ଭଦ୍ରକ ଜିଲ୍ଲା

ଉଇକିପିଡ଼ିଆ ରୁ
(ଭଦ୍ରକ ଜିଲା ରୁ ଲେଉଟି ଆସିଛି)
ଭଦ୍ରକ
—  ଜିଲ୍ଲା  —
ଭଦ୍ରକ is located in ଓଡ଼ିଶା
ଭଦ୍ରକ
ଓଡ଼ିଶାରେ ଅବସ୍ଥାନ
ଦିଗବାରେଣି: 20°42′N 83°30′E / 20.7°N 83.5°E / 20.7; 83.5ଦିଗବାରେଣି: 20°42′N 83°30′E / 20.7°N 83.5°E / 20.7; 83.5
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା ଭଦ୍ରକ
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୫ଟି ଆସନ
୧. ଭଣ୍ଡାରିପୋଖରି (୦୪୩)
୨. ଭଦ୍ରକ (୦୪୪)
୩. ବାସୁଦେବପୁର (୦୪୫)
୪. ଧାମନଗର (୦୪୬)
୫. ଚାନ୍ଦବାଲି (୦୪୭)
କ୍ଷେତ୍ରଫଳ
 - ଜିଲ୍ଲା ୧,୭୨୧ କି.ମି. (୬୬୪.୫ ବ. ମି.)
ଲୋକସଂଖ୍ୟା (୨୦୧୧)
 - ଜିଲ୍ଲା
  • ଅନୁପାତ ୯୮୧ / (ପୁରୁଷ/ନାରୀ)
  • ଅନୁପାତ ୯୩୧ / (ପୁଅ/ଝିଅ)
 ମୋଟ ସାକ୍ଷରତା ହାର ୮୩.୨୫%
   • ପୁରୁଷ ୮୯.୯୨%
   • ନାରୀ ୭୬.୪୯%
 - ସ୍ଥାନାଙ୍କ ଓଡ଼ିଶାରେ ଦ୍ଵାଦଶ (୧୨/୩୦)
 - ଘନତା ୬୦୧/କି.ମି. (୧,୫୫୬.୬/ମାଇଲ)
 ନଗର
 ଗାଆଁ
 - ୬ ବର୍ଷରୁ କମ ଶିଶୁ
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ (ପିନ୍) ୭୬ xxx
ତାର (ଏସ୍.ଟି.ଡ଼ି) ୦୬୭୮୪
ଗାଡ଼ି କୋଡ଼ OR-22
ଜିଲ୍ଲାପାଳ ଅକ୍ଷୟ କୁମାର ପାଣି
ବେବସାଇଟ ମୁଖ୍ୟ ୱେବସାଇଟ

ଭଦ୍ରକ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଏହାର ନାଆଁ ଭଦ୍ରକ ସହରକୁ ନେଇ ନାମିତ ହୋଇଅଛି । ୧ ଅପ୍ରେଲ ୧୯୯୩ରେ ଏହା ବାଲେଶ୍ଵର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାରେ ପରିଣତ ହେଲା । ଏହାର ସର୍ବମୋଟ ଆୟତନ ୨୬୭୭ ବର୍ଗ କିମି । ଏହା ରାଜଧାନୀ ଭୁବନେଶ୍ଵର ଠାରୁ ୧୨୫ କିମି ଦୂରରେ ଅବସ୍ଥିତ ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଭୂଗୋଳ

[ଏହାକୁ ବଦଳାନ୍ତୁ] ମୁଖ୍ୟ ନଦୀ ଓ ଶାଖାନଦୀ

  • ବୈତରଣୀ, ସାଳନ୍ଦୀ, ମନ୍ତେଇ, ଖରସ୍ରୋତା(ଖର୍ସୁଆ)

[ଏହାକୁ ବଦଳାନ୍ତୁ] ଜନସଂଖ୍ୟା

୨୦୧୧ ଜନଗଣନା[୧] ଅନୁସାରେ, ଭଦ୍ରକ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୦୬,୫୨୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୦,୭୬୬ ଓ ସହରାଞ୍ଚଳରେ ୧,୮୫,୭୫୬ ଲୋକ ବାସ କରନ୍ତି [୨]

  • ପୁରୁଷ: ୭,୬୦,୫୯୧
  • ମହିଳା: ୭,୪୫,୯୩୧
    • ଛ ବର୍ଷରୁ କମ: ୧,୭୬,୭୯୩
  • ସାକ୍ଷରତା ହାର ୮୩.୨୫%
    • ପୁରୁଷ: ୮୯.୯୨%
    • ମହିଳା: ୭୬.୪୯%

[ଏହାକୁ ବଦଳାନ୍ତୁ] ସଂସ୍କୃତି

[ଏହାକୁ ବଦଳାନ୍ତୁ] ଜୈନ ଧର୍ମ

ଭଦ୍ରକର ସାଂସ୍କୃତିକ ପରମ୍ପରାର ଚିହ୍ନ ପାର୍ଶ୍ୱନାଥ(ଖ୍ରୀ.ପୂ.୮୨୦-୭୫୦)ଙ୍କ ସମୟରୁ ମିଳିଥାଏ। ପାର୍ଶ୍ୱନାଥ ଧର୍ମପ୍ରଚାର ପାଇଁ କୋପକଟକ ବା ଆଧୁନିକକୁପାରୀକୁ ଆସିଥିଲେ। [୩] ଚରମ୍ପା ଅନ୍ତର୍ଗତ ରହଣିଆର ବଡ଼ ପୋଖରୀ ଚାରି ପାଖରେ ଚବିଶ ତୀର୍ଥଙ୍କରଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା। ସେହି ମୂର୍ତ୍ତିଗୁଡ଼ିକ ମଧ୍ୟରୁ ଅଜିତନାଥ, ଶାନ୍ତିନାଥ, ଋଷଭନାଥବର୍ଦ୍ଧମାନ ମହାବୀରଙ୍କ ମୂର୍ତ୍ତି ବର୍ତ୍ତମାନ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ। ତେବେ ଏ ପୋଖରୀ କୂଳରେ ଏବେ ମଧ୍ୟ ପାର୍ଶ୍ୱନାଥଙ୍କର ମୂର୍ତ୍ତି ଦେଖିବାକୁ ମିଳେ।[୪]

[ଏହାକୁ ବଦଳାନ୍ତୁ] ବୌଦ୍ଧ ଧର୍ମ

ଭଦ୍ରକ ଅନ୍ତର୍ଗତ ଧାମନଗରର ମୂଳନାଆଁ ଧମ୍ମନଗର। ଧମ୍ମ ହେଉଛି ବୌଦ୍ଧ ଧର୍ମରେ ଧର୍ମର ପର୍ଯ୍ୟାୟବାଚୀ। ସେ ସମୟର ପ୍ରସିଦ୍ଧ ବୌଦ୍ଧପୀଠର ଖଡ଼ିଆଳ ଅଞ୍ଚଳରୁ ସଂଗୃହିତ ବିଶାଳ ବୁଦ୍ଧମୂର୍ତ୍ତି ଏବେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରହିଛି।[୫] ଭଦ୍ରକର ବାଉଦପୁର ନାଁ ବୌଦ୍ଧରୁ ଆସିଛି। ଧାମନଗରର ମୁସଲମାନ ବସ୍ତିସ୍ଥିତ ମନ୍ତ୍ରବାସୁଳି ବୌଦ୍ଧଧର୍ମର ଅବଲୋକିତେଶ୍ୱର ବୋଲି କେହି କେହି ମତ ଦିଅନ୍ତି।[୬]

[ଏହାକୁ ବଦଳାନ୍ତୁ] ମୋଗଲ ଓ ମରହଟ୍ଟା ପ୍ରଭାବ

ସେହିପରି ଜାନୁଗଞ୍ଜ ମରହଟ୍ଟା ଶାସକ ଜାନୋଜୀଙ୍କ ନାଁରୁ ଆସିଛି ବୋଲି କେତେକ ଗବେଷକ ମତ ଦିଅନ୍ତି।[୭] ମୋଗଲମରହଟ୍ଟା ଶାସକମାନେ ସେମାନଙ୍କ ଶାସନ କାଳରେ ଭଦ୍ରକରେ ଅନେକ ଜନ ହିତକର କାର୍ଯ୍ୟ କରିଥିଲେ। ଇନ୍ଦୋରର ରାଣୀ ଅହଲ୍ୟାବାଈ ପୁରୀ ଯାତ୍ରା କରିବାବେଳେ ଗୋସେଇଁ ଶାଶୁଙ୍କ ନିମିତ୍ତ ଏକ ବଡ଼ ପୋଖରୀ ଖୋଳାଇଥିଲେ। ଏହାକୁ ରାଣୀ ତଲାୱ କୁହାଯାଉଥିଲା। ଭଦ୍ରକ ନିକଟସ୍ଥ ଏବେକାର ରାଣୀତାଲ ସେହି ରାଣୀତଲାୱରୁ ଆସିଛି। ଧାମନଗରରେ ମହହଟ୍ଟା ଶାସକ ଜଗୁ ପଣ୍ଡିତଙ୍କ ନାମାନୁସାରେ ଜଗୁସାଗର ପୋଖରୀ ରହିଅଛି।[୮]

[ଏହାକୁ ବଦଳାନ୍ତୁ] ହିନ୍ଦୁ ଧର୍ମ

ମିର୍ଜାପୁରଛଡ଼ାକ ମହଲାରେ ରାଜା ପୁରୁଷୋତ୍ତମ ଦେବଙ୍କ ମନ୍ତ୍ରୀ ବିଦ୍ୟାଧର ଖୋଳାଇଥିବା ପୋଖରୀ ତାଙ୍କ ନାମାନୁସାରେ ବିଦ୍ୟାଧର ପୋଖରୀ ବୋଲି ପରିଚିତ। ୧୫୧୪ ଖ୍ରୀଷ୍ଟାବ୍ଦରେ ଶ୍ରୀଚୈତନ୍ୟ ପୁରୀରୁ ପ୍ରତ୍ୟାବର୍ତ୍ତନ କରି ବିଦ୍ୟାବାଚସ୍ପତି ନାମକ ଜଣେ ଧର୍ମଯାଜକଙ୍କ ଘରେ ପାଞ୍ଚଦିନ ଅବସ୍ଥାନ କରିଥିଲେ। ଏହି ସନ୍ଥଙ୍କ ମନେ ପକାଇବାପାଇଁ ଗାଁଟିର ନାମ ସନ୍ଥିଆ ହୋଇଛି। ସେ ଛାଡ଼ିଯାଇଥିବା କନ୍ଥାଟିକୁ ଶ୍ରଦ୍ଧାଳୁମାନେ ଏବେବି ସେହି ଗାଁରେ ରଖି ପୂଜା କରୁଛନ୍ତି। ଶ୍ରୀଚୈତନ୍ୟଙ୍କ ପାଦୁକା ନିକଟସ୍ଥ କୁଆଁସ ଗ୍ରାମରେ ଏବେ ବି ପୂଜା ପାଉଛି। ଏହା ଏ ଅଞ୍ଚଳର ଲୋକମାନଙ୍କର ସାଧୁ ସନ୍ଥମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନଭାବର ନିଦର୍ଶନ।

୧୮୬୪ ଖ୍ରୀଷ୍ଟାବ୍ଦରେ ପୁରୀ ରାମାନୁଜ ମଠର ମହନ୍ତଙ୍କ ଶିକ୍ଷାଗୁରୁ ରାମାୟଣ ଦାସ ବୃନ୍ଦାବନ ଯିବା ବାଟରେ ସାଳନ୍ଦୀ ନଦୀ କୂଳରେ ଭକ୍ତମାନଙ୍କ ଭକ୍ତି ଦେଖି ବିହ୍ୱଳ ହୋଇ ଯାଇଥିଲେ। ତାଙ୍କ ପାଇଁ ମହନ୍ତେ ସେଠାରେ ସଦାବର୍ତ୍ତ ମଠ ସ୍ଥାପନ କରିଥିଲେ।

୧୮୮୮ ଖ୍ରୀଷ୍ଟାବ୍ଦ ନଭେମ୍ବର ୨୦ ତାରିଖରେ ମା ସାରଦା ଦେବୀ ଜଳପଥରେ ଚାନ୍ଦବାଲି ଆସିଥିଲେ। ପୁନର୍ବାର ୧୯୧୦ରେ ସେ ରାମେଶ୍ୱର ଯିବା ବାଟରେ ଭଦ୍ରକର କୋଠାରଠାରେ ଦୁଇମାସ ଅବସ୍ଥାନ କରିଥିଲେ।

[ଏହାକୁ ବଦଳାନ୍ତୁ] ଶିଖ ଧର୍ମ

ଷୋଡ଼ଶ ଶତାବ୍ଦୀରେ ଗୁରୁ ନାନକ ପୁରୀ ଯିବା ବାଟରେ ଭଦ୍ରକରେ ଅବସ୍ଥାନ କରି ସଂଘ (ସଙ୍ଘତ)ରେ ଭାଗ ନେଇଥିଲେ। ତଦନୁସାରେ ସେ ଅଞ୍ଚଳକୁ ସଂଗତ କହିବା ସହିତ ନାନକ ଡ଼ିହି ବୋଲି ମଧ୍ୟ କୁହାଯାଏ। ଏଠାରେ ଏକ ଗୁରୁଦ୍ୱାରା ମଧ୍ୟ ସ୍ଥାପନା କରା ଯାଇଅଛି।

