ପାତାଳ ଗରୁଡ଼

ଉଇକିପିଡ଼ିଆ ରୁ
ପାତାଳ ଗରୁଡ଼
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଗଣ: Gentianales
କୁଳ: Apocynaceae
ପ୍ରଜାତି: Rauvolfia
ଜାତି: R. serpentina
ବାଇନୋମିଆଲ ନାଆଁ
Rauvolfia serpentina
(L.) Benth. ex Kurz[୧]

ପାତାଳଗରୁଡ଼ ଏକ ବହୁଦେଶୀୟ ଓ ବହୁବର୍ଷୀୟ ଔଷଧୀୟ ଗୁଳ୍ମ । ଏହା ଏକ ଚିରହରିତ ବୁଦାଳିଆଉଦ୍ଭିଦ । ଉଚ୍ଚତା ପ୍ରାୟ ୭୫ ସେ.ମି.ରୁ ୧ ମିଟର । ପତ୍ର ବଳୟରେ ରହେ । ପୁଷ୍ପ ଧବଳ କିମ୍ବା ଗୋଲାପି ଫଳ କ୍ଷୁଦ୍ର ୦.୫ ସେ.ମି. ବ୍ୟାସ, କଞ୍ଚା ବେଳେ ସବୁଜ, ପାଚି ଗଲେ ଚିକ୍କଣ, ଘନ ଲୋହିତ ବା କଳାରଙ୍ଗ । ଗଛର ଚେର ବର୍ତୁଳ, ବେଶ ଲମ୍ବା, ସର୍ପାକୃତି । ତେଣୁ ଏହାକୁ ସର୍ପେଣ୍ଟିନା କୁହାଯାଏ ।

ଏହାର ଚେରର ବ୍ୟାସ ୦.୫ ରୁ ୨.୫ ସେ.ମି । ଚେର ବକ୍କଳରେ ସମୁଦାୟ ଚେରର ୪୦-୬୦ ପ୍ରତିଶତ ଉପକ୍ଷାର ବା ଆଲକାଲଏଡ (alkaloid) ଥାଏ । ଚେର ମାଟି ତଳକୁ ୪୦ ରୁ ୬୦ ସେ.ମି. ପ୍ରବେଶ କରିଥାଏ । ଚେରରୁ ପ୍ରାୟ ୩୦ ପ୍ରକାର ଆଲକାଲଏଡ(କ୍ଷାର) ମିଳିଥାଏ। ଏଥିମଧ୍ୟରୁ ରିସରପିନ ପ୍ରଧାନ। ପାତାଳଗରୁଡ଼ ଉତ୍ପାଦନର ମୁଖ୍ୟ ଦେଶ ଭାରତ ବର୍ଷ । ଭାରତର ଦେଶ ଜଳବାୟୁରେ ଏହାର ଲାଭଜନକ ଚାଷ ହୋଇପାରେ । [୨]

ବିଭିନ୍ନ ଭାଷାରେ ନାମ[ସମ୍ପାଦନା]

  • ଇଂରାଜୀ ନାମ - ସର୍ପେଣ୍ଟିନା
  • ସଂସ୍କୃତ ନାମ - ସର୍ପଗନ୍ଧା,
  • ହିନ୍ଦି ନାମ -ଛୋଟା ଚାନ୍ଦ,
  • ଓଡ଼ିଆ ନାମ - ପାତାଳଗରୁଡ଼, ଭୂଇଁ କେରୁଆଁ ।

ପରିବ୍ୟାପ୍ତି[ସମ୍ପାଦନା]

ପାତାଳଗରୁଡ଼ ଏସିଆ, ଦକ୍ଷିଣ ଆମେରିକାଆଫ୍ରିକା ମହାଦେଶର କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁରେ ବଣ ଜଙ୍ଗଲର ପ୍ରାକୃତିକ ପରିବେଶରେ ବଢ଼ିଥାଏ । ଭାରତରେ ହିମାଳୟ ପାଦଦେଶ ୧୩୦୦-୧୪୦୦ ମିଟର ଉଚ୍ଚ ସ୍ଥାନରୁ ଆରମ୍ଭ କରି ହିମାଚଳ ପ୍ରଦେଶ, ଉତ୍ତରାଞ୍ଚଳ, ଉତ୍ତରପ୍ରଦେଶ, ଜାମ୍ମୁ ଓ କାଶ୍ମୀରର କେତେକ ଅଞ୍ଚଳ ସମତେ ଭାରତର ଆଉ ସମସ୍ତ ପ୍ରଦେଶରେ ଚାଷ ହୁଏ । ଓଡ଼ିଶାର ଜଙ୍ଗଲରେ ଦୁଇ ଜାତି -ରାଓଲଫିଆ ସର୍ପେଣ୍ଟିନା ଓ ରାଓଲଫିଆ ଟେଟ୍ରାଫିଲା (ବା ମଇଁଷିଆ ପାତାଳଗରୁଡ଼) ଦେଖାଯାଏ । [୨]

ଗୁଣଧର୍ମ[ସମ୍ପାଦନା]

ପ୍ରୟୋଗ[ସମ୍ପାଦନା]

ଔଷଧୀୟ[ସମ୍ପାଦନା]

ପାତାଳଗରୁଡ଼ ଚେର ମୁଖ୍ୟତଃ ଔଷଧ ରୂପେ ବ୍ୟବହାର ହୁଏ । ଏହାର ଚେରରୁ କେତେକ ପରିପୃକ୍ତ ଓ ଅପରିପୃକ୍ତ ସ୍ନେହାମ୍ଳ, ଓଲିଓରେଜିନ, ଷ୍ଟାର୍ଚ୍ଚ, ଆଲକୋହଲ ଓ ଶର୍କରା ଛଡ଼ା ପ୍ରାୟ ୩୦ ପ୍ରକାର ଔଷଧୀୟ ଗୁଣ ଯୁକ୍ତ ଆଲକାଲଏଡ ମିଳି ଥାଏ । ଏହାର ପତ୍ର ରେ ମଧ୍ୟ ଔଷଧୀୟ ଗୁଣ ଥିବାର ବର୍ଣ୍ଣନା ରହିଛି । ନେଉଳ ଗୋଖର ସହ ଲଢ଼ିବା ପୂର୍ବରୁ ଓ ପରେ ପାତାଳ ଗରୁଡ଼ ପତ୍ର ଚର୍ବଣ କରିବା ଦେଖାଯାଏ । ଔଷଧୀୟ ବ୍ୟବହାର ଇତିହାସ ଆଜକୁ ପ୍ରାୟ ୪୦୦୦ ବର୍ଷ ପୂର୍ବରୁ ଏହାର ଚେର କଫ, ବାତ ଇତ୍ୟାଦି ରୋଗ ଚିକିତ୍ସାରେ ବ୍ୟବହାର ହୋଇ ଆସୁଛି । ଚରକ ଏହାର ଚେରକୁ ବିଷାକ୍ତ ସରୀସୃପ ବିଶେଷକରି ସର୍ପ ବିଷ ହରଣ ପାଇଁ ବ୍ୟବହାର କରିଥିଲେ । ଗବେଷଣା ଲବ୍ଧ ତଥ୍ୟ ଅନୁସାରେ ବର୍ତ୍ତମାନ ଏହାକୁ ଏଲୋପାଥି ଡାକ୍ତରମାନେ ଉଚ୍ଚ ରକ୍ତଚାପ ପ୍ରଶମନ ପାଇଁ ଅନୁମୋଦନ କରୁଛନ୍ତି । ଏହା କେନ୍ଦ୍ର ସ୍ନାୟୁ ସଂସ୍ଥା (central nervous system) ଉପରେ କାମ କରେ । [୨]

ଏହି ଗଛର ନିର୍ଯ୍ୟାସ ବିଷନାଶକ। ଆଲେକଜାଣ୍ଡର ଟଲେମି ନାମକ ତାଙ୍କର ଜଣେ ସେନା ଅଧିକାରୀଙ୍କ ଦେହରେ ଲାଗିଥିବା ଏକ ବିଷାକ୍ତ ତୀରର ବିଷକ୍ରିୟାକୁ ରୋକିବାପାଇଁ ଏହାର ପ୍ରୟୋଗ କରିଥିଲେ। କୁହାଯାଏ ଜାତିର ପିତା ମହାତ୍ମା ଗାନ୍ଧୀ ତାଙ୍କ ଜୀବନ କାଳରେ ଏହାକୁ ଏକ ଶାନ୍ତ କରିବାର ଔଷଧ(tranquilizer) ହିସାବରେ ପ୍ରୟୋଗ କରୁଥିଲେ। [୩] ଏଥିରେ ଥିବା ରିସର୍ପାଇନ(reserpine) ନାମକ ଉପାଦାନ ଉଚ୍ଚ ରକ୍ତଚାପ ଓ ମାନସିକ ବିକୃତି ଏପରିକି ସିଜୋଫର୍ଣିଆ (schizophrenia)କୁ ନିରାମୟ କରିବାରେ ବ୍ୟବହୃତ ହୁଏ ଏବଂ ଏହା ଏଇଥିପାଇଁ ପଶ୍ଚିମଦେଶମାନଙ୍କରେ ୧୯୫୪ରୁ ୧୯୫୭ ଯାଏ ଅତି ଲୋକପ୍ରିୟ ହୋଇପାରିଥିଲା।[୪]

ସର୍ପାଦି ବିଷଧର ସରିସୃପମାନଙ୍କଦ୍ୱାରା ଆସିଥିବା ବିଷକୁ ନାଶ କରିବାପାଇଁ ସର୍ପଗନ୍ଧାର ପ୍ରୟୋଗ କରାଯାଏ।[୪]

ଚାଷ[ସମ୍ପାଦନା]

୧୯୫୨ ମସିହାରେ ଦୁଇ ସୁଇସ ବୈଜ୍ଞାନିକ ସିଲର ଓ ମୁଲର ପ୍ରମୁଖ ଆଲକାଲଏଡ ରିସରପିନ (ସର୍ପାସିଲ)କୁ ପୃଥକ କଲେ । ୧୯୫୩ ମସିହାରେ ଚୋପ୍ରା ଏହାର ଉଚ୍ଚ ରକ୍ତଚାପ ପ୍ରଶମନ ଗୁଣ ଆବିଷ୍କାର କଲେ । ଏହା ପରେ ସର୍ପଗନ୍ଧା ଚେରର ଚାହିଦା ପାଶ୍ଚାତ୍ୟ ଦେଶ ମାନଙ୍କ ରେ ଦ୍ରୁତ ବୃଦ୍ଧି ପାଇଛି । ଏହାର ଚାଷ ନ ହେଉଥିବାରୁ ଜଙ୍ଗଲମାନଙ୍କ ରୁ ଅନିୟନ୍ତ୍ରିତ ଚେର ସଂଗ୍ରହ ବୃଦ୍ଧି ପାଇଲା । ଫଳରେ ସର୍ପଗନ୍ଧା ବଂଶ ଲୋପ ପାଇବାକୁ ବସିଲା । ୧୯୫୫ ମସିହାରେ ଭାରତ ସରକାର ସର୍ପଗନ୍ଧାକୁ ବିରଳ ଶ୍ରେଣୀଭୁକ୍ତ କଲେ ଏବଂ ବିସ୍ତୃ ତ ଚାଷ କରି ବା ପାଇଁ ଉଦ୍ୟମ କରାଗଲା । [୨]

ଓଡ଼ିଶାରେ ପାତାଳ ଗରୁଡ଼ ଚାଷ[ସମ୍ପାଦନା]

ଓଡ଼ିଶା ଜଳବାୟୁ ପାତାଳଗରୁଡ଼ ଚାଷ ପାଇଁ ଅତି ଉପଯୋଗୀ । ପାତାଳଗରୁଡ଼ ମଧ୍ୟମରୁ ଗଭୀର ଅତି ନିଗିଡ଼ା ହାଲୁକା ଉର୍ବର ବାଲି ଦୋରସା ସାମାନ୍ୟ ଅମ୍ଳୀୟରୁ ନିରପେକ୍ଷ ଅର୍ଥାତ ପିଏଚ ୪.୬ ରୁ ୬.୨ ମାଟିରେ ଭଲ ବଢ଼େ । କାଦୁଆ ଦୋରସାରୁ ପଟୁ ଦୋରସା ମାଟିରେ ଅଧିକ ଜୈବାଂଶ (ହ୍ୟୁମସ) ଥିବା ମାଟି ବ୍ୟାବସାୟିକ ଚାଷ ପାଇଁ ଉତ୍କୃଷ୍ଟ । ଏହା ବହୁବିଧ ମାଟି ବାଲିଆ, ପଟୁ ଦୋରସା, ଲାଲ କଙ୍କ ର ଦୋରସା, କଳା ଦୋରସା, କୃଷ୍ଣକାର୍ପାସ ମୃତ୍ତିକାରେ ଅଧିକ ପରିମାଣ ହ୍ୟୁମସ ଥିଲେ ଚାଷ ହୋଇପାରେ । ଏହାର ଚେର ମାଟିର ଗଭୀରତା ଥିଲେ ୫୦ ରୁ ୬୦ ସେ.ମି. ଭିତରକୁ ବିସ୍ତାର ହୋଇପାରେ ।

ଜଳବାୟୁ[ସମ୍ପାଦନା]

ପାତାଳଗରୁଡ଼ ବିସ୍ତୃତ ତାପମାତ୍ରା ଓ ଆର୍ଦ୍ରତାଯୁକ୍ତ (୧୦ ୦ ସେ. ରୁ ୪୫ ୦ ସେ.) ବୃଷ୍ଟିପାତ (୨୫୦ ସେ.ମି.ରୁ ୫୦୦ ସେ.ମି.ବା ଉର୍ଦ୍ଧ୍ବ), ସଂପୂର୍ଣ୍ଣ ସୂର୍ଯ୍ୟାଲୋକ ବା ଆଂଶିକ ଛାୟା ମିଳୁଥିବା ପରିବେଶରେ ଭଲ ବଢ଼ିପାରେ । ବର୍ଷା କମ ହେଉଥିବା ଅଞ୍ଚଳରେ ଜଳସେଚନ ର ସୁବିଧା ଥିଲେ ମଧ୍ୟ ଲାଭଜନକ ଚାଷ ହୋଇପାରେ।

କିସମ[ସମ୍ପାଦନା]

ଆର.ଏସ. -୧ କିସମ ବ୍ୟାବସାୟି କ ଚାଷ ପାଇଁ ଅନୁମୋଦିତ ।

ଅମଳ[ସମ୍ପାଦନା]

ଏହାର ମଞ୍ଜି ୫/୬ ମାସ ସାଇତା ହେବା ପରେ ମଧ୍ୟ ୫୦-୬୦ ପ୍ରତିଶତ ଗଜା ହୁଏ । ହେକଟର ପ୍ରତି ଅମଳ ଶୁଖିଲା ଚେର ପ୍ରାୟ ୨୫ କ୍ବିଣ୍ଟାଲ ଏବଂ ୧୮ ମାସ ଗଛରୁ ମୋଟ ଆଲକାଲଏଡ ୧.୭ ରୁ ୨.୯୪ ଶତାଂଶ ମିଳେ । ମେ ରୁ ଜୁଲାଇ ମାସ ମଧ୍ୟରେ ଏହା ଜଳସେଚିତ ଜମିରେ ଲଗାଯାଏ । ସେପଟେମ୍ବର ବେଳକୁ ଗଛ ଭଲ ବଢ଼ିଯାଏ । ୧୮ ମାସ ବେଳକୁ ଚେର ଔଷଧୀୟ ଗୁଣଯୁକ୍ତ ହୁଏ । ୨ ବର୍ଷରୁ ଅଧିକ, ଏପରିକି ୩-୪ ବର୍ଷିଆ ଗଛର ଚେର ଅଧିକ ଗୁଣଯୁକ୍ତ ହୁଏ । ଗଛ ପ୍ରତି ୦.୧-୪ କେଜି ଚେର ମିଳେ । ମଞ୍ଜି ଗଛରୁ ସର୍ବାଧିକ ଚେର ମିଳେ । ମଞ୍ଜି ଗଛରୁ ଶୁଖିଲା ଚେର ହେକଟର ପ୍ରତି ୧୧୭୦ କେଜି, ଡାଳ କଲମି ଗଛ ଚେର ୧୭୫ କେଜି, ଚେରକଟା ଗଛ ଚେର ୭୪୫ କେ.ଜି. ମିଳେ । ଦୁଇ ବର୍ଷିଆ ମଞ୍ଜି ଗଛରୁ ୨୨୦୦ କେ.ଜି. ଏବଂ ୩-୪ ବର୍ଷିଆ ମଞ୍ଜି ଗଛରୁ ୩୩୦୦ କେ.ଜି. ଶୁଖିଲା ଚେର ମିଳେ । ଏହାଛଡ଼ା ହେକଟର ପ୍ରତି ୭୫ କେଜିରୁ ଅଧିକ ମଞ୍ଜି ମିଳେ । [୨]

ଆଧାର[ସମ୍ପାଦନା]

  1. "Module 11: Ayurvedic". http://www.ars-grin.gov/duke/syllabus/module11.htm. Retrieved 2008-02-11. 
  2. ୨.୦ ୨.୧ ୨.୨ ୨.୩ ୨.୪ ଓଡ଼ିଶା ବିଜ୍ଞାନ ଏକାଡ଼େମି ପ୍ରକାଶିତ ପତ୍ରିକା ବିଜ୍ଞାନ ଦିଗନ୍ତ,
  3. Pills for Mental Illness?, TIME Magazine, November 8, 1954
  4. ୪.୦ ୪.୧ Sumit Isharwal and Shubham Gupta (2006). "Rustom Jal Vakil: his contributions to cardiology". Texas Heart Institute Journal 33 (2): 161–170. PMC 1524711. PMID 16878618. 

ବାହାର ତଥ୍ୟ[ସମ୍ପାଦନା]