ବରୁଣ

ଉଇକିପିଡ଼ିଆ ରୁ
ବରୁଣ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiosperms
(unranked): Eudicots
(unranked): Rosids
ଗଣ: Brassicales
କୁଳ: Capparaceae
ପ୍ରଜାତି: Crateva
ଜାତି: C. religiosa
ବାଇନୋମିଆଲ ନାଆଁ
Crateva religiosa
Forst. f.

ବରୁଣ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ମଧ୍ୟମାକୃତିର ଏଇ ବନ୍ୟ ତରୁଟି ତ୍ରିପର୍ଣ୍ଣ, ଅଳ୍ପକେ ଶିମୁଳୀ ପତ୍ର ପରି।[୧] ଫଳ ଗୁଡ଼ିକ କାଗିଜି ଲେମ୍ବୁ ପରି ଗୋଲ ହେଲେ ଟାଣୁଆ । ପାଚିଲେ ମହାକାଳ ଫଳ ପରି ଦିଶେ । ଜଳାଧାରରେ ଏ ଗଛ ଜନ୍ମିଥାଏ । ମାଟି ତଳେ ତଳେ ଜଳଧାରା ଯେଉଁ ବାଟେ ଯାଇଥାଏ, ସେଇ ଧାରେ ଧାରେ ଏ ଗଛ ଜନ୍ମିଥାଏ । ଆଗରୁ ଲୋକେ କୂଅ ଖୋଳିବା ଆଗରୁ ବରୁଣ ଚେରକୁ ଦେଖି ଜଳଧାରାର ସନ୍ଧାନ ପାଉଥିଲେ । କେହି କେହି କହନ୍ତି, ସୌଭାଗ୍ୟଯୁକ୍ତ ସ୍ଥାନରେ ଏ ଗଛ ଜନ୍ମିଥାଏ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ବରୁଣ
ସଂସ୍କୃତ ବରୁଣ, ବାରଣସେତୁ, ସାଧୁବୃକ୍ଷ, ଶିଖୀମଣ୍ଡଳ, କୁମାରକ, ତିକ୍ତଶାକ, ମାରୁତାପହ, ଶ୍ୱେତବୃକ୍ଷ, ଜଳରାଜ, ସାଗର ସମ୍ରାଟ
ହିନ୍ଦୀ ଲୋଟନ, ଚିଲ୍ଲ
ତେଲୁଗୁ ଉଲିମିରିଚେଟ୍ଟୁ, ଉରୁମଟ୍ଟି, ଜାଜିଚେଟ୍ଟୁ
ବଙ୍ଗଳା ବାରୁନ୍, ବନେ

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

କଟୁ ତିକ୍ତ ମିଶ୍ରିତ ରସ। ଲଘୁପାକ, ସ୍ନିଗ୍ଧ, ଉଷ୍ଣବୀର୍ଯ୍ୟ, ମୂତ୍ର ନିଗମନକାରକ, ପିତ୍ତସୟକ, ଅଗ୍ନୀବର୍ଦ୍ଧକ ଓ ଆର୍ଦ୍ରତା କାରକ। ବାୟୁ, କଫଦୋଷ, କୃମି, ଗୁଳ୍ମ, ବିଦ୍ରଧି, ରକ୍ତବିକୃତି, ବାତରକ୍ତ, କୁଷ୍ଠ, ଅଶ୍ମରୀ, ମୂତ୍ରକୃଚ୍ଛ୍ର ପ୍ରଭୃତି ରୋଗର ନିବାରକ। ମାତ୍ରା ଦୁଇଅଣାରୁ ଆଠଅଣା।

ବ୍ୟବହାର[ସମ୍ପାଦନା]

ଔଷଧୀୟ[ସମ୍ପାଦନା]

ଏହାର ସର୍ବାଙ୍ଗ ଔଷଧ ରୂପରେ ବ୍ୟବହାର କରାଯାଏ।

  • କାନ ପାଚିବାରେ ଏହାର ପତ୍ର ରସକୁ ସୋରିଷ ତେଲରେ ପାକ କରି, କିମ୍ବା ଏହାର ପତ୍ରର ରସକୁ ଗରମ କରି ଉଷୁମ ଉଷୁମ ପ୍ରୟୋଗ କରାଯାଏ
  • ବାଗି, ବ୍ରଣରେ ଏହାର ପତ୍ରବଟାକୁ ଲଗାଇଲେ ଉପକାର ମିଳେ।
  • ପାଦଫୁଲାରେ ଏହାର ପତ୍ରକୁ ଜଡ଼ାତେଲରେ ଉଷ୍ଣକରି ଭାଜି ଲଗାଯାଏ।
  • ଗଣ୍ଡମାଳା ରୋଗରେ ଏହି ଗଛର ମୂଳଭାଗର ଛେଲିର କ୍ୱାଥକୁ ମହୁ ସହିତ ସେବନ କଲେ ଉପକାର ମିଳେ।
  • ବ୍ରଣ, ବିଦଧି,କଣ୍ଡୁ, ଦଦ୍ରୁ, କ୍ଷତ, ପୀନସ, ଭଗନ୍ଦର ଆଦିରେ ଏହାର ଛେଲିକୁ ବାଚି ଗାଈଦୁଧ ସହିତ ସେବନ କରାଯାଏ।
  • ଏହାର ଛେଲିକୁ ଜଳରେ ବାଟି ଗାଈ ଲହୁଣୀ ସହିତ ସେବନ କଲେ ବାୟୁ ବିକାର, ଚର୍ମରୋଗ ଆଦି ନିବାରିତ ହୁଏ।
  • ଏହାର ପତ୍ରସିଝା ଜଳରେ କଞ୍ଚା ଗାଈ ଦୁଧ ଓ ମିଶ୍ରିଗୁଣ୍ଡା ସହିତ ସେବନ କଲେ ମୂତ୍ରରୋଗ ନିବାରିତ ହୁଏ।
  • ବାତ ବେଦନା ଦୂର କରିବାପାଇଁ ବରୁଣ ଛେଲି, ପତ୍ର ଓ ନଡିଆକୁ ଏକତ୍ର ବାଟି ପ୍ରଲେପ ଦିଆଯାଏ।

ଅନ୍ୟାନ୍ୟ[ସମ୍ପାଦନା]

  • ଏହି ଗଛକୁ ପୂଜାକଲେ ମାନବ ରୋଗଶୂନ୍ୟ ହୋଇ ଦୀର୍ଘାୟୁ ହୁଏ ବୋଲି ମାନ୍ୟତା ରହିଛି।
  • ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଏ ଗଛ ରହିଲେ ସେ ଘରେ ବାସ କରୁଥିବା ସବୁ ବ୍ୟକ୍ତିଙ୍କର ଦେହ ନୀରୋଗ ହୁଏ ବୋଲି ଲୋକୋକ୍ତି ରହିଛି।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।