[ଏହାକୁ ବଦଳାନ୍ତୁ] ମୁସଲମାନ ଧର୍ମ

୧୫୭୫ ଖ୍ରୀଷ୍ଟାବ୍ଦ ଅପ୍ରେଲ ୧୨ ତାରିଖରେ ଆକବର ଭଦ୍ରକକୁ ଏକ ସ୍ୱତନ୍ତ୍ର ଡିଭିଜନ (ସର୍କାର) ହିସାବରେ ଘୋଷଣା କରିଥିଲେ। କଟକ ଡିଭିଜନଟି ଦାଉଦଙ୍କ ଅକ୍ତିଆରରେ ଥିଲାବେଳେ ଭଦ୍ରକ ଓ ବାଲେଶ୍ୱର ଡିଭିଜନ ମୋଗଲଙ୍କ ଅଧୀନରେ ଥିଲା। ତୋଦରମଲ୍ଲ ଭଦ୍ରକରେ ଛାଉଣି ପକାଇ ବନ୍ଦୋବସ୍ତ କାର୍ଯ୍ୟ ଚଳାଇଥିଲେ। ଆଉରଙ୍ଗଜେବଙ୍କ ସମୟରେ କଦମ୍ବବେଡ଼ା (କୁଆଁସ)ରେ ଇଦ୍​ଗାହ ନିର୍ମାଣ ହୋଇଥିଲା।

[ଏହାକୁ ବଦଳାନ୍ତୁ] ଐତିହ୍ୟ

  • ଭଦ୍ରକର ଭଦ୍ରକାଳୀ ମନ୍ଦିର, ଭଦ୍ରକର ମୁଖ୍ୟ ଶକ୍ତିପୀଠ।
  • ଆରଡ଼ିସ୍ଥିତ ଆଖଣ୍ଡଳମଣୀ ମନ୍ଦିର, ଭଦ୍ରକର ମୁଖ୍ୟ ଶୈବପୀଠ।
  • ପାଳିଆ ବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ସୂର୍ଯ୍ୟ ମନ୍ଦିର ଭଦ୍ରକର ସୂର୍ଯ୍ୟୋପାସନାର ଏକ ପ୍ରସିଦ୍ଧ କ୍ଷେତ୍ର। କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାପାଇଁ ଏଠାରେ ସୂର୍ଯ୍ୟଙ୍କୁ ଉପାସନା କରିଥିଲେ। ସେଇ ବିଶ୍ୱାସର ନିଦର୍ଶନ ସ୍ୱରୂପ ଅଗିରା ପୁନେଇଁ ପରଦିନ ଏଠାରେ ଗୁଣ୍ଡୁଣିଯାତ୍ରା ଅନୁଷ୍ଠିତ ହୁଏ। ଚର୍ମରୋଗରୁ ରକ୍ଷାକରିବାକୁ ଲୋକେ ଠାକୁରଙ୍କୁ ଫୁଲଛତା ଓ ଫୁଲବିଞ୍ଚଣା ଦେଇ ପ୍ରାର୍ଥନା କରିଥାନ୍ତି। ଏଠି ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ଚତୁର୍ମୂଖ ହୋଇଥିବାରୁ କେହି କେହି ଏହାଙ୍କୁ ବ୍ରହ୍ମା ବୋଲି କହିଥାନ୍ତି। ସମଗ୍ର ଭାରତରେ ଏମିତି ମନ୍ଦିର ବିରଳ।
  • ଧାମରାଧାମରେଈ ମନ୍ଦିର ବ୍ରାହ୍ମଣ, ବୌଦ୍ଧ ଓ ଶାବରୀ ସଂସ୍କୃତିର ସ୍ମୃତି ବହନ କରେ।
  • ଏହାଛଡ଼ା ଦପାନାହାକାଣି ମନ୍ଦିର, କାଉପୁରର ସୀତାକୁଣ୍ଡ, ମଠସାହିର ଦକ୍ଷିଣେଶ୍ୱର ମନ୍ଦିର, ବାସୁଦେବପୁର ଥାନା ଅନ୍ତର୍ଗତ ପଢ଼ୁଆଁ ଗ୍ରାମରେ ଅଷ୍ଟଭୂଜା ଦୁର୍ଗାମଣ୍ଡପ, ବାସୁଦେବପୁରର ପ୍ରସନ୍ନଦେବ ଜୀଉ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଚରମ୍ପାର ହନୁମାନ ସାହି, ଏରେଇଁ ଓ ସାହାପୁରସ୍ଥିତ ହନୁମାନ ମନ୍ଦିର, ଆଦି ଭଦ୍ରକ ଅଞ୍ଚଳର ଧର୍ମ ଭାବନାର ବାର୍ତ୍ତା ବାହକ।
  • ଭଦ୍ରକର କୁଆଁସଗ୍ରାମସ୍ଥ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ ଏହାକୁ ଲସ୍ ଏଞ୍ଜେଲସ୍​ର ଜୁଲିଆନ ପାର୍କର ନାମକ ଜଣେ ଅଣହିନ୍ଦୁ ବିଦେଶୀ ଏହାକୁ ସ୍ଥାପନ କରିଛନ୍ତି। ଜୁଲିଆନ ଆତ୍ମତତ୍ତ୍ୱ ଦାସ ଓ ମାଳିନୀ ଦାସଙ୍କର ପାଳିତ ପୁତ୍ର ହୋଇଥିଲେ। ଭାରତକୁ ଆସିବା ପରେ ସେ ଜାହ୍ନବୀ ନିତାଇ ଦାସ ନାମରେ ପରିଚିତ ହୋଇଥିଲେ। ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁମାନଙ୍କର ପ୍ରବେଶ ନିଷେଧ ହୋଇଥିବାରୁ ସେ ଏଠାରେ ୧୬ଫୁଟ ଉଚ୍ଚର ଜଗନ୍ନାଥ, ୧୫ ଫୁଟ ଉଚ୍ଚର ବଳଭଦ୍ର ଓ ୭ ଫୁଟ ଉଚ୍ଚର ସୁଭଦ୍ରା ବିଗ୍ରହ ବୈଦିକ ରୀତିରେ ୨୦୦୫ ମସିହା ମେ ୨୨ରେ ସ୍ଥାପନ କରାଇଥିଲେ। ଅଦ୍ୟାବତ୍ ସେହି ବିଗ୍ରହମାନେ ସେହି ମନ୍ଦିରରେ ଯଥାବିଧି ପୂଜିତ ହେଉ ଅଛନ୍ତି।
  • ଓଡ଼ିଶାର ଭାଗବତ ଟୁଙ୍ଗୀ ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ ଏଠାକାର କିସ୍ମତ କୃଷ୍ଣପୁର ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି।

[ଏହାକୁ ବଦଳାନ୍ତୁ] ଶିକ୍ଷା

ଏ ଜିଲ୍ଲାରେ ଶିକ୍ଷାର ନିଅଁ ପଡ଼ିଛି ସନ୧୮୮୨ଠାରୁ। କୋଠାର ଜମିଦାର ନିମାଇଁ ଚରଣ ବୋଷ ବାଗୁରାଇଠାରେ ଦୁଇଟି ଭର୍ଣ୍ଣକୁଲାର ଓ ଅନ୍ୟ କେତେକ ଶିକ୍ଷାନୁରାଗୀ ଗୁଜିଦରଡ଼ାଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରିଥିଲେ। ମୁସଲମାନ ଜମିଦାର ମିଆଁ ମୁନ୍ସୀ ଶେଖ ଅବଦୁଲ ଗନୀ ଓରଫ ପଞ୍ଚୁମଆଙ୍କ ତତ୍ତ୍ୱାବଧାନରେ ଭଦ୍ରକ ପୁରୁଣାବଜାରସ୍ଥିତ ନିଜ ଉଆସରେ ଏକ ମାଇନର ସ୍କୁଲ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ତାହା ଭଦ୍ରକ ଜିଲ୍ଲା ସ୍କୁଲରେ ପରିଣତ ହୋଇଛି। ୧୯୩୪ରେ ହରେକୃଷ୍ଣ ମହତାବଙ୍କ ତତ୍ତ୍ୱାବଧାନରେ ଆଗରପଡ଼ାରେ କୃଷ୍ଣଚରଣ ବିଦ୍ୟାମନ୍ଦିର ସ୍ଥାପିତ ହୋଇଥିଲା।୧୯୪୨ରେ ନାରାୟଣ ଚନ୍ଦ୍ର ହାଇସ୍କୁଲ, ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲ, ୧୯୪୩ରେ ପୋପସିଂ ମାଇନର ସ୍କୁଲ, ଯାହା ୧୯୫୯ରେ ସରକାଲୀ ବାଳିକା ଉଚ୍ଚବିଦ୍ୟାଳୟର ମାନ୍ୟତା ଲାଭ କଲା [୯] ୧୯୪୮ ମସିହା ଜୁଲାଇ ୬ ତାରିଖରେ ଭଦ୍ରକରେ ପ୍ରଥମ ଓ ଓଡ଼ିଶାରେ ଦ୍ୱିତୀୟ ବୃହତ୍ତମ ଭଦ୍ରକ ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଭଦ୍ରକରେ ୯୧୬ଟି ପ୍ରାଥମିକ ବିଦ୍ୟାଳୟ, ୫୦୫ଟି ମଧ୍ୟଇଂରାଜୀ ବିଦ୍ୟାଳୟ, ୩୦୫ଟି ଉଚ୍ଚବିଦ୍ୟାଳୟ, ୭ଟି ମହିଳା ମହାବିଦ୍ୟାଳୟ ସରକାରୀ ସ୍ୱୀକୃତି ଲାଭ କରିଛନ୍ତି।[୧୦] ଏହା ବ୍ୟତୀତ ବହୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବେ ବି ସ୍ୱୀକୃତି ପାଇନାହିଁ।

[ଏହାକୁ ବଦଳାନ୍ତୁ] ପରମ୍ପରା

[ଏହାକୁ ବଦଳାନ୍ତୁ] ଗୋପାଳଙ୍କ ଉଗାଳଲଉଡ଼ି ଖେଳ

ଗୋପାଳ ସମ୍ପ୍ରଦାୟର ଲୋକେ ଦୋଳ ପୂର୍ଣ୍ଣମୀର ପୂର୍ବଦିନରୁ କୁମ୍ଭ ପୂଜା କରି ରାଧାକୃଷ୍ଣ ଉପାସନା ସହିତ ଗୋପାଳଙ୍କ ଉଗାଳଲଉଡ଼ି ଖେଳ (ବାଡ଼ି ଖେଳ) ପ୍ରଦର୍ଶନ କରିଥାନ୍ତି। ଏଇ ବାଡ଼ିଖେଳ ଓଡ଼ିଶାର ଏକ ବିଲୁପ୍ତପ୍ରାୟ ସାମରିକ କଳା। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ ଗୋପାଳଙ୍କ ଉଗାଳରେ ଗୂଢ଼ ଆଧ୍ୟାତ୍ମିକ ପ୍ରଶ୍ନର ସରଳ ଉତ୍ତର ରସମୟ ସଙ୍ଗୀତ ଛନ୍ଦରେ ବେଶ୍ ଉପଭୋଗ୍ୟ। ଏହି ଉତ୍ସବ ସାବରଙ୍ଗ, ଚୁଡ଼ଙ୍ଗପୁରର ରଙ୍ଗଢ଼ାଉ, ବାସୁଦେବପୁର, କିସ୍ମତ କୃଷ୍ଣପୁର, ଧାମନଗର ଆଦି ଅଞ୍ଚଳରେ ଜାକଜମକରେ ପାଳିତ ହୋଇଥାଏ। ବାସୁଦେବପୁରର ‘ଶ୍ରୀଗୋପାଳ ଓଗାଳ ସମିତି’ ଓ ‘ରାଧାମାଧବ ଯାଦବ ସମିତି’ ଓଡ଼ିଶା ବାହାରେ ବିଭିନ୍ନ ସମୟରେ ଲଉଡ଼ିଖେଳ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି।

[ଏହାକୁ ବଦଳାନ୍ତୁ] ଗୁଣ୍ଡିଣି ଯାତ୍ରା

ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ଅଗ୍ନିପୂର୍ଣ୍ଣିମା ଦିନ ଆୟୋଜିତ ଗୁଣ୍ଡୁଣିଯାତ୍ରା ଏକ ଭିନ୍ନ ମେଳା।

[ଏହାକୁ ବଦଳାନ୍ତୁ] ଭୂତକେଳି ନାଟ

ଭଦ୍ରକ ସହରାଞ୍ଚଳର କୁଆଁସ ନିକଟବର୍ତ୍ତୀ ବାଲିଅରଡ଼ା ଗ୍ରାମରେ ପାଳିତ ହେଉଥିବା ‘ଭୂତକେଳି ନାଟପୁରାଣ ବର୍ଣ୍ଣିତ କୃଷ୍ଣଲୀଳାର ଆଧାରରେ ପାଳନ କରାଯାଏ। କରେ। ରାଧାକୃଷ୍ଣଙ୍କ ମିଳନରେ ପ୍ରତିବନ୍ଧକ ହେଉଥିବା ଶାଶୁ ଓ ନଣନ୍ଦଙ୍କୁ ଡ଼ରାଇବା ପାଇଁ କୃଷ୍ଣ ମାୟା ଭୂତ ସୃଷ୍ଟି କରିଥାନ୍ତି। ରାଧା, କୃଷ୍ଣ ଓ ଗୋପୀମାନଙ୍କର ପ୍ରତିମୂର୍ତ୍ତିକୁ ବିରାଟ ଶୋଭାଯାତ୍ରାରେ ଲୋକମାନେ ନେଇଥାନ୍ତି। ଜଣେ ଲୋକ ମୁଣ୍ଡରେ ଭୂତ ଚିତ୍ରିତ ହାଣ୍ଡି ରଖି ଢ଼ୋଲ ମହୁରୀର ତାଳେ ତାଳେ ଉଦ୍ଦଣ୍ଡ ନୃତ୍ୟ ପରିବେଷଣ କରିଥାଏ। ଏପରି ନାଟ ସମଗ୍ର ଓଡ଼ିଶାରେ ବିରଳ।[୧୧]

[ଏହାକୁ ବଦଳାନ୍ତୁ] ମୁନି ପୂଜା

ସଂସାରତ୍ୟାଗୀ ଅଥଚ ସଂସାରର ହିତୈଷୀ ଓ ହିତାନ୍ୱେଷୀ ମୁନି ଋଷିମାନଙ୍କୁ ପୂଜା କରିବାର ନିଆରା ପରମ୍ପରା ଭଦ୍ରକର ବିଭିନ୍ନ ଗ୍ରାମାଞ୍ଚଳରେ ଅତି ପ୍ରାଚୀନ। ମକର ସଂକ୍ରାନ୍ତି ଏହାର ନିଧାର୍ଯ୍ୟ ତିଥି। ଏରେଇଁ ଗ୍ରାମ ପଞ୍ଚାୟତର କୁନ୍ତଳାଠାରେ ଏହା ମହାସମାରୋହରେ ପାଳନ କରାଯାଏ।

[ଏହାକୁ ବଦଳାନ୍ତୁ] ବାଲିଯାତ୍ରା

କାର୍ତ୍ତିକ ପୂର୍ଣ୍ଣିମାରେ ଚାନ୍ଦବାଲି, ଚୂଡ଼ାମଣିବାଉଦପୁରରେ ସାଧବ ପୁଅର ସ୍ମୃତିକୁ ମନେ ପକାଇବାପାଇଁ ବାଲିଯାତ୍ରା ସାତଦିନବ୍ୟାପି ପାଳନ କରାଯାଏ।

[ଏହାକୁ ବଦଳାନ୍ତୁ] ରାସଯାତ୍ରା

କାର୍ତ୍ତିକ ପୂର୍ଣ୍ଣିମାଠାରୁ ସାହାଡ଼ାଗ୍ରାମରେ ରାସଯାତ୍ରା ପାଳନ କରାଯାଏ। ରାସଲୀଳା ଓ ନାବକେଳି ଆଦି ଏଇ ଯାତ୍ରାର ମୁଖ୍ୟ ଅଙ୍ଗ।

[ଏହାକୁ ବଦଳାନ୍ତୁ] ଚଢ଼େୟା ଚଢ଼େୟାଣୀ ନାଚ

ଗ୍ରାମୀଣ ଚରିତ୍ର ଚିତ୍ରଣ ପୂର୍ବକ ଗଦ୍ୟ ଓ ପଦ୍ୟମୟ ସଂଳାପରେ ହାସ୍ୟରସ ପରିବେଷଣ କରାଯାଏ। ସେହିପରି ନିଜକୁ ଏକ ପୌରାଣିକ ଚରିତ୍ରରୂପେ ଚିତ୍ରିତ କରି କଳାକାର ମାନେ ବହୁରୂପା ନାଚ ପ୍ରସ୍ତୁତ କରିଥାନ୍ତି।

[ଏହାକୁ ବଦଳାନ୍ତୁ] କଣ୍ଢେଇ ନାଚ

କଣ୍ଢେଇରେ କଳାସୂତା ଲଗାଇ ଆଙ୍ଗୁଳି ଚାଳନାଦ୍ୱାରା ଅନେକ ପ୍ରକାରର ପ୍ରସଙ୍ଗକୁ ଚିତ୍ରଣ କରାଯାଏ। ମୁଖ୍ୟତଃ ବୈଷ୍ଣବମାନେ ଘାଟ ପାର ହୋଇ ରାଧା ମଥୁରାକୁ ଯିବା, କୃଷ୍ଣ ଘାଟ ସଉଦା ମାଗିବା, ରାଧାକୃଷ୍ଣଙ୍କର ମିଳନ ହେବା ପ୍ରଭୃତି ଏଇ ନାଟର ମୁଖ୍ୟ ବିଷୟ।

[ଏହାକୁ ବଦଳାନ୍ତୁ] ତାମସା

ତାମସା ହେଉଛି ଓଡ଼ିଶାର ସଂସ୍କୃତିକୁ ଭଦ୍ରକର ନିଜସ୍ୱ ଅବଦାନ। କବି ବଂଶୀବଲ୍ଲଭ ଗୋସ୍ୱାମୀ ଏଇ ତାମସାର ସ୍ରଷ୍ଟା। ଏହା ହେଉଛି ମୋଗଲ ଶାସନ କାଳର ସାମାଜିକ ଅବସ୍ଥାର ନିଛକ ଚିତ୍ରଣ। ମୋଗଲ ତାମସା, ଭୀଲ ତାମସା, ଫକିର ତାମସା, ଲୋଲିନ ବାଈ ତାମସା ଆଦି ସେ ରଚନା କରିଥିଲେ। ଏଥି ମଧ୍ୟରୁ ମୋଗଲ ତାମସା ଓଡ଼ିଶା ପ୍ରସିଦ୍ଧ। ଚୈତ୍ର ମାସରେ ଶିବ ମନ୍ଦିରରେ ଏହି ତାମସା ଅଭିନୀତ ହେଉଥିବାରୁ ଏହାକୁ ଚଇତି ତାମସା ମଧ୍ୟ କୁହାଯାଏ।

  • ମୋଗଲ ତାମସା: ଏଥିରେ ମୋଗଲ ମାନଙ୍କର ଶୋଷଣ, ଅତ୍ୟାଚାର, ବିଳାସ ବ୍ୟସନର ଚିତ୍ରଣ ହୋଇଛି।
  • ଭୀଲ ତାମସା : ଜଣେ ବ୍ରାହ୍ମଣ ତୀର୍ଥାଟନରେ ଯିବା ସମୟରେ ବାଟରେ ଏକ ଭୀଲକୁ ଭେଟନ୍ତି। ସେ ବ୍ରାହ୍ମଣଙ୍କୁ ଲୁଟ କରିବାକୁ ପ୍ରଥମେ ଚେଷ୍ଟା କଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କ ସଂସ୍ପର୍ଶରେ ଆସି ପୁଣ୍ୟାତ୍ମାରେ ପରିଣତ ହୋଇଛି।
  • ଫକିର ତାମସା : ଜଣେ ମୁସଲମାନ ଫକିରଙ୍କର କାହାଣୀ, ଯେ ବିଭିନ୍ନ ସ୍ଥାନ ଭ୍ରମଣ କରି ଅନେକ କଥା ଶିଖିଛନ୍ତି ଓ ପରିଶେଷରେ ନିଜ ପତ୍ନୀ ସହିତ ମିଳିତ ହୋଇଛନ୍ତି।
  • ଯୋଗୀ ତାମସା : ଜଣେ ଯୋଗୀର ଜୀବନକୁ ପ୍ରାଞ୍ଜଳ ଭାବରେ ଚିତ୍ରିତ କରାଯାଇଛି।
  • ରାଧାକୃଷ୍ଣ ତାମସା : ମୂରଲୀ ହରଣ ଓ ବସ୍ତ୍ର ହରଣ ଆଦି ପ୍ରସଙ୍ଗର ବର୍ଣ୍ଣନା କରାଯାଇଛି।
  • ଚଉଡ଼ା ତାମସା : ମେହେନ୍ତର ମାନଙ୍କର ନିଶାସେବନ ଓ ମେହେନ୍ତରାଣୀମାନଙ୍କ ସହିତ ମିଳିତ ହେବାର ବିଷୟ।
  • ଲୋଲିନ ବାଈ ତାମସା ବା ଲୋଲିନ ମଜାବାଇ ତାମସା: ଦୁଇ ଜଣ ଗଣିକାଙ୍କ ସହିତ ମୋଗଲ ମାନଙ୍କର ସମ୍ପର୍କର ବର୍ଣ୍ଣନା।

[ଏହାକୁ ବଦଳାନ୍ତୁ] ଓଷାବ୍ରତ

  • କୋଇଲି ଓଷା : ସୁଆଁ ଗ୍ରାମରେ ପାଳନ କରାଯାଏ। ଚୈତ୍ରମାସ ଶୁକ୍ଳପକ୍ଷରେ ସାତଦିନ ବ୍ୟାପି କୋଇଲିର ଦୁଇଟି ମାଟି ମୂର୍ତ୍ତିକୁ କୁଆଁରୀମାନେ ପୂଜା କରିଥାନ୍ତି ଓ ମାର୍କଣ୍ଡ ଦାସଙ୍କ କେଶବ କୋଇଲି ଗାନ କରିଥାନ୍ତି।
  • ସୁଆଙ୍ଗ ବୁଡ଼: କୁମାରୀ ମାନେ ପାଳନ କରିଥାନ୍ତି। ଦୋଳସାହି, ଝାଡ଼ପଡା, କୁଆଁରପୁର, ମୁଡସାହି, ବଢେଇବାଡ, ନୂଆଶାସନ, ଶଙ୍କରପୁର ଓ ଖଣ୍ଡପଡ଼ା ପ୍ରଭୃତି ଗାଁରେ ଏହା ପାଳନ କରାଯାଇଥାଏ। କୁମାରୀମାନେ ସାଙ୍ଗହୋଇ ବାଲୁକା ସ୍ଥାପନ କରି ଗୌରୀ ପୂଜା କରିଥାନ୍ତି।

ଅନ୍ୟାନ୍ୟ ଅଞ୍ଚଳ ପରି ଭଦ୍ରକରେ ଖୁଦୁରୁକୁଣୀ ଓଷା, ଜହ୍ନି ଓଷା, ଅକ୍ଷୟ ତୃତୀୟା, ସାବିତ୍ରୀ ଅମାବସ୍ୟା, ବାଟଓଷା ଆଦି ପାଳନ କରାଯାଏ।

ନରେନ୍ଦ୍ରପୁର ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ଦିନ ପାଟଣ ମଙ୍ଗଳାଙ୍କ ନିକଟରେ ପାଟୁଆ ନାଚ, ଘୋଡାନାଚ ଆଦି ଅନୁଷ୍ଠିତ ହୁଏ। ରାମ, ସୀତାଲକ୍ଷ୍ଣଣଙ୍କୁ ନୌକାରେ ବସାଇ ନାବପୂଜା କରାଯାଏ। ଭଦ୍ରକର ପ୍ରାୟ ସବୁ ଗାଁରେ ଘୋଡ଼ାନାଚ, ପାଟୁଆ ନାଚ ଓ ଉଡ଼ାଣ ପର୍ବ (ଯାହା ଚଡ଼କପର୍ବପରି) (ନିଜ ଦେହରେ କଣ୍ଟା ଫୋଡ଼ି ଝୁଲିବା) ଆଦି ପାଳନ କରାଯାଏ।

[ଏହାକୁ ବଦଳାନ୍ତୁ] ପାଲା ଓ ଦାସ କାଠିଆ

ପାଲାଦାସକାଠିଆ ପରି ଲୋକକଳାରେ ଭଦ୍ରକ ଜିଲ୍ଲା ସମୃଦ୍ଧ। ପୌରାଣିକ ଆଖ୍ୟାନ ସହିତ ସାମ୍ପ୍ରତିକ ଲୋକ ଚଳଣିର ମିଶ୍ରଣ କରି ମନୋରଞ୍ଜକ ଢ଼ଙ୍ଗରେ ପରିବେଷଣ କରିବା ଏଇ ଲୋକକଳାର ବିଶେଷତ୍ତ୍ୱ।

[ଏହାକୁ ବଦଳାନ୍ତୁ] ସତ୍ୟପୀର ପାଲା

ଭଦ୍ରକର ସତ୍ୟପୀର ପାଲାର ନଜିର ସାରା ଦେଶରେ ଦେଖିବାରୁ ମିଳେ ନାହିଁ। ଏହା ହିନ୍ଦୁ ଓ ମୁସଲମାନ ସଂସ୍କୃତିର ସମନ୍ୱୟ ପ୍ରତିଷ୍ଠା କରିଥାଏ। ସାଧାରଣତଃ ନବଜାତକର ଏକୋଇଶିଆ (ଜନ୍ମର ଏକୋଇଶ ଦିନ)ରେ ଅଥବା କାହାରି ଜନ୍ମଦିନରେ ଏହା ଆୟୋଜିତ ହୋଇଥାଏ। ଏହାର ବିଶେଷତ୍ତ୍ୱ ହେଉଛି ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁ ପରମ୍ପରା ଅନୁସାରେ କଳସ ଓ ଚାମର ସ୍ଥାପନା କରି ପଞ୍ଚଦେବତା ପୂଜା କରିଥାଏ ଓ ଅନ୍ୟ ଦେବଦେବୀଙ୍କର ବନ୍ଦନା ଗାଇଥାଏ, ନୈବେଦ୍ୟ ଅର୍ପଣ କରିଥାଏ।[୧୨]

କଳାକାର ଉପାଧିପ୍ରାପ୍ତ ପାଲାଗାୟକ : ଅନିରୁଦ୍ଧ ପାଣିଗ୍ରାହୀ, ଭଣ୍ଡାରୀପୋଖରୀ, ଗାୟକ ଭୂଷଣ କରୁଣାସିନ୍ଧୁ ନାୟକ, ଧୁଷୁରୀ, ଯିଏ ଓଡ଼ିଶା ଓ ଓଡ଼ିଶା ବାହାରେ ପାଲା ପରିବେଷଣ କରିଛନ୍ତି। [୧୩]

ପଦ୍ମପୁରର ଦୃଷ୍ଟିହୀନ ପାଲାଗାୟକ ଅମର ନାୟକ, ଗୋପବନ୍ଧୁ ଦାସ, ରାହାଞ୍ଜ, ଦୁଃଶାସନ ବାରିକ, ଚରମ୍ପା, ଧ୍ରୁବଚରଣ ସେନାପତି, ମଞ୍ଜୁରୀ ରୋଡ।

ଦାସକାଠିଆରେ ଭଦ୍ରକ ଜିଲ୍ଲାରୁ ଯେଉଁ କେତେଜଣ ପ୍ରତିଭାଶାଳୀ ନିଜ କୃତିତ୍ୱର ପରିଚୟ ଦେଇଛନ୍ତି, ସେମାନଙ୍କ ଭିତରୁ ରାଣୀତାଲର ରବୀନ୍ଦ୍ର ବାରିକ ଓ କୁରୁଆ ଗ୍ରାମରେ ଭାଗିରଥୀ ବାରିକ ଅନ୍ୟତମ।

[ଏହାକୁ ବଦଳାନ୍ତୁ] ଆଶ୍ରମ ଓ ଅନୁଷ୍ଠାନ

[ଏହାକୁ ବଦଳାନ୍ତୁ] ପର୍ଯ୍ୟଟନ ସ୍ଥଳ

  • ରକ୍ତ ତୀର୍ଥ ଇରମ, ବାସୁଦେବପୁର, ଏହାକୁ ଓଡ଼ିଶାର ଜାଲିଆନାୱାଲାବାଗ ବୋଲି ମଧ୍ୟ କୁହାଯାଏ।
ଏଠାରେ ପାଖାପାଖି ୩୦ ଜଣ ସ୍ୱାଧୀନତା ସଂଗ୍ରାମୀ ବ୍ରିଟିଶ ସରକାର ବିରୋଧରେ ଲଢ଼ି ସ୍ଵାଧୀନତା ପାଇଁ ପ୍ରାଣ ବଳି ଦେଇଥିଲେ ।

[ଏହାକୁ ବଦଳାନ୍ତୁ] ଶିଳ୍ପ

  • ଫେକର: ଏହା ଦେଶର ଏକ ପ୍ରମୁଖ ଫେରୋକ୍ରୋମ ଉତ୍ପାଦନ କରୁଥିବା କାରଖାନା।

[ଏହାକୁ ବଦଳାନ୍ତୁ] ଭବିଷ୍ୟତ କାର୍ଯ୍ୟ ଯୋଜନା

  • ଭଦ୍ରକ ଜିଲ୍ଲାର ଧାମରାଚାରିଡ଼ିହାଠାରେ ଓଡ଼ିଶାର ପ୍ରଥମ ଜାହାଜ ତିଆରି କାରଖାନା ପ୍ରତିଷ୍ଠିତ ହେବାର ଅଛି। ଏହା ପୂର୍ବଭାରତେର ପ୍ରଥମ ପ୍ରାଇଭେଟ ସଂସ୍ଥା ହେବ। ଅପିଜୟ ସୁରେନ୍ଦ୍ର ଗ୍ରୁପ ଓ ଭାରତ ସିପୟାର୍ଡ ଲିମିଟେଡ୍ ଏହି ଆଧୁନିକତମ ଜାହାଜ ତିଆରି କାରଖାନାକୁ ୨୨୦୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରି ମିଳିତ ଭାବେ ଗଢିବେ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୯୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅଟକଳ ହୋଇଛି।
  • ଭଦ୍ରକରେ ୪୮୦୦ କୋଟି ଟଙ୍କାର ୧୧୦୦ ମେଗାୱାଟ୍ ଶକ୍ତି ସମ୍ପନ୍ନ କାରଖାନା ପ୍ରସ୍ତୁତି ପାଇଁ ବିଶାଖା ପ୍ରସ୍ତାବ ଦେଇଛି।
  • ୱେଲସ୍ପନ ପାୱାର ଏଣ୍ଡ ଷ୍ଟିଲ୍ ଲିଃ. ଧାମରାଠାରେ ଏକ ଲୌହ ପରିଶୋଧନ କେନ୍ଦ୍ର ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେିଇଛନ୍ତି। ଏହି କମ୍ପାନୀ ଆଗରୁ ୬୧୦୩.୮୦ କୋଟି ଟଙ୍କାର ଏକ ଇଷ୍ପାତ କାରଖାନା ଟାଙ୍ଗୀଠାରେ ପ୍ରତିଷ୍ଠା କରିବାପାଇଁ ଆଗରୁ ମଞ୍ଜୁରି ପାଇ ସାରିଛନ୍ତି।

[ଏହାକୁ ବଦଳାନ୍ତୁ] ମହାନ ବ୍ୟକ୍ତିବିଶେଷ

[ଏହାକୁ ବଦଳାନ୍ତୁ] ସାଧୁସନ୍ଥ

[ଏହାକୁ ବଦଳାନ୍ତୁ] ସ୍ୱାଧୀନତା ସଂଗ୍ରାମୀ

ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ମାନେ ହେଲେ- ହରେକୃଷ୍ଣ ମହତାବ, ମହମ୍ମଦ ହନିଫ୍, ନୀଳମଣି ରାଉତରାୟ, ଗୋକୁଳାନ୍ଦ ମହାନ୍ତି, ଚକ୍ରଧର ବେହେରା, ଭାଗବତ ସାହୁ, ମୂରଲୀଧର ଜେନା, ରାମଚନ୍ଦ୍ର ବେହୁରା, ହୃଦାନନ୍ଦ ମଲ୍ଲିକ, କମଳାକାନ୍ତ କର, ଗୌରଚନ୍ଦ୍ର ମହାପାତ୍ର, ଗୌରାଙ୍ଗ ଚରଣ ମହାନ୍ତି

[ଏହାକୁ ବଦଳାନ୍ତୁ] କଳାକାର

ବିଭିନ୍ନ କଳା କ୍ଷେତ୍ରରେ ଭଦ୍ରକ ଅଧିବାସୀମାନଙ୍କର ଦାନ ଅତୁଳନୀୟ। ଏ ଦିଗରେ କେତେକ ବିଶେଷ ବ୍ୟକ୍ତି ବିଶେଷଙ୍କ ନାମ ନିମ୍ନରେ ଦିଆଗଲା:

[ଏହାକୁ ବଦଳାନ୍ତୁ] ସଂଗୀତ ସାଧକ

  • ନିରଞ୍ଜନ ନାୟକ : ନୃତ୍ୟ
  • ରାମହରି ମହାନ୍ତି: ସିତାର
  • ନାରାୟଣ ଚନ୍ଦ୍ର ସାହୁ : ତବଲା
  • ହରିହର ସାହୁ : ବେହେଲା

[ଏହାକୁ ବଦଳାନ୍ତୁ] ଚିତ୍ରଶିଳ୍ପୀ

  • ରବିନାରାୟଣ ନାୟକ – ଧର୍ମପଦ ପୁରସ୍କାର ପ୍ରାପ୍ତ
  • ଅନ୍ୟାନ୍ୟ ଚିତ୍ର ଶିଳ୍ପୀ ମାନେ ହେଲେ ନିଜାମ, କଳାଶିକ୍ଷକ ଅଶୋକ କୁମାର ମହାନ୍ତି, ସୁଶାନ୍ତ କୁମାର ନାୟକ ଓ ଚୁଡ଼ାମଣି।
  • ଦିଲ୍ଲୀପ ଖୁଣ୍ଟିଆ: ବ୍ୟଙ୍ଗଚିତ୍ର ଶିଳ୍ପୀ

[ଏହାକୁ ବଦଳାନ୍ତୁ] ସାହିତ୍ୟିକ

[ଏହାକୁ ବଦଳାନ୍ତୁ] ବେତାର ଗୀତିକାର
  • ନରସିଂହ ମହାପାତ୍ର, ଭଗବାନ ନାୟକ ବର୍ମା, ଡଃ କୀର୍ତ୍ତନ ନାରାୟଣ ପାଢ଼ୀ, ଡଃ ଖଗେନ୍ଦ୍ରନାଥ ମଲ୍ଲିକ, ଅପୂର୍ବ ରଞ୍ଜନ ରାୟ, ଇଂ ଅରୁଣ କୁମାର ପାତ୍ର, ନିର୍ମଳ ରାଉତ, ପିତାମ୍ବର ମିଶ୍ର, ଇଂ ଅଭୟ ସୂତାର।

[ଏହାକୁ ବଦଳାନ୍ତୁ] ନାଟକ ଓ ଅଭିନୟ

  • ଶ୍ୟାମସୁନ୍ଦର ମହାପାତ୍ର, ଗଣକବି ବୈଷ୍ଣବ ପାଣି, ପଲ୍ଲୀ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ନାଟ୍ୟ ଭୁଷଣ ଉମାକାନ୍ତ ବେହେରା, ନବ କିଶୋର ବେହେରା, ସୁଧାଂଶୁ ଶେଖର ନାୟକ ଇତ୍ୟାଦି ଏ ଦିଗରେ ଅଗ୍ର ସ୍ମରଣୀୟ।

[ଏହାକୁ ବଦଳାନ୍ତୁ] ରାଜନୀତିଜ୍ଞ

[ଏହାକୁ ବଦଳାନ୍ତୁ] ଆଧାର

  1. Census 2011: Odisha: Provisional Population Totals
  2. Census 2011: Odisha: Rural Urban Distribution
  3. ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ, ପୃଷ୍ଠା:୭୧
  4. ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି, ପୃଷ୍ଠା:୧୬
  5. ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି, ପୃଷ୍ଠା:୩୮
  6. ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି, ପୃଷ୍ଠା:୧୯
  7. ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ, ପୃଷ୍ଠା:୭
  8. ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ, ପୃଷ୍ଠା:୭
  9. ସଦାଶିବ ନାୟକ, ଭଦ୍ରକ ଶିକ୍ଷାନୁଷ୍ଠାନର ଇତିବୃତ୍ତ, ବାସ୍ତବ ସମ୍ଭବପୃ.୧୦
  10. District Statistical Hand Book, Bhadrak, 2005, p.47-53
  11. ଡଃ ମନୀନ୍ଦ୍ର ମହାନ୍ତି, ସାଂସ୍କୃତିକ ନାନ୍ଦିମୁଖ : ଲୋକସଂସ୍କୃତି, ସାଳନ୍ଦୀ ତୀରର ସଂସ୍କୃତି
  12. ସୁବାସ ଚନ୍ଦ୍ର ମଲ୍ଲିକ, ଭଦ୍ରକର ନିଆରା ସଂସ୍କୃତି – ସତ୍ୟପୀର ପାଲା, ପ୍ରଜ୍ଞାପାଦପ (ଭଦ୍ରକ ଜିଲ୍ଲା ସ୍କୁଲ – ୧୨୫ତମ ଜୟନ୍ତୀ ମୁଖପତ୍ର)
  13. କରୁଣାକର ବେହୁରିଆ, ଭଦ୍ରକର ପାଲା ସଂସ୍କୃତି, ସ୍ମରଣିକା (ସାଳନ୍ଦୀ ମହୋତ୍ସବ) ପୃଷ୍ଠା:୨୪-୨୫

[ଏହାକୁ ବଦଳାନ୍ତୁ] ବାହାର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା