ମଦ୍ୟାତ୍ୟୟ

ଉଇକିପିଡ଼ିଆ ରୁ
ମଦ୍ୟାତୟ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
"ମଦ୍ୟ ରାଜା ଓ ତାଙ୍କର ପ୍ରଧାନ ମନ୍ତ୍ରୀ" c. ୧୮୨୦
ଆଇସିଡ଼ି-୧୦ F10..2
ଆଇସିଡ଼ି- 303
ମେଡ଼ିସିନ-ପ୍ଲସ 000944
MeSH D000437

ପ୍ରତିଶବ୍ଦ – ମଦାଳତା, ମଦ୍ୟପତା, ସୁରାସକ୍ତତା, ମଦ୍ୟପାନ ଜନିତ ରୁଗଣାବସ୍ଥା

ମଦ୍ୟ ବା ବିଭିନ୍ନ ପ୍ରକାରର ସୁରା ପାନ ଜନିତ ରୋଗ ଓ ବିବିଧ ଶାରୀରିକ ଅସୁବିଧା ଗୁଡ଼ିକୁ ମୋଟା ମୋଟି ଭାବରେ ଏକ ରୋଗ ଯାହାର ନାମ ମଦ୍ୟାତ୍ୟୟ ବା ଇଂରାଜୀରେ Alcoholism ଦିଆଯାଇଛି। ମଦ୍ୟପ ବା ଆଲ୍‌କହଲିକ୍ (Alcoholic) ଅର୍ଥ କିନ୍ତୁ ଏହା ଠାରୁ ଅଲଗା: ଏହା ଏକ ବ୍ୟକ୍ତିକୁ ବୁଝାଏ ଯିଏ ମଦ୍ୟାଶସକ୍ତ । ମଦ୍ୟାତ୍ୟୟ ବ୍ୟକ୍ତିର ସୁରା ପାନ କରିବାର ପ୍ରବଳ ଅପ୍ରତିରୋଧୀ ଇଛା ଥାଏ, ନିଜ ଉପରେ ନିୟନ୍ତ୍ରଣ ରହେନି, ଦିନକୁ ଦିନ ଅଧିକ ମଦ୍ୟ ଆବଶ୍ୟକ କରେ ଓ ଏହା ଉପରେ ସମ୍ପୁର୍ଣ୍ଣ ନିର୍ଭର କରେ ଯାହାଦ୍ଵାରା ନିଜ ଶରୀରର କ୍ଷତି ହୁଏ, ଲୋକଙ୍କ ସହ ସମ୍ପର୍କ କ୍ଷୁର୍ଣ୍ଣ ହୁଏ ଓ ସାମାଜିକ ସ୍ଥିତି ବିପନ୍ନ ହୁଏ । ମଦ୍ୟ ପାନ ନ କଲେ ବାନ୍ତି ଲାଗେ, ଝାଳ ବୁହେ ଓ ଦେହ ଥରେ । ଏହାକୁ ଚିକିତ୍ସା ଶାସ୍ତ୍ରରେ ଗୋଟିଏ ନିଶାଗ୍ରସ୍ତ ରୋଗ ହିସାବରେ ନିଆଯାଏ । ମାନସିକ ବିକାର ବିଜ୍ଞାନରେ (Psychiatry) ଏହାକୁ ଆଲକହୋଲ୍ ଆବ୍ୟୁସ୍ (alcohol abuse) ବା ଆଲ୍‌କହୋଲ୍ ଡେପେଣ୍ଡେନ୍ସ୍ (alcohol dependence) କୁହାଯାଏ ଓ ସେମାନଙ୍କର ସାମାନ୍ୟ ଅଲଗା ସଂଜ୍ଞା ଅଛି । ୧୯୭୯ ମସିହାରେ ଗୋଟିଏ ଡବ୍ଲ୍ୟୁ. ଏଚ୍.ଓ. ବିଶେଷଜ୍ଞ କମିଟି ଆଲ୍‌କହୋଲିଜ୍ମ ଶବ୍ଦକୁ ନାପସନ୍ଦ କରି ଆଲ୍‌କହୋଲ୍ ଡିପେଣ୍ଡେନ୍ସ ସିଣ୍ଡ୍ରୋମ ( "alcohol dependence syndrome" ) ନାମକୁ ପସନ୍ଦ କରିଛନ୍ତି । ଉନବିଂଶ ଓ ବିଂଶ ଶତାବ୍ଦୀରେ ଏହାକୁ ଡିପ୍ସୋମାନିଆ ନାମ ଦିଆଯାଇଥିଲା କିନ୍ତୁ ଅଧୁନା ଏହାର ନିର୍ଦ୍ଦିଷ୍ଟ ଅର୍ଥ ବ୍ୟାଖ୍ୟା କରାଯାଇଛି[୧] । ଆଲ୍‌କହୋଲିଜ୍ମ ଥିବା ଲୋକକୁ ଆଲ୍‌କହୋଲିକ୍ କୁହାଯାଏ । ଡବ୍ଲ୍ୟୁ. ଏଚ୍.ଓ. ଅନୁସାରେ ପୃଥିବୀରେ ପ୍ରାୟ ୧୪୦ ନିୟୁତ ମଦ୍ୟାତ୍ୟୟ ରୋଗୀ ଅଛନ୍ତି ।
