ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ
| ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ | |
|---|---|
| ଲକ୍ଷ୍ୟ | "ତମସୋମା ଜ୍ୟୋତିର୍ଗମୟ" |
| ପ୍ରତିଷ୍ଠା | ୨ ଜାନୁଆରୀ ୧୯୬୩ |
| ପ୍ରକାର | ସାର୍ବଜନିକ |
| କୁଳପତି | ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ |
| କୁଳାଧିପତି | ପ୍ରଫେସର ଡ଼ାଃ ଜୟନ୍ତ କୁମାର ମହାପାତ୍ର |
| ଅବସ୍ଥାନ | ବ୍ରହ୍ମପୁର, ଓଡ଼ିଶା, ଭାରତ |
| କ୍ୟାମ୍ପସ | ଭଞ୍ଜବିହାର, ନଗର |
| ଅନୁବନ୍ଧନ | ଇଉ.ଜି.ସି., Association of Commonwealth Universities |
| ୱେବସାଇଟ | http://www.bamu.nic.in |
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଶାର ଦ୍ଵିତୀୟ ପୁରାତନ ବିଶ୍ଵବିଦ୍ୟାଳୟ । ଉଚ୍ଚଶିକ୍ଷାର ପ୍ରସାର ନିମିତ୍ତ ସଦାଶିବ ତ୍ରିପାଠୀଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ୧୯୬୭ ମସିହା ଜାନୁଆରୀ ୨ ତାରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏହା ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଡ଼ାଃ ଅଯୋଧ୍ୟା ନାଥ ଖୋସଲାଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ବ୍ରହ୍ମପୁର ସହରଠୁ ୧୨କିଲୋମିଟର ଦୂରରେ ଗୋପାଳପୁର ବେଳାଭୂମି ପାଖରେ ଏହାର ୨୫୦ଏକର ପରିମିତ ପରିସର ଅବସ୍ଥିତ। ଭଞ୍ଜବିହାର ଭାବେ ପରିଚିତ ଏହାର ପରିସର ଓଡ଼ିଶାର ବରପୁତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ହୋଇଛି । ବିଶ୍ଵବିଦ୍ୟାଳୟର ପ୍ରଥମ କୁଳପତି ଥିଲେ ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ ।
ବ୍ରହ୍ମପୁର ସହର ଉପକଣ୍ଠରେ ଏହାର ସ୍ଥାୟୀ ପରିସରର ଭିତ୍ତି ବିଶ୍ଵବିଦ୍ୟାଳୟର ଦ୍ଵିତୀୟ କୁଳପତି ରଘୁନାଥ ପ୍ରସାଦ ପାଢ଼ୀଙ୍କ ଦ୍ଵାରା ୧୯୬୯ ମସିହା ଅକ୍ଟୋବର ମାସ ୧୯ ତାରିଖରେ ସ୍ଥାପିତ ହୋଇଥିଲା । ୧୯୭୨ ମସିହା ମାର୍ଚ୍ଚ ୪ ତାରିଖରେ ଏହି ବିଶ୍ଵବିଦ୍ୟାଳୟର ନିଜସ୍ଵ ପ୍ରଶାସନିକ ଭବନ ଓ ଅନ୍ୟାନ୍ୟ ପାଠ୍ୟ ଭବନକୁ ତତ୍କାଳୀନ ରାଷ୍ଟ୍ରପତି ଭି. ଭି. ଗିରି ଉଦ୍ଘାଟନ କରିଥିଲେ ।
ମାତ୍ର ୧୧ଟି ମହାବିଦ୍ୟାଳୟ ଅନୁବନ୍ଧନରେ ଆରମ୍ଭ ହୋଇଥିବା ଏହି ବିଶ୍ଵବିଦ୍ୟାଳୟ ସହ ରାଜ୍ୟର ୮ଟି ଦକ୍ଷିଣାଞ୍ଚଳ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା , ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧର ପ୍ରାୟ ୧୦୦ ପାଖାପାଖି ମହାବିଦ୍ୟାଳୟ ଅନୁବନ୍ଧିତ ହୋଇଛନ୍ତି।
ବିଶ୍ଵବିଦ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭଞ୍ଜବିହାରଠାରେ ସ୍ନାତକୋତ୍ତର ପରିଷଦ ଆନୁକୂଲ୍ୟରେ ୨୦ଟି ବିଷୟରେ ନିୟମିତ ଶିକ୍ଷାଦାନ ଚାଲୁଅଛି । ସ୍ନାତକୋତ୍ତର ପରିଷଦ ଆନୁକୂଲ୍ୟରେ ଏମଏ, ଏମଏସସି, ଏମକମ ଓ ଏଲଏଲଏମ ସାଙ୍ଗକୁ ଏମଫିଲ ଓ ପିଏଚଡି ଉପାଧି ପରୀକ୍ଷା ନିମନ୍ତେ ଶିକ୍ଷାଦାନ କରାଯାଇଥାଏ ।
ଭିତ୍ତିଭୂମି [ସମ୍ପାଦନା]
- ୧୯୮୭ରୁ ବିଶିଷ୍ଠ ଶିକ୍ଷାବିତ ଖଲ୍ଲିକୋଟର ତତ୍କାଳୀନ ମହାରାଜା ହରିହର ମର୍ଦ୍ଦରାଜଙ୍କ ନାମରେ ଆରମ୍ଭ ହୋଇଥିବା ଏହାର ଦୂରନିରନ୍ତର ଶିକ୍ଷାକେନ୍ଦ୍ର ୨୮ଟି ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଡିପ୍ଳୋମା ସହିତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରୁଛି ।
- ଓଡ଼ିଶାର ପ୍ରବୀଣ ଆଇନଜ୍ଞ, ଶିକ୍ଷାବିତ ତଥା ବିଶ୍ଵବିଦ୍ୟାଳୟର ପ୍ରଥମ କୁଳପତି ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀଙ୍କ ନାମରେ ନାମିତ ହୋଇଛି ବ୍ରହ୍ମପୁରଠାରେ ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟର ଏକମାତ୍ର ସହବନ୍ଧିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ।
- ଏହାର କେନ୍ଦ୍ରୀୟ ପାଠାଗାର ବିଶିଷ୍ଠ ଶିକ୍ଷାବିତ ତଥା ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ରଘୁନାଥ ପ୍ରସାଦ ପାଢ଼ୀଙ୍କ ନାମରେ ନାମିତ ।
- ପ୍ରାୟ ୭୦୦ ଆସନ ବିଶିଷ୍ଠ ଏହି ବିଶ୍ଵବିଦ୍ୟାଳୟର ପ୍ରେକ୍ଷାଗୃହ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ନାମରେ ନାମିତ ।