ପାନ

ଉଇକିପିଡ଼ିଆ ରୁ
ଏହି ଲେଖାଟି ପାନ ନାମକ ଲତା ବାବଦରେ । ଏହି ଲତାର ପତ୍ର ତଥା ଅନ୍ୟାନ୍ୟ ମସଲାରୁ ପ୍ରସ୍ତୁତ ମୁଖଶୋଧକ ଖିଲି ବା ଖିଲ ପାଇଁ, ଖିଲିପାନ ପ୍ରସଙ୍ଗଟି ଦେଖନ୍ତୁ ।
ପାନ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiospermae
(unranked): Magnoliidae
ଗଣ: Piperales
କୁଳ: Piperaceae
ପ୍ରଜାତି: Piper
ଜାତି: P. betle
ବାଇନୋମିଆଲ ନାଆଁ
Piper betle
L.
ପାନ ପତ୍ର

ପାନ ଶବ୍ଦର ଅନ୍ୟାନ୍ୟ ଆଭିଧାନିକ ଅର୍ଥଗୁଡ଼ିକ ହେଲା, ପାନୀୟ, ପିଇବା, ଔଷଧାଦିର ମାତ୍ରା ବିଶେଷ ।

ବିଭିନ୍ନ ନାମ[ସମ୍ପାଦନା]

ପାନକୁ ତାମ୍ବୁଳ, ପୂର୍ଣ୍ଣ ତାମ୍ବୁଳ, ଭୁଜ୍ୟଲତା, ସପ୍ତଲତା, ଓ ନାଗବଲ୍ଲୀ ବୋଲି କୁହା ଯାଇଥାଏ। ନାଗବଲ୍ଲୀ ରସ ପାନ କରି ମୃତ ରାଜପୁତ୍ର ଜୀବନ ପାଇଥିବାର ପ୍ରବାଦ ରହିଛି। ତେଣୁ ଏହାକୁ ପ୍ରାଣ ବୋଲି କୁହାଯାଉଥିଲା। କାଳକ୍ରମେ ଏହା ଅପଭ୍ରଂଶ ହୋଇ ପାନ ନାମରେ ବିଦିତ ହୋଇଛି।

  • ଓଡ଼ିଆ, ବଙ୍ଗଳା, ଅସମୀୟା, ହିନ୍ଦୀ, ଗୁଜରାଟୀ ଓ ପଞ୍ଜାବୀ ଭାଷା – ପାନ
  • ମରାଠୀ – ନାଗବଲ୍ଲୀ
  • ତାମିଲ୍- ଭେଟିଲଇ
  • କନ୍ନଡ଼ – ଭିଲ୍ୟାଡ଼ା ଏଲେ
  • ତେଲୁଗୁ – ତମାଳପାକୁ
  • ମାଲାୟଲମ୍ – ଭେଟିଲା କୋଡ଼ି

ପାନର ଇତିହାସ[ସମ୍ପାଦନା]

ପାନର ଜନ୍ମ ଦକ୍ଷିଣ ପୂର୍ବ ଏସିଆରେ, ଖ୍ରୀଷ୍ଟପୂର୍ବ ୩୪୦ରେ ହୋଇଥିଲା। ଗ୍ରୀକ୍ ଐତିହାସିକ ହେରୋଡଟସ୍ ପ୍ରଥମେ ପାନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ତାଙ୍କ ହିସାବରେ ପାନର ଜନ୍ମ ମାଳୟ। କିନ୍ତୁ ମହାଭାରତ ଯୁଗ (ଖ୍ରୀ.ପୂ. ୮୦୦ ରୁ ୩୫୦ ଅବ୍ଦ)ରେ ପାନ ମୁଖବାସ ରୂପେ ବ୍ୟବହାର ହେଉଥିବାର ସୂଚନା ରହିଛି।
ଏହାଛଡ଼ା ଜୟପୁର ଧାନର ଜନ୍ମସ୍ଥାନ ପରି ଗଞ୍ଜାମର ହିଞ୍ଜିଳିକାଟୁ ପାନର ଉତ୍ପତ୍ତି ସ୍ଥଳ ବୋଲି ଉଦ୍ଭିଦବିତ୍ ମାନେ ମତ ପୋଷଣ କରିଥାନ୍ତି।

ପାନ ଗଛ[ସମ୍ପାଦନା]

ପାନ ଏକ ଗ୍ରୀଷ୍ମ ମଣ୍ଡଳୀୟ ବହୁ ବର୍ଷୀୟ (୧୦-୫୦), ପୃଥକ୍ ଲିଙ୍ଗୀ ବା ଏକ ଲିଙ୍ଗୀ, ଚିର ହରିତ୍, କୋମଳ (ମାଂସଳ) ଆରୋହୀ ଲତା ବିଶେଷ।। ପ୍ରତିଟି ଗଣ୍ଠି(ଆଖି)ରୁ ଅଠାଯୁକ୍ତ ଆସ୍ଥାନିକ ଚେର (ଚେର ପରି ଏକ ପ୍ରକାରର ଡେମ୍ଫ) ବାହାରେ ଯାହା ରଞ୍ଜା ସାହାଯ୍ୟରେ ବା କୌଣସି ଆଧାରକୁ ଜାବୁଡ଼ି ଧରି ମାଡ଼ିଥାଏ। ପ୍ରତି ଗଣ୍ଠିରେ ଗୋଟିଏ ପତ୍ର ଓ ଗୋଟିଏ ଆସ୍ଥାନିକ ଚେର ରହିଥାଏ। ପାନର ପତ୍ର ହୃଦୟ ଆକାରର। ପତ୍ର ଗୁଡ଼ିକ ପରସ୍ପର ବିପରୀତ ଦିଗର ମାଡିଥାଏ। ପାନ ଫୁଲ ନେନ୍ଥା ଉପକର୍ଣ୍ଣ ଘେରରେ ରହିଥାଏ। ଏହି ନେନ୍ଥାର ମୂଳ ଭାଗରେ ଏକଲିଙ୍ଗୀ ମାଈ ଫୁଲ ଓ ଉପର ଭାଗରେ ଏକଲିଙ୍ଗୀ ଅଣ୍ଡିରା ଫୁଲ ରହିଥାଏ। ପାନ ମଞ୍ଜିଟି ଆକାରରେ ଛୋଟ ଓ ଏହାର ବାହାର ଭାଗରେ ଟାଣ ଆବରଣ ରହିଥିବାବେଳେ, ଭିତର ଅଂଶଟି ମାଂସଳ ହୋଇଥାଏ। ପାନ ଗଛରେ କ୍ୱଚିତ ଫୁଲ ଫଳ ଧରିବା କାରଣରୁ ଏହାର ବଂଶ ବିସ୍ତାର ମଞ୍ଜି ପରିବର୍ତ୍ତେ ଡଙ୍କରୁ ହୋଇଥାଏ।

ପାନର କିସମ[ସମ୍ପାଦନା]

(ଏଠାରେ କେବଳ ଓଡ଼ିଶାରେ ଉପଲବ୍ଧ ପାନର କିସମ ବିଷୟରେ ବର୍ଣ୍ଣନା କରାଯାଇଛି।)
କିସମ ଭେଦରେ ପାନ ଦୁଇ ପ୍ରକାରର – “ଛାଚି ପାନ” ବା “ସାରୁଆ ପାନ” ଓ “ମେଳକ” (ଉନ୍ନତ) ପାନ ।

  1. ଛାଚି ପାନ ସ୍ୱାଦଯୁକ୍ତ ହେଲେ ବି କମ୍ ଅମଳକ୍ଷମ। ଏହି ଲତା ଗଛ ଛାଇରେ ପ୍ରାକୃତିକ ପରିବେଶରେ ବଢ଼େ। ସାଧାରଣତଃ ଅଗସ୍ତି ଗଛରେ ଲଟିଥାଏ। ଗଞ୍ଜାମ ଜିଲ୍ଲାର ଚିକିଟି, ଗୋଳନ୍ଥରା, ଶିକିରି, ବୁରୁପୋଡ଼ା ଆଦି ଅଞ୍ଚଳରେ ଏହା ଦେଖିବାକୁ ମିଳେ।
  2. ମେଳକ (ଉନ୍ନତ) ପାନ ତିନି ପ୍ରକାରର – “ନାଉଆ”, “ଆଳୁ ପତ୍ରିଆ” ଓ “ରାଶି ମେଳକ”। ଅଞ୍ଚଳ ଭେଦରେ ଏହାର ନାଁ ଅଲଗା ଅଲଗା ହୋଇଥାଏ। ଏମାନଙ୍କ ଭିତରୁ ରାଶି ପାନର ରଙ୍ଗ, ଆକାର, ସ୍ୱାଦ ଓ ରହିବାଗୁଣ ସବୁଠାରୁ ଅଧିକ। ମେଳକ ପାନକୁ ସାଲେପୁର ଅଞ୍ଚଳରେ “ପାଗା”, ମଧୁବନ ଓ ସିଙ୍ଗାପୁର ଅଞ୍ଚଳରେ “ରାଶି”, ବାଲେଶ୍ୱର ଭୋଗରାଇ ଅଞ୍ଚଳରେ “ବିରିକୋଳି”, “ମାଟିଆଳି”, ବାଲିଆପାଳ ଅଞ୍ଚଳରେ “ବାଲିପାନ” କହିଥାନ୍ତି। ନାଉଆ ଓ ଆଳୁ ପତ୍ରିଆ ପାନର ଆକାର ବଡ଼, ରଙ୍ଗ ଗାଢ଼ ସବୁଜ, ଡେମ୍ଫ ଲମ୍ବ, ସ୍ୱାଦ ରାଗୁଆ, ରସୁଆଳ ଓ ସାମାନ୍ୟ ପାରୁଆ। ଏହାକୁ ଚୋବାଇଲେ ପାରୁ ଦାନ୍ତରେ ଲାଗିରହେ। ଏହାର ରହିବା ଓ ରୋଗ ସହଣୀ ଗୁଣ କମ୍।

ଦେଶୀପାନ, ମିଠାପତ୍ର ପାନ, ମଘୀପାନ ଓ ଚନ୍ଦ୍ରକଣା ପାନ ଭେଦରେ ମଧ୍ୟ ପାନର ଚାରିଟି କିସମ ରହିଛି ।

  1. ଦେଶୀପାନ” : ଏହା ବ୍ୟାପକ ଭାବରେ ଓଡ଼ିଶାରେ ଚାଷ କରାଯାଏ ।
  2. ମିଠାପତ୍ର ପାନ” : ଏହା ଓଡ଼ିଶାର ଜଳବାୟୁରେ ଭଲ ହୁଏନାହିଁ, ତେଣୁ ପ୍ରାୟ ଚାଷ କରାଯାଏ ନାହିଁ ।
  3. ମଘୀପାନ” : ଏହା ଓଡ଼ିଶାରେ ବିରଳ ।
  4. ଚନ୍ଦ୍ରକଣା ପାନ” : ମଘୀପାନ ଓ ଚନ୍ଦ୍ରକଣାପାନ ଚାଷ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳ ନ ହେବାରୁ ଏହି କିସମ ଗୁଡ଼ିକ ଓଡ଼ିଆ ବରଜୀମାନେ ସାଧାରଣତଃ ଚାଷ କରନ୍ତି ନାହିଁ ।
  5. ବଙ୍ଗାଳିପାନ” ନାମରେ ଆଉ ଏକ କିସମ ମଧ୍ୟ ରହିଅଛି । ପାନଚାଷୀମାନଙ୍କ କହିବା ଅନୁସାରେ ଏହି ପାନର ମଞ୍ଜି ପ୍ରଥମେ ବଙ୍ଗଳାରୁ ଆସିଥିବାରୁ ଏହାର ନାମକରଣ ଏପରି ହୋଇଛି ।

ପାନ ପତ୍ର କଞ୍ଚା ଓ ପାଚିଲା ଉଭୟ ପ୍ରକାରରେ ବିକ୍ରି ହୋଇଥାଏ। ପାନକୁ ଝୁଡିରେ ସଜାଇ ତାକୁ ଏକ ଆବଦ୍ଧ କୋଠରୀରେ ରଖାଯାଏ। ଏହି କୋଠରୀର ତାପମାତ୍ରାକୁ ହିଟର ସାହାଯ୍ୟରେ ବାରମ୍ବାର ବଢାଇ ଦିଆଯାଏ ଓ ମଝିରେ ମଝିରେ କମ୍ କରିଦିଆଯାଏ। ଏହାଫଳରେ ଟୁକୁରିରେ ଥିବା ପାନ ପତ୍ର ଗୁଡ଼ିକ ପାଚି ହଳଦିଆ ପଡ଼ିଯାଏ। ଏହି ପାଚିଲା ପାନପତ୍ର ଗୁଡ଼ିକର ଦାମ୍ ବଜାରରେ ବେଶି ।

ପାନଚାଷ[ସମ୍ପାଦନା]

ଓଡ଼ିଆରେ ପ୍ରବାଦ ଅଛି “ଷୋହଳ ଚାଷେ ମୂଳା, ତା’ର ଅର୍ଦ୍ଧେକ ତୁଳା, ତା’ର ଅର୍ଦ୍ଧେକ ଧାନ, ବିନା ଚାଷେ ପାନ।“ ପୁରାକାଳରେ ଗଛ ଛାଇରେ, ଜଙ୍ଗଲର ଚିର ଉଷ୍ମ-ଆର୍ଦ୍ର ଜଳବାୟୁର ଉର୍ବର ଆର୍ଦ୍ର ମୃତ୍ତିକାରେ ପାନ ଜଙ୍ଗଲୀ ଲତା ରୂପେ ବଢୁଥିଲା। ଅନ୍ୟାନ୍ୟ ପତ୍ର ସହିତ ମିଶାଇ ଏହାକୁ ଆଗରୁ ଶାଗ ହିସାବରେ ଖିଆ ଯାଉଥିଲା। ଏହାର କଫ ଓ ଶ୍ଳେଷ୍ମା ନାଶକ ପ୍ରକୃତି କାରଣରୁ ଏହାକୁ ପରବର୍ତ୍ତୀ କାଳରେ ଚାଷ କରାଗଲା।
ପାନଚାଷ ଏକ ସୂକ୍ଷ୍ମ କଳା। ଏଥିପାଇଁ ନିଗିଡ଼ା ବାଲିଆ ଦୋରସା ମାଟି ତଥା ସବୁଦିନିଆ ଜଳ ସେଚନ ବ୍ୟବସ୍ଥା ଆବଶ୍ୟକ। ବର୍ଷାଋତୁକୁ ଛାଡ଼ିଦେଲେ ଅନ୍ୟ ସବୁ ଋତୁରେ ପାନ ଚାଷ ଆରମ୍ଭ କରାଯାଇଥାଏ। ଶୀତଦିନେ ପାନ ଚାଷ କରିବା ବ୍ୟୟ ବହୁଳ। ବର୍ଷରେ ଦୁଇଥର ପାନ ଚାରା ରୋପଣ କରାଯାଏ। ନଭେମ୍ବର କିମ୍ବା ମାର୍ଚ୍ଚ ମାସରେ ପାନ ରୋପିଲେ ସହଜରେ ଗଛ ହୁଏ। ଗଛ ଲଗାଇବାର ପଚିଶ ଦିନ ପରେ ସାର ଦେବାକୁ ହୋଇଥାଏ। ସୋରିଷ, ରାଶି, ଚିନା ବାଦାମ ବା କରଞ୍ଜ ପିଡିଆ ଆଦି ପାନ ଗଛମୂଳେ ଦିଆ ଯାଇଥାଏ। ପାନ ଗଛ ୩୫ ରୁ ୪୫ ସେ.ମି. ହୋଇଗଲେ ଏହାର ଡଙ୍କକୁ ଖଡ଼ି କାଠି ବା ରଞ୍ଜାଦେହରେ ଜୁଣରେ ବାନ୍ଧି ଦିଆଯାଏ। ଏହିପରି ପାନଗଛ ଉପରକୁ ଉଠିଗଲେ, ମୂଳଆଡ଼ୁ ପାନ ତୋଳିନେଇ ମୁଳକୁ ମାଟିରେ ପୋତି ଦିଆଯାଏ। ଏହାକୁ ‘ଲ’ ଓହ୍ଲାଇବା ମଧ୍ୟ କୁହାଯାଏ।

ପାନର ରୋଗ[ସମ୍ପାଦନା]

ପାନ ଗଛରେ ହେଉଥିବା ବିଭିନ୍ନ ପ୍ରକାର ରୋଗ ଭିତରେ ମୁଖ୍ୟ ରୋଗ କେତୋଟି ହେଲା :

  • “କଳାଦୋଷ” : ଅକସ୍ମାତ ଗଛମୂଳଆଡୁ ପ୍ରାୟ ଚାଖଣ୍ଡେ ଖଣ୍ଡ କଳା ପଡ଼ିଯାଏ ଓ ଗଛ ମରିଯାଏ।
  • “ଦହିଆ” : ମୂଳପାଖରୁ ଗଛ ଲାଳୁଆ ହୋଇଯାଇ ପଡ଼ିଯାଏ। ଏହି ରୋଗ ଦେଶୀ ପାନଗଛରେ ବେଶୀ ହୋଇଥାଏ। ଏପରିକି ଗୋଟିଏ ରାତିରେ ପୂରା ପାନ ବରଜର ସବୁଯାକ ଗଛ ଆକ୍ରାନ୍ତ ହୋଇଯାଆନ୍ତି। ଏହି ରୋଗ ଦୂରକରିବାପାଇଁ ପ୍ରାଥମିକ ଅବସ୍ଥାରେ ସୋଡ଼ା ବ୍ୟବହାର କରାଯାଏ। ଏହା ବ୍ୟତୀତ କୁମାୟଲ, ଡାଇଥେନ ଏମ୍-୪୫ ଓ ଇଣ୍ଡୋଫିଲ ପରି ଔଷଧର ପ୍ରୟୋଗ ମଧ୍ୟ କରାଯାଇଥାଏ।
  • “ଘାଡମଗରା” : ଏଇ ରୋଗରେ ଗଛର ଅଗ କଳା ପଡ଼ିଯାଏ ଓ ଗଛ ଆଉ ଆଗକୁ ନ ଲଟି ଗଳି ପଡ଼େ।
  • “ମଇନା” : ଏହି ରୋଗ ଧରିଲେ ଗଛ ଆଉ ନ ବଢ଼ି ମୁଣ୍ଡିଆ ହୋଇଯାଏ। ଫଳରେ ଆଉ ପତ୍ର କଅଁଳେ ନାହିଁ। ଏହାର କୌଣସି ପ୍ରତିଷେଧକ ଆଜିଯାଏ ଉପଲବ୍ଧ ହୋଇନାହିଁ। ଏମିତି ହେଲେ ଗଛର ତଳି ଉଠାଇ ନେଇ ସାନି(ପୁଣିଥରେ) ଗଛ ଲଗାଯାଏ।

ଏହାଛଡ଼ା ବୈଶାଖ ଓ ଜ୍ୟେଷ୍ଠ ମାସରେ ପାନ ଗଛରେ “ଦହିଆ” ଓ “କଳାରୋଗ” ବ୍ୟାପକ ଭାବରେ ଦେଖାଯାଏ।

ଓଡ଼ିଶାରେ ପାନଚାଷ[ସମ୍ପାଦନା]

ଓଡ଼ିଶାରେ ପାନଚାଷ ଅତି ପ୍ରାଚୀନ। ଏହାର ଏକ ସ୍ୱତନ୍ତ୍ର ଐତିହ୍ୟ ଓ ପରମ୍ପରା ରହିଛି। ବଙ୍ଗୋପସାଗର ଉପକୂଳବର୍ତ୍ତୀ ଚାରୋଟି ଜିଲ୍ଲା, ବାଲେଶ୍ୱର, କଟକ, ପୁରୀଗଞ୍ଜାମର ପ୍ରାୟ ୨୦ରୁ ୩୦ କିଲୋମିଟର ଅଭ୍ୟନ୍ତର ସ୍ଥଳଭାଗରେ ପାଖାପାଖି ୮୦୦ ହେକ୍ଟର ଜମିରେ ଚାଷ ହୋଇ ଆସୁଛି। ପାନ ଚାଷପାଇଁ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଏହି ଜଳବାୟୁ ପୃଥିବୀର ଅନ୍ୟ କୌଣସି ଜଳବାୟୁ ଠାରୁ ଉତ୍କୃଷ୍ଟ।

ଓଡ଼ିଶାର ବାଲେଶ୍ୱର, ଗଞ୍ଜାମର ଶୋଳନ୍ଥରା, ଶିକିରି, ବୁରୁପୋଡ଼ା ଓ ଚିକିଟିରେ ପ୍ରାକୃତିକ ବନ ପରିବେଶରେ ପାନ ଲତା ମାଡ଼ୁଥିବାର ଦେଖା ଯାଇଥାଏ।

ପାନ ବରଜ[ସମ୍ପାଦନା]

ପାନଚାଷ କରିବାପାଇଁ ମୂଳତଃ ବାଉଁଶରେ ତିଆରି କରାଯାଉଥିବା ସ୍ୱତନ୍ତ୍ର ପ୍ରକାରର ପ୍ରାକୃତିକ ଘର(ଆବଦ୍ଧ କ୍ଷେତ୍ର)କୁ “ପାନ ବରଜ” କୁହାଯାଏ। ବଙ୍ଗଳା ଭାଷାରେ ପାନ ବରଜକୁ ବରେଇ କୁହାଯାଏ। ଯେଉଁମାନେ ବରଜରେ ପାନଚାଷ କରନ୍ତି, ସେମାନଙ୍କୁ “ବରଜୀ” କୁହାଯାଏ।
ଗୋଟିଏ ବରଜର କ୍ଷେତ୍ରଫଳ ପ୍ରାୟ ଦୁଇ ଡେସିମିଲ୍। ଏହାର ଚାରିପଟରେ ପଥରବନ୍ଧ ଓ ତା ଉପରେ ବାଲିମାଟି ଦିଆଯାଇ ବାଉଁଶ, କାଠ ଓ ଇକଡ଼ (ଖଡ଼ିକା) ଓ ପ୍ରାୟ ଦୁଇ କ୍ୱିଣ୍ଟାଲ ଜି.ଆଇ.ତାରଦ୍ୱାରା ବନ୍ଧାଯାଇ ତାକୁ ଏକ ମଞ୍ଚାର ରୂପ ଦିଆଯାଏ। ଏହାତଳେ ପାନ “କଡ଼ମା” (ପୁଆ) ଧାଡ଼ି ଧାଡ଼ିକରି ଲଗାଯାଏ। କଡ଼ମାଟି ଲଟେଇବା ଆରମ୍ଭ କଲାମାତ୍ରେ, ତାକୁ ଖଡ଼ିକା ଦେହରେ ବାନ୍ଧି ସିଧା ଉପରକୁ ଟୁଇ ପର୍ଯ୍ୟନ୍ତ ମଡ଼େଇ ଦିଆଯାଏ। ଗୋଟିଏ ଗଛ ଟୁଇ ପର୍ଯ୍ୟନ୍ତ ପହଞ୍ଚିବାକୁ ଶୀତ ଦିନରେ ପ୍ରାୟ ୩ ରୁ ୪ ମାସ ସମୟ ଲାଗେ। ଗୋଟିଏ ଛୋଟିଆ ସାଧାରଣ ବରଜ ତିଆରି ପାଇଁ ଖର୍ଚ୍ଚ ପ୍ରାୟ କୋଡ଼ିଏରୁ ପଚିଶି ହଜାର ଟଙ୍କା ହୋଇଥାଏ।
ଅନ୍ୟାନ୍ୟ ସ୍ଥାନରେ ପାନ ବରଜର ପରମାୟୁ ୨ ରୁ ୩ ବର୍ଷଯାଏଁ ଆରମ୍ଭ କରି ୫ ରୁ ୧୦ ବର୍ଷ ହୋଇଥିବା ସ୍ଥଳେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପରମାୟୁ ୨୦ ରୁ ୩୦ ବର୍ଷଠାରୁ ଆରମ୍ଭ କରି ୪୫ ରୁ ୫୦ ବର୍ଷ ପର୍ଯ୍ୟନ୍ତ।
ବାଲେଶ୍ୱର ଓ ବାଲିଆପାଳର ଚାଷୀମାନେ କଡ଼ମା (ପୁଆ) ପାଇଁ ପଶ୍ଚିମ ବଙ୍ଗର ଉପରେ ନିର୍ଭର କରିଥାନ୍ତି। ଦେଶୀ ପାନର କଡ଼ମା ମୋହନପୁର ଆଦି ଅଞ୍ଚଳରୁ ଓ ଚନ୍ଦ୍ରକଣା ପାନର କଡ଼ମା ସାଦି ଓ ଖଇରଗଣ୍ତା (ରାମନଗର) ଅଞ୍ଚଳରୁ ମିଳିଥାଏ। ପଶ୍ଚିମବଙ୍ଗର ଅଠାଳିଆ ମାଟିରେ ଜାତହୋଇଥିବା କଡ଼ମା ଗୁଡ଼ିକ ବାଲେଶ୍ୱରର ବାଲିଆ ମାଟିରେ ଭଲ ବଢ଼ୁଥିବାରୁ ବରଜୀମାନେ ଏହାକୁ ସେଠାରୁ କିଣିଆଣିବାକୁ ପସନ୍ଦ କରିଥାନ୍ତି।
ଓଡ଼ିଶାର ପୁରୀ ଜିଲ୍ଲାରେ ଚନ୍ଦନପୁର, ପିପିଲି, ନିମାପଡ଼ା ନିକଟବର୍ତ୍ତୀ ନୂଆହାଟ, କୁଣ୍ଢେଇ, ଓଥକା, ଉଦୟପୁର, ବାଙ୍ଗୁରିଗାଁ, ନାସିକେଶର, କଣିଆ, ତରପଦା, ତେନ୍ତୁଳିଆ, ବାଣିଆ, ତଣ୍ଡାହର, ସିରେଇ, ଇନାୟତପୁର, ତଇଆ, ଅସୁରଖଳା, ରତ୍ନପୁର, ଓଲା, କୋରଣା, କୁସୁମ୍ଭର, ଅସ୍ତରଙ୍ଗ, କେନ୍ଦ୍ରାପଟି, ଜୁନ୍ତୁ, କାକଟପୁର ଓ ପ୍ରାଚୀନଦୀ କୂଳର ବିଭିନ୍ନ ଗ୍ରାମ, ଜଳେଶ୍ୱରପଦା, ପାଣିଛତ୍ର, ବନ୍ତୀଳ ଆଦି ଗ୍ରାମ।
କଟକ ଜିଲ୍ଲାର ନିଆଳୀ, ମାଧବ ଏହାର ଆଖପାଖ ଗ୍ରାମ।
ଉତ୍ତର ଓଡ଼ିଶାର ଅର୍ଥନୈତିକ ସମୃଦ୍ଧିଦିଗରେ ପାନଚାଷର ବହୁତ ବଡ଼ ଯୋଗଦାନ ରହିଛି। ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ଜଳେଶ୍ୱର, ଚନ୍ଦନେଶ୍ୱର, ଲଙ୍ଗଳେଶ୍ୱରବାଲିଆପାଳର ସିମୁଳିଆ ହାଟଠାରୁ ପ୍ରାୟ ଦଶ କିଲୋମିଟର ଦୂର ଚଉମୁଖ ଗ୍ରାମ, ଓ ନିକଟବର୍ତ୍ତୀ ଡଗରା, ଜମତକୁଲା, ଆମଚୁଆ, ଯୁଗଡିହା, ବେତଗଡ଼ିଆ, ଅଳାଡ଼ିହା, ରତାଇ, ନୂଆଗାଁ, ଜମ୍ଭିରାଇ, ନାରଣପୁରା ଓ ନାରାୟଣପୁର ତାନ୍ତା ଇତ୍ୟାଦି ପାନ ଚାଷ ସହିତ ପାନ, ଗୁଆ, ନଡ଼ିଆ, କାଜୁ ବାଦମ, ଚିନା ବାଦାମ, ମସିଣା, ସପକାଠି, ଓ ଖଡ଼ିକା ଚାଷ ପାଇଁ ମଧ୍ୟ ପ୍ରସିଦ୍ଧ।

ଗଞ୍ଜାମ ଜିଲ୍ଲାର ଶୋଳନ୍ଥରା, ଶିକିରି, ବୁରୁପୋଡ଼ା ଓ ଚିକିଟି ଆଦି ସ୍ଥାନରେ ପାନ ବରଜ ରହିଛି।
ଚନ୍ଦନପୁର ଅଞ୍ଚଳର ପାନ ପତଳା ଓ ସ୍ୱାଦିଷ୍ଠ। ଏ ଅଞ୍ଚଳରେ ଛାଚି ପାନର ଉତ୍ପାଦନ ବହୁତ କମ୍। ଭାର୍ଗବୀ ନଦୀ କୂଳେ କୂଳେ ବିସ୍ତୃତ ପାନ ବରଜ ହେଉଛି ଚନ୍ଦନପୁରର ଐଶ୍ୱର୍ଯ୍ୟ। ଭୁବନେଶ୍ୱରରୁ ପୁରୀ ବସରେ ଗଲା ବାଟରେ ରାସ୍ତାକଡ଼େ କଡ଼େ ମଧ୍ୟ ଅନେକ ପାନ ବରଜ ଦେଖିବାକୁ ମିଳିଥାଏ।

ପାନ ଚାଷର ସମସ୍ୟା[ସମ୍ପାଦନା]

ପାନବରଜ ତିଆରି ପାଇଁ ଆନୁସଙ୍ଗିକ ଉପକରଣ, ବିଶେଷକରି ବାଉଁଶର ଅତ୍ୟଧିକ ଦରବୃଦ୍ଧି, ମୂଲ ମଜୁରୀ, ସାର ପିଡ଼ିଆ ଆଦିର ଦର ବୃଦ୍ଧି ହେତୁରୁ ପାନ ଚାଷ ଏବେ ଆଉ ଲାଭଜନକ ଚାଷ ହୋଇ ରହିନାହିଁ ବୋଲି ବରଜୀମାନେ ମତ ଦିଅନ୍ତି।

ପାନ ବ୍ୟବସାୟ[ସମ୍ପାଦନା]

ବ୍ୟସ୍ତ ପାନ ବେପାରୀ ଓ ତା’ର ପାନର ପସରା

ଚାରା ରୋପଣର ଛଅ ମାସ ଭିତରେ ପାନ ଅମଳ ଆରମ୍ଭ ହୁଏ। ପ୍ରତି ପନ୍ଦର ଦିନରେ ପ୍ରାୟ ଥରେ ପାନ ତୋଳାଯାଏ ଓ ଡଙ୍କକୁ ମାଟି ପିନ୍ଧେଇ ଦିଆଯାଏ। ପାନ ପତ୍ର ସବୁକୁ ଭଲଭାବରେ ଧୋଇ ସାନ ବଡ଼ କ୍ରମେ ସଜାଇ ବାଉଁଶ ଝୁଡ଼ିରେ ୫୦ କିମ୍ବା ୧୦ଟି ଲେଖାଏଁ କ୍ରମରେ ସଜାଇ ବିଡ଼ା ବନ୍ଧାଯାଏ। ଓଦା ଅଖା, କଦଳୀ ପଟୁକା, ଓଦା କୁଟା, ନଡ଼ା କିମ୍ବା ଇଙ୍କଡ଼ ପତ୍ରରେ ଘୋଡେଇ ଝୁଡ଼ିରେ ଦୂରସ୍ଥାନକୁ ପଠାଇବାର ବ୍ୟବସ୍ଥା କରାଯାଏ।
ଓଡ଼ିଶାରୁ ପାନଝୁଡ଼ିକୁ ବନାରସ, ଆଗ୍ରା, ଟାଟାନଗର, ମୁମ୍ବାଇ, କାନପୁର, ଆଲ୍ଲାହାବାଦ, ଦିଲ୍ଲୀବାଙ୍ଗାଲୋର ଆଦି ଜାଗାକୁ ପଠାଯାଏ।
ବ୍ରହ୍ମପୁର ଅଞ୍ଚଳର ପାନ ବନାରସ ଯାଇଥାଏ। ବ୍ରହ୍ମପୁର ଅଞ୍ଚଳର ପାନ ଆକାରରେ ସାନ ଓ ଏଥିରେ ଅଧିକଦିନ ରହିବାର କ୍ଷମତା ଥିବାରୁ ଏହାକୁ ବାହାର ବେପାରୀମାନେ ପସନ୍ଦ କରିଥାନ୍ତି।
ଓଡ଼ିଶାର ଚନ୍ଦନପୁର ଅଞ୍ଚଳରୁ ପାନ ମଧ୍ୟପ୍ରଦେଶକୁ ପଠାଯାଏ। ପ୍ରତିବର୍ଷ ପଚାଶ ହଜାରରୁ ଏକଲକ୍ଷ ପର୍ଯ୍ୟନ୍ତ ପାନଝୁଡ଼ି ବଜାରକୁ ଯାଇଥାଏ।
ବାଲେଶ୍ୱରର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରୁ ଉଭୟ କଞ୍ଚା ଓ ପାଚିଲାପାନ ବାହାରକୁ ପଠାଯାଏ। ପ୍ରତିଦିନ ଓଡ଼ିଶାରୁ ହାରାହାରି ୨୦,୦୦୦ ପାନ ଝୁଡ଼ି ବଜାରକୁ ଯାଇଥାଏ। ପ୍ରତି ଝୁଡ଼ିର ଦାମ୍ ୭୦୦ ରୁ ୧୫୦୦ ଟଙ୍କା।
ଓଡ଼ିଶା ପାନର ବଜାର ଦିନକୁ ଦିନ କମିବାରେ ଲାଗିଛି। ପ୍ରଥମେ ବ୍ରହ୍ମପୁର ଅଞ୍ଚଳରୁ ବର୍ଷକୁ ୩୦୦ ଟ୍ରକ ପାନ ପଠାଯାଉଥିଲାବେଳେ ଏବେ କେବଳ ୩୦ ଟ୍ରକ ପାନ ପଠାଯାଉଅଛି।

ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗଦ୍ୱାରା ପାନର ଗୁଣବତ୍ତା ହ୍ରାସ ପାଇବାରୁ ଓ ସ୍ୱାଦଯୁକ୍ତ ପାକଳ ପାନ ଉପଯୁକ୍ତ ପରିମାଣରେ ନ ମିଳୁଥିବାରୁ ଓଡ଼ିଶାର ପାନ, ଯାହା ବନାରସରେ ସବୁଠାରୁ ଅଧିକ ଲୋକପ୍ରିୟଥିଲା ତା’ର ଆଗ ଚାହିଦା ଆଉ ନାହିଁ।

ପାନର ଉପଯୋଗ[ସମ୍ପାଦନା]

ଔଷଧୀୟ[ସମ୍ପାଦନା]

ପାନରସରେ ବହୁ ପରିମାଣରେ ଅମ୍ଳ, ଧତବ ଲବଣ, ଜୀବନିକା ରହିଥାଏ। ଆୟୁର୍ବେଦ ଚିକିତ୍ସାରେ ପାନରସର ବ୍ୟବହାର ଅତି ବ୍ୟାପକ। ପାନରସ ବାତ, ପିତ୍ତ ଓ କଫ ନାଶକ। ପାନ ତେଲ ଶ୍ଳେଷ୍ମା, ଆମାଶୟ, ଅତିସାର, ଯକ୍ଷ୍ମା, ସନ୍ନିପାତ, କଣ୍ଠରୋଗ ଓ ଫୁସଫୁସ ରୋଗର ପ୍ରଶମକ। ପାନ ପତ୍ରକୁ ଚୋବାଇଲେ ମୁଖର ଦୁର୍ଗନ୍ଧ ଦୂର ହୋଇଥାଏ। [୧]ପାନର କେତୋଟି ଔଷଧୀୟ ପ୍ରୟୋଗ ନିମ୍ନରେ ଦିଆଗଲା:

  • ସର୍ଦ୍ଦି, ପେଟଟଣା, ବଦହଜମି, ଅତିସାର, ମୂର୍ଚ୍ଛା ଆଦିରେ ପାନରସ ମହୁସହିତ ପ୍ରୟୋଗ କରାଯାଏ।
  • ଅଚେତ୍ ହୋଇଥିଲେ ଗାଈଦୁଧ ସହିତ ପ୍ରୟୋଗ କରାଯାଏ।
  • ମାଢ଼ିକ୍ଷତରେ ପାନରସକୁ ପାଣିରେ ମିଶାଇ କୁଳିକରାଯାଏ।
  • ପାନରସକୁ ମୁଣ୍ଡରେ ଘସିଲେ ଉକୁଣୀ ମରିଯାନ୍ତି।
  • ଚକ୍ଷୁରୋଗ, ଅନ୍ଧାରକଣା, ସର୍ପବିଷ, ମୁଣ୍ଡ ଯନ୍ତ୍ରଣା, କାନତଳ ଗ୍ରନ୍ଥିଫୁଲା, ସ୍ତନ ଗ୍ରନ୍ଥିଫୁଲା, କ୍ଷୀର ନିର୍ଗତ, କମ୍ପନ, ଅନିଦ୍ରା ଆଦି ଦୋଷ ହାରକ।
  • କାନପୂଜ ଓ କଣନଖାରେ ଉଷୁମ ପାନରସ ପ୍ରୟୋଗ କରାଯାଏ।
  • ଚର୍ମରୋଗ, କାଛୁକୁଣ୍ଡିଆ, ରମ୍ପା, ଯାଦୁ ଆଦିରେ ଉପକାରୀ। ଚୂନ ସହିତ ଭାତୁଡ଼ି ଓ ବ୍ରଣ ଆଦିରେ ଲେପ ଦେଲେ ଯନ୍ତ୍ରଣା ଉପଶମ କରେ।
  • ପାନର ପେଟପଟେ ପୁରୁଣା ଘିଅ ଲଗାଇ ବଥ ଉପରେ ପାରିଲେ ଘା’ ପଚାଇ ଫଟାଇ ଦିଏ।
  • ପାନମୂଳର ରସ ସାତଗୋଟି ଗୋଲମରିଚ ସହିତ ଖାଇଲେ ଗର୍ଭପାତ କରାଏ ଓ ଗର୍ଭରୋଧ କରେ।
  • ପାନଡେମ୍ଫ ମଳଦ୍ୱାର ଦେଇ ପ୍ରବେଶ କରାଇଲେ ଶିଶୁଙ୍କ ପେଟଫମ୍ପା ଦୂର ହୁଏ।
  • ପନଡେମ୍ଫ ଖାଇଲେ ଗାଈ ଦୁଧିଆଳୀ ହୁଏ।

ଏହାଛଡ଼ା ପାନରୁ ଅନେକପ୍ରକାରର ଔଷଧ, ରଙ୍ଗ, ଲଜେନସ, ଚକୋଲେଟ, ଥଣ୍ଡାପାନୀୟ ଓ ସୋମରସ ପରି ମୃଦୁ ମାଦକ ମଧ୍ୟ ତିଆରି ହୋଇଥାଏ।

ଅନ୍ୟାନ୍ୟ[ସମ୍ପାଦନା]

ଇତିହାସ କହେ ଯେ, ଆଗକାଳରେ ନାରୀମାନେ ନିଜ ଓଠକୁ ରଙ୍ଗ କରିବା ପାଇ ପାନ ଖାଉଥିଲେ । ସେମାନେ ପ୍ରାକୃତିକ ରଙ୍ଗ ହିସାବରେ ଏହାକୁ ବ୍ୟବହାର କରୁଥିଲେ । ଭାରତ, ଚୀନ, ନେପାଳ, ଭୁଟାନ, ବର୍ମା, ଥାଇଲାଣ୍ଡ, ମାଲେସିଆରେ ପାନକୁ ଆଭିଜାତ୍ୟର ଚିହ୍ନ ହିସାବରେ ବ୍ୟବହାର କରୁଥିଲେ ।

ସବୁଦେଶରେ, ସବୁକାଳରେ ଲୋକେ ସୌଖିନ ମୁଖବାସ, ଧର୍ମକର୍ମ ପୂଜାପଦ୍ଧତି, ଶାରୀରିକ କ୍ରିୟା, ଏକଲୟତା ଆଦିରେ ପାନକୁ ବ୍ୟବହାର କରିଥାନ୍ତି। ଗୁଆପାନ ଶ୍ରଦ୍ଧା, ସମ୍ମାନ ଓ ମଙ୍ଗଳ ସୂଚକ। ଚୂନପାନ ଗୋଦୁଗ୍ଧ ସମାନ ବୋଲି କୁହାଯାଏ। ବିଡ଼ିଆପାନ ବା ଖିଲପାନ ମୁଖ ମହକ, କଣ୍ଠ ସରଳ, ଖାଦ୍ୟ ପାଚକ ଓ ଅମ୍ଳ ନାଶକ। ପତ୍ରରେ ଥିବା ହରିତ କଣା ଜୀବନିକା ‘ଖ’ ଓ ‘ଗ’ରେ ଭରିଥାଏ । ଏହା ଦାନ୍ତ ମାଢିକୁ ମଜବୁତ କରିବା ସହିତ ମସ୍ତିସ୍କ, ଯକୃତ ଓ ହୃତପିଣ୍ଡକୁ ସତେଜ କରେ। ଦେହମନରେ ଉଲ୍ଲାସ ଓ ହରଷ ଆଣେ। ପୃଥିବୀରେ ପ୍ରାୟ ୪୦୦ନିୟୁତରୁ ଅଧିକ ଅଧିବାସୀ ଏକ ବା ଏକାଧିକ ଖିଲିପାନ ଚର୍ବଣ କରିଥାନ୍ତି ।

ଆଧାର[ସମ୍ପାଦନା]

  1. [Naveen Pattnaik, The Tree of Life]

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • ମାସିକ ଓଡ଼ିଆ ପତ୍ରିକା ସଚିତ୍ର ବିଜୟା, ଅପ୍ରେଲ ୧୯୯୯ ସଂଖ୍ୟା