ଆମେରିକାନ୍ ମେଡିକାଲ୍ ଆସୋସିଏସନ ଏହାର ଦ୍ଵୈତ ବର୍ଗୀକରଣ କରିଛନ୍ତି ଯେଉଁଥିରେ ଶାରୀରିକ ଓ ମାନସିକ ବିଭାଗ ଅଛି[୨] । ମଦ୍ୟାତ୍ୟୟ ଅବସ୍ଥାକୁ ଆସିବା ନିମନ୍ତେ ସାମାଜିକ ପରିବେଶ, ଚାପ[୩], ମାନସିକ ସ୍ଵାସ୍ଥ୍ୟ, ପାରିବାରିକ ଇତିହାସ, ବୟସ, ବର୍ଣ୍ଣ ବୈଷମ୍ୟ ଓ ଲିଙ୍ଗ ଭେଦ ଦାୟୀ[୪][୫] । କେଉଁ ଶାରୀରିକ ପ୍ରକ୍ରିୟା (Mechanism) ଦ୍ଵାରା ଏହା ହୁଏ ତାହା ଏ ପର୍ଯ୍ୟନ୍ତ ଅଜଣା । ମଦ୍ୟପାନ ଦ୍ଵାରା ମସ୍ତିଷ୍କର ସାଙ୍ଗଠନିକ ଓ ରାସାୟନିକ ପରିବର୍ତ୍ତନ ହୁଏ । ଏହା ଦ୍ଵାରା ସୁରା ପାନର ଅଦମନୀୟ ଇଛା ହୁଏ ଓ ପାନ ନ କରି ପାରିଲେ ଏକ ଅବସ୍ଥା ହୁଏ ଯାହାକୁ ଆଲ୍‌କହୋଲ୍ ଉଇଥ୍‌ଡ୍ରୟାଲ୍ ସିଣ୍ଡ୍ରୋମ (Alcohol withdrawal syndrome) କୁହାଯାଏ । ଅତ୍ୟଧିକ ମଦ୍ୟ ପାନ କଲେ ଶରୀର, ମସ୍ତିଷ୍କ ସହ ଶରୀରର ପ୍ରତ୍ୟେକ ଅଙ୍ଗ ଆଘାତପ୍ରାପ୍ତ ହେବା ସଙ୍କଟ ଥାଏ । ପରିଶେଷରେ ମଦର ବିଷାକ୍ତ ପ୍ରଭାବ ଯୋଗୁ ଉଭୟ ଭେଷଜ (Medical) ଓ ମାନସିକ (Psychological) କ୍ଷତି ସାଧନ ହୁଏ[୬] । ମଦ୍ୟାତ୍ୟୟ ରୋଗ ନିର୍ଣ୍ଣୟ କରିବା କଷ୍ଟକର ବ୍ୟାପାର, କାରଣ ଏହି ରୋଗୀମାନେ ଲଜ୍ଜା ଓ ସାମାଜିକ ରୀତି ଯୋଗୁ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପ୍ରତି ବିମୁଖ ରହନ୍ତି । ରୋଗ ନିର୍ଣ୍ଣୟ ନିମନ୍ତେ କେତେ ଗୁଡ଼ିଏ ନିର୍ଦ୍ଧାରିତ ପ୍ରଶ୍ନ ପଚରା ଯାଏ । କ୍ଷତି କାରକ ମଦ୍ୟ ପାନ ଅଭ୍ୟାସର କାରଣକୁ ଚିହ୍ନିବା ନିମନ୍ତେ ପ୍ରଶ୍ନ କରାଯାଏ । ସାମାଜିକ ଓ ସ୍ଵାସ୍ଥ୍ୟଗତ ସମସ୍ୟା ସତ୍ତ୍ଵେ ଯଦି ଜଣେ ମଦ୍ୟପାନ କରି ଚାଲେ ତାହା ହେଲେ ସେ ବ୍ୟକ୍ତି ଆଲ୍‌କହୋଲିଜ୍ମର ଶିକାର ହୋଇଛି, ଏହା ଜଣାଯାଏ ।
ଅନେକ ଗୁଡ଼ିଏ ସୋପାନ ମଧ୍ୟ ଦେଇ ଏହି ରୋଗର ଚିକିତ୍ସା କରାଯାଏ । ହଠାତ ସୁରା ପାନ ବନ୍ଦ କରିଦେଲେ ଅତ୍ୟନ୍ତ ଖରାପ ପ୍ରଭାବ ପଡ଼େ । ଔଷଧ ଦ୍ଵାରା ରୋଗୀକୁ ଧୀରେ ଧୀରେ ଅଣବିଷାକ୍ତ କରାଯାଏ । ଏଥି ନିମନ୍ତେ ଡାୟାଜେପାମ ଔଷଧ ଦିଆଯାଏ, କିନ୍ତୁ ଏହି ଔଷଧ ଅନେକ ଦିନ ଧରି ଖାଇଲେ ଅଭ୍ୟାସଗତ ହୋଇଯାଏ ଓ ଚିକିତ୍ସା ଜଟିଳ ହୁଏ[୭] । ନିଜ ଲୋକଙ୍କ ସାଥୀରେ ମିଳାମିଶା, ରୋଗୀ ପ୍ରତି ସହାନୁଭୁତି ଓ ଦଳଗତ ଭାବେ ନିଜେ ରୋଗୀମାନେ ନିଜକୁ ସଜାଡ଼ିବାରେ ଚେଷ୍ଟିତ ହେଲେ ଏହି ଅଭ୍ୟାସ ଓ ରୋଗ ଛାଡ଼ିଯାଏ । ଥୋମ୍ଵ୍‌ସ୍ (୧୯୯୯) କହନ୍ତି ବ୍ୟବହାରିକ ବିଜ୍ଞାନ ଅନୁସାରେ ଏହି ରୋଗ ଏକ ପ୍ରକାର ବେଖାପ ବ୍ୟବହାର (“maladaptive behaviour”) । ମଦ୍ୟାସକ୍ତମାନେ ନିଜର, ପରିବାରର ତଥା ସମାଜର କ୍ଷତି ସାଧନ କରି ପାରନ୍ତି । ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ମଦ୍ୟପାନ ଦ୍ଵାରା ଶାରୀରିକ, ମସ୍ତିଷ୍କଗତ ତଥା ମାନସିକ ସ୍ତରରେ ଅଧିକ କ୍ଷତିଗ୍ରସ୍ତ ହେବା ସମ୍ଭାବନା ଥାଏ[୮]

ଆଧାର[ସମ୍ପାଦନା]

  1. Tracy, Sarah J. (25 May 2005). Alcoholism in America: from reconstruction to prohibition. Baltimore: Johns Hopkins University Press. ପୃଷ୍ଠା. 31–52. ISBN 978-0-8018-8119-0. http://books.google.com/?id=JkYyd4qmme0C&pg=PA31. 
  2. "DEFINITIONS" (PDF). USA: American Medical Association. http://www.ama-assn.org/ama1/pub/upload/mm/388/alcoholism_treatable.pdf. 
  3. Glavas MM, Weinberg J (2006). "Stress, Alcohol Consumption, and the Hypothalamic-Pituitary-Adrenal Axis". In Yehuda S, Mostofsky DI. Nutrients, Stress, and Medical Disorders. Totowa, NJ: Humana Press. ପୃଷ୍ଠା. 165–183. ISBN 978-1-58829-432-6. 
  4. Agarwal-Kozlowski, K.; Agarwal, DP. (Apr 2000). "[Genetic predisposition for alcoholism]". Ther Umsch 57 (4): 179–84. PMID 10804873. 
  5. Chen, CY.; Storr, CL.; Anthony, JC. (Mar 2009). "Early-onset drug use and risk for drug dependence problems". Addict Behav 34 (3): 319–22. doi:10.1016/j.addbeh.2008.10.021. PMC 2677076. PMID 19022584. 
  6. Caan, Woody; Belleroche, Jackie de, eds (11 April 2002). Drink, Drugs and Dependence: From Science to Clinical Practice (1st ed.). Routledge. ପୃଷ୍ଠା. 19–20. ISBN 978-0-415-27891-1. http://books.google.com/?id=nPvbDUw4w5QC. 
  7. Johansson BA, Berglund M, Hanson M, Pöhlén C, Persson I (November 2003). "Dependence on legal psychotropic drugs among alcoholics" (PDF). Alcohol Alcohol. 38 (6): 613–8. doi:10.1093/alcalc/agg123. ISSN 0735-0414. PMID 14633651. http://alcalc.oxfordjournals.org/cgi/reprint/38/6/613. 
  8. Walter, H.; Gutierrez, K.; Ramskogler, K.; Hertling, I.; Dvorak, A.; Lesch, OM. (Nov 2003). "Gender-specific differences in alcoholism: implications for treatment.". Archives of Women's Mental Health 6 (4): 253–8. doi:10.1007/s00737-003-0014-8. PMID 14628177.