ପଖାଳ
ଭୃସୁଙ୍ଗା ପତ୍ର, ଜିରା ଓ ଭଜା ଲଙ୍କା ସହିତ ପଖାଳ |
|
| ଆରମ୍ଭ | |
|---|---|
| ମୂଳ ଜାଗା | ଭାରତ |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ଖାଇବାର ମେଳଣ | ଗରମ ପଖାଳ, ଜିରା ପଖାଳ, ବାସି ପଖାଳ |
| ବାଢ଼ିବାର ତାତି | ଥଣ୍ଡା, ଗରମ |
| ମୂଳ ଉପାଦାନ | ଭାତ |
ପଖାଳ ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ନିତିଦିନିଆ ସୁସ୍ୱାସ୍ଥ୍ୟକର ଓଡ଼ିଆ ଖାଦ୍ୟ । ପ୍ରତିଟି ଓଡ଼ିଆ ଘରେ ଏହା ଖିଆଯାଇଥାଏ । ଏହା ଖରା ଦିନରେ ଦେହରେ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଏକ ଉପାଦେୟ ଖାଦ୍ୟ। ପାଣି ଯୁକ୍ତ ଏହି ଭାତକୁ ପଖାଳ କୁହାଯାଏ ଓ ଏହାର ପାଣିକୁ ତୋରାଣି କୁହାଯାଏ ।
ପଖାଳ ସାଧାରଣତଃ ଦିନରେ (ସକାଳେ) ଖିଆଯାଏ । ଖରାଦିନରେ ଖରାବେଳେ, କେହି କେହି ଉପରଓଳି ମଧ୍ୟ ଖାଇଥାଆନ୍ତି ।
ବିଷୟସୂଚୀ |
ଇତିହାସ [ସମ୍ପାଦନା]
ପଖାଳ ଓଡ଼ିଆ ଶବ୍ଦ "ପଖାଳିବା/ପଖାଳିତ"ରୁ ଆସିଅଛି ଯାହାର ଅର୍ଥ ଧୋଇବା, ଭାତକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ନାଆଁ ଏମିତି ହୋଇଅଛି । ପ୍ରକ୍ଷାଳନ ବା ପ୍ରକ୍ଷାଳ (ଅର୍ଥାତ୍ ଧୋଇବା) କାଳକ୍ରମେ ଅପଭ୍ରଂଶ ହୋଇ ପଖାଳ ହୋଇଥିବାର କେହି କେହି ମତ ଦିଅନ୍ତି। ଭାତକୁ ଜଳରେ ଧୋଇଦେଲେ ତାହା ପଖାଳ ହୋଇଯାଏ।
ପବିତ୍ର ତିପିଟକ ର ମଝିମ ନିକାୟ ଅନୁସାରେ ବୁଦ୍ଧଙ୍କର ଜଣେ ସାନବାପାଙ୍କ ନାଁ ଥିଲା ଧୋତଦନ (ଧୋତ ଉଦନ), ଯାହାର ଅର୍ଥ ହେଉଛି 'ଧୁଆ ବା ପଖାଳ ଅନ୍ନରେ ଶ୍ରଦ୍ଧା ଯାହାର ସେ' ।
ଏଥିରୁ ଜଣାପଡ଼େ ଯେ ବୁଦ୍ଧଙ୍କ ଅମଳରେ (ଆଜିକୁ ପାଖାପାଖି ଅଢ଼େଇ ହଜାର ବର୍ଷ ତଳେ) ମଧ୍ୟ ଓଡ଼ିଆଙ୍କ 'ପଖାଳ'ର ଲୋକପ୍ରିୟତା ଥିଲା ।
ପ୍ରକାର [ସମ୍ପାଦନା]
- ସଜ ପଖାଳ: ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ କୁହାଯାଏ। ସଜପଖାଳରେ କାଗିଜି ଲେମ୍ବୁ ଚିପୁଡ଼ି କିମ୍ବା ଦହି ଗୋଳାଇ ଖାଇଲେ ସ୍ୱାଦିଷ୍ଠ ହୋଇଥାଏ ।
ଏହାକୁ ଭୃସଙ୍ଗ ପତ୍ର (ଭୁର୍ସୁଙ୍ଗା ପତ୍ର ବା ଭେରସୁଙ୍ଗା ପତ୍ର), ଟଭାଗଛର ପତ୍ର ଛୁଙ୍କ ଦେଇ ସେଥିରେ କଟା ଦେଶୀ ପିଆଜ, ବସାଦହି, ଆମ୍ବକସିଆ ଅଦା, କଞ୍ଚାଲଙ୍କା ଓ ଦରକାର ମୁତାବକ ଲୁଣ ପକାଇଲେ ଏହାର ସୁଆଦ ଆହୁରି ବଢ଼ିଯାଏ ।
- ବାସି ପଖାଳ: ଭାତ ପଖାଳିବାର ୧୦-୧୨ ଘଣ୍ଟା ବା ୧ ଦିନ ବା ଆହୁରି କିଛି ସମୟ ରଖି ଏହା ତିଆରି କରାଯାଇଥାଏ । ଏହା କିଛି ପରିମାଣରେ ଟଙ୍କ (ଖଟା) ମଧ୍ୟ ଲାଗିଥାଏ । ଏହା ଖଟା ହୋଇଥିବାରୁ ଏଥିରେ ଲେମ୍ବୁ ବା ଦହି ପକାଇବାର ଆବଶ୍ୟକତା ନ ଥାଏ ।
- ଜିରା ପଖାଳ: ଜିରା, ଭୃସଙ୍ଗ ପତ୍ର ଆଦିକୁ ଭାଜି ପଖାଳରେ ମିଶାଇ ଏହା ତିଆରି କରାଯାଇଥାଏ ।[୧][୨][୩]
- ଦହି ପଖାଳ: ଏହା ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ, ଭୃଷଙ୍ଗ ପତ୍ର ଆଦି ଛୁଙ୍କ ଦେଇ ତିଆରି କରାଯାଇଥାଏ ।[୪]
- ଚାଇଁ ପଖାଳବା ଗରମ ପଖାଳ : ଏହା ସଜ ଭାତରେ ଗରମ ନ ଛାଡ଼ୁଣୁ ପାଣି ମିଶାଇ ତିଆରି କରାଯାଇଥାଏ ଓ ଗରମ ଗରମ ଖିଆଯାଇଥାଏ । ଏଥିରେ ଗାଈ କ୍ଷୀର ବା ମିଇଁଷି ଘିଅ ପକାଇ ମଧ୍ୟ କେହି କେହି ଖାଇଥାନ୍ତି।
- ଟଭା ପଖାଳ
- ଅଦା ପଖାଳ
- କଞ୍ଚାଆମ୍ବ ପଖାଳ
- କାକୁଡ଼ିକୋରା ପଖାଳ
- ବଡ଼ି ପଖାଳ
ଆମ୍ବ ସମୟରେ ଆମ୍ବ କଷିକୁ ଛିଡ଼ାଇଦେଲେ ତା’ ଡେମ୍ଫରୁ ଯେଉଁ ନସି ବା ନସା ବାହାରେ ତାହା ପଖାଳ ଭାତରେ ଖୁବ୍ ବାସେ।
ପଖାଳ ସହିତ ଶାଗ [ସମ୍ପାଦନା]
ପଖାଳ ଭାତ ସହିତ ବିଭିନ୍ନ ପ୍ରକାରର ଚଟଣୀ ଯଥା - ଧଣିଆଁ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ସମେତ ପିଆଜ ବା ରସୁଣ, ଲଙ୍କା ଓ ପଞ୍ଚୁ ଫୁଟଣରେ ଛୁଙ୍କଦେଇ ପ୍ରସ୍ତୁତ କରାଯାଇଥିବା ସୁନୁସୁନିଆ, ନେଉଟିଆ, କୋଶଳା, ମଦରଙ୍ଗା, ଖଡ଼ା, ସଜନା, କଳମ ଆଦି ଶାଗ ବିଭିନ୍ନ ପ୍ରକାରର ଶାଗଭଜା ଓ ପତର ପୋଡ଼ା ସହିତ ଖିଆଯାଏ। ମାଛ, କଙ୍କଡ଼ା ଛେଚା, ବିଶେଷ କରି ରସୁଣ ବା ପିଆଜ ଯୁକ୍ତ ଭେଣ୍ଡି, ଜହ୍ନି, ସାରୁ ଚକଟା, ବଡ଼ିଚୁରା ସହିତ ପଖାଳର ମଜା ନିଆରା। ପଖାଳକୁ ବିଭିନ୍ନ ପ୍ରକାରର ଆଚାର ସହିତ ମଧ୍ୟ ଖିଆ ଯାଇଥାଏ ।
କାଞ୍ଜି ପାଣି [ସମ୍ପାଦନା]
ମାଟି ହାଣ୍ଡିରେ ପଖାଳକୁ ବାସି କରି ତା’ର ତୋରାଣିରୁ ପ୍ରସ୍ତୁତ କାଞ୍ଜିକୁ ହାଣ୍ଡି କାଞ୍ଜି ବୋଲି କହିଥାନ୍ତି। ଏହା ଭେଣ୍ଡି, ବୁଢା ବାଇଗଣ ବା କାକୁଡ଼ି, ଭୃସଙ୍ଗ ପତ୍ର ଓ ପଞ୍ଚୁ ଫୁଟଣ ଦେଇ ଛୁଙ୍କ କରାଯାଏ । ଏହା ଔଷଧିୟ ଗୁଣ ଯୁକ୍ତ । ଏ ପ୍ରକାର କାଞ୍ଜିର ପ୍ରସ୍ତୁତି ଆଜି କାଲି ବିରଳ ।
ଓଡ଼ିଆ ଚଳଣିରେ ପଖାଳ [ସମ୍ପାଦନା]
ଶ୍ରୀମନ୍ଦିରରେ ପଖାଳ [ସମ୍ପାଦନା]
ଗ୍ରୀଷ୍ମଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଇଥାଏ। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମହାପ୍ରଭୁ ଶ୍ରୀ ମଦନମୋହନ ଚାପଯାତ୍ରା ପାଇଁ ବାହାରନ୍ତି। ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇବାର ଦେଖାଯାଏ। ପ୍ରତିଦିନ ସକାଳୁ ଶ୍ରୀମନ୍ଦିରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହା ପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ।
ଛପନ ଭୋଗରେ ପଖାଳ [ସମ୍ପାଦନା]
ବଡ଼ଦେଉଳରେ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଛପନ ଭୋଗରେ ସନ୍ଧ୍ୟା ଧୂପ (ତୃତୀୟ ଧୂପ)ରେ ପଖାଳ ଲାଗି ହୋଇଥାଏ । ସନ୍ଧ୍ୟା ୭.୦୦ ରୁ ୮.୦୦ଟା ସମୟରେ ଜୟ ମଙ୍ଗଳ ଆଳତି (ସନ୍ଧ୍ୟା ଆଳତି) ପରେ ଏହା ଅର୍ପଣ କରାଯାଏ। ମନ୍ଦିରରେ ଦୁଇ ପ୍ରକାରର ପଖାଳ ଭୋଗ ଭାବରେ ଲାଗି କରାଯାଇଥାଏ ।
-
- ପାଣି ପଖାଳ:୨୩ ଓଳି
- ଚିପୁଡ଼ା ପଖାଳ: ୧୪ ଓଳି
ପର୍ବପର୍ବାଣୀରେ ପଖାଳ [ସମ୍ପାଦନା]
- ମାର୍ଗଶୀରମାସ ଗୁରୁବାରଦିନ ମହାଲକ୍ଷ୍ମୀଙ୍କଠାରେ ପଖାଳ ଓ କଳମ ଶାଗ ଭୋଗ ଦେବାର ପରମ୍ପରା ମଧ୍ୟ ରହିଅଛି।
- ପଶ୍ଚିମ ଓଡ଼ିଶାର ଭାଇ ଜିଉଁନ୍ତିଆ ଓଷା ପରଦିନ ଭଉଣୀମାନେ ପଖାଳ ଖାଇବାର ପରମ୍ପରା ରହିଛି।
- ବର ସହ କନ୍ୟାଘରର ପାରସ୍ପରିକ ମଧୁର ସମ୍ପର୍କ ଆରମ୍ଭ ହୋଇଥାଏ ପଖାଳରୁ। ବାହାଘର ପରେ କନ୍ୟାଘରେ ବର ଗାଧୁଆ ସାରି ନୂଆ ପୋଷାକ ପିନ୍ଧି ଶାଶୁ ବା ଭାଉଜଙ୍କ ଦ୍ୱାରା ଶାଳୀ ବା କନ୍ୟାର ସାଙ୍ଗସାଥି ମାନଙ୍କ ଗହଣରେ ଦହି-ପଖାଳ ଖାଇଥାଏ।
ପଖାଳର ଔଷଧୀୟ ଗୁଣ [ସମ୍ପାଦନା]
ପଖାଳ ପିତ୍ତ ନାଶକ। ଚାଇଁ ପଖାଳ ଖାଇ ତା ତୋରାଣି ମୁନ୍ଦେ ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ନିବାରିତ ହୋଇଥାଏ । ବାଧିକି ଥିବା ଲୋକର ପଥ୍ୟ ଭାବେ ଏହା ବ୍ୟବହାର କରା ଯାଇଥାଏ । ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ ।[୫]
ଲୋକ ମୁଖରେ ପଖାଳ [ସମ୍ପାଦନା]
ଲୋକଗୀତ [ସମ୍ପାଦନା]
- ଝିଅ ଶାଶୁ ଘରକୁ ଯିବା ଆଗରୁ ଶାଶୁଘରେ ପଖାଳଖିଆ ବନ୍ଦ ହୋଇ ଯିବାର ଆଶଂକା କରି ବାହୁନିଥାଏ -
| “ | ପାହାନ୍ତା ପଖାଳ ସପନ ହେବ ଲୋ ମୋ ମାଆରାଣୀ ବାଳ ବାନ୍ଧିବାକୁ ତେଲ ନ ଥିବ ଲୋ ମୋ ମାଆରାଣୀ ॥ |
” |
- ଝିଅ ଶାଶୁ ଘରକୁ ଯିବା ଆଗରୁ ତାକୁ ବନ୍ଧୁ ବାନ୍ଧବ ଓ ସାଇ ପଡ଼ିଶା କନିଆଁ ଡାକରା ବା ତୋରାଣି ପିଆପାଇଁ ଡାକିଥାନ୍ତି। ଝିଅଟିର ଅନ୍ତର୍ବେଦନାକୁ ପ୍ରତିଫଳିତ କରେ ଏଇ କାନ୍ଦଣା ଗୀତ-
| “ | ଦେଠେଇ ତୋହର ଥିଲେ ତୋରାଣି ପିଇବାକୁ ଡକାଇ ନେଲେ ଲୋ ଜୀବନ |
” |
- ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ପ୍ରସିଦ୍ଧ ଲୋକ ଗୀତ ‘ଆସ ଜୀବନଧନ ମୋର ପଖାଳ କଂସା’ରୁ କେଇଧାଡ଼ି:
| “ | ଓଡ଼ିଆ ଜୀବନ ଦୁଆ ଶାଗ ପଖାଳ ଜଗନ୍ନାଥ ରସି ଖାଏ ମନେ ତୁ ଭାଳ |
” |
ଲୋକକଥା [ସମ୍ପାଦନା]
- ପଖାଳ ସହ ଶୁଖୁଆ, ବଡ଼ିଚୁରା, ପୋଡ଼ା ଆଳୁ-ବାଇଗଣ-ଜହ୍ନି ଛେଚା ଓଡ଼ିଆଙ୍କର ପ୍ରିୟ ଖାଦ୍ୟ :
| “ | ମଦରଙ୍ଗା ଶାଗ ରାଇ ପଖାଳ ଭାତକୁ ଚିଲିକା ଶୁଖୁଆ |
” |
- ଉପକୂଳ ଅଂଚଳର ଲୋକୋକ୍ତିରେ:
| “ | ଦି ମାଇପରେ ଘଇତା ତବତ ଖାଇବୁ କି ପଖାଳ ଖାଇବୁ |
” |
- ଝିଅଟିଏ ତା’ର ସାଙ୍ଗ, ସାଥି, ବଉଳଙ୍କ ପାଖକୁ ଚିଠି ଲେଖିଲାବେଳେ ଲେଖେ:
| “ | ପଖାଳ ଭାତରେ ଉଲି ପିଆଜ ଅକ୍ଷର ମୋହର ବଡ଼ କଦର୍ଯ୍ୟ॥ |
” |
କାହାଣୀ [ସମ୍ପାଦନା]
ଦେବତାମାନଙ୍କ ପଖାଳ ଖିଆ
ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ବୁଲି ପାରୁଥିବା ଦେବର୍ଷି ନାରଦ ଥରେ ଛତିଶଗଡ଼ ଅଞ୍ଚଳରେ ପହଞ୍ଚିଗଲେ। ବୁଲି ବୁଲି ତାଙ୍କୁ ବହୁତ ଭୋକ ଲାଗିଲା। ଛତିଶ ଗଡ଼ର ଏକ ରାସ୍ତାରେ ଜଣେ କୃଷକ ଯାଉଥିବାର ଦେଖି ନାରଦ ତାଙ୍କୁ କିଛି ଖାଇବାର ବ୍ୟବସ୍ଥା କରିବାପାଇଁ କହିଲେ। ତହୁଁ କୃଷକ ଜଣକ ନାରଦ ମୁନିଙ୍କୁ ନିଜ ଘରକୁ ଡ଼ାକିନେଇ ବାସି ପଖାଳ ଓ ଧଣିଆପତ୍ର, ବିଲାତି ବାଇଗଣ, ଲଙ୍କାମିଶା କିଛି ଚଟଣି ଖାଇବାକୁ ଦେଲେ। ନାରଦ ଏମିତି ସୁଆଦିଆ ଖାଦ୍ୟ କେଉଁଠି ବି ଖାଇ ନ ଥିଲେ। ସେ ଅତି ଖୁସି ହୋଇ କହିଲେ ଦେବତା ମାନେ କ’ଣ ଅମୃତ ଖାଇ ଗର୍ବ କରୁଛନ୍ତି, ଏଇ ପଖାଳ ତ ଅମୃତଠୁ ବଳି । ମୁଁ ଏହାକୁ ସ୍ୱର୍ଗକୁ ନେଇ ଦେବତାଙ୍କ ଗର୍ବ ଖର୍ବ କରିବି । ତେବେ ହାଣ୍ଡିଏ ପଖାଳ ଓ ଚଟଣୀ ସେ ଏକା ସେଠାକୁ ନେବେ କେମିତି? କୃଷକଟି ପ୍ରସ୍ତାବ ଦେଲା, ‘ମୁନିବର ଯଦି ଆଜ୍ଞାଦେବେ, ମୁଁ ଆପଣଙ୍କ ସହିତ ଏସବୁ ନେଇ ଯାଆନ୍ତି।’ ପଖାଳ ଖାଇ ଭୋଳ ହୋଇଥିବା ନାରଦମୁନି ସଙ୍ଗେ ସଙ୍ଗେ ଅନୁମତି ଦେଇଦେଲେ। ଶୂନ୍ୟରେ ଉଡ଼ି ଉଡ଼ି କୃଷକଟି ସ୍ୱର୍ଗକୁ ଗଲାବେଳେ ତାକୁ ବହୁତ ଆନନ୍ଦ ଲାଗୁଥାଏ। ସେ ଏମିତି ଭାବରେ ନାରଦଙ୍କ ସହିତ ଦେବରାଜ ଇନ୍ଦ୍ରଙ୍କ ସଭାରେ ପହଞ୍ଚିଲେ । ତତକ୍ଷଣାତ୍ ଦେବରାଜ କହିଲେ, ‘ଦେବର୍ଷି! ଆପଣ ମର୍ତ୍ତ୍ୟର ଲୋକକୁ ସ୍ୱର୍ଗକୁ ଆଣିଲେ କେମିତି?’ ନାରଦ ଏକଥା ଭୁଲି ଯାଇଥିଲେ ବୋଲି କ୍ଷମା ଯାଚନା କରିବା ସହିତ ସବୁ ଦେବତାଙ୍କୁ ଡାକି ବାସି ପଖାଳ ଓ ଚଟଣି ଖୁଆଇଲେ। ସଭିଏଁ ପଖାଳର ପ୍ରଶଂସା କଲେ । ଦେବତାମାନେ ଆଉ ଥରେ ଥରେ ଏଇ ପଖାଳ ମାଗିଲା ବେଳକୁ ହାଣ୍ଡି ଖାଲି। ଇନ୍ଦ୍ର ଦେବ କହିଲେ, ‘ଚିନ୍ତା କରନ୍ତୁ ନାହିଁ, ଆମେ ସମସ୍ତେ ପଖାଳ ଓ ଚଟଣି ଖାଇବାକୁ ଛତିଶ ଗଡ଼ ଯିବା ।’ ସେଥିପାଇଁ ଛତିଶଗଡ଼ ଲୋକ ପ୍ରତି ବର୍ଷ ମାର୍ଗଶୀର ମାସରେ ପଖାଳ ଚଟଣୀ ପ୍ରସ୍ତୁତ କରନ୍ତି। ଦେବତାମାନେ ଗୁରୁବାରିଆ ଆସି ଏଇ ପଖାଳ ଖାଆନ୍ତି ।
ପଖାଳର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ [ସମ୍ପାଦନା]
ଶ୍ରୀଜଗନ୍ନାଥ ଓ ମା’ ଲକ୍ଷ୍ମୀଙ୍କ ସମୀପରେ ପଖାଳ ଭୋଗର ପରମ୍ପରାକୁ ଲକ୍ଷ୍ୟକଲେ ପଖାଳର ପ୍ରାଚୀନତା ବାରିହୁଏ । କିନ୍ତୁ ଅଧୁନା ଏହାକୁ ଗରିବ ଲୋକଙ୍କ ଖାଦ୍ୟ ବୋଲି ଗଣନା କରି ଅନେକେ ନାକ ଟେକନ୍ତି । ଆଧୁନିକ ଚାକଚକ୍ୟ ଭିତରେ ବିଦେଶୀ ଖାଦ୍ୟକୁ ପ୍ରାଧାନ୍ୟ ଦେଇ ଏହି ସ୍ୱାସ୍ଥ୍ୟକର ଖାଦ୍ୟର ଜନପ୍ରିୟତା କିଛି କମିଥିଲେ ବି ଓଡ଼ିଆ ଘରେ ଏକ ପ୍ରମୁଖ ଖାଦ୍ୟ ଭାବରେ ଏହା ଚିରଦିନ ପରିଗଣିତ ହେଉଥିବ ।
ଆଧାର [ସମ୍ପାଦନା]
- ↑ Jeera pakhala
- ↑ Jeera Pakhala
- ↑ Jeera Pakhala
- ↑ Dahi Pakhala
- ↑ ଜୀବନଧନ ମୋର ପଖାଳ କଂସା, ସଚିତ୍ର ବିଜୟା, ଜୁଲାଇ ୨୦୦୨
|
||||||||||||||||||||||||||||||||