ମହା ଶିବରାତ୍ରୀ

ଉଇକିପିଡ଼ିଆ ରୁ
(ମହାଶିବରାତ୍ରି ରୁ ଲେଉଟି ଆସିଛି)

ମହା ଶିବରାତ୍ରୀ ଏକ ହିନ୍ଦୁ ପର୍ବ । ଏହି ଦିନ ଶିବଙ୍କ ପୂଜା କରଯାଏ । ଏହା ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ଭାରତର ବିଭିନ୍ନ ସ୍ଥାନରେ ଏହାକୁ ବଡ଼ ଆଡମ୍ବର ସହକାରେ ପାଳନ କରାଯାଏ ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ପୌରାଣିକ ଭିତ୍ତିଭୂମି

ଦେବଦେବ ମହାଦେବ ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ଵାସ କରିଥାନ୍ତି । ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କ ଦ୍ଵାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ ୤ ଏହି ବିଷକୁ ପାନ କରିବା ପରେ ବିଷର ଜ୍ଵାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ ୤ ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ ୤ ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି ୤ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ୤

[ଏହାକୁ ବଦଳାନ୍ତୁ] ମାସ/ତିଥି

ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀ(ଫେବ୍ରୁଆରୀ - ମାର୍ଚ )

[ଏହାକୁ ବଦଳାନ୍ତୁ] ଅଞ୍ଚଳ

ସମଗ୍ର ଓଡ଼ିଶାର ଶୈବପୀଠ, ବିଶେଷ କରି ଆରଡ଼ି, କପିଳାସ, ଗୁପ୍ତେଶ୍ଵର, ବେଦବ୍ୟାସ, ଭୁବନେଶ୍ଵର, ମହେନ୍ଦ୍ରଗିରି, ହରିଶଙ୍କର, ହୁମାରେ ଏହି ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଏହା ପାଳନ କରିଥାନ୍ତି ।

[ଏହାକୁ ବଦଳାନ୍ତୁ] ସଂକ୍ଷେପରେ

ଶିବଙ୍କ ପୂଜା ଉପାସନା ନିମନ୍ତେ ସୋମବାର, ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ଶିବରାତ୍ରି ସର୍ବୋକୃଷ୍ଟ ୤ ଅନ୍ୟ ଦେବତାଙ୍କ ପୂଜା ଦିନରେ ହେଉଥିବାବେଳେ ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ ୤

ଶିବରାତ୍ରିକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଏ ୤ ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା ୤ ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ ୤ ଦ୍ବିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ ୤ ତୃତୀୟ ପ୍ରହର ବା ଘୋର ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ ୤ ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ ୤ ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରକରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ ୤ ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ ୤ ଏହିଦିନ ଭଗବାନ ଶିବଙ୍କ ଉପରେ କେତକୀଫୁଲ ଚଢ଼ାଯିବାର ବିଧି ରହିଛି ୤ ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ରରେ ଏହି ପର୍ବ ବେଶ ଭକ୍ତି ଓ ଉଲ୍ଲାସର ସହ ପାଳିତ ହୋଇଥାଏ ୤

ଶିବରାତ୍ରର ମହିମା ସମ୍ପର୍କରେ ମହାଭାରତର ଶାନ୍ତିପର୍ବରେ କଥିତ ଅଛି ଯେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଧର୍ମୋପଦେଶ ଦେଲାବେଳେ ମହାଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷାକୁ ବଂଶର ରାଜା ଚିତ୍ରଭାନୁଙ୍କ କାହାଣୀ ଉଦ୍ଧାର କରିଥିଲେ ୤ ଜମ୍ବୁଦ୍ଵୀପର ରାଜା ଚିତ୍ରଭାନୁଙ୍କ ସ୍ତ୍ରୀ ଥରେ ଶିବରାତ୍ରି ଉପବାସ ପାଳନ କରିଥିଲେ ୤ ସେ ସମୟରେ ଋଷି ଅଷ୍ଟବକ୍ର ରାଜଦରବାରକୁ ଆସି ରାଜାଙ୍କୁ ଏହି ଦିବସ ପାଳନର କାରଣ ପୁଚ୍ଛାକରିଥିଲେ ୤ ରାଜା ଜାତିସ୍ମର ଥିବାରୁ ନିଜ ପୂର୍ବଜନ୍ମର କାହାଣୀ ବର୍ଣ୍ଣନା କଲେ: ପୂର୍ବଜନ୍ମରେ ସୁସ୍ଵର ନାମରେ ସେ ଜଣେ ଶିକାରୀ ଥିଲେ ୤ ଦିନେ ବଣରେ ବୁଲୁବୁଲୁ ସନ୍ଧ୍ୟା ହେଲା ୤ ନିଜ କୁଟୀରକୁ ଫେରି ନ ପାରି ରାତିରେ ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷାପାଇବା ପାଇଁ ସେ ନିକଟରେ ଥିବା ବେଲଗଛ ଉପରକୁ ଚଢ଼ିଗଲେ ୤ ରାତିସାରା ବେଲପତ୍ର ଛିଡ଼ାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଲୁହ ଝରାଇବାକୁ ଲାଗିଲେ ୤ ତାଙ୍କ ଅଜାଣତରେ ସେହି ଲୁହ ଓ ପତ୍ର ବିଲ୍ବବୃକ୍ଷର ପାଦଦେଶରେ ଥିବା ଶିବଲିଙ୍ଗ ଉପରେ ପଡୁଥାଏ ୤ ସକାଳ ହେବାରୁ ସେ ଶିକାର ଧରି ଘରକୁ ଫେରିଲେ ୤ ପ୍ରଥମେ ଜଣେ ଭିକ୍ଷୁକୁ କିଛି ଖାଦ୍ୟ ଦାନକରି ନିଜେ ଖାଦ୍ୟଗ୍ରହଣ କଲେ ୤ କିଛି ବର୍ଷ ପରେ ତାଙ୍କ ମୃତ୍ୟୁ ହେବାରୁ ସେ ଶୈବଲୋକ ପ୍ରାପ୍ତ ହେଲେ ୤ ଅଜ୍ଞାତରେ, ସେ ଶିବରାତ୍ରି ଦିନ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଙ୍କ ପାଖରେ ରହିବାର ସୁଯୋଗ ଲାଭ କରି ପରଜନ୍ମରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ ୤

ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ମଧ୍ୟ କୁହାଯାଇଥାଏ ୤ ଆତ୍ମ କଲ୍ୟାଣର ରାସ୍ତାକୁ ପରିସ୍କାର କରିବାପାଇଁ ଅଖଣ୍ଡ ସଜାଗତା ଓ ଜ୍ଞାନର ଆଲୋକ ଏ ଦୁଇଟିର ଆବଶ୍ୟକତା ରହିଛି ବୋଲି ଏଇ ପର୍ବ ଶିକ୍ଷା ଦିଏ । ମଝିରାତିକୁ ମନ୍ଦିରର ଶିଖରକୁ ବିଶାଳ ମହାଦୀପ ନିଆଯାଏ । ତାହାକୁ ଦର୍ଶନ କରି ଭକ୍ତମାନେ ବିହ୍ଵଳ ହୁଅନ୍ତି । ପରଦିନ ସ୍ନାନାଦି ସମାପନ କରି ଭକ୍ତମାନେ ସେମାନଙ୍କ ଉପବାସ ଭଙ୍ଗ କରନ୍ତି।

[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା