ପତୁଆ

ଉଇକିପିଡ଼ିଆ‌ରୁ
ପତୁଆ ବା ବାଟିବସା
ମେଥିଶାଗ ପତୁଆ
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନସୋରିଷ, ଜିରା, ରସୁଣ ଓ କଞ୍ଚାଲଙ୍କା, ମେଥିଶାଗଆଳୁ
ବଦଳକଲରା, ମଦରଙ୍ଗା, ମେଥି ଶାଗ, ନିମ୍ବ ପତ୍ର, ପିତାଗମା, ଚିନା ବାଦାମ, ବୋଇତାଳୁ ଫୁଲ ବା ମଞ୍ଜି, ପରିବା ଚୋପା, ଚୁନା ମାଛ, ମାଛ, ଶୁଖୁଆ ପତୁଆ/ବାଟିବସା

ପରିଚୟ[ସମ୍ପାଦନା]

ପତୁଆ, ବା ବାଟିବସା ଅବିଭାଜିତ ବାଲେଶ୍ୱର ଅଞ୍ଚଳର ଏକ ଗାଉଁଲି ଖାଦ୍ୟ । ଓଡ଼ିଶାର ଅନ୍ୟ ଅଞ୍ଚଳରେ ଏହାକୁ ପଥୁରିବସା, ତାଟିଆବସା ବା ପତ୍ରପୋଡା ମଧ୍ୟ କହନ୍ତି। "ବାଟି" ଶବ୍ଦଟି ବାଲେଶ୍ୱରରେ ତାଟିଆ ବା ଗିନା(ପାତ୍ର )କୁ ବୁଝାଯାଏ। ଆବଶ୍ୟକୀୟ ସାମଗ୍ରୀକୁ ବାଟିରେ ରଖି ଅଥବା ପତ୍ରରେ ଗୁଡ଼ାଇ ତା’ପରେ ତାକୁ ନିଆଁରେ ରଖି ଏହାକୁ ପ୍ରସ୍ତୁତ କରାଯାଏ ବୋଲି ପତୁଆ ବା ବାଟିବସା କୁହାଯାଏ।

ପ୍ରକାର[ସମ୍ପାଦନା]

ପତୁଆ ବା ବାଟିବସା ଅନେକ ପ୍ରକାରର। ନିରାମିଷ

  • କଲରା ପତୁଆ,
ସୁସ୍ୱାଦୁ କଲରା ପତୁଆ
  • ମଦରଙ୍ଗା ପତୁଆ,
  • ମେଥି ଶାଗ ପତୁଆ,
  • ନିମ୍ବ ପତ୍ର ପତୁଆ,
  • ପିତାଗମା ପତୁଆ,
  • ଚିନା ବାଦାମ ପତୁଆ,
  • ବୋଇତାଳୁ (ବୋଇତି କଖାରୁ ବା ମାଖନ) ମଞ୍ଜି ଓ ଫୁଲ ଭିତରେ ଥିବା କେଶରର ପତୁଆ ଏବଂ
  • କେତେକ ପରିବା ଚୋପାରୁ ମଧ୍ୟ ଏହାକୁ ପ୍ରସ୍ତୁତ କରାଯାଏ ।

ଆମିଷ

  • ଚୁନା ମାଛ ପତୁଆ,
  • ମାଛ ପତୁଆ ଓ
  • ଶୁଖୁଆ ବାଟିବସା

ଦରକାରୀ ସାମଗ୍ରୀ[ସମ୍ପାଦନା]

ଏଥିପାଇ ସାଳ ପତ୍ର, କଦଳୀ ପତ୍ର , ପଣସ ପତ୍ର , ପଳାସ ପତ୍ର ଇତ୍ୟାଦି ବ୍ୟବହାର କରାଯାଏ। ଏଥି ସହିତ ସୋରିଷ, ଜିରା, ରସୁଣ ଓ କଞ୍ଚାଲଙ୍କା ଓ ଉପରୋକ୍ତ ନିର୍ଦିଷ୍ଟ ପତୁଆର ବିଶେଷ ଉପାଦାନଟି ସହ ଅନ୍ୟାନ୍ୟ କିଛି ପନି ପରିବା ଦରକାର ହୋଇଥାଏ।

ନିମ୍ନରେ କେବଳ ମଦରଙ୍ଗା ପତୁଆର ପ୍ରସ୍ତୁତି ପ୍ରଣାଳୀ ଦିଆଗଲା।

ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

ଏହାର ପ୍ରସ୍ତୁତି ପ୍ରଣାଳୀ ସାଧାରଣ ତରକାରୀଠାରୁ ସାମାନ୍ୟ ଭିନ୍ନ । ପତୁଆ ପ୍ରସ୍ତୁତି ପାଇଁ ପାରମ୍ପରିକ କାଠ ଚୁଲୀର ଆବଶ୍ୟକ ହୁଏ ।

ସାଧାରଣତଃ ଚୁଲୀରେ ରୋଷେଇ ସରିଲା ପରେ, ରହିଯାଇଥିବା ଡହଡହ ଅଙ୍ଗାରରେ ପୂର୍ବରୁ ପ୍ରସ୍ତୁତ ମସଲା ଓ ପରିବାର ମିଶ୍ରଣକୁ ପତ୍ରରେ ଗୁଡାଇ ପତୁଆ ପ୍ରସ୍ତୁତ କରାଯାଏ। ଏହି ମିଶ୍ରଣକୁ ବାଟିରେ ରଖି ନିଆଁରେ ବସାଇଲେ ତାକୁ ବାଟି ବସା କୁହାଯାଏ। ଯଦି ଏହାକୁ ଚୁଲୀରେ ନ ବନେଇ, ଗ୍ୟାସ୍ ବା ହିଟର୍ରେ ବନାନ୍ତି ତେବେ କୌଣସି ଏକ ଧାତବ(ଆଲୁମିନିୟମ) ବାସନରେ ବନେଇ ବାକୁ ହୋଇଥାଏ।

ପ୍ରଥମେ ସୋରିଷ, ଜିରା, ରସୁଣ ଓ କଞ୍ଚାଲଙ୍କାକୁ ବାଟି ନିଅନ୍ତୁ । ମଦରଙ୍ଗା ଶାଗକୁ ଭଲ ଭାବରେ ବାଛି,ଧୋଇ ରଖନ୍ତୁ । ଏହାକୁ ଶିଳରେ ବହଳିଆ କରି ବାଟନ୍ତୁ ବା ଗ୍ରାଇଣ୍ଡର୍ରେ ପେସି ପେସ୍ଟ ବନାନ୍ତୁ ।

କିଛି ଆଳୁ, କୁନ୍ଦୁରି, ବୋଇତାଳୁକୁ ଅତି ଛୋଟ ଛୋଟ କରି କାଟି ମଦରଙ୍ଗା ପେସ୍ଟରେ ମିଶାନ୍ତୁ । କିଛି ସୋରିଷ ତେଲ ପକାନ୍ତୁ, ଲୁଣ, ମସଲା, ଦେଇ ଭଲ ଭାବରେ ହାତରେ ଦଳି ରଖନ୍ତୁ । କଦଳୀ ପତ୍ରକୁ ଧୋଇ ତା’ ଉପରେ ଅଳ୍ପ ତେଲ ଲଗାଇ, ଅଙ୍ଗାର ଉପରେ ଦେଖେଇ ସେକି ନିଅନ୍ତୁ । ତା ମଧ୍ୟରେ ପୂର୍ବରୁ ପ୍ରସ୍ତୁତ ମିଶ୍ରଣକୁ ତିନି /ଚାରି ପରସ୍ତ କରି ଗୁଡାଇ, ଅଙ୍ଗାର ମଧ୍ୟରେ ଘୋଡାଇ ରଖିଲେ ମଦରଙ୍ଗା ପତୁଆ ୨୦ ମିନିଟରେ ପ୍ରସ୍ତୁତ ହେଇଯିବ ।


ଏହାକୁ ଗରମ ଭାତ ଓ ପଖାଳ ଭାତ ସହିତ ଖିଆଯାଏ । ବାଲେଶ୍ୱର ଅଞ୍ଚଳରେ ମୁଢ଼ିକୁ ପଖାଳି ତା ସହିତ ମଧ୍ୟ ଖାଆନ୍ତି ।


ଆଧାର[ସମ୍ପାଦନା]