ବୀର ସୁରେନ୍ଦ୍ର ସାଏ

ଉଇକିପିଡ଼ିଆ ରୁ
ବୀର
ସୁରେନ୍ଦ୍ର ସାଏ
ଜନ୍ମ ଓ ଜନ୍ମସ୍ଥାନ ୨୩ ଜାନୁଆରି ୧୮୦୯(1809-01-23)[୧]
ସମ୍ବଲପୁର, ଓଡ଼ିଶା, ଭାରତ
ତିରୋଧାନ ୨୪ ଫେବୃଆରୀ, ୧୮୮୪ (୭୫ ବର୍ଷ)
ଧର୍ମ ହିନ୍ଦୁ
ଜୀବନସାଥି ସୁବର୍ଣ୍ଣକୁମାରୀ
ସନ୍ତାନ ମିତ୍ରଭାନୁ
ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି

ବୀର ସୁରେନ୍ଦ୍ର ସାଏ , ଭାରତର ଜଣେ ଅଗ୍ରଣି ସ୍ୱାଧୀନତା ସଂଗ୍ରାମି ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ଵ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । [୩] ଏହା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଜେଲରେ ରହିବା ସମୟ ମଧ୍ୟରେ ସର୍ବାଧୀକ ।[୪] ସେ ୧୮୨୭-୧୮୬୪ ମସିହା ଜାନୁଆରୀ ୨୩ ତାରଖି ପର୍ଯ୍ୟନ୍ତ ବିଦ୍ରୋହର ବହ୍ନିକୁ ପ୍ରଜ୍ଜ୍ୱଳତି କରି ରଖିଥିଲେ । ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଘମାଘୋଟ ଲଢ଼େଇ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା ।[୨] ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବା ଖିଣ୍ଡା ଗ୍ରାମରେ ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ଔରସରୁ ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛଅ ଭାଇ ଓ ଜଣେ ଭଉଣୀ ଥିଲେ । ପିତା ଧରମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହଙ୍କ ତତ୍ତ୍ଵାବଧାନରେ ଘୋଡ଼ା ଚଢ଼ା, ଖଣ୍ଡା ଓ ତୀରଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ । ସୁରେନ୍ଦ୍ର ସାଏ ଗାଙ୍ଗପୁର ରାଜ୍ୟର ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁତ୍ର 'ମିତ୍ରଭାନୁ ସାଏ' ଓ ଗୋଟିଏ କନ୍ୟା ଥିଲା ।[୨]

ବିଦ୍ରୋହ[ସମ୍ପାଦନା]

ମରହଟ୍ଟାମାନଙ୍କ ହାତରେ ବନ୍ଦୀ ହୋଇଥିବା ସମ୍ବଲପୁର ରାଜା ଓ ତାଙ୍କ ପୁତ୍ର ମହାରାଜ ସାଏଙ୍କୁ ମୁକ୍ତ କରିବା ପାଇଁ ରାଣୀ ରତନ କୁମାରୀ ଇଂରେଜମାନଙ୍କ ସହାୟତା ଲୋଡ଼ିଥିଲେ । ୧୮୦୪ ମସିହାରେ ଲେଫ୍ଟେନାଣ୍ଟ ବ୍ରାଉଟନ ମରହଟ୍ଟାମାନଙ୍କ କବଳରୁ ରାଜା ଓ ତାଙ୍କ ପିତାଙ୍କୁ ମୁକ୍ତ କରିଥିଲେ । ମରହଟ୍ଟା ସାମ୍ରାଜ୍ୟର ପତ୍ତନ ପରେ ସମ୍ବଲପୁର ଏକପ୍ରକାର ଇଂରେଜମାନଙ୍କ ନିୟନ୍ତ୍ରଣକୁ ଚାଲିଆସିଥିଲା । ୧୮୨୭ ମସିହାରେ ସମ୍ବଲପୁରର ରାଜା ମହାରାଜା ସାଏ ଅପୁତ୍ରିକ ହୋଇ ମୃତ୍ୟୁବରଣ କଲେ ।[୨] ମହାରାଜା ସାଏଙ୍କ ଉତ୍ତରାଧିକାରୀ କିଏ ହେବ ତାହା ନିରୂପଣ କରିବା କ୍ଷମତା ଇଂରେଜ ସରକାର ନିଜ ହାତକୁ ନେଲେ । ରାଜଗାଦି ଦାବି କରିଥିବା ବହୁ ବ୍ୟକ୍ତଙ୍କିୁ ଉପେକ୍ଷା କରି ବିଧବା ରାଣୀ ମୋହନ କୁମାରୀଙ୍କ ହାତରେ ଶାସନ ଦାୟିତ୍ୱ ନ୍ୟସ୍ତ କଲେ । ସେହି କାରଣରୁ ବହୁ ଆଦିବାସୀ ଜମିଦାର ବିଦ୍ରୋହ କରିଥିଲେ । ବଳରାମ ସାଏ ଓ ସୁରେନ୍ଦ୍ର ସାଏ ଏହି ବିପ୍ଲବର ନେତୃତ୍ୱ ନେଇଥିଲେ । ଇଂରେଜମାନେ ନିଶ୍ଚିତ ଥିଲେ ଯେ ରାଣୀ ମୋହନ କୁମାରୀ ସୁଚାରୁରୂପେ ଶାସନ କାର୍ଯ୍ୟ ପରିଚାଳନା କରିପାରିବେ ନାହଁ । ତେଣୁ ରାଣୀ ସେମାନଙ୍କ ହାତରେ ଖେଳନା ହୋଇ ରହିବେ ଏବଂ ଇଂରେଜମାନେ ନିଜର ରାଜନୈତିକ ଅଭିସନ୍ଧି ହାସଲ କରିପାରିବେ । ପ୍ରକୃତ ପକ୍ଷେ ସମ୍ବଲପୁର ରାଜବଂଶର ସୁରେନ୍ଦ୍ର ସାଏ ରାଜଗାଦି ଲାଭ କରିବା କଥା, ମାତ୍ର ଇଂରେଜମାନେ ଜାଣିଥିଲେ ସୁରେନ୍ଦ୍ର ସାଏ କେବେ ହେଲେ ତାଙ୍କର ଅନୁଗାମୀ ହେବେ ନାହଁ । ତେଣୁ ରାଣୀ ମୋହନ କୁମାରୀ ରାଜ୍ୟ ଶାସନ ପରିଚାଳନା କରିବା ପ୍ରତିବାଦରେ ସମ୍ବଲପୁର ଅଞ୍ଚଳରେ ବିଦ୍ରୋହର ବହ୍ନି ଜଳି ଉଠିଥିଲା ।

ପ୍ରଥମ ପର୍ଯ୍ୟାୟ ବିଦ୍ରୋହ[ସମ୍ପାଦନା]

ସେତେବେଳେ କ୍ୟାପ୍ଟେନ୍ ହିଗ୍ନସ୍‌ଙ୍କ ଅଧ􀀆ନାୟକତ୍ୱରେ ସମ୍ବଲପୁରରେ ଇଂରେଜମାନଙ୍କ ରାମଗଡ଼ ବାଟାଲିୟନ୍ ଅବସ୍ଥାପିତ ହୋଇଥାନ୍ତି । ସୁରେନ୍ଦ୍ର ସାଏଙ୍କ ପକ୍ଷରୁ ତାଙ୍କ ଅନୁଗାମୀମାନେ ଧନୁଶର ଧରି ଗରିଲା ଯୁଦ୍ଧ କରିଥିବାରୁ ଇଂରେଜ ସୈନ୍ୟମାନେ ତାର ମୁକାବିଲା କରିପାରି ନଥିଲେ । ପରେ ହଜାରୀବାଗ୍‌ର କ୍ୟାପ୍ଟେନ୍ ଉଇଲକିନସନ୍‌ଙ୍କ ନିର୍ଦ୍ଦେଶରେ ଆଉ ଏକ ସୈନ୍ୟବାହିନୀ ସମ୍ବଲପୁରରେ ଆସି ଯୋଗ ଦେଲେ । ଏହାପରେ ବିଦ୍ରୋହ କିଛି ମାତ୍ରାରେ ଦମନ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ପ୍ରଶମିତ ହୋଇପାରି ନଥିଲା । ଇଂରେଜମାନେ ବାଧ୍ୟ ହୋଇ ରାଣୀ ମୋହନ କୁମାରୀଙ୍କୁ ଗାଦିଚ୍ୟୁତ କରି ପୁନର୍ବାର ରାଜବଂଶର ଦୂର ସମ୍ପର୍କୀୟ ବ୍ୟକ୍ତି ନାରାୟଣ ସିଂହଙ୍କୁ ସମ୍ବଲପୁର ରାଜଗାଦି ପ୍ରଦାନ କଲେ । ମାତ୍ର ସେ ଥିଲେ ସମ୍ପୂର୍ଣ୍ଣ ଅଯୋଗ୍ୟ । ଏହା ଫଳରେ ପୁଣି ବିଦ୍ରୋହ ମୁଣ୍ଡ ଟେକିଲା । ୧୮୩୭ ଖ୍ରୀଷ୍ଟାବ୍ଦରେ ରାସପୂର୍ଣ୍ଣିମା ମଧ୍ୟରାତ୍ରିରେ ଦେବ୍ରୀଗଡ଼ଠାରେ ସୁରେନ୍ଦ୍ର ସାଏ, ଉଦ୍ଦ୍ୟନ୍ତ ସାଏ, ବଳରାମ ସିଂହ ଓ ଲୋଚନପୁର ଜମିଦାର ବଳଭଦ୍ର ଦେଓ ମିଳିତ ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିବା ସମୟରେ ଇଂରେଜମାନେ ଅଚାନକ ସେଠାରେ ପହଞ୍ଚି ବଳଭଦ୍ର ଦେଓଙ୍କୁ ହତ୍ୟା କଲେ [୨]। ସୌଭାଗ୍ୟକ୍ରମେ ସୁରେନ୍ଦ୍ର ସାଏ ତାଙ୍କ ଭାଇମାନଙ୍କ ସହ କୌଶଳ କରି ଖସି ଯାଇଥିଲେ । ଇଂରେଜଶାସନର ନିଷ୍ପତ୍ତି ବିରୋଧରେ ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକ ମାନଙ୍କୁ ଧରି ସ୍ଵର ଉତ୍ତୋଳନ କରିବା ହେତୁ ୧୮୪୦ ମସିହାରେ ଦକ୍ଷିଣ-ପଶ୍ଚିମ ସୀମାନ୍ତର ତତ୍କାଳୀନ ଇଂରେଜ ଏଜେଣ୍ଟ କର୍ଣ୍ଣେଲ ଆଉସ୍ଳେଙ୍କ ସହାୟତାରେ ସମ୍ବଲପୁରର ଦେହୁରୀପାଲିରୁ ସୁରେନ୍ଦ୍ର ସାଏ, ଉଦ୍ଦ୍ୟନ୍ତ ସାଏ ଓ କାକା ବଳରାମ ସିଂହଙ୍କୁ ଇଂରେଜମାନେ ଗିରଫ କରିଥିଲେ । ସୁରେନ୍ଦ୍ରଙ୍କୁ ପାଞ୍ଚବର୍ଷ ଓ ଅନ୍ୟମାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ହଜାରୀବାଗ ଜେଲରେ ରଖାଯାଇଥିଲା । ଏହିଠାରେ ସୁରେନ୍ଦ୍ର ସାଏଙ୍କ ପ୍ରଥମ ପର୍ଯ୍ୟାୟ ସଂଗ୍ରାମର ଯବନିକା ପଡ଼ିଲା ।

ଦ୍ଵିତୀୟ ପର୍ଯ୍ୟାୟ ବିଦ୍ରୋହ[ସମ୍ପାଦନା]

କାରାଦଣ୍ଡର ଅବଧି ସରିବା ପରେ ମଧ୍ୟ ଇଂରେଜମାନେ ସୁରେନ୍ଦ୍ରଙ୍କୁ ମୁକ୍ତ କରିନଥିଲେ । ୧୮୪୯ ସେପ୍ଟେମ୍ବରରେ ବ୍ରିଟିଶ ଦ୍ଵାରା ଅବସ୍ଥାପିତ ରାଜା ନାରାୟଣ ସିଂହଙ୍କ ମୃତ୍ୟୁ ପରେ ମଧ୍ୟ ସୁରେନ୍ଦ୍ର ସାଏଙ୍କୁ ଇଂରେଜମାନେ ଗାଦିରୁ ବଞ୍ଚିତ କରିଥିଲେ । ୧୮୫୭ରେ ଭାରତର ସିପାହୀମାନେ ଇଂରେଜ ସରକାରଙ୍କ ବିରୁଦ୍ଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ (ସିପାହୀ ବିଦ୍ରୋହ) ଆରମ୍ଭ କରିଥିଲେ । ସେହିବର୍ଷ ଜୁଲାଇ ମାସ ୩୦ ତାରିଖ ଦିନ ରାମଗଡ଼ରୁ ଆସିଥିବା ଯବାନ ମାନେ ‘ଛୋଟା ବର୍ଦ୍ଧମାନର ପଲଟନ’ ସହ ମିଶି ହଜାରିବାଗ ଜେଲ ଭାଙ୍ଗି ସୁରେନ୍ଦ୍ର ସାଏଙ୍କ ସମେତ ୩୨ ଜଣ ବନ୍ଦୀଙ୍କୁ ମୁକ୍ତ କରି ଦେଇଥିଲେ । ଦୀର୍ଘ ୧୭ବର୍ଷ ପରେ ସୁରେନ୍ଦ୍ର ଓ ତାଙ୍କ ଭାଇ ଉଦନ୍ତ ସାଏ ମୁକ୍ତ ହୋଇଥିଲେ । ସୁରେନ୍ଦ୍ର ପୁନଶ୍ଚ ବନ୍ଦୀ କରିବା ପାଇଁ ଇଂରେଜ ସରକାର ତାଙ୍କୁ ଧରିବା ପାଇଁ ୨୫୦ ଟଙ୍କାର ପୁରସ୍କାର ଘୋଷଣା କରିବା ସହ ଗୁପ୍ତଚର ନିୟୋଜିତ କରିଥିଲେ ।

ମୁକ୍ତି ପାଇ ସୁରେନ୍ଦ୍ର ସାଏ ସଙ୍ଗେ ସଙ୍ଗେ ସମ୍ବଲପୁର ଫେରି ଆସିଲେ ଏବଂ ସମ୍ବଲପୁରବାସୀଙ୍କୁ ସୁସଙ୍ଗଠିତ କରି ପୁନର୍ବାର ସଂଗ୍ରାମ କରିବାକୁ ଆଗେଇ ଆସିଲେ । ଦେବ୍ରୀଗଡ଼ ହେଲା ସୁରେନ୍ଦ୍ରଙ୍କ ସଂଗ୍ରାମର କେନ୍ଦ୍ରସ୍ଥଳ । କୌଶଳକ୍ରମେ ସୁରେନ୍ଦ୍ର ସାଏ ପ୍ରଥମେ ସମ୍ବଲପୁର ଅଞ୍ଚଳରେ ଥିବା ଇଂରେଜମାନଙ୍କର ବାହ୍ୟ ଯୋଗାଯୋଗ ସମ୍ପର୍କ ଛିନ୍ନ କଲେ । ବଡ଼ ବଡ଼ ପଥର ଖଣ୍ଡ ରଖି ରାସ୍ତା ଅବରୋଧ କରିବା ସହ ପାହାଡ଼ ଉପରେ ଥିବା ଶିଆଳୀ ଲତାରେ ବଡ଼ ବଡ଼ ପଥରକୁ ବାନ୍ଧିରଖି ଆବଶ୍ୟକ ସ୍ଥଳେ ଲତାକୁ କାଟି ଦେଉଥିଲେ । ଫଳରେ ପଥରଖଣ୍ଡମାନ ପଡ଼ି ଇଂରେଜମାନଙ୍କୁ ଆଘାତ ଦେଉଥିଲା । ଅନ୍ୟ ପକ୍ଷରେ ଇଂରେଜମାନଙ୍କ ଗୁଳିଗୁଳା ଘଞ୍ଚ ଜଙ୍ଗଲରେ ଥିବା ଗଛଗୁଡ଼ିକରେ ବାଜି ସବୁ ନଷ୍ଟଭ୍ରଷ୍ଟ ହୋଇଯାଉଥିଲା । ପାହାଡ଼ ମଧ୍ୟସ୍ଥ ଘଞ୍ଚ ଜଙ୍ଗଲରେ ସୁରେନ୍ଦ୍ରଙ୍କ ପକ୍ଷର ଆକ୍ରମଣକାରୀମାନେ ଲୁଚିଛପି ଗରିଲା ଯୁଦ୍ଧ କରିବା ପାଇଁ ବେଶ୍ ସୁବିଧା ପାଉଥିଲେ । ଇଂରେଜମାନଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ । ୧୮୬୧ରେ ମେଜର ଇମ୍ପେଙ୍କୁ ସମ୍ବଲପୁରର ଡେପୁଟୀ କମିଶନର ରୂପେ ନିଯୁକ୍ତି ଦିଆଗଲା । ମେଜର ଇମ୍ପେ ଯୁଦ୍ଧ􀀃ନୀତି ପରିତ୍ୟାଗ କରି ଶାନ୍ତି ନୀତି ଅନୁସରଣ କଲେ । ସୁରେନ୍ଦ୍ର ସାଏଙ୍କ ବିରୁଦ୍ଧରେ ଯୁଦ୍ଧ ବନ୍ଦ ଘୋଷଣା କଲେ । ଆତ୍ମସମର୍ପଣ କରିଥିବା ବିଦ୍ରୋହୀମାନଙ୍କୁ କ୍ଷମା ପ୍ରଦାନ କରି ସେମାନଙ୍କର ବାଜ୍ୟାପ୍ତ ସମ୍ପତ୍ତି ଫେରସ୍ତ କରି ଦିଆଯିବାର ନିଷ୍ପତ୍ତି ନେଲେ । ଏହାପରେ ସୁରେନ୍ଦ୍ରଙ୍କର ଭାଇ ଓ ପୁତ୍ର ଆତ୍ମସମର୍ପଣ କରିଥିଲେ । ସେମାନଙ୍କୁ ଇମ୍ପେ ସମ୍ମାନର ସହ ଖିଣ୍ଡା ଗ୍ରାମରେ ଆଶ୍ରୟ ଦେଇଥିଲେ । ପରେ ପରେ ୧୮୬୨ ମସିହା ମଇ ମାସ ୧୬ ତାରିଖ ଦିନ ରାତିରେ ଘୋର ଜଙ୍ଗଲ ମଧ୍ୟରେ ଇମ୍ପେ ସାହେବଙ୍କ ସହ ସୁରେନ୍ଦ୍ର ସାଏଙ୍କର ସାକ୍ଷାତ ହେଲା ଏବଂ ସେହିଠାରେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରିଥିଲେ । ୧୮୬୩ରେ ଇମ୍ପେ ସାହେବଙ୍କର ମୃତ୍ୟୁ ହେବାରୁ ସମ୍ବଲପୁରର ରାଜନୈତିକ ପରିସ୍ଥିତି ବଦଳିଗଲା । ମେଜର ଇମ୍ପେଙ୍କ ସ୍ଥାନରେ କ୍ୟାପ୍ଟେନ୍ କମ୍ବରଲେଜ୍ ନିଯୁକ୍ତି ପାଇଲେ । କମ୍ବରଲେଜ୍ ଉଚ୍ଚ ପୋଲିସ୍ ଅଫିସର କ୍ୟାପ୍ଟେନ୍ ଷ୍ଟୁଆର୍ଟ ଓ ମିଷ୍ଟର ବେରିଲ୍‌ଙ୍କ ସହାୟତାରେ ୧୮୬୪ ମସିହା ଜାନୁଆରୀ ୨୩ ତାରିଖ ରାତ୍ର ୧୧ ଘଣ୍ଟା ସମୟରେ ସୁରେନ୍ଦ୍ର ସାଏ ଓ ତାଙ୍କ ପରିବାରବର୍ଗ ଶୋଇଥିବା ସମୟରେ ତାଙ୍କ ଘର ଉପରେ ଚଡ଼ାଉକରି ସେମାନଙ୍କୁ ବନ୍ଦୀ କଲେ । ସେହି ରାତ୍ରିରେ ସେମାନଙ୍କୁ ରାୟପୁର ନିଆଗଲା । ପରେ ସେମାନଙ୍କୁ ନାଗପୁର ଜେଲ୍ ଓ ଆଜୀବନ ଦେଶାନ୍ତର ଦଣ୍ଡରେ ଦଣ୍ଡିତ କରାଯାଇ ୧୮୬୬ ମସିହାରେ ଅସୀରଗଡ଼ ଦୁର୍ଗକୁ ପଠାଇ ଦିଆଗଲା ।

ଶେଷ ଜୀବନ[ସମ୍ପାଦନା]

ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ । ବିଶ୍ଵାସଘାତକର ଶିକାର ହୋଇଥିବା ସୁରେନ୍ଦ୍ର ତାଙ୍କ ଜନ୍ମଦିନ (୨୩ ଜାନୁଆରୀ ୧୮୬୪)ରେ ଦୁଇଜଣ ସ୍ଥାନୀୟ ଲୋକ ଦୟାନିଧି ମେହର ଓ ମୋହନ ସିଂହଙ୍କ ଯୋଗୁଁ ଦ୍ଵିତୀୟ ଥର ପାଇଁ ଗିରଫ ହୋଇଥିଲେ । ୮ ଜୁନ ୧୮୬୫ରେ ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ପ୍ରଦେଶରର ରାୟପୁରସ୍ଥ ଅସୁରଗଡ଼ ଦୁର୍ଗରେ ବନ୍ଦୀ କରାଯାଇଥିଲା । ସେବେଠାରୁ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ । ୧୮୮୪ ଫେବୃଆରୀ ୨୮ ତାରିଖରେ ଅସୁରଗଡ଼ ଦୁର୍ଗରେ ହିଁ ସୁରେନ୍ଦ୍ର ସାଏଙ୍କ ପରଲୋକ ହୋଇଥିଲା [୨][୩]

ସମ୍ମାନ[ସମ୍ପାଦନା]

ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ "ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ"

ଆଧାର[ସମ୍ପାଦନା]

  1. "Official Web Site Of Sambalpur District". sambalpur.nic.in. http://sambalpur.nic.in/. Retrieved 23 January 2013. "Born on 23rd January, 1809" 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ଉତ୍କଳ ପ୍ରସଙ୍ଗ. "ବୀର ସୁରେନ୍ଦ୍ର ସାଏ". http://orissa.gov.in/e-magazine/utkalprasanga/2014/Jan/oriyapdf/98-100.pdf. Retrieved 7 June 2014. 
  3. ୩.୦ ୩.୧ "Eminent Persons -123orissa.com". 123orissa.com. http://www.123orissa.com/person/person.asp?sno=15&cat=f. Retrieved 23 January 2013. ".He had spent thirty-six years in jail out of his 75 years life span." 
  4. "The Telegraph - Calcutta : Jamshedpur". telegraphindia.com. 2005. http://www.telegraphindia.com/1050907/asp/jamshedpur/story_5204824.asp. Retrieved 23 January 2013. "The British put Surendra Sai in jail for 37 years, surpassing any known record for any jail sentences of freedom fighters." 
  5. "UCE changes to VSSUT". http://www.vssut.ac.in/institute/history.asp. 
  6. "Centre okays patriot statue". The Telegraph. http://www.telegraphindia.com/1050907/asp/jamshedpur/story_5204824.asp.