ପୌଷମାସ ଦଶମୀଠାରୁ ମାଘ ମାସ ସପ୍ତମୀ ପର୍ଯ୍ୟନ୍ତ ତପସ୍ୟା କରିଥିଲେ । ଯେଉଁ ସୂର୍ଯ୍ୟଦେବଙ୍କ ମଣିବିଗ୍ରହକୁ ଚନ୍ଦ୍ରଭାଗା ନଦୀରେ ସ୍ନାନ ସମୟରେ ପ୍ରାପ୍ତକରି ଶାମ୍ବ ସୂର୍ଯ୍ୟପୂଜା କରୁଥିଲେ, ମିତ୍ରାଦିତ୍ୟଂ ସେହି ସ୍ଥାନରେ ସୂର୍ଯ୍ୟମନ୍ଦିର ନିର୍ମାଣକରି ସେଥିରେ ବିଗ୍ରହକୁ ସ୍ଥାପନ କରିଥିଲେ । ସେବେଠାରୁ ସୂର୍ଯ୍ୟଦେବଙ୍କ ରଥଯାତ୍ରା ପାଳନ କରାଯାଉଥିବାର ଅନୁମାନ କରାଯାଏ । ପରବର୍ତ୍ତୀ କାଳରେ ରାଜାମାନେ ଥରକୁ ଥର ମନ୍ଦିର ନିର୍ମାଣ କରିଛନ୍ତି, ପରିଶେଷରେ ଲାଙ୍ଗୁଡା ନରସିଂହ ଦେବ ଏକ ଚଳନ୍ତା ରଥ ସଦୃଶ ସୂର୍ଯ୍ୟମନ୍ଦିରର ରୂପରେଖ ଦେଇଥିଲେ । ତେଣୁ ରଥ ସଦୃଶ୍ୟ ମନ୍ଦିର ତିଆରି ପୂର୍ବରୁ ଏଠାରେ ଲୌକିକ ରଥଯାତ୍ରା ହେଉଥିବାର ପ୍ରମାଣ ଦିଏ । ମାଦଳା ପାଞ୍ଜିରେ କୋଣାର୍କରେ ମାଘ ସପ୍ତମୀ ଯାତ୍ରା ଉଲ୍ଲେଖ ଅଛି । କପିଳ ସଂହିତାରେ ଏହିସ୍ଥାନରେ ରଥଯାତ୍ରା ଓ ବ୍ରହ୍ମପୁରାଣରେ ଚୈତ୍ରମାସର ଶୁକ୍ଳପକ୍ଷ 'ଚୈତ୍ର ଯାତ୍ରା' ନାମରେ ଏଠାରେ ଏକ ଯାତ୍ରା ହେଉଥିବାର ବର୍ଣ୍ଣନା ରହିଛି । ଖ୍ରୀଷ୍ଟିୟ ଷଷ୍ଠ ଶତାବ୍ଦୀରେ ମାଘ ସପ୍ତମୀରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୂର୍ଯ୍ୟପୂଜା ଉତ୍ସବ ପାଳନ ହେଉଥିଲା ବୋଲି ଡଃ. ନବୀନ କୁମାର ସାହୁ ଓଡ଼ିଆ ଜାତିର ଇତିହାସରେ ଲେଖିଛନ୍ତି । ଚୀନ ପରିବ୍ରାଜକ ହୁଏନଂସା ୬୪୧ଖ୍ରୀଷ୍ଠାବ୍ଦରେ ସୂର୍ଯ୍ୟରଥ ଉତ୍ସବ ଦେଖିଥିବାର ଉଲ୍ଲେଖ କରିଛନ୍ତି । ଗଙ୍ଗାଙ୍କ ୧୮୩ରେ ଚେକାକେଲ ତାମ୍ର ଶାସନରେ ରଥ ସପ୍ତମୀ ଉପଲକ୍ଷେ ଗ୍ରହ ବ୍ରାହ୍ମଣମାନଙ୍କୁ ଭୂମିଦାନର କରାଯାଇଥିବାର ସୂଚନା ମିଳେ । ଅନଙ୍କଭୀମ ଦେବଙ୍କ ରାଜତ୍ଵ ୨୯ ବର୍ଷରେ ସନ ୧୧୫୭ ଖ୍ରୀଷ୍ଟାବ୍ଦରେ ମାଘ ଶୁକ୍ଳ ସପ୍ତମୀରେ ଚନ୍ଦ୍ରଭାଗା ସ୍ନାନପରେ ରଥଯାତ୍ରାରେ ସୂର୍ଯ୍ୟ ଉପାସକ ଗ୍ରହ ବ୍ରାହ୍ମଣ କୃର୍ତ୍ତିବାସ ନାୟକଙ୍କୁ ଦୁଇଟି ଭୂମିଦାନ ବିଷୟ ଶ୍ରୀକ୍ଷେତ୍ର ପାତାଳେଶ୍ଵର ମନ୍ଦିର ଦେହରେ ଖୋଦିତ ଅଛି । ଏହି ରଥଯାତ୍ରା ପୁରୀ ରଥଯାତ୍ରାଠାରୁ ପ୍ରାଚୀନ ଅଟେ । କିନ୍ତୁ ସ୍କନ୍ଦପୁରାଣ ଉତ୍କଳ ଖଣ୍ଡରେ ଚନ୍ଦ୍ରଭାଗା ବୁଡ ଉପଲକ୍ଷେ କୋଣାର୍କରେ ମାଘମାସ ଶୁକ୍ଳ ପଞ୍ଚମୀ ଦିନ ରଥଯାତ୍ରା ଗୁଣ୍ଡିଚା ଯାତ୍ରା ପରି ପାଳନ ହେଉଥିଲା । ଓଡ଼ିଶାରେ ମୁଖ୍ୟତଃ ଚାରିଗୋଟି ରଥଯାତ୍ରା ଅନୁଷ୍ଠିତ ହୁଏ । ବର୍ଷର ପ୍ରତି ଦୁଇମାସରେ ଥରେ ଗୋଟିଏ ରଥଯାତ୍ରା ହୁଏ । ଚୈତ୍ରମାସ ଶୁକ୍ଳ ଅଷ୍ଟମୀରେ ରୁକୁଣା ରଥଯାତ୍ରା, ଆଷାଢ ମାସ ଦ୍ଵିତୀୟାରେ ଗୁଣ୍ଡିଚା ରଥଯାତ୍ରା, ଆଶ୍ଵିନରେ ଦୁର୍ଗାଙ୍କ ଏବଂ ମାଘ ମାସ ପଞ୍ଚମୀରେ କୋଣାର୍କ ସୌର ରଥଯାତ୍ରା ପାଳନ ହେଉଥିବାର ପୁରାଣରେ ବର୍ଣ୍ଣନା ଅଛି । କିନ୍ତୁ ପ୍ରତି ଦୁଇ ମାସ ବ୍ୟବଧାନରେ ଗୋଟିଏ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ କୋଣାର୍କର ସୌର ରଥଯାତ୍ରା ମାଘ ମାସ ପରିବର୍ତ୍ତେ ପୌଷମାସରେ ଅନୁଷ୍ଠିତ ହେବାର ଗବେଷକ ଡଃ. ଉପେନ୍ଦ୍ର ନାଥ ଭୋଳ ପ୍ରମାଣ ଦେଇଛନ୍ତି ।

ରଥଯାତ୍ରା[ସମ୍ପାଦନା]

ସଂପ୍ରତି ଶାମ୍ବ ଦଶମୀ ଦିନ ଏକ ଛୋଟ ରଥରେ ଅନନ୍ତ ଅବଧୂତ ମଠରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଓ ଦକ୍ଷିଣାୟନ ଦୁଇ ବୀଜ ପ୍ରତିମାକୁ ରଥରେ ବସାଇ ଚନ୍ଦ୍ରଭାଗା ତୀର୍ଥ ନିକଟରେ ସ୍ନାନ କରାଇଥାନ୍ତି । ଏହାପରେ ସୂର୍ଯ୍ୟଙ୍କର ପୂଜାର୍ଚ୍ଚନା ଓ ଗାୟତ୍ରୀ ଯଜ୍ଞ ସମ୍ପାଦନା ହେବାପରେ ସୂର୍ଯ୍ୟରଥ ଛୋଟବାବା ମଠ ସ୍ଥିତ ବିରଞ୍ଚି ନାରାୟଣ ମନ୍ଦିରରେ ସତାଇଶ ଦିନ ରହି ସତାଇଶଟି ନକ୍ଷତ୍ରରେ ପୂଜାର୍ଚ୍ଚନା ପରେ ପବିତ୍ର ମାଘ ସପ୍ତମୀ ଦିନ ପୁଣିଥରେ ଅନନ୍ତ ଅବଧୂତ ମଠକୁ ବାହୁଡି ଆସନ୍ତି । ଏହି ଯାତ୍ରାରେ ଅନନ୍ତ ଅବଧୂତ ମଠ, ସୌର ବ୍ରାହ୍ମଣ ପରିବାର, ଗାୟତ୍ରୀ ପରିବାର ଏବଂ ବିଭିନ୍ନ ସ୍ଥାନୀୟ କମିଟି ଦ୍ଵାରା ରଥଯାତ୍ରା ପରିଚାଳନା କରାଯାଏ । ଏହି ସମୟରେ କୋଣାର୍କଠାରେ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ସୌର ମହାଯଜ୍ଞମାନ ଅନୁଷ୍ଠିତ ହୋଇଥାଏ । [୨]

ଆଧାର[ସମ୍ପାଦନା]

  1. ଶ୍ରୀ ବଳରାମ ମିଶ୍ର, ସୂର୍ଯ୍ୟକ୍ଷେତ୍ର କୋଣାର୍କ, ପୃଷ୍ଠା- ୧୧୮- ୧୧୯
  2. କୋଣାର୍କ ରିସର୍ଚ୍ଚ ସେଣ୍ଟର,ପୃଷ୍ଠା-୭, ସାହାଣମେଲା, ୬.୨.୨୦୧୪