ବେଲେଶ୍ଵର ମନ୍ଦିର

ଉଇକିପିଡ଼ିଆ ରୁ
ବେଲେଶ୍ଵର ମନ୍ଦିର

ଚାରି ଧାମ ମଧ୍ୟରୁ ଅନ୍ୟତମ ପୁରୀ ଜଗନ୍ନାଥ ମନ୍ଦିର ଓ ଏହାର ସ୍ୱର୍ଣିମ ବେଳାଭୂମି ପାଇଁ ପ୍ରସିଦ୍ଧ । ପୁରୀ ଯେ କେବଳ ଜଗନ୍ନାଥସଂସ୍କୃତି ପାଇଁ ପ୍ରସିଦ୍ଧ ତା ନୁହେଁ ବରଂ ଏଠାରେ ଶାକ୍ତ ଏବଂ ଶୈବ ଆରାଧନାର ପରମ୍ପରା ଅନେକ ପୁରୁଣା। ତେବେ ଶ୍ରୀମନ୍ଦିର ଓ ବେଳାଭୂମି ବ୍ୟତୀତ ଏଠାରେ ଓ ଏହାର ଆଖ ପାଖ ରେ ରହିଛି ଅନେକ ଦର୍ଶନୀୟ ସ୍ଥାନ । ସେହିପରି ଏକ ସ୍ଥାନ ହେଉଛି ବେଲେଶ୍ୱର ।[୧] ବେଲେଶ୍ୱର ପୁରୀର ପ୍ରସିଦ୍ଧ ଶୈବପୀଠ ମାନଙ୍କ ମଧ୍ୟରୁ ଅନ୍ୟତମ ।ଏହି ମନ୍ଦିରର ନାମ ଏହାର ଇଷ୍ଟଦେବତା ବେଲେଶ୍ୱରଙ୍କ ନାମରେ ପଡ଼ିଅଛି । ବେଲେଶ୍ୱରଙ୍କ ନାମ ଅନୁଯାୟୀ ଏହି ଗ୍ରାମର ନାମ ମଧ୍ୟ ବେଲେଶ୍ୱର ପଡ଼ିଅଛି ।[୨]

ଅବସ୍ଥିତି[ସମ୍ପାଦନା]

ବେଲେଶ୍ୱର ଶୈବପୀଠଟି ରାଜଧାନୀ ଭୁବନେଶ୍ୱର ଠାରୁ ୭୪ କି.ମି ଓ ପୁରୀର ମୁଖ୍ୟ ସହରଠାରୁ ୧୪ କି.ମି ଦୂରରେ ଅବସ୍ଥିତ । ପୁରୀରୁ କୋଣାର୍କ ଆଡ଼କୁ ଯାଉଥିବା ମେରାଇନ ଡ୍ରାଇଭରୋଡ଼ ରେ ଏହା ପଡ଼ିଥାଏ । ପୃଥିବୀ ମାନଚିତ୍ରରେ ଏହା ଅକ୍ଷାଂଶ ୧୯ ୮୩ ୧୩ ଏବଂ ଦ୍ରାଘିମା ୭୫ ୯୪ ୨୨ ରେ ଅବସ୍ଥିତ । ଏହା ବଙ୍ଗୋପସାଗର କୂଳ ରେ ଅବସ୍ଥିତ । ଏହାର ଚାରିପାଖରେ କାଜୁ ଜଙ୍ଗଲ ଏବଂ ଝାଉଁବଣ ରହିଅଛି । ମାନ୍ୟତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଏହି ସ୍ଥାନର ଆକର୍ଷଣ ର ମୁଖ୍ୟ କାରଣ ।[୩]

ଗଠନ[ସମ୍ପାଦନା]

ଗଠନ ଦୃଷ୍ଟିରୁ ଏହି ମନ୍ଦିରର ସେପରି କିଛି ବିଷେଶତ୍ୱ ନାହିଁ । ଏହା ଭଗବାନ ଶିବଙ୍କ ଆରାଧନା ପାଇଁ ଉଦ୍ଧିଷ୍ଟ ଛୋଟିଆ ମନ୍ଦିର ଟିଏ । ଏଠାରେ ଗୋଟିଏ ଗର୍ଭଗୃହ ବା ମୁଖ୍ୟ ମନ୍ଦିର ରହିଛି । ମନ୍ଦିର ପରିସର ରେ ପାର୍ଶ୍ୱ ଦେବାଦେବୀ ରହିଅଛନ୍ତି ।

ମୁଖ୍ୟପର୍ବ[ସମ୍ପାଦନା]

ଏଠାରେ ମୁଖ୍ୟତଃ ମହାଶିବରାତ୍ରୀ, ଶ୍ରାବଣ ସୋମବାର, ମାଘସପ୍ତମୀ, ପୁଷ ଓ ମାଘ ସୋମବାର ଖୁବ୍ ଧୁମଧାମରେ ପାଳିତ ହୁଏ । ଏହି ଦିନ ମାନଙ୍କରେ ଏଠାରେ ପ୍ରବଳ ଜନଗହଳି ପରିଲକ୍ଷିତ ହୁଏ । ପୁରୀ ତଥା ଏହାର ଆଖପାଖ ଅଞ୍ଚଳ ମାନଙ୍କରୁ ଏଠାକୁ ବହୁତ ଲୋକ ଆସିଥାନ୍ତି ।

ମୁଖ୍ୟ ଆକର୍ଷଣ[ସମ୍ପାଦନା]

ଏହି ମନ୍ଦିରଟି ବଙ୍ଗୋପସାଗର କୂଳରେ ଅବସ୍ଥିତ ଥିବାରୁ ଏହା ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଚିଛି । ଏହାର ସ୍ୱର୍ଣିମ ବେଳାଭୂମି ରେ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ର ଦୃଶ୍ୟ ଅତ୍ୟନ୍ତ ମନୋରମ । ଏଠାରେ ସମୁଦ୍ରରେ ସ୍ନାନ ସାରି ମନ୍ଦିର ଦର୍ଶନ କରିବାର ଅନୁଭୂତି ନିଆରା ନିଶ୍ଚୟ । ସୁନୀଳ ବଙ୍ଗୋପସାଗର ଓ ଏହାର ସ୍ୱର୍ଣିମ ବେଳାଭୂମି ଏହି ସ୍ଥାନକୁ ଆହୁରି ଆକର୍ଷଣୀୟ କରିଥାଏ । ଏଠାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଅତ୍ୟନ୍ତ ମନୋରମ । ଏହାର ପ୍ରାକୃତିକ ପରିବେଶ ଓ ଏହାର ପ୍ରକୃତିକ ସୌନ୍ଦର୍ଯ୍ୟ ଯୋଗୁଁ ଏହି ସ୍ଥାନ ପିକନିକ ତଥା ଅବସର ବିନୋଦନ ପାଇଁ ପ୍ରକୃଷ୍ଠ ଅଟେ । ମେରାଇନ୍ ଡ୍ରାଇଭରେ ଏହି ସ୍ଥାନକୁ ଯାତ୍ରା କରିବାର ଅନୁଭୁତି ମଧ୍ୟ ବେଶ ଆନନ୍ଦଦାୟକ । ଏହି ରାସ୍ତାରେ ଯାତ୍ରା କଲାବେଳେ ବହୁଥିବା ସମୁଦ୍ର ପବନ ଓ ଏହାର ଗର୍ଜନ ମଜାଦାର ନିଶ୍ଚୟ ।

ଆଧାର[ସମ୍ପାଦନା]