ବକ୍ସି ଜଗବନ୍ଧୁ

ଉଇକିପିଡ଼ିଆ ରୁ
ବକ୍ସି ଜଗବନ୍ଧୁ
ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ
ଜନ୍ମ ଓ ଜନ୍ମସ୍ଥାନ ୧୭୭୩
ତିରୋଧାନ ୧୮୨୯
କଟକ
ଜାତୀୟତା  ଭାରତୀୟ
ଜୀବିକା ସେନାପତି
ପ୍ରସିଦ୍ଧି ପାଇକ ବିଦ୍ରୋହ
କଳ୍ପନା ଛକ ସ୍ଥିତ ରାଜ୍ୟ ସଂଗ୍ରହାଳୟ ସାମ୍ନାରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି

ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ (ତାଙ୍କୁ "ବକ୍ସି ଜଗବନ୍ଧୁ" ଓ "ପାଇକ ବକ୍ସି" ମଧ୍ୟ କୁହାଯାଏ) ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ଯୋଦ୍ଧା । ପାଇକ ବିପ୍ଳବୀ ମାନେ ତାଙ୍କର ନେତୃତ୍ଵରେ ୧୮୧୭ ମସିହାରେ ଫିରିଙ୍ଗି ଶାସନ ବିରୁଦ୍ଧରେ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ ।

ଜୀବନୀ[ସମ୍ପାଦନା]

ବକ୍ସି ଜଗବନ୍ଧୁଙ୍କର ୧୮୦୪ ପୂର୍ବବର୍ତ୍ତୀ ଜୀବନୀ ଏ ପର୍ଯ୍ୟନ୍ତ ଅଜଣା ରହିଛି । କେତେକ ଐତିହାସିକ ମତ ଦିଅନ୍ତି ତାଙ୍କ ଜୀବନ କାଳ ୧୭୮୦ ମସିହାରୁ ୧୮୨୯ ମସିହା ମଧ୍ୟରେ ସୀମାବଦ୍ଧ ଥିଲା ।[୧] ଜଗବନ୍ଧୁ ବିଦ୍ୟାଧର ତାଙ୍କର ପୁର୍ବପୁରୁଷଙ୍କ ଠାରୁ ବଂଶାନୁକ୍ରମେ "ବକ୍ସି" ଉପାଧି ଲାଭ କରି ଖୋର୍ଦ୍ଧା ରାଜାଙ୍କର ସେନାପତି ଭାବେ ଦାୟିତ୍ଵ ବହନ କଲେ, ରାଜାଙ୍କ ପରେ ସେ ଥିଲେ ଦ୍ଵିତୀୟ ଗଣ୍ୟମାନ୍ୟ ବ୍ୟକ୍ତି । ତାଙ୍କ ପରିବାର ପାଇଁ ରାଜାଙ୍କ ଦ୍ଵାରା ଜମି, ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପତ୍ର ସହ "ରରଙ୍ଗ କିଲ୍ଲା" ର ଜମିଦାରୀ ପ୍ରଦାନ କରାଯାଇ ଥିଲା । ତାଙ୍କର ସେରଗଡ଼ ଓ ବଡ଼ମ୍ବା ରାଜାଙ୍କ ସହିତ ବୈବାହିକ ସମ୍ବନ୍ଧ ଥିଲା । ସୁତରାଂ ସେ ଉଚ୍ଚ ବଂଶଜ ବୋଲି ଅନୁମାନ କରାଯାଏ । ଜଗବନ୍ଧୁ ବିଦ୍ୟାଧର ଭୋଇବଂଶର ପ୍ରଥମ ରାଜା ଗୋବିନ୍ଦ ବିଦ୍ୟାଧରଙ୍କ ମନ୍ତ୍ରୀ ଦନେଇ ବିଦ୍ୟାଧରଙ୍କ ଅଷ୍ଟମ ବଂଶଧର ।[ବିଦ୍ର ୧] ଷ୍ଟାର୍ଲିଂ ସାହେବ ତାଙ୍କର ଓଡ଼ିଶା ଇତିହାସରେ ଗୋଟିଏ କିମ୍ବଦନ୍ତୀ ଉପରେ ଭତ୍ତିି କରି ଲେଖଛିନ୍ତି ଯେ, ଜଗବନ୍ଧୁଙ୍କ ଶାରୀରିକ ଗଠନ ସୁନ୍ଦର ଓ ବଳିଷ୍ଠ ଥିଲା ଏବଂ ସେ ଶକ୍ତିମାନ ପୁରୁଷ ଥିଲେ ।[୧]

ପାଇକ ବିଦ୍ରୋହ[ସମ୍ପାଦନା]

ମୂଳ ଲେଖା: ପାଇକ ବିଦ୍ରୋହ

ଇଂରେଜମାନେ ୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାର ରାଜା ମୁକୁନ୍ଦ ଦେବଙ୍କୁ ଗାଦିଚ୍ୟୁତ କରି ତାଙ୍କର ରାଜ୍ୟକୁ "ଖାସ୍' କଲେ ଅର୍ଥାତ୍ ପ୍ରତ୍ୟକ୍ଷ ଇଂରେଜ ଶାସନାଧୀନ ଅଞ୍ଚଳ ସହିତ ତାକୁ ମିଶାଇ ଦିଆଗଲା । ପାଇକଙ୍କ ନିଷ୍କର ଜମି ଉପରେ ଉଚ୍ଚ ହାରରେ କର ଧାର୍ଯ୍ୟ ହେଲା । ଫଳରେ ପାଇକମାନେ ତାଙ୍କର ବଂଶାନୁକ୍ରମିକ ନିଷ୍କର ବୃତ୍ତିରୁ ବଞ୍ଚିତ ହେଲେ । ଖୋର୍ଦ୍ଧା ଖାସ୍ ହେବା ପରେ ସେହି ଜମିଦାରୀର ରାଜସ୍ୱ ଅନେକ ପରିମାଣରେ ବୃଦ୍ଧି କରାଯାଇ ଜଣେ ବିଦେଶୀ ଜମିଦାରଙ୍କୁ ପଟ୍ଟା ଦିଆଗଲା । ଅନେକ ସର୍ବସ୍ୱାନ୍ତ ହୋଇ ନିଜର ଘରଦ୍ୱାର ଛାଡ଼ି ନିକଟବର୍ତ୍ତୀ କରଦ ରାଜ୍ୟମାନଙ୍କରେ ଆଶ୍ରୟ ନେଲେ । ଯେଉଁମାନେ ରହିଲେ ସେମାନଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲା ।

୧୮୧୭ ମସିହାରେ ଇଂରେଜମାନେ ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କୁ ଗୋଟିଏ ହତ୍ୟା ମାମଲା ସମ୍ପର୍କରେ ଗିରଫ କଲେ । ସେହି ଘଟଣାର ପ୍ରତିବାଦରେ ଘୁମୁସରର ୩୦୦/୪୦୦ କନ୍ଧ ବାଣପୁରରେ ପଶି ସରକାରୀ ଖଜଣାଖାନା ଲୁଟ୍ କଲେ ଓ ସରକାରୀ ଦପ୍ତର ସବୁ ଆକ୍ରମଣ କଲେ । କୁହୁଳୁଥିବା ବିଦ୍ରୋହାଗ୍ନି ଜଳି ଉଠିଲା । ଖୋର୍ଦ୍ଧାର ପାଇକମାନେ ଏହି ସୁଯୋଗ ନେଇ ବକ୍ସି ଜଗବନ୍ଧୁଙ୍କର ନେତୃତ୍ୱରେ ଇଂରେଜମାନଙ୍କର ଅନ୍ୟାୟ ନୀତି ଓ ନିର୍ଯାତନା ବିରୁଦ୍ଧରେ ବିଦ୍ରୋହ କଲେ । ଜଗବନ୍ଧୁଙ୍କର ପରମ ଶତ୍ରୁ ଚରଣ ପଟ୍ଟନାୟକ ତାଙ୍କର କ୍ରୋଧାଗ୍ନିର ପ୍ରଥମ ଶିକାର ହେଲେ ।[୧]

ବିଦ୍ରୋହ ଦମନ[ସମ୍ପାଦନା]

ହଠାତ୍ ପାଇକ ବିଦ୍ରୋହ ହେବାରୁ ଇଂରେଜ କର୍ତ୍ତୃପକ୍ଷ ବିବ୍ରତ ହୋଇ ପଡ଼ିଲେ । ପାଇକମାନେ ବାଣପୁର ଓ ଖୋର୍ଦ୍ଧାରେ ଥିବା ସବୁ ସରକାରୀ ଅଫିସ୍ ଭାଙ୍ଗି ଦେଲେ, ଖଜଣାଖାନା ଲୁଟ୍ କଲେ । ପାଇକମାନଙ୍କ ସାଙ୍ଗରେ ଇଂରେଜ ସୈନ୍ୟଙ୍କର ଗଙ୍ଗପଡ଼ା, ବାଳକାଟି, ପିପିଲି ଇତ୍ୟାଦି ସ୍ଥାନମାନଙ୍କରେ ସଂଘର୍ଷ ହୋଇଥିଲା । ତଦ୍ଦ୍ୱାରା ପାଇକମାନଙ୍କର ଗତିରୋଧ ହୋଇ ପାରିଲା ନାହଁ । ପାଇକମାନେ ପୁରୀ ଆଡ଼କୁ ଅଗ୍ରସର ହେଲେ । ପୁରୀରେ ପାଇକମାନେ ଇଂରେଜ ସୈନ୍ୟଙ୍କ ପ୍ରତିରୋଧ କରି ପାରିଲେ ନାହଁ । ଇଂରେଜମାନେ ରାଜା ମୁକୁନ୍ଦ ଦେବଙ୍କୁ ବନ୍ଦୀ କରି କଟକ ଆଣିଲେ । ୧୮୧୭ ମସିହା ଏପି୍ରଲ ମାସ ୧୨ ତାରିଖରେ ସାମରିକ ଆଇନ ପ୍ରବର୍ତ୍ତନ କରାଗଲା । କ୍ରମେ ସେ ଆଇନ ପୁରୀ ଓ ପିପିଲିରେ ପ୍ରବର୍ତ୍ତନ କରାଗଲା । ମେଜର୍ ସାର୍ ଜି. ମାଟିନ୍ଡ଼େଲ୍‌ଙ୍କୁ ସାମରିକ କମିଶନର ରୂପେ ନିଯୁକ୍ତି କରାଗଲା ।[୧] ସେହିବର୍ଷ ଅକ୍ଟୋବର ମାସ ଶେଷ ବେଳକୁ ଇଂରେଜମାନେ ବିଦ୍ରୋହକୁ ସମ୍ପୂର୍ଣ୍ଣ ଭାବରେ ଦମନ କରି ଦେଇଥିଲେ । କିନ୍ତୁ ଇଂରେଜ କର୍ତ୍ତୃପକ୍ଷ ଶାନ୍ତିରେ ନିଃଶ୍ୱାସ ମାରି ପାରିଲେ ନାହଁ । କାରଣ ଜଗବନ୍ଧୁ ବିଦ୍ୟାଧର, କୃଷ୍ଣଚନ୍ଦ୍ର ଭ୍ରମରବର ଓ ସେମାନଙ୍କ ଅନୁଚରମାନେ ଜଙ୍ଗଲରେ ଆତ୍ମଗୋପନ କରି ରହିଲେ । ପୁଣି କେତେବେଳେ ବିଦ୍ରୋହର ନିଆଁ ଜଳି ଉଠିବ ଏହି ଭୟରେ କତ୍ତର୍ପୃକ୍ଷ ସବୁବେଳେ ସତର୍କ ହୋଇ ରହିଥିଲେ ।

ଆତ୍ମସମର୍ପଣ[ସମ୍ପାଦନା]

୧୮୧୮ ମସିହାରୁ ଇଂରେଜ ସୈନ୍ୟ ଓ ଆତ୍ମଗୋପନକାରୀ ପାଇକମାନଙ୍କ ମଧ୍ୟରେ ଲୁଚକାଳି ଖେଳ ଚାଲିଲା । ଶତଚେଷ୍ଟା ସତ୍ତ୍ଵେ ଏପରିକି ଜଗବନ୍ଧୁଙ୍କ ପରିବାରକୁ ବନ୍ଦୀ କରି ରଖିବା ସତ୍ତ୍ଵେ ମଧ୍ୟ ଇଂରେଜମାନେ ବିଦ୍ରୋହୀ ନେତା ଜଗବନ୍ଧୁ, କୃଷ୍ଣଚନ୍ଦ୍ର ଭ୍ରମରବର ଓ ତାଙ୍କର ଅନୁଚରବର୍ଗଙ୍କୁ ଧରି ପାରିଲେ ନାହଁ । ଶେଷରେ ବଡ଼ଲାଟ୍ ନିମ୍ନଲିଖିତ ସର୍ତ୍ତରେ ୧୮୨୨ରେ ଜଗବନ୍ଧୁ ଓ କୃଷ୍ଣଚନ୍ଦ୍ର ଭ୍ରମରବରଙ୍କୁ କ୍ଷମା ଦେବା ବିଷୟ ଘୋଷଣା କଲେ :

  1. ଜଗବନ୍ଧୁ ଓ କୃଷ୍ଣଚନ୍ଦ୍ର ସେମାନଙ୍କର ବଂଶାନୁକ୍ରମିକ ପଦବୀ "ବକ୍ସି' ଓ "ଦେଓ୍ୱାନ୍' ବ୍ୟବହାର କରିବେ ନାହଁ ।
  2. ସେମାନେ କଟକରେ ରହିବେ ଓ ବିନା ଅନୁମତିରେ କଟକ ଛାଡ଼ିବେ ନାହଁ ।
  3. ସେମାନଙ୍କୁ ଯଥାକ୍ରମେ ୧୦୦ ଟଙ୍କା ଓ ୫୦ ଟଙ୍କା ମାସିକ ଭତ୍ତା ଦିଆଯିବ ।

ଏହି ଘୋଷଣା ସତ୍ତ୍ଵେ ଜଗବନ୍ଧୁ, କୃଷ୍ଣଚନ୍ଦ୍ର ଓ ତାଙ୍କର ଅନୁଚରମାନେ ଆତ୍ମସମର୍ପଣ କଲେ ନାହଁ, କିନ୍ତୁ ବିଦ୍ରୋହୀମାନଙ୍କ ଅବସ୍ଥା କ୍ରମେ ଶୋଚନୀୟ ହୋଇ ଉଠିଲା । ଇଂରେଜ କର୍ତ୍ତୃପକ୍ଷଙ୍କ ସତର୍କତା ଯୋଗୁଁ ସେମାନେ କୌଣସି ସୂତ୍ରରୁ ସାହାଯ୍ୟ ପାଇ ପାରିଲେ ନାହଁ । ନୟାଗଡ଼ ଓ ଅନ୍ୟାନ୍ୟ ରାଜାମାନଙ୍କୁ ସତର୍କ କରାଇ ଦିଆଗଲା ଯେ, ସେମାନେ ଯଦି କୌଣସି ପ୍ରକାରର ସାହାଯ୍ୟ କରନ୍ତି, ତେବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁତରାଂ ରାଜାମାନେ ମଧ୍ୟ ଭୟରେ ବିଦ୍ରୋହୀମାନଙ୍କୁ ସାହାଯ୍ୟ କଲେ ନାହଁ । ଏପରି ପରିସ୍ଥିତିରେ ବିଦ୍ରୋହୀମାନଙ୍କର ଆତ୍ମସମପର୍ଣ ବ୍ୟତୀତ ଅନ୍ୟ କଛିି ଉପାୟ ରହିଲା ନାହିଁ । ଶେଷରେ ନୟାଗଡ଼ ରାଜା ଓ ତାଙ୍କର ଦେଓ୍ୱାନ୍ ବରଜୁ ପାଇକରାୟ ଜଗବନ୍ଧୁଙ୍କୁ ସରକାରଙ୍କର ସର୍ତ୍ତ ଗ୍ରହଣ କରି ଆତ୍ମସମର୍ପଣ କରିବାକୁ ପ୍ରବର୍ତ୍ତାଇଲେ । ଜଗବନ୍ଧୁ ଅନ୍ୟ ଉପାୟ ନପାଇ ସେହି ସର୍ତ୍ତକୁ ଗ୍ରହଣ କରି ମଇ ମାସ ୨୭ ତାରିଖ ୧୮୨୫ ମସିହାରେ ଆତ୍ମସମର୍ପଣ କଲେ । ତାଙ୍କ ସହ ତାଙ୍କର ୮ ଜଣ ବିଶ୍ଵସ୍ଥ ପାର୍ଶ୍ଵଚର ମଧ୍ୟ ଆତ୍ମସମର୍ପଣ କଲେ । ବକ୍ସି ଜଗବନ୍ଧୁଙ୍କୁ ଇଂରେଜ ସରକାର କଟକସ୍ଥିତ ବକ୍ସି ବଜାରଠାରେ ଗୃହବନ୍ଦୀ କରି ରଖିଲେ । ସେହିଠାରେ ୧୮୨୯ ମସିହା ଜାନୁଆରୀ ୨୪ ତାରିଖରେ ବକ୍ସିଙ୍କର ଜୀବନଦୀପ ନିର୍ବାପିତ ହେଲା ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

  1. ଶ୍ରୀ ସୁଧାକର ପଟ୍ଟନାୟକ ଜଗବନ୍ଧୁଙ୍କ ବଂଶାବଳୀ ସମ୍ବନ୍ଧରେ ଗୋଟିଏ ପୋଥିରୁ କିଛି ସୂଚନା ପାଇଥିଲେ । ସେହି ପୋଥି ଅନୁସାରେ ଜଗବନ୍ଧୁ ବିଦ୍ୟାଧର ଭୋଇବଂଶର ପ୍ରଥମ ରାଜା ଗୋବିନ୍ଦ ବିଦ୍ୟାଧରଙ୍କ ମନ୍ତ୍ରୀ ଦନେଇ ବିଦ୍ୟାଧରଙ୍କ ଅଷ୍ଟମ ବଂଶଧର । ଜଗବନ୍ଧୁଙ୍କର ପଦବୀ ବିଦ୍ୟାଧର ହୋଇଥିବାରୁ ତାଙ୍କର କେତେକ ଦେଶୀୟ ରାଜାଙ୍କ ସହିତ ବୈବାହିକ ସମ୍ବନ୍ଧ ଥିବାରୁ ଏହି ତଥ୍ୟ ସତ୍ୟ ବୋଲି ମନେ ହୁଏ ।[୧]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]