ବୁଦ୍ଧଖୋଲ

ଉଇକିପିଡ଼ିଆ‌ରୁ

ବୁଦ୍ଧଖୋଲ ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ବୁଗୁଡ଼ାଠାରୁ ତିନି କିଲୋମିଟର ଉତ୍ତରରେ ଥିବା ଏକ ପର୍ଯ୍ୟଟନ ସ୍ଥଳୀ । ଏହି ସ୍ଥାନଟି ବଣଭୋଜି ପାଇଁ ମଧ୍ୟ ପ୍ରସିଦ୍ଧ । ଏହାର ଚତୁର୍ପାଶ୍ୱରେ ସବୁଜ ପାହାଡ଼ ରହିଛି । ଏକ ପର୍ବତର ଶିଖରରେ ପାଞ୍ଚଗୋଟି ମନ୍ଦିର ରହିଛି ଯଥା ମକରେଶ୍ୱର, ଗଙ୍ଗାଧରେଶ୍ୱର, ଜଗଦ୍ଧେଶ୍ୱର, ସିଦ୍ଧେଶ୍ୱର, ବୁଦ୍ଧେଶ୍ୱର ଯାହାକି ପଞ୍ଚୁମହାଦେବ ମନ୍ଦିର ନାମରେ ପରିଚିତ ।

ବୁଦ୍ଧଖୋଲରେ ଏକ ଚିରସ୍ରୋତା ଝର ରହିଛି ଯାହା ଉପରଭାଗରୁ ବହି ଆସି ଏକ ପ୍ରାକୃତିକ ଜଳପ୍ରପାତ ସୃଷ୍ଟି କରିଛି । ଏହି ଝରଣାର ନାମ “ପଞ୍ଜୁରିଆ” । ଏହି ସ୍ଥାନରେ ରାଚୀନ କାଳରେ ବୌଦ୍ଧ ସଂସ୍କୃତି ଗଢ଼ିଉଠିଥିଲା । ଏହି ସ୍ଥାନଠାରୁ ଅନତିଦୂରରେ ଥିବା ଗୁମ୍ଫାମାନଙ୍କ ମଧ୍ୟରୁ ଗୋଟିଏ ଗୁମ୍ଫା “ସିଦ୍ଧଗୁମ୍ଫା” ନାମରେ ନାମିତ । ସେଠାରେ ପ୍ରାଚୀନ କାଳରେ ବୌଦ୍ଧ ସନ୍ନ୍ୟାସୀମାନେ ଦୀର୍ଘଦିନ ଧରି ତପସ୍ୟାରତ ଥିଲେ । ଶିବରାତ୍ରି ଓ କାର୍ତ୍ତିକ ପୁର୍ଣ୍ଣିମା ଦିନ ଏଠାରେ ମନ୍ଦିରମାନଙ୍କରେ ପୂଜାର୍ଚ୍ଚନା ପାଇଁ ବହୁ ଜନସମାଗମ ହୁଏ ।ଶ୍ରାବଣ ମାସରେ ଏଠାକୁ ବୋଲବମ ଭକ୍ତ ଆସି ଜଳ ଅର୍ପଣ କରିଥାନ୍ତି ।

ନାମକରଣ[ସମ୍ପାଦନା]

ବୌଦ୍ଧ ଏବଂ ଶୈବ ଧର୍ମର ସଙ୍ଗମସ୍ଥଳୀ ହେଉଛି ବୁଦ୍ଧଖୋଲ । ପ୍ରତନତାତ୍ତ୍ୱିକ ଖନନ ବେଳେ ମିଳିଥିଲା କିଛି ଧ୍ୟାନମଗ୍ନ ବୁଦ୍ଧ ପ୍ରତିମା ଆବିଷ୍କୃତ ହୋଇଥିବାରୁ ଏହି ସ୍ଥାନର ନାମ ବୁଦ୍ଧଖୋଲ । ଅନ୍ୟ ଏକ ମତ ଅନୁସାରେ ବୁଢ଼ୀଖୋଲ ନଈ ଏକ ଗୁମ୍ଫାରେ ପ୍ରବାହିତ ହେଉଥିବାରୁ ଏପରି ନାମ ରଖାଯାଇଛି ।[୧]

ଆକର୍ଷଣ ଏବଂ ଇତିହାସ[ସମ୍ପାଦନା]

ସିଦ୍ଧଗୁମ୍ଫା, ଗଣେଶ ଗୁମ୍ଫା, ଅଶୋକ ଗୁମ୍ଫା, ଧ୍ୟାନ ଗୁମ୍ଫା ଆଦି ପ୍ରାଚୀନ ଗୁମ୍ଫାମାନ ଦେଖିବାକୁ ମିଳେ । ଗୁମ୍ଫାଗୁଡ଼ିକରେ ଏକଦା ବୌଦ୍ଧ, ଜୈନ ଏବଂ ଶୈବ ସନ୍ୟାସୀମାନେ ବସବାସ କରୁଥିଲେ । ସମ୍ରାଟ ହର୍ଷବର୍ଦ୍ଧନଙ୍କ ସମୟରେ ଚାଇନିଜ ପରିବ୍ରାଜକ ହୁଏନ ସାଂ ଏଠାକୁ ଆସିଥିଲେ । ଏହି ସ୍ଥାନ ଏକଦା ବୌଦ୍ଧ ଧର୍ମର ଏକ ପ୍ରମୁଖ ଶିକ୍ଷାସ୍ଥଳୀ ଥିଲା ବୋଲି ହୁଏନ ସାଂଙ୍କ ରଚନାବଳୀରେ ଉଲ୍ଲେଖ ଅଛି । ଚିରସ୍ରୋତା ଝରଣା ପର୍ନୂରୀ ବୁଦ୍ଧଖୋଲର ଅନ୍ୟ ଏକ ଆକର୍ଷଣ । ଝରଣା ପାଣି ପବିତ୍ର ବୋଲି ଅଂଚଳବାସୀଙ୍କ ବିଶ୍ୱାସ ।[୨]

ଗମନାଗମନ[ସମ୍ପାଦନା]

ବୁଗୁଡା ସହରକୁ ଯାତାୟତ କରିବା ନିମିତ୍ତ ବସ୍ ସୁବିଧା ଉପଲବ୍ଧ । ନିକଟତମ ରେଳପଥ ହେଉଛି ବ୍ରହ୍ମପୁର ଏବଂ ନିକଟତମ ଆକାଶପଥ ହେଉଛି ଭୁବନେଶ୍ୱର ।

ଉଦ୍ଧୃତି[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-05-19. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-05-19. {{cite web}}: Cite has empty unknown parameter: |1= (